ବିଜେପିକୁ ଚେତାଇଲେ ସଞ୍ଜୟ ରାଉତ; କହିଲେ ଏତେ ଅହଙ୍କାର ଭଲ ନୁହେଁ, ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବେ

ମୁମ୍ବଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ଚାଲିଥିବା ବିବାଦ ନୂଆମୋଡ଼ ନେଇଛି। ଶିବସେନାର ୫୦-୫୦ ଫର୍ମୁଲାରେ ବିଜେପି ସହମତ ନ ହେବାରୁ ଶିବସେନା ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି। ବିଜେପି ଦାବି ନ ଶୁଣିଲେ ଅନ୍ୟ ବିକଳ୍ପ ଦେଖିବା ଲାଗି ଚେତାବନୀ ଦେଇଥିବା ଶିବସେନାର ନେତା ସଞ୍ଜୟ ରାଉତ ପୁଣି ଥରେ ବିଜେପିକୁ ଚେତାଇ ଦେଇଛନ୍ତି। ଶିବସେନାରୁ ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସଞ୍ଜୟ ଶୁକ୍ରବାର ଦୃଢ଼ୋକ୍ତି କରିଛନ୍ତି। ଶିବସେନା ଯଦି ଚାହିଁବ, ତାହେଲେ ତା’କୁ ବହୁମତ ମିଳିଯିବ ବୋଲି ସେ କହିଛନ୍ତି। ଏନସିପି ମୁଖ୍ୟ ଶରତ ପାୱାରଙ୍କୁ ଭେଟିବା ପରେ ସଞ୍ଜୟ ଏଭଳି ମନ୍ତବ୍ୟ ଦେଇଥିବାରୁ ବର୍ତ୍ତମାନ କଂଗ୍ରେସ-ଏନସିପି ସହିତ ମେଣ୍ଟ କରି ଶିବସେନା ସରକାର ଗଢ଼ିବ ବୋଲି ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏ ସମ୍ପର୍କରେ ଏନସିପି କିମ୍ବା କଂଗ୍ରେସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ସଞ୍ଜୟଙ୍କ ଏପରି ଦୃଢ଼ୋକ୍ତି ପରେ ମହାରାଷ୍ଟ୍ରରେ ସରକାର ଗଠନରେ କଂଗ୍ରେସ-ଏନସିପି ମେଣ୍ଟ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଲୋଚନା ହେଉଛି।

ସଞ୍ଜୟ ରାଉତ ଟ୍ବିଟ୍‌ କରି ଲେଖିଛନ୍ତି, ସାହେବ ! ଏତେ ଅହଙ୍କାର ରଖନି, ସମୟର ସାଗରରେ ଅନେକ ସିକନ୍ଦର ବୁଡ଼ିଯାଇଛନ୍ତି। ସେ ଏଥିରେ କାହାର ନାଁ ନେଇ ନ ଥିଲେ ହେଁ, ଏହି ଟ୍ବିଟ୍‌ରେ ବିଜେପିକୁ ଟାର୍ଗେଟ କରାଯାଇଥିବା ସ୍ପଷ୍ଟ ବୁଝାପଡ଼ହୁଛି। ସଞ୍ଜୟ କହିଛନ୍ତି, ଯେଉଁମାନଙ୍କ ପାଖରେ ବହୁମତ ନାହିଁ, ସେମାନେ ସରକାର ଗଢ଼ିବାର ଚିନ୍ତା କରନ୍ତୁ ନାହିଁ। ବିଜେପି ପକ୍ଷରୁ କ୍ୟାବିନେଟ ପଦବୀ ଦିଆଯାଇଥିବା ଅଫର ସମ୍ପର୍କରେ ସେ କହିଛନ୍ତି, ଆମେ କୌଣସି ବ୍ୟବସାୟୀ ନୁହଁ। ଶିବସେନା ଦୁଇ ତୃତୀୟାଂଶ ବହୁମତ ଯୋଗାଡ଼ କରିପାରିବ। ଏହା ସହିତ ସେ ସଫା ସଫା କହିଛନ୍ତି ଯେ, ଲେଖିକି ନେଇଯାଅ, ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବେ।

Comments are closed.