ଫୁଲବାଣୀ: ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସମ୍ପୃକ୍ତି ନେଇ ଝାଡ଼ଖଣ୍ଡର ରାଞ୍ଚି ରେଲଓ୍ବେ ପୁଲିସ ଅଭିଯୁକ୍ତଙ୍କ ଘରେ ନୋଟିସ ମାରିଛି। ଏକ ମାସ ମଧ୍ୟରେ କୋର୍ଟରେ ନିର୍ଦ୍ଦିଷ୍ଟ ତାରିଖରେ ହାଜର ନ ହେଲେ ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବା ସହ ତାଙ୍କୁ ପଳାତକ ଘୋଷଣା କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ରାହୁଲ ଦିଗାଲ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡା କବରଖାନା ସାହିର ବାସିନ୍ଦା। ତାଙ୍କ ନାମରେ ରାଞ୍ଚି ରେଳବାଇ ଥାନାରେ ଗଞ୍ଜେଇ ଚୋରା ଚାଲାଣ ନେଇ ୦୫/୨୦୨୩ (ଏସ )ରେ ଏକ ମାମଲା ରଜ୍ଜୁ କରାଯାଇ ଥିଲା। ରାଞ୍ଚି ପୁଲିସ ରାହୁଲକୁ ଖୋଜା ଖୋଜି କରିବା ପରେ ଫୁଲବାଣୀ ଟାଉନ ଥାନାକୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ। ଫୁଲବାଣୀ ପୁଲିସ ଖୋଜ ଖବର ନେବା ପରେ ମଧ୍ୟ ରାହୁଲକୁ ପାଇନଥିଲା। ଶେଷରେ ରାଞ୍ଚିର ଅଦାଲତ ଏହି ନୋଟିସ ଜାରି କରିଥିଲେ। ରାଞ୍ଚି ପୁଲିସ ଫୁଲବାଣୀ ଆସି ଟାଉନ ଥାନା ପୁଲିସ ସହାୟତାରେ ଅଭିଯୁକ୍ତ ଘର କାନ୍ଥରେ ନୋଟିସ ମାରିଛି।



