ସମ୍ବଲପୁର: ସମଲେଇ ଯୋଜନା ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେବ। ଏହାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏହାସହିତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳର ବିକାଶ ସକାଶେ ଏକ ମାଷ୍ଟର ପ୍ଲାନ୍ କରାଯାଉଛି। ଏଥିରେ ୧୩୦ କୋଟି ବ୍ୟୟ ଅଟକଳରେ ପର୍ଯ୍ୟଟନର ବିକାଶ କରାଯିବ। ଏହାସହ ରାଜ୍ୟର ଅନ୍ୟ ୪ଟି ସ୍ଥାନ ସହ ହୀରାକୁଦରେ ୩ ମାସ ପାଇଁ ହୋଇଥିବା ଇକେ-ରିଟ୍ରିଟ୍କୁ ୫ ବର୍ଷ ସକାଶେ କରାଯିବ। ଏହାଦ୍ବାରା ସମଲେଇ ଓ ହୀରାକୁଦ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଦ୍ବାର (ଟୁରିଜିମ୍ ଗେଟ୍-ୱେ) ହେବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ସମ୍ବଲପୁରରେ କହିଛନ୍ତି। ଶ୍ରୀ ତ୍ରିପାଠୀ ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ମଙ୍ଗଳବାର ସମ୍ବଲପୁରରେ ପହଞ୍ଚିଥିବାବେଳେ ହୀରାକୁଦ ପଞ୍ଜୁରୀ ମାଛଚାଷ, ବିକାଶ ପରିଷଦର ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରିବା ସହ ହୋଟେଲ ମାଲିକଙ୍କ ସହ ହୀରାକୁଦରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲ କରିବା ନେଇ ଆଲୋଚନା କରିଥିଲେ। ହୀରାକୁଦ ପର୍ଯ୍ୟଟନ ବିକାଶ ହେଲେ ଏହା ଅଞ୍ଚଳର ଅର୍ଥନୀତିକୁ ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପର୍ଯଟନ ବିଭାଗ ସଚିବ ବିଶାଲ ଦେବ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ତଥା ଭାରପ୍ରାପ୍ତ ଜିଲାପାଳ ସୁକାନ୍ତ କୁମାର ତ୍ରିପାଠୀ, ସଦର ଉପଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ପ୍ରମୁଖ ଉପସ୍ଥିତ ଥିଲେ।
ହୀରାକୁଦ ଡ୍ୟାମ ଅଞ୍ଚଳକୁ ପର୍ଯ୍ୟଟନର ମୁଖ୍ୟସ୍ଥଳୀ କରିବା ପାଇଁ ଆସନ୍ତା ଶୀତଋତୁରୁ କେତୋଟି ପ୍ରକଳ୍ପ ଆରମ୍ଭ ହେବ। ଏଥିପାଇଁ ୧୩୦ କୋଟି ଟଙ୍କାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି। ଏହାଦ୍ବାରା ପଶ୍ଚିମ ଓଡ଼ିଶାକୁ ପର୍ଯ୍ୟଟନର ଦ୍ବାର ଖୋଲିବ। ଏଗୁଡ଼ିକ ମଧ୍ୟରେ କ୍ରୁଜ୍ ବୋଟ୍ ସୁବିଧା ଥିବାବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ୨ଟି ବିଳାସ ବୋଟ୍ ଆସୁଥିବା ମୁଖ୍ୟ ପରାମର୍ଶଦାତା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଫ୍ଲୋଟିଂ ବୋଟ୍ ସୁବିଧା, ଜେଟି, ରେଷ୍ଟୁରାଣ୍ଟ, ବିଭିନ୍ନ ସାମଗ୍ରୀ ବିକ୍ରୟ କେନ୍ଦ୍ର, ଡେଷ୍ଟିନେସନ୍ ବିକାଶ ଆଦି ରହିବ। ନଦୀବନ୍ଧ ସାମ୍ନାରେ ଥିବା ଏକ ଦ୍ବୀପରେ ଇକୋ-ଟୁରିଜମ୍ ବ୍ୟବସ୍ଥା ହେବ। ଗତ ଡିସେମ୍ବରରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ହୋଇଥିବା ଇକୋ-ରିଟ୍ରିଟ୍୍କୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ୫ ବର୍ଷ ସକାଶେ କରାଯିବ। ଏହାର ସ୍ଥାନ ଗତଥର ୫ ଥିବାବେଳେ ଏହାକୁ ୭କୁ ବୃଦ୍ଧି କରାଯିବାକୁ ପ୍ରସ୍ତାବ ରହିଛି। ଡେବ୍ରିଗଡ଼ ଅଭୟାରଣ୍ୟକୁ ମଧ୍ୟ ଏହି ହୀରାକୁଦ ଯୋଜନାରେ ସାମିଲ କରାଯାଇଛି। ଏଠାରେ ୩ଟି ରୁଟ୍ରେ ଜଳ ସଫାରୀ/କ୍ରୁଜ୍ ଶୀଘ୍ର ଆରମ୍ଭ କରାଯିବ। ସେହିପରି ସମଲେଇ ଯୋଜନାକୁ ମଧ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏହି ୨୫୦ କୋଟି ଟଙ୍କା ପ୍ୟାକେଜ୍ରେ ସମସ୍ତ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯିବ। ଏହାସହ ଏକ ହେରିଟେଜ୍ କରିଡ଼ର କରାଯିବ। ଯୋଜନାର ଅର୍ଥ ବ୍ୟୟ ପୁନଃନିର୍ଦ୍ଧାରିତ କରି ଆସନ୍ତା ସପ୍ତାହରେ ଟେଣ୍ଡର ଆହ୍ବାନ କରାଯିବ ବୋଲି ସେ କହିଛନ୍ତି। ଏହାସହ ଟାଉନହଲରେ ସଂଗ୍ରହାଳୟ ଏବଂ ରାନିବଖ୍ରୀ ମଧ୍ୟ ବିକଣିତ କରାଯିବ।
ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରେ ହେଉଥିବା ୧୨୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟକୁ ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରହିଛି। ପୁରୁଣା ଘରୋଇ ବସଷ୍ଟାଣ୍ଡରେ ଏସଡିଏ ଜାଗାରେ ନିର୍ମାଣ ଆରମ୍ଭ ହୋଇଥିବା ପ୍ରେକ୍ଷାଳୟ ଚାରିପଟେ ଜାଗା ନଥିବାରୁ ଅଗ୍ନିସୁରକ୍ଷା କାରଣରୁ ବାତିଲ କରାଯାଇଥିବା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି। ପ୍ରେକ୍ଷାଳୟ ନିମନ୍ତେ ଅନ୍ୟ ସ୍ଥାନ ଚିହ୍ନଟ କରି ଏଥିପାଇଁ ଆବଶ୍ୟକ ଅଧିକ ଅର୍ଥ ମଧ୍ୟ ବିକାଶ ପରିଷଦ ବହନ କରିବ। ସମ୍ବଲପୁର ଜିଲାରେ ଗତ ୨୦୧୯ରେ ୩୦ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ମିଳିନଥିଲା ଏବଂ ଏବେ ସ୍ଥିତି କଣ ରହିଛି ବୋଲି ପ୍ରଶ୍ନକୁ ଏଡ଼ାଇ ଯାଇ ସେ କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ଯାହା ହୋଇଥିଲା ଦାୟିତ୍ବ ନେବାର ୬ ମାସ ମଧ୍ୟରେ ସଜାଡ଼ିବାକୁ ଚେଷ୍ଟା କରିଛି ଏବଂ ପଶ୍ଚିମ ଓଡ଼ିଶାର ସମସ୍ତ ପ୍ରକଳ୍ପ କିପରି ଶୀଘ୍ର ସରିବ ତାହାକୁ ଗୁରୁତ୍ବାରୋପ କରାଯାଉଛି।



