ଆଧୁନିକ ଭାରତର ନିର୍ମାତା-ସର୍ଦ୍ଦାର ପଟେଲ

0

୧୯୪୭ର ପ୍ରଥମାର୍ଦ୍ଧ ଭାରତ ଇତିହାସ ପାଇଁ ଏକ ସଙ୍କଟମୟ ସମୟ ଥିଲା। ଔପନିବେଶିକ ଶାସନର ଅନ୍ତ ନିଶ୍ଚିତ ଥିଲା ଏବଂ ଭାରତର ବିଭାଜନ ମଧ୍ୟ ନିର୍ଦ୍ଧାରିତ ଥିଲା, ହେଲେ ଏହା ଅନିଶ୍ଚିତ ଥିଲା ଯେ, ଭାରତର ଗୋଟିଏରୁ ଅଧିକ ବିଭାଜନ ହେବ ନାହିଁ ତ? ଦରଦାମ୍‍ ବଢ଼ୁଥିଲା, ଖାଦ୍ୟାଭାବ ଅତି ସାଧାରଣ କଥା ଥିଲା କିନ୍ତୁ ଏସବୁର ଊର୍ଦ୍ଧ୍ବରେ ଭାରତର ଏକ ଅଖଣ୍ଡତା ପ୍ରତି ଗମ୍ଭୀର ଚାପ ରହିଥିଲା। ଏହିପରି ପରିସ୍ଥିତିରେ ସ୍ୱରାଷ୍ଟ୍ର ବିଭାଗ ୧୯୪୭ ମସିହା ଜୁନ ମାସରେ କାର୍ଯ୍ୟକ୍ଷମ ହେଲା। ଏହି ବିଭାଗର ପ୍ରମୁଖ ଲକ୍ଷ୍ୟ ଥିଲା ୫୫୦ରୁ ଅଧିକ ଗଡଜାତ ରାଜ୍ୟ ସହ ଭାରତର ସମ୍ପର୍କ ବିଷୟରେ ଆଲୋଚନାକୁ ତ୍ୱରାନ୍ୱିତ କରିବା ଏବଂ ଏହାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବା। ଏହି ରାଜ୍ୟଗୁଡ଼ିକର ଆକାର, ଜନସଂଖ୍ୟା, ପ୍ରାକୃତିକ ବୈଶିଷ୍ଟ୍ୟ ଏବଂ ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ଭିନ୍ନ ଭିନ୍ନ ଥିଲା। ଥରେ ସର୍ଦ୍ଦାର ପଟେଲଙ୍କୁ ମହାତ୍ମାଗାନ୍ଧୀ କହିଥିଲେ, “ରାଜ୍ୟଗୁଡ଼ିକର ସମସ୍ୟା ଏତେ ଜଟିଳ ଯେ କେବଳ ଆପଣ ହିଁ ଏହାର ସମାଧାନ କରିପାରିବେ”।

ସର୍ଦ୍ଦାର ପଟେଲ ନିଜର କାର୍ଯ୍ୟକୁ ତ୍ରୁଟିଶୂନ୍ୟ, ଦୃଢ଼ ଏବଂ ପ୍ରଶାସନିକ ଦକ୍ଷତାର ସହ କରିବା ଲାଗି ଆଗେଇ ଆସିଲେ। ସମୟ କମ୍‍ ଥିଲା ଓ କାର୍ଯ୍ୟର ପରିମାଣ ଖୁବ୍‍ ବ୍ୟାପକ ଥିଲା କିନ୍ତୁ ସେ ସାଧାରଣ ବ୍ୟକ୍ତି ନଥିଲେ, ଥିଲେ ସର୍ଦ୍ଦାର ପଟେଲ, ଯିଏ କି ନିଜ ରାଷ୍ଟ୍ରର ସମ୍ମାନକୁ ତଳେ ପକାଇ ନଦେବା ପାଇଁ ପ୍ରତିବଦ୍ଧ ଥିଲେ। ଗୋଟିଏ ପରେ ଗୋଟିଏ ଛୋଟବଡ ରାଜତନ୍ତ୍ର ତଥା ଗଡଜାତ ଶାସନାଧୀନ ରାଜ୍ୟ ସହିତ ସେ ଓ ତାଙ୍କ ଟିମ ଆଲୋଚନା ଜାରି ରଖିଥିଲେ ଏବଂ ଏହା ସୁନିଶ୍ଚିତ କଲେ ଯେ ଏହି ସବୁ ରାଜ୍ୟଗୁଡ଼ିକ ଯେପରି ସ୍ୱାଧୀନ ଭାରତର ଅଂଶବିଶେଷ ହୋଇପାରିବେ। ଆଜି ଭାରତର ଯେଉଁ ମାନଚିତ୍ର ଆପଣମାନେ ଦେଖୁଛନ୍ତି ତାହା କେବଳ ସର୍ଦ୍ଦାର ପଟେଲଙ୍କ ନିରନ୍ତର ପ୍ରୟାସ ଯୋଗୁଁ ସମ୍ଭବ ହୋଇପାରିଛି। ସ୍ୱାଧୀନତା ହାସଲ ହେବା ପରେ ଭିପି ମେନନ ପ୍ରଶାସନିକ ସେବାରୁ ଅବସର ନେବାକୁ ଇଚ୍ଛାବ୍ୟକ୍ତ କଲେ। ହେଲେ ସର୍ଦ୍ଦାର ପଟେଲ ତାଙ୍କୁ କହିଲେ, ଏହା ନା ବିଶ୍ରାମ ନେବାର ସମୟ ନା ଅବସର ନେବାର। ଏପରି ଥିଲା ସର୍ଦ୍ଦାର ପଟେଲଙ୍କ ଦୃଢ଼ସଂକଳ୍ପ। ତା’ପରେ ଭିପି ମେନନଙ୍କୁ ସ୍ୱରାଷ୍ଟ୍ର ବିଭାଗର ସଚିବ କରାଗଲା। ମେନନ ତାଙ୍କର ପୁସ୍ତକ “ଦି ଷ୍ଟୋରୀ ଅଫ ଦି ଇଣ୍ଟିଗ୍ରେସନ ଅଫ ଇଣ୍ଡିଆନ ଷ୍ଟେଟ୍ସ”ରେ ଲେଖିଛନ୍ତି କିପରି ଭାବେ ସର୍ଦ୍ଦାର ପଟେଲ ନେତୃତ୍ୱ ନେଇଥିଲେ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ଅଧ୍ୟବସାୟର ସହ କାର୍ଯ୍ୟ କରିବା ଲାଗି ଅନୁପ୍ରାଣିତ କରିଥିଲେ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଭାରତର ଲୋକମାନଙ୍କ ସ୍ୱାର୍ଥ ସହ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ସର୍ଦ୍ଦାର ପଟେଲ ସ୍ପଷ୍ଟ ଭାବେ ପ୍ରଥମରେ ଏବଂ ପ୍ରମୁଖତାର ସହ ଉପସ୍ଥାପନ କରୁଥିଲେ। ୧୫ ଅଗଷ୍ଟ ୧୯୪୭ରେ, ଆମେ ଏକ ନୂତନ ଭାଗ୍ୟର ଉଦୟକୁ ପାଳନ କରୁଥିଲୁ କିନ୍ତୁ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଠାରୁ ବହୁଦୂରରେ ଥିଲା। ସ୍ୱାଧୀନ ଭାରତର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ସେ ପ୍ରଥମେ ଏକ ପ୍ରଶାସନିକ ବ୍ୟବସ୍ଥା ପାଇଁ ମଞ୍ଚ ପ୍ରସ୍ତୁତ କରିଥିଲେ, ଯାହା ନିରନ୍ତର ଭାବେ ରାଷ୍ଟ୍ରର ସେବା କରିପାରିବ ତାହା ଦୈନିକ ପ୍ରଶାସନିକ କାର୍ଯ୍ୟ ହେଉ କିମ୍ବା ଲୋକମାନଙ୍କ ସ୍ୱାର୍ଥ ବିଶେଷ କରି, ଗରିବ ଏବଂ ବଞ୍ଚିତମାନଙ୍କର ସୁରକ୍ଷାକୁ ନେଇ ହେଉ। ସର୍ଦ୍ଦାର ପଟେଲ ଜଣେ ଅଭିଜ୍ଞ ପ୍ରଶାସକ ଥିଲେ। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ନିଜସ୍ୱ ଅଭିଜ୍ଞତା, ବିଶେଷ କରି ୧୯୨୦ରେ ସେ ଯେତେବେଳେ ଅହମ୍ମଦାବାଦ ପୌର ପାଳିକାର ପ୍ରଶାସକ ଥିଲେ, ସ୍ୱାଧୀନ ଭାରତର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଶେଷ ଭାବେ କାମରେ ଆସିଥିଲା। ଅହମ୍ମଦାବାଦରେ ଥିବା ସମୟରେ ସେ ସହରର ସ୍ୱଚ୍ଛତାକୁ ତ୍ୱରାନ୍ୱିତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ସେ ସାରା ସହରରେ ସ୍ୱଚ୍ଛତା ଏବଂ ଡ୍ରେନେଜ ବ୍ୟବସ୍ଥାର କାର୍ଯ୍ୟକାରୀତାକୁ ସୁନିଶ୍ଚିତ କରିଥିଲେ। ସଡ଼କ, ବିଦ୍ୟୁତିକରଣ ଏବଂ ଶିକ୍ଷା ଭଳି ସହରାଞ୍ଚଳ ଭିତ୍ତିଭୂମିର ଅନ୍ୟ ଦିଗ ପ୍ରତି ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଆଜି ଭାରତ ଯଦି ନିଜର ଉଜ୍ଜ୍ୱଳ ସମବାୟ କ୍ଷେତ୍ରକୁ ନେଇ ଗର୍ବ କରୁଥାଏ, ଏହାର ଅଧିକାଂଶ ଶ୍ରେୟ ସର୍ଦ୍ଦାର ପଟେଲଙ୍କୁ ହିଁ ଯିବ। ସ୍ଥାନୀୟ ଲୋକ, ବିଶେଷ କରି ମହିଳାମାନଙ୍କୁ ସଶକ୍ତ କରିବା ଲାଗି ତାଙ୍କ ଦୂରଦୃଷ୍ଟିର ମୂଳଦୁଆ ଉପରେ “ଅମୂଲ” ଭଳି ସମବାୟ ସଂସ୍ଥା ଜନ୍ମ ନେଇଥିଲା। ସର୍ଦ୍ଦାର ପଟେଲ ହିଁ ସମବାୟ ଗୃହ ନିର୍ମାଣ ସମିତିର ବିଚାରକୁ ଲୋକପ୍ରିୟ କରିଥିଲେ, ଯାହା ଅନେକଙ୍କ ପାଇଁ ସମ୍ମାନ ଏବଂ ବାସସ୍ଥାନ ସୁନିଶ୍ଚିତ କରିଥିଲା।

ସର୍ଦ୍ଦାର ପଟେଲଙ୍କର ଦୁଇଟି ବିଶେଷତ୍ୱ ଥିଲା- ବିଶ୍ୱାସ ଏବଂ ସଚ୍ଚୋଟତା। ଭାରତର କୃଷକମାନେ ତାଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ। ସର୍ବୋପରି, ସେ ଜଣେ କୃଷକଙ୍କ ପୁତ୍ର ଥିଲେ, ଯିଏ ବର୍ଦ୍ଦୋଲୀ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ। ଶ୍ରମିକ ଶ୍ରେଣୀର ଲୋକମାନେ ତାଙ୍କଠାରେ ଆଶାର କିରଣ ଦେଖିପାରିଥିଲେ, ଯିଏକି ସେମାନଙ୍କ ପାଇଁ କହିପାରିବ। ବ୍ୟବସାୟୀ ଏବଂ ଶିଳ୍ପପତି ସର୍ଦ୍ଦାର ପଟେଲଙ୍କ ସହିତ କାର୍ଯ୍ୟ କରିବାକୁ ପସନ୍ଦ କରୁଥିଲେ କାରଣ ସେମାନେ ତାଙ୍କଠାରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱଙ୍କୁ ଦେଖିପାରୁଥିଲେ ଯାହାଙ୍କଠାରେ ଭାରତର ଅର୍ଥନୈତିକ ଏବଂ ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବାର ଦୂରଦୃଷ୍ଟି ରହିଥିଲା। ତାଙ୍କର ରାଜନୈତିକ ସହଯୋଗୀମାନେ ମଧ୍ୟ ତାଙ୍କୁ ବିଶ୍ୱାସ କରୁଥିଲେ। ଆଚାର୍ଯ୍ୟ କୃପାଳିନୀ ମତବ୍ୟକ୍ତ କରିଥିଲେ ଯେ ସେମାନେ ଯେତେବେଳେ କୌଣସି ସମସ୍ୟାରେ ପଡ଼ୁଥିଲେ ଏବଂ ଯଦି ବାପୁଙ୍କ ପରାମର୍ଶ ମିଳିପାରୁନଥିଲା, ସେମାନେ ସର୍ଦ୍ଦାର ପଟେଲଙ୍କ ନିକଟକୁ ଯାଉଥିଲେ। ୧୯୪୭ରେ ଯେତେବେଳେ ରାଜନୈତିକ ଆଲୋଚନା ଶୀର୍ଷରେ ରହିଥିଲା, ସରୋଜିନୀ ନାଇଡ଼ୁ ତାଙ୍କୁ ନିଷ୍ପତି ନେବା ଏବଂ କାର୍ଯ୍ୟ କରିବାର ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଥିଲେ। ସମସ୍ତେ ତାଙ୍କର କଥା ଏବଂ କାର୍ଯ୍ୟ ପାଇଁ ତାଙ୍କୁ ବିଶ୍ୱାସ କରୁଥିଲେ। ସର୍ଦ୍ଦାର ପଟେଲ ଜାତି, ବର୍ଣ୍ଣ, ଧର୍ମ, ବିଶ୍ୱାସ ଏବଂ ବୟସ ନିର୍ବିଶେଷରେ ସମ୍ମାନର ପାତ୍ର ଥିଲେ। ଚଳିତ ବର୍ଷର ସର୍ଦ୍ଦାର ପଟେଲ ଜୟନ୍ତୀ ଆହୁରି ସ୍ୱତନ୍ତ୍ର ହୋଇପାରିଛି। ୧୩୦ କୋଟି ଭାରତୀୟଙ୍କ ଶୁଭକାମନା ସହିତ ‘ଷ୍ଟେଚ୍ୟୁ ଅଫ ୟୁନିଟି’ ଆଜି ଉଦ୍‍ଘାଟିତ ହେଉଛି। ନର୍ମଦା ନଦୀ ତଟରେ ରହିଥିବା ‘ଷ୍ଟେଚ୍ୟୁ ଅଫ୍‍ ୟୁନିଟି’ ସାରା ବିଶ୍ୱରେ ସର୍ବୋଚ୍ଚ।

‘ଧରିତ୍ରୀ ପୁତ୍ର’ ସର୍ଦ୍ଦାର ପଟେଲ ନଭଶ୍ଚୁମ୍ଭୀ ଭାବେ ଦଣ୍ଡାୟମାନ ହୋଇ ଆମ ସମସ୍ତଙ୍କର ମାର୍ଗଦର୍ଶନ କରିବେ ଏବଂ ଆମକୁ ପ୍ରେରଣା ଦେବେ। ସର୍ଦ୍ଦାର ପଟେଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିବା ଏହି ବିଶାଳ ପ୍ରତିମୂର୍ତ୍ତିକୁ ବାସ୍ତବ ରୂପ ଦେବା ପାଇଁ ଦିନରାତି କାର୍ଯ୍ୟ କରିଥିବା ଲୋକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ମୋର ୩୧ ଅକ୍ଟୋବର ୨୦୧୩ କଥା ମନେ ପଡ଼ିଯାଉଛି ଯେତେବେଳେ ଆମେ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ। ନିର୍ଦ୍ଧାରିତ ସମୟ ମଧ୍ୟରେ ଏତେ ଉଚ୍ଚ ସ୍ତରର ପ୍ରକଳ୍ପ ପ୍ରସ୍ତୁତ ହୋଇଯାଇଛି ଏବଂ ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଭାବେ ଗର୍ବ ଅନୁଭବ କରୁଥିବେ। ଆଗାମୀ ଦିନରେ ‘ଷ୍ଟେଚ୍ୟୁ ଅଫ୍‍ ୟୁନିଟି’ ଦେଖି ଆସବା ଲାଗି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି। ‘ଷ୍ଟେଚ୍ୟୁ ଅଫ ୟୁନିଟି’ ଉଭୟ ହୃଦୟର ଏକତା ଏବଂ ଆମ ମାତୃଭୂମିର ଭୌଗଳିକ ଅଖଣ୍ଡତାର ପ୍ରତୀକ। ଏହା ଆମକୁ ମନେ ପକାଇ ଦେବ ଯେ ବିଭାଜିତ ଭାବେ ଆମେ ଆମ ନିଜକୁ ମଧ୍ୟ ମୁକାବିଲା କରିପାରିବା ନାହିଁ। ଏକତ୍ରିତ ଭାବେ ଆମେ ସାରା ବିଶ୍ୱକୁ ସମ୍ମୁଖୀନ ହୋଇପାରିବା ଏବଂ ଅଭିବୃଦ୍ଧି ଓ ସମୃଦ୍ଧିର ନୂତନ ଉଚ୍ଚତାକୁ ଛୁଇଁପାରିବା। ସାମ୍ରାଜ୍ୟବାଦର ଇତିହାସକୁ ଧ୍ୱସ୍ତ କରିଦେବା ଏବଂ ରାଷ୍ଟ୍ରବାଦର ଜୀବନଶକ୍ତି ସହିତ ଅଖଣ୍ଡ ଭୂଭାଗର ନିର୍ମାଣ କରିବା ପାଇଁ ସର୍ଦ୍ଦାର ପଟେଲ ଆଶ୍ଚର୍ଯ୍ୟଜନକ ଗତିରେ କାର୍ଯ୍ୟ କରିଥିଲେ। ସେ ଭାରତକୁ ଖଣ୍ଡ-ବିଖଣ୍ଡ ହେବା ଭଳି ପରିସ୍ଥିତିରୁ ବଞ୍ଚାଇଥିଲେ ଓ ଜାତୀୟ ଢାଞ୍ଚା ସହ ଏହାର ଦୁର୍ବଳତମ ଭାଗକୁ ମଧ୍ୟ ମିଶାଇଥିଲେ। ଆଜି, ଆମେ ୧୩୦ କୋଟି ଭାରତୀୟ ଏକ ନୂତନ ଭାରତ ନିର୍ମାଣ କରିବା ପାଇଁ କାନ୍ଧ ସହ କାନ୍ଧ ମିଳାଇ ଆଗକୁ ବଢ଼ୁଛୁ ଯାହା ଶକ୍ତିଶାଳୀ, ସମୃଦ୍ଧ ଏବଂ ସମାବେଶୀ। ସର୍ଦ୍ଦାର ପଟେଲ ଯେପରି ଚାହୁଁଥିଲେ, ବିକାଶର ଫଳ, ବିନା ଦୁର୍ନୀତି ଓ ବିନା ପ୍ରିୟାପ୍ରୀତି ତୋଷଣରେ ସବୁଠୁ ଦୁର୍ବଳ ଲୋକ ନିକଟରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା ଲାଗି ପ୍ରତିଟି ନିଷ୍ପତି ନିଆଯାଉଛି।

ନରେନ୍ଦ୍ର ମୋଦୀ, ଭାରତର ପ୍ରଧାନମନ୍ତ୍ରୀ

Leave A Reply