ଟ୍ରେନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ୩ ଗିରଫ
ସମ୍ବଲପୁର: ସମ୍ବଲପୁରରୁ ଜାମ୍ମୁ ତାୱି ଯାଉଥିବା ରେଳ ସଂଖ୍ୟା ୦୮୩୦୯ର ଜଣେ ଯାତ୍ରୀ ପୱନ କୁମାର ଠାକୁରଙ୍କ ଏକ ସୁଟକେଶ ହଜିଯାଇଥିଲା। ଗତ ୧୭ ତାରିଖରେ ଠାକୁର ସମ୍ବଲପୁରରୁ ରେଳ ଯୋଗେ ଏସ – ୭ ବଗିରେ ଯାତ୍ରା କରୁଥିବା ବେଳେ ତାଙ୍କର ସୁଟକେଶରେ ସେ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାଗହଣା ଓ ଟଙ୍କା ରହିଥିଲା। ତେବେ ସରଲାରୁ ଶାସନ ଷ୍ଟେସନ ମଧ୍ୟରେ ତାଙ୍କର ସୁଟକେଶଟି ଗାୟବ ହୋଇଯିବାରୁ ସେ ତୁରନ୍ତ ଏ ସର୍ମ୍ପକରେ ଆରପିଏଫ ଗସ୍ତ ଦଳକୁ ମୌଖିକ ଭାବରେ ଅଭିଯୋଗ କରିଥିଲେ। ଏଣୁ ତୁରନ୍ତ ଜିଆରପି, ସମ୍ବଲପୁର ଥାନାରେ ମାମଲା ନଂ ୧୦/୨୦୨୧ ରୁଜୁ କରାଯାଇ ତୁରନ୍ତ ଆରପିଏଫ ଓ ଜିଆରପିର ମିଳିତ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ସମ୍ବଲପୁର ଷ୍ଟେସନ ପରିସରର ସିସିଟିଭି ଯାଞ୍ଚରେ ପିଡିତ ଯାତ୍ରୀ ଠାକୁର ପରିସର ମଧ୍ୟକୁ ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ଆସିଥିବା ଏବଂ ସାଥିରେ ସେ ହଜିଯାଇଥିବା ବ୍ୟାଗଟି ଧରିଥିବାର ଦେଖାଯାଇଥିଲା। ଯାଞ୍ଚ ସମୟରେ ତାଙ୍କର ସୁଟକେଶଟି ରେଳ ବଗିରୁ ତଳକୁ ଖସି ଯାଇଥିବାର ଜଣାପଡିଥିଲା। ଏଣୁ ଶାସନରୁ ସରଲା ଷ୍ଟେସନ ମଧ୍ୟରେ ଯାଞ୍ଚ କରାଯିବା ସତ୍ୱେ ରେଳରୁ ଖସିଥିବା ସୁଟକେଶଟି ମିଳି ନ ଥିଲା। ଏଣୁ କେହି ଉକ୍ତ ସୁଟକେଶକୁ ନେଇ ପଳାଇଥିବାର ସନ୍ଦେହ କରି ରେଳବାଇ ପୁଲିସ ତଦନ୍ତର ପରିଧିକୁ ଆହୁରୀ ବ୍ୟାପ୍ତ କରିଥିଲା।
ତଦନ୍ତ ସମୟରେ ଶୁକ୍ରବାର ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ସମ୍ବଲପୁରର ଅଇଁଠାପାଲି ଥାନା ଅର୍ନ୍ତଗତ ଦେହେରିପାଲି ଅଞ୍ଚଳରେ ବିଳମ୍ବିତ ରାତ୍ରିରେ ଚଢ଼ଉ କରି ୩ ଜଣ ଅଭିଯୁକ୍ତଙ୍କୁ ଧରିଥିଲା। ପୁଲିସ ଯାଞ୍ଚ ସମୟରେ ଧରା ପଡିଥିବା ଦେହରିପାଲି ନିବାସୀ ଶିବ ମୁଣ୍ଡା (୨୦), ଅରୁଣ ସାହୁ (୨୨) ଓ କାହ୍ନା ନାୟକ (୧୯)ଙ୍କ ଠାରୁ ଗୋଟିଏ ସୁନା ହାର, ୨ଟି ସୁନା ଚେନ, ୨ଟି କାନ ଫୁଲ, ମଥାମଣି, ସୁନାମୁଦି, ଶାଢ଼ୀ ଆଦି ସୁଟକେଶ ମଧ୍ୟରେ ରହିଥିବା ସାମଗ୍ରୀ ଜବତ କରିଥିଲା। ପୁଲିସ ପଚରାଉଚୁରା ସମୟରେ ଅଭିଯୁକ୍ତ ମାନେ ଗତ ୧୭ ତାରିଖ ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ରେଳ ଧାରଣା କଡକୁ ଶୌଚ କରିବା ପାଇଁ ଯାଇଥିବା ବେଳେ ଉକ୍ତ ସୁଟକେଶ ସେମାନଙ୍କୁ ମିଳିଥିଲା। ଏଣୁ ତୁରନ୍ତ ସେମାନେ କେହି ଦେଖିବା ପୂର୍ବରୁ ଉକ୍ତ ସୁଟକେଶକୁ ବୁଦା ମଧ୍ୟରେ ଲୁଚାଇ ପରେ ତାକୁ ଭାଙ୍ଗି ମିଳିଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କାକୁ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ। ମିଳିଥିବା ଟଙ୍କାକୁ ଆଗାମୀ ଦିନରେ ଭୋଜିଭାତ କରିବା ପାଇଁ ରଖିଥିଲେ। ସୁଟକେଶ ହଜିଥିବା ଯାତ୍ରୀ ଠାକୁର ଥାନାକୁ ଆସି ତାଙ୍କର ହଜିଥିବା ସାମଗ୍ରୀ ଗୁଡିକୁ ଚିହ୍ନଟ କରିବା ପରେ ସାମଗ୍ରୀ ଗୁଡିକୁ ତାଙ୍କର ହେପାଜତରେ ଦିଆଯାଇଛି। ଅପର ପକ୍ଷରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ କୋଭିଡ – ୧୯ ଅନୁଯାୟୀ ସେମାନଙ୍କୁ ଜାମିନ ଦିଆଯାଇ ସାରିଛି। ଏହି ଘଟଣାର ତଦନ୍ତ ଓ ରହସ୍ୟ ଉନ୍ନମୋଚନରେ ଆରପିଏସଫ ଥାନାଧିକାରୀ ପି.ଏସ. ଧନକରଙ୍କ ନେତୃତ୍ୱରେ ଏସଆଇ ବସନ୍ତ କୁମାର ହୋତା, ଏସଆଇ ପି.କେ. ଜୟପୁରିଆ, ସିଏଚ ନିହାରିକା, ପି. ପ୍ରଧାନ, ବି.କେ. ଦାଶ, ସି.ବି. ଖରସେଲ, ବି. କିସପୋଟ୍ଟା, ଏସ. କୁଣ୍ଡୁ ପ୍ରମୁଖ ସାମିଲ ରହିଥିଲେ।
Comments are closed.