କ୍ଷେତରାଜପୁର ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ବାହୁଡା ଯାତ୍ରା ଅନୁଷ୍ଠିତ
ସମ୍ବଲପୁର: ସୋମବାର ସମ୍ବଲପୁର ସହର କ୍ଷେତରାଜପୁର ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଠାକୁରଙ୍କ ବାହୁଡ଼ା ଯାତ୍ରା ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ବାହୁଡା ଯାତ୍ରା ଅବସରରେ ମାଉଁସିମା’ଙ୍କ ମନ୍ଦିର ଠାରେ ବିରାଜମାନ ଥିବା ଠାକୁର ମାନଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଢ଼ କରାଯାଇଥିଲା। ଛେରାପହଁରା ପରେ ରଥାରୁଢ ମହାପ୍ରଭୁଙ୍କ ଠାରେ ରଥ ଛୁଆଁର ଅନନ୍ୟ ପରମ୍ପରା ଅନୁଷ୍ଠିତ ହୋଇଥିଲା। ବାହୁଡା଼ ଯାତ୍ରାରେ ସମ୍ବଲପୁର ଠାରେ ରଥାରୁଢ ହୋଇଥିବା ଠାକୁରଙ୍କୁ କୁନି ପିଲାଙ୍କୁ ଦର୍ଶନ କରାଇବା ସହ ରଥ ଛୁଆଁର ପରମ୍ପରା ଶତାଧିକ ବର୍ଷ ହେଲା ରହି ଆସିଛି । ପରେ ଶତାଧିକ ଭକ୍ତଙ୍କ ଗହଣରେ ରଥଟଣା ପର୍ବ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ ଓ ଜୟ ଜଗନ୍ନାଥ ଧ୍ବନିରେ ସାରା ପରିବେଶ ଭକ୍ତିମୟ ହୋଇ ଉଠିଥିଲା । କ୍ଷେତରାଜପୁର ଜଗନ୍ମାଥ ମନ୍ଦିର ବାହୁଡା଼ ଯାତ୍ରା ରେ ମନ୍ଦିର କମିଟି ର ସବୁ ସଭ୍ୟ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ସମ୍ବଲପୁର ପୋଲିସ ପକ୍ଷରୁ ସୁରୁଖୁରୁରେ ରଥଟଣା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୂତୟନ କରାଯାଇଥିଲା।
Comments are closed.