୧୬ ବାଇକ ଜବତ,  ଜଣେ ଗିରଫ

ସମ୍ବଲପୁର: ଗତ ୨୮ ତାରିଖ ସନ୍ଧ୍ୟା ସମୟରେ ସ୍ଥାନୀୟ ଅଇଁଠାପାଲି ଥାନା ଅନ୍ତର୍ଗତ ଅଞ୍ଚଳରେ ଲୁଟ ହୋଇଥିବା ମାମଲାରେ ପୁଲିସ ବୁଧବାର ୪ ଜଣ ଲୁଟେରାଙ୍କୁ ଧରିବା ସହିତ ପିସ୍ତଲ ସମେତ ଲୁଟ ଟଙ୍କା ଓ ଗାଡି ଜବତ କରିଥିଲା। ଏହି ମାମଲାରେ ଫେରାର ଥିବା ଅନ୍ୟ ଏକ ଲୁଟେରା ସୁଦର୍ଶନ ସାହୁ ଓରଫ ନିନି (୨୬) କୁ ଧରିବା ପରେ ଏକ ବଡ ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ ଅଇଁଠାପାଲି ପୁଲିସ କରିଛି।

ଏହି ମର୍ମରେ ଶୁକ୍ରବାର ରାତ୍ରିରେ ସଦର ଏସଡିପିଓ ସ୍ଥାନୀୟ ଅଇଁଠାପାଲି ଥାନାରେ ଦେଇଥିବା ସୂଚନାନୁଯାୟୀ, ଲୁଟ ଘଟଣାର ତଦନ୍ତ ସମୟରେ ଲୁଟିଆ ଗ୍ୟାଙ୍ଗ ଗାଡି ଚୋରିରେ ମଧ୍ୟ ଲିପ୍ତ ଥିବା ଜଣା ପଡ଼ିଥିଲା। ଏଣୁ ଫେରାର ଥିବା ଲୁଟିଆ ନିନି କୁ ଧରିବା ପରେ ସେ ବ୍ୟବହାର କରୁଥିବା ବାଇକ କୁ ଯାଞ୍ଚ କରିବା ପରେ ତାହ ମଧ୍ୟ ଚୋରି ବାଇକ ଥିବାର ଜଣାପଡ଼ିଥିଲା। ଅଭିଯୁକ୍ତର ଜରିଆରେ ପୁର୍ବରୁ ଅଇଁଠାପାଲି ସମେତ ଅନ୍ୟାନ୍ୟ ଥାନା ଗୁଡିକ ଅଞ୍ଚଳରୁ ଚୋରି ହୋଇଥିବା ୧୬ଟି ବାଇକ ଓ ସ୍କୁଟର ଜବତ କରାଯାଇଥିଲା।

ଚୋରି ଗାଡି ଗୁଡିକୁ ଚୋର ମାନେ ବୌଦ୍ଧ ଜିଲାରେ ବିକ୍ରି କରିବା ପାଇଁ ରଖିଥିଲେ। ସହରର ବିଭିନ୍ନ ସ୍ଥାନରେ ପାର୍କିଂ ଗୁଡିକରେ ଛିଡା ହୋଇଥିବା ବାଇକ ଓ ସ୍କୁଟି ଗୁଡିକ ଲକ ଗୁଡିକୁ ଚତୁରତାର ସହିତ ଭାଙ୍ଗି ଚୋରି କରାଯାଇଛି। ଚୋରି ବାଇକ ଗୁଡିକରେ ନକଲି ନମ୍ବର ପ୍ଲେଟ ଲଗାଇ ବୌଦ୍ଧ ଜିଲାକୁ ନେଇ କିଛି ଦିନ ରଖିବା ପରେ ସେ ଗୁଡିକୁ ଅତି କମ ଦାମରେ ବିକ୍ରି କରୁଥିବାର ତଦନ୍ତ ସମୟରେ ଜଣାପଡ଼ିଛି।

ଚୋରି ହୋଇଥିବା ଗାଡି ଗୁଡିକ ସମ୍ବଲପୁର, ବରଗଡ଼ ଓ ସୋନପୁର ଜିଲାର ବୋଲି ଜଣାପଡ଼ିଛି। ଧରାପଡ଼ିଥିବା ଚୋର ନାମକରେ ପୁର୍ବରୁ ମଧ୍ୟ ଅନେକ ମାମଲା ଗୁଡିକ ବିଭିନ୍ନ ଥାନାଞ୍ଚଳରେ ରହିଛି। ଏହି ଚୋରି ଗୁଡିକରେ ସଂପୃକ୍ତ ଅନ୍ୟ ଏକ ସହଯୋଗୀ ଫେରାର ଚାଲୁଥିବା ବେଳେ ସେ ମଧ୍ୟ ଅନେକ ଗୁଡିଏ ବାଇକ ଚୋରି କରିଥିବାର ଏବଂ ବିକ୍ରି କରିବାର ତଦନ୍ତ ସମୟରେ ଜଣାପଡ଼ିଛି। ଏଣୁ ତାକୁ ଧରିବାକୁ ପୁଲିସ ଉଦ୍ୟମ କରୁଛି ଏବଂ ଖୁବ ଶିଘ୍ର ସଫଳତା ମିଳିବ ବୋଲି ସଦର ଏସଡିପିଓ ତୁଫାନ ବାଗ କହିଛନ୍ତି।

Comments are closed.