ସମ୍ବଲପୁର: ସମ୍ବଲପୁରର ହୀରାଖଣ୍ଡ ନାଗରିକ ପରିଷଦର ୩୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ରବିବାର ଆୟୋଜିତ ହୋଇଯାଇଛି। ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ଘୋର ଅଭାବ ଯୋଗୁଁ ଚଳିତ ସମାଜରେ ପରିଣତ ବୟସରଙ୍କ ପିତାମାତାଙ୍କୁ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି। ଚାକିରୀ ଭିତ୍ତିକ ପାଠପଢ଼଼ା ନିଶା ଛାତ୍ରଛାତ୍ରୀ ମାନଙ୍କୁ ପରିବାର ଠାରୁ ଦୂରେଇ ନେଉଛି। ବର୍ତ୍ତମାନ ସମୟରେ ସମାଜରେ ପିଲା ମାନଙ୍କର ପିତୃ ଅର୍ଜିତ ସମ୍ପତ୍ତି ଉପରେ ଆଗ୍ରହ ନ ଥିବାରୁ ଅନ୍ୟ ସହର ଏବଂ ବିଦେଶରେ କାର୍ଯ୍ୟରତ ପିଲା ମାନେ ନିଜ ସହରକୁ ଆସି ବାପା ମାଁ ଙ୍କ ସହିତ ସେମାନଙ୍କର ମନର କଥା ଓ ଦୁଃଖ ଦୁର୍ଦ୍ଦସା ଶୁଣି ସାଥିରେ ସାମିଲ ହୋଇ ପାରୁ ନାହାନ୍ତି ବୋଲି ପ୍ରତିଷ୍ଠା ଦିବସରେ ମୁଖ୍ୟବକ୍ତା ରୂପେ ପ୍ର. ମୋହନ ସାହୁ କହିଛନ୍ତି।
ମୁଖ୍ୟ ଅତିଥି ରୂପେ ଭିସୁଟର କୂଳପତି ପ୍ର. ବଂଶୀଧର ମାଝୀ ଓଡ଼ିଶାର ପୁରାତନ ବୈଷୟିକ ଅନୁଷ୍ଠାନ ବର୍ତ୍ତମାନ ଏକ ନୂତନ ରୂପ ନେବାକୁ ଯାଉଛି ବୋଲି କହିଥିଲେ। ସମ୍ବଲପୁରର ନାଗରିକ, ଶିକ୍ଷାବିତ ଓ ରାଜନେତା ମାନଙ୍କ ପାଇଁ ଏହା ସମ୍ଭବ ହେଉଛି। ଏଥି ସହ ପିଲା ମାନେ ଦୂରରେ ଚାକିରୀ କରୁଥିବାରୁ ସେମାନଙ୍କର ମାଁ ମାଟି ପ୍ରତି ମମତା କମିଯାଉଛି ଏବଂ ଚାକିରୀ ପରେ ମଧ୍ୟ ଆଉ ଫେରୁ ନାହାନ୍ତି। ଫଳରେ ସେମାନେ ବାପା ମାଁ ଙ୍କୁ ପରିଣତ ବୟସରଙ୍କ ଭାଗ ଭାଗ କରି ରଖୁଛନ୍ତି ବୋଲି ପ୍ର. ମାଝୀ କହିଥିଲେ। ସଭାପତି ଡା. ଜୟଦେବ ମେହେର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ର. ନନ୍ଦ କିଶୋର ଦେବତା ବାର୍ଷିକ ବିବରଣୀ ପାଠ କରିଥିଲେ। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ, ନାରାୟଣୀ ପଣ୍ଡା, ଡା. ଜ୍ୟୋତି ରଞ୍ଜନ ପଣ୍ଡା ଓ ପ୍ରଫୁଲ୍ଲ ହୋତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହ ସ୍ୱର୍ଗତ ବିରଞ୍ôଚ ନାରାୟଣ ପତି ଓ ସ୍ୱର୍ଗତ ମନମୋହନ ପଟ୍ଟନାୟକ ଙ୍କୁ ମରଣୋତ୍ତର ସମ୍ବର୍ଦ୍ଧନା ଦିଆଯିବା ସହିତ ଉର୍ତ୍ସଗ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ଡା. ଲକ୍ଷ୍ମୀନାରାୟଣ ରଥ ଜେରିଏଟିକ ସ୍ୱାସ୍ଥ୍ୟ ଯତ୍ନ ଉପରେ ଆଲେଖ୍ୟ ପାଠ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ନମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିଲେ।



