ସାକ୍ଷୀଗୋପାଳ: ଗତକାଲି ଥିଲା କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ଏହି ପବିତ୍ର ଅବସରରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁରସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବଙ୍ଗୀୟ ତନ୍ତ୍ରପୀଠ ମା ଦକ୍ଷିଣ କାଳୀଙ୍କ ପୀଠରେ ପବିତ୍ର କାଳୀପୂଜା ଅନୁଷ୍ଠିତ ହୋଇଥିଲା। ବର୍ଷସାରା ଏହି ପୀଠରେ ମା ଦକ୍ଷିଣ କାଳୀଙ୍କ ପଟ୍ଟି ପୂଜା ହୋଇଥାଏ। ବର୍ଷକରେ ଏହି ପବିତ୍ର ଅବସରରେ ମାଙ୍କ ପୀଠରେ ମା ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇଥିଲା। ମାଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ। ଭକ୍ତ ଓ ଶ୍ରଦ୍ଧାଳୁ ମନେ ଆଜି ପୂର୍ବାହ୍ନ 9 ଟା ଠାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମା ଦକ୍ଷିଣ କାଳୀଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।
ଚଳିତ କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ଅବସରରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ କାଳୀକା ପଡିଆରେ ମାଟି ଅନୁକୂଳ ହୋଇଥିଲା।ନିକଟସ୍ଥ ଦାଣ୍ଡ ସାହିର ପୂର୍ଣଚନ୍ଦ୍ର ମହାରଣାଙ୍କ ସମେତ ୩ ଜଣ ମା ଦକ୍ଷିଣକାଳୀ ଓ ମହାଦେବଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିଲେ। ଗତ ଅକ୍ଟୋବର ମାସ 30 ତାରିଖ ଅପରାହ୍ନରେ ମା ଓ ମହାଦେବଙ୍କ ମୂର୍ତ୍ତିରେ ମସ୍ତକ ସଂଯୋଗ ହୋଇଥିଲା। ରାତ୍ର ସମୟରେ ମାଟି ନିର୍ମିତ ଅଳଙ୍କାର ଲାଗି ହୋଇଥିଲା । ମଧ୍ୟ ରାତ୍ରରେ ଭୋଗ ପରେ ପହୁଡ଼ ହୋଇଥିଲା । ୩୧ ତାରିଖରେ ମୂର୍ତ୍ତି ପ୍ରଲେପନ କରା ଯାଇଥିଲା । ପୀଠରେ ମୁରୁଜ ପଡିବା ପରେ ମାଙ୍କର ମୃଣ୍ମୟୀ ମୂର୍ତ୍ତି ଆସ୍ଥାନରେ ବିଜେ କରିଥିଲେ। ମଧ୍ୟ ରାତ୍ରରେ ଘଟ ଆନୟନ, ଘଟ ସ୍ଥାପନ, ଘଟ ପୂଜା, ସଂସ୍କାର, ଚକ୍ଷୁଦାନ, କୁସ୍ମାଣ୍ଡ ବଳି, ଜୀବନ୍ୟାସ, ଷୋଡଶ ଉପଚାର ପୂଜା ଵିଧି, କୋଠ ଭୋଗ, କୋଟି ଯୋଗିନୀ ପୂଜା, ବଳୀ, ବଳୀ ଧୂପ, ବଡ଼ ସିଂହାର ବେଶ, ପହୁଡ଼, ଶାନ୍ତି ହୋମ ଓ ପୀଠ ବିସର୍ଜନ ଅନୁଷ୍ଠିତ ହୋଇଥିଲା।
