ଟୋକିଓ ଅଲିମ୍ପିକ୍‍ସ ସାନିଆଙ୍କ ଲକ୍ଷ୍ୟ

0

ଦୁବାଇ : ପ୍ରଥମେ ଆଣ୍ଠୁ ଆଘାତ ଏବଂ ପରେ ଅନ୍ତଃସତ୍ତ୍ୱା ହେବା ଯୋଗୁଁ ଦୀର୍ଘ ଦିନ ହେଲା ଟେନିସ କୋର୍ଟରୁ ଦୂରେଇ ରହିଛନ୍ତି ତାରକା ଖେଳାଳି ସାନିଆ ମିର୍ଜା। ତେବେ ଟେନିସ୍‍ କୋର୍ଟକୁ ଫେରିବାର ଆଶା ହରାଇ ନାହାନ୍ତି ସାନିଆ। ଏବେ ତାଙ୍କର ଲକ୍ଷ୍ୟ ହେଉଛି ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଖେଳିବା। ସୂଚନାଯୋଗ୍ୟ; ଅକ୍ଟୋବରରେ ସାନିଆ ମାଆ ହେବାକୁ ଯାଉଛନ୍ତି।


ୟୁଏଇର ଏକ ସମ୍ବାଦପତ୍ରକୁ ସାକ୍ଷାତ୍‍କାର ଦେଇ ସାନିଆ ମିର୍ଜା କହିଛନ୍ତି, ଏବେ ୨୦୧୮ ଚାଲିଛି ଏବଂ ମୋର ଲକ୍ଷ୍ୟ ହେଉଛି ୨୦୨୦ ଟୋକିଓ ଅଲିମ୍ପିକ୍‍ସ ଖେଳିବା। ବର୍ତ୍ତମାନ ପାଇଁ ଏହା ମୋର ଲକ୍ଷ୍ୟ। କାରଣ ଚଳିତବର୍ଷ ଶେଷଆଡ଼କୁ ମୁଁ ମାଆ ହେବାକୁ ଯାଉଛି। ପାରମ୍ପରିକ ମହିଳା ହେବାକୁ କଦାପି ଭଲ ପାଏନାହିଁ। ସର୍ବଦା ଭିନ୍ନହେବାର ପ୍ରୟାସ କରିଛି। ଏହାକୁ ନେଇ ମୁଁ ବହୁତ ଖୁସି ଅଛି। ମୋର ପିତାମାତା ଏଥିରେ ମୋତେ ବହୁତ ସମର୍ଥନ କରିଛନ୍ତି। ମୋର ସମସ୍ତ ନିଷ୍ପତ୍ତିକୁ ସେମାନେ ସାଦରେ ଗ୍ରହଣ କରି ନେଇଥାଆନ୍ତି। ମୁଁ ହାଇଦରାବାଦରେ ଟେନିସ ଖେଳିବା ଆରମ୍ଭ କରିବା ବେଳେ ମୁଁ ଯେ ଜଣେ ଟେନିସ ଖେଳାଳି ହେବି ଏବଂ ୱିମ୍ବଲଡନ୍‍ ଜିତିବି; ତାହା କେହି ଭାବିନଥିଲେ। ପୁଣି ଯେଉଁ ବ୍ୟକ୍ତିଙ୍କୁ ଭଲ ପାଉଥିଲି; ତାଙ୍କୁ ବିବାହ କରିବା ଏବଂ ବିବାହର ୮ ବର୍ଷ ପରେ ମାଆ ହେବା; ଏହାସବୁ ମୋର ନିଷ୍ପତ୍ତି ଥିଲା। ମୋ ହିସାବରେ ଜୀବନ ନିର୍ବାହ କରିଛି। କ୍ରୀଡ଼ା ଆମ ଦୁହିଁ (ସାନିଆ ମିର୍ଜା ଓ ସୋଏବ୍‍ ମାଲିକ୍‍)ଙ୍କୁ ବହୁତ କିଛି ଦେଇଛି। ତେବେ ଆଜି ଆମେ ଯାହା ବି ହାସଲ କରିଛୁ; କ୍ରୀଡ଼ା ଆମଠାରୁ ବହୁତ କିଛି ମଧ୍ୟ ନେଇଛି। ପଡ଼ିଆରେ ଓ ପଡ଼ିଆ ବାହାର ଚାପକୁ ଆମେ ଅନୁଭବ କରିଛୁ। ଜୟ ଓ ପରାଜୟକୁ କିପରି ଗ୍ରହଣ କରିବାକୁ ହୁଏ; ତାହା କ୍ରୀଡ଼ା ଆମକୁ ଶିଖାଇଛି। ପୁଣି ଲଢ଼େଇକରି ଫେରିବା ମଧ୍ୟ ଆମେ କ୍ରୀଡ଼ାରୁ ଶିଖିଛୁ।

Leave A Reply