୫ ଦିନିଆ ଇଡି ହାଜତକୁ ଗଲେ ସଞ୍ଜୟ

ଆପ୍ କର୍ମୀଙ୍କ ବିକ୍ଷୋଭ; ଶତାଧିକ ଅଟକ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି (ଆପ୍‌) ସାଂସଦ ସଞ୍ଜୟ ସିଂହଙ୍କୁ ୫ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହାଜତକୁ ପଠାଇ ଦିଆଯାଇଛି। ଗୁରୁବାର ଇଡି ସଞ୍ଜୟଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରିବା ସହ ନିଜ ହେପାଜତକୁ ନେବା ଲାଗି ଆବେଦନ କରିଥିଲା। ଇଡିର ଆବେଦନ ଆଧାରରେ ଅଦାଲତ ସଞ୍ଜୟଙ୍କୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଏଜେନ୍ସି ହାଜତକୁ ପଠାଇ ଦେଇଛନ୍ତି। ଅଦାଲତ ଅଣାଯିବା ବାଟରେ ଗଣମାଧ୍ୟମକୁ ସମ୍ବୋଧନ କରି ସଞ୍ଜୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଲୋକସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ତେଣୁ ଏହି ପରାଜୟ ଭୟରେ ମୋଦୀ ବିରୋଧୀ ଦଳ ନେତାଙ୍କୁ ଗିରଫ କରୁଛନ୍ତି। ଅନ୍ୟପଟେ ସଞ୍ଜୟଙ୍କ ଗିରଫକୁ ବିରୋଧ କରି ଆପ୍ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରୀୟ ଦିଲ୍ଲୀ ଡିଡିୟୁ ମାର୍ଗରେ ଥିବା ଆପ୍ କାର୍ଯ୍ୟାଳୟ ଆଗରେ ଦଳୀୟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ସରକାର ବିରୋଧୀ ସ୍ଲୋଗାନ ଦେବା ସହିତ ସଞ୍ଜୟଙ୍କ ମୁକ୍ତି ଦାବି କରିଥିଲେ। ଆପ୍ କର୍ମୀମାନେ ବିଜେପି କାର୍ଯ୍ୟାଳୟ ବାହାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ୧୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଥିଲା। ଇଡି ବୁଧବାର ସଞ୍ଜୟଙ୍କ ବାସଭବନରେ ଚଢଉ କରିବା ସହିତ ଗିରଫ କରିଥିଲା। ସଞ୍ଜୟଙ୍କ ଗିରଫକୁ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିନ୍ଦା କରିବା ସହିତ ଏହା ବିଜେପି ନେତୃତ୍ବ କେନ୍ଦ୍ର ସରକାରଙ୍କ ରାଜନୈତିକ ପ୍ରତିଶୋଧ ବୋଲି କହିଛନ୍ତି।

Comments are closed.