ମା ଦକ୍ଷିଣକାଳୀଙ୍କ ଅନ୍ୟ ୨ ଭଉଣୀ ସମଜାଜ ପୁରର ମା ଉଗ୍ରତାରା ଓ ବୀର ପ୍ରତାପ ପୁରର ମା କାମରୁପାଙ୍କ ପୀଠରେ ମଧ୍ୟ ସମାନ ଧରଣର ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ଆଜି ଅର୍ଥାତ ନଭେମ୍ବର ମାସ ୧ ତାରିଖ ମଧ୍ୟ ରାତ୍ରରେ ମା ଦକ୍ଷିଣକାଳୀ ମହା ଆଡମ୍ବରରେ ଏକ ବିଶାଳ ଶୋଭାଯାତ୍ରାରେ ବିସର୍ଜନ ନିମନ୍ତେ ବାହାରିଥିଲେ। ମାଙ୍କର ଅନ୍ୟ ୨ ଭଉଣୀ ସମଜାଜ ପୁରର ମା ଉଗ୍ରତାରା ଓ ବୀର ପ୍ରତାପ ପୁରର ମା କାମରୂପା ଏକ ମିଳିତ ଶୋଭାଯାତ୍ରାରେ ଯାଇ ଭଗବାନ ପୁର ଗ୍ରାମ ନିକଟରେ ଭାର୍ଗବୀ ନଦୀର କାଳୀ ଘାଟରେ ପହଞ୍ଚିଥିଲେ । ସେଠାରେ ପଣା ପୂଜା ପରେ ମା ଙ୍କୁ ଭାର୍ଗବୀ ନଦୀରେ ବିସର୍ଜନ କରାଯାଇଥିଲା ।
ପୂର୍ବେ ଏଠାରେ କାଳୀ ପୂଜା ନ ଥିଲା। ତତ୍କାଳୀନ ବଙ୍ଗୀୟ ନବାବଙ୍କ ଶାସନ ସମୟରେ ଉତ୍ପୀଡ଼ନର ଶିକାର ହୋଇ ଭଗବାନ ଚକ୍ରବର୍ତ୍ତୀ ନାମକ ବଙ୍ଗୀୟ ବ୍ରାହ୍ମଣ ପରିବାର ଏଠାକୁ ଚାଲି ଆସିଥିଲେ। ସେମାନେ ୩ ଭାଇ ଥିଲେ। ସେମାନଙ୍କ ଗୃହ ଦେବତା କାଳୀ ଥିଲେ l ।୩ ଭାଇ ଏହି ତିନୋଟି ଗ୍ରାମରେ ରହିଥିଲେ। ସେମାନେ ଏଠାରେ କାଳୀ ପୂଜା ଆରମ୍ଭ କରିଥିଲେ ।ସେବେଠାରୁ ଏହି ୩ ଗ୍ରାମରେ କାଳୀ ପୂଜା ଚାଲିଅଛି।
ପ୍ରଶାସନ ତରଫରୁ ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା ।ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପିପିଲି ଏସ ଡି ପିଓ ବିରଞ୍ଚି ନାରାୟଣ ପତ୍ତି ,ସତ୍ୟବାଦୀର ଆଇ ଆଇ ସି ଉମେଶ କୁମାର ସାହୁ ଓ ଅତିରିକ୍ତ ଏସ୍ ପି ବିଷ୍ଣୁ ପ୍ରସାଦ ପତିଙ୍କ ତତ୍ତ୍ୱାବଧାନରେ ଭିଡ଼ ନିୟନ୍ତ୍ରଣ ନିମନ୍ତେ ୩ ଜଣ ଡ଼ିଏସପି, ୮ ଜଣ ଇନ୍ସପେକ୍ଟର , ୩ ପ୍ଲାଟୁନ ପୋଲିସିଫୋର୍ସ , ୪୫ ଜଣ କନେଷ୍ଟବଳ ଓ ୮୬ ଜଣ ଗୃହରକ୍ଷୀ ମୁତୟନ ହୋଇଥିଲେ ।ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଓ ସତ୍ୟବାଦୀ ବିଡ଼ିଓ ଲିପ୍ସା ରାୟ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିଲେ।
ଭକ୍ତଙ୍କ ଦର୍ଶନ ସହିତ ପାର୍କିଙ୍ଗ ଆଶୁଚିକିତ୍ସା , ପାନୀୟ ଜଳ, ପରିମଳ, ବିଦ୍ୟୁତ ସେବା ଦିଗରେ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ନିମନ୍ତେ ଏକ ଟିମ ଉପସ୍ଥିତ ରହିଥିଲେ। ମୁଖ୍ୟପୂଜକ ଅଗାଧୁ ଦୀକ୍ଷିତ, ପ୍ରଫୁଲ୍ଲ ଦୀକ୍ଷିତ, କାଶିନାଥ ମିଶ୍ର ପ୍ରମୁଖ ପୂଜାନୀତି ସମ୍ପନ୍ନ କରିଥିଲେ। ଗ୍ରାମ କୋଠ କମିଟି ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।
Comments are closed.