ସମ୍ବଲପୁର: ଆକାଶବାଣୀ ସମ୍ବଲପୁର କେନ୍ଦ୍ର ସମାଚାର ବିଭାଗ ପକ୍ଷରୁ ଆଜାଦୀ କା ଅମୃତ୍ ମହୋତ୍ସବ ପାଳିତ ହୋଇଯାଇଛି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମାଚାର ବିଭାଗ ପକ୍ଷରୁ ଗତ ଏକ ବର୍ଷ ଧରି ଚାଲିଥିବା କ୍ୱିଜ ପ୍ରତିଯୋଗିତାର ୫୧ ଜଣ ବିଜେତାଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ଦିଆଯାଇଛି। ଏହି ଅବସରରେ ଆକାଶବାଣୀ ପରିସରରେ ଆଜାଦୀ କା ଅମୃତ୍ ମହୋତ୍ସବ ବିଷୟ ଉପରେ ସଭାର ଆୟୋଜନ କରାଯାଇଥିଲା। ଡକ୍ଟର କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅମୃତବେଳାର ତାତ୍ପର୍ଯ୍ୟ ଏବଂ ବ୍ୟକ୍ତିତ୍ୱର ବିକାଶ ପାଇଁ ଆଜାଦୀ ଉପରେ ତାଙ୍କର ଗବେଷଣାମୂଳକ ଚିନ୍ତାଧାରାର ବ୍ୟାଖ୍ୟା କରିଥିଲେ। ଆକାଶବାଣୀ କେନ୍ଦ୍ରର ଯାନ୍ତ୍ରିକ ମୁଖ୍ୟ ରମେଶ ଚନ୍ଦ୍ର ଭୋଇ ଏବଂ କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ମନୋଜ ପୂଜାରୀ ଅମୃତ୍ ମହୋତ୍ସବରେ ଆକାଶବାଣୀର ଯୋଗଦାନ ଉପରେ ଆଲୋଚନା କରିଥିଲେ। ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର୍ ମହାପାତ୍ର ଏବଂ ଶିବଶଙ୍କର ନନ୍ଦ ଆଜାଦୀ କା ଅମୃତ ମହୋତ୍ସବ ଏବଂ ବାକ ସ୍ୱାