ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ ମହିଳା ପୁଲିସ କର୍ମଚାରୀ
ସମ୍ବଲପୁର: କରୋନା ସଂକ୍ରମଣକୁ କଡାକଡି ଭାବରେ ଲାଗୁ କରିବା ପାଇଁ ସରକାର ଓ ପୁଲିସ ମହାନିର୍ଦ୍ଦେଶକ ସମ୍ବଲପୁର ଗସ୍ତ ସମୟରେ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପ୍ରକୃତ କ୍ଷେତ୍ରରେ ନିୟମ ଲାଗୁ କରୁଥିବା ପୁଲିସ କର୍ମଚାରୀ ମାନେ ନିୟମ ଭାଙ୍ଗୁଥିବାର ଲକ୍ଷ୍ୟ କରାଯାଉଛି। ଏଭଳି ଏକ ଘଟଣାରେ ଗୁରୁବାର କ୍ଷେତରାଜପୁର ଥାନା ଅର୍ନ୍ତଗତ ସମଲେଶ୍ୱରୀ ମନ୍ଦିର ଠାରେ ମୃତୟନ ହୋଇଥିବା ଜଣେ ମହିଳା ପୁଲିସ କର୍ମଚାରୀ ଏକ ସ୍କୁଟର (ଓଡି-୧୫-ପି-୯୨୧୦) ରେ ବିନା ହେଲମେଟ, ସଠିକ ମାସ୍କ ପରିଧାନ ନ କରିବା ସହିତ ଆଉ ଜଣେ ମହିଳାଙ୍କୁ ବସାଇ ନେଉଥିଲେ। ସେହି ସମୟରେ କ୍ଷେତରାଜପୁର ଅଞ୍ଚଳରେ ଅବିନାଶ ପାଣିଗ୍ରାହୀ ନାମକ ଜଣେ ସଚେତନ ଯୁବକ ତାଙ୍କୁ ନିୟମ ଉଲ୍ଲଂଘନ କରୁଥିବା ଦେଖି ଅଟକାଇବା ସହିତ ନିୟମ ଉଲ୍ଲଂଘନ ସର୍ମ୍ପକରେ ପଚାରି ଘଟଣାବଳୀର ଭିଡିଓ ଉଠାଇଥିଲେ। ତେବେ ମହିଳା କର୍ମଚାରୀ ଜଣକ ନ ଅଟକି ଆଗକୁ ବଢ଼ି ଯାଇଥିଲେ।
ସଚେତନ ଯୁବକ ଜଣକ ଏହି ଘଟଣାକୁ ତୁରନ୍ତ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଅପଲୋଡ କରି ସମ୍ବଲପୁର ଏସପି, ଉତ୍ତରାଞ୍ଚଳ ଡିଆଇଜି, ସମ୍ବଲପୁର ଜିଲାପାଳ ଓ ଓଡିଶା ପୁଲିସକୁ ଟ୍ୟାଗ କରି ଘଟଣା ସର୍ମ୍ପକରେ କେବଳ ଜନତାଙ୍କ ନିୟମ ଉଲ୍ଲଂଘନ ପାଇଁ ଦଣ୍ଡ ଦିଆଯାଉଥିବା ବେଳେ ପୁଲିସ କର୍ମଚାରୀମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ କରି ପ୍ରଶ୍ନ କରିଥିଲେ। ଏହି ଘଟଣାଟି ବିଭିନ୍ନ ସାମାଜିକ ଗଣମାଧ୍ୟମ ଗୁଡିକରେ ଭାଇରାଲ ହେବା ମାତ୍ରେ ସମ୍ବଲପୁର ଏସପିଙ୍କ ଆଧିକାରିକ ଟ୍ୱିଟର ହେଣ୍ଡଲରୁ ଏହି ଘଟଣା ସର୍ମ୍ପକରେ ଯୁବକଙ୍କ ସଚେତନତାକୁ ପ୍ରଶଂସା କରାଯିବା ସହିତ କଣ ପାଇଁ ଏଭଳି ଘଟଣା ଘଟିଲା ଏବଂ ଆଗାମୀ ଦିନରେ ପୁଲିସ କର୍ମଚାରୀ ମାନେ ଯେଭଳି ଅନ୍ୟ ମାନଙ୍କ ପାଇଁ ନିୟମ ମାନିବା ଦିଗରେ ଉଦାଗରଣ ସୃଷ୍ଟି କରି ପାରିବେ, ସେ ନେଇ ବିହିତ ପଦକ୍ଷେପ ନିଆଯିବ ବୋଲି ଉତ୍ତର ଦିଆଯାଇଥିଲା।
ଏ ସର୍ମ୍ପକରେ କ୍ଷେତରାଜପୁର ଥାନାଧିକାରିଣୀଙ୍କୁ ପଚରାଯିବାରୁ ସେ ଘଟଣାକୁ ସ୍ୱିକାର କରିବା ସହିତ ଉକ୍ତ ମହିଳା କର୍ମଚାରୀଙ୍କୁ ୧ ହଜାର ଟଙ୍କା ହେଲମେଟ ପରିଧାନ ନ କରିବା ଓ ସାମାଜିକ ନିୟମ ଉଲ୍ଲଂଘନ କରି ଗାଡି ପଛରେ ଜଣକୁ ବସାଇବା ପାଇଁ ୫ ଶହ ଟଙ୍କା ସମେତ ସମୁଦାୟ ୧୫ ଶତ ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି କହିଛନ୍ତି। ସୁଚନାଯୋଗ୍ୟ ଯେ, ପୁଲିସ କର୍ମଚାରୀ ମାନେ ଅନେକ ସମୟରେ ନିୟମ ଭଙ୍ଗ କରୁଥିଲେ ସୁଦ୍ଧା ସେମାନଙ୍କୁ କୌଣସି ଜରିମାନା କିମ୍ବା ଦଣ୍ଡ ଦିଆଯାଉ ନ ଥିବା ବେଳେ ସାଧାରଣ ଜନତାଙ୍କୁ ଏଥି ପାଇଁ ମୋଟା ଅଙ୍କରର ଜରିମାନା ସହିତ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି।
Comments are closed.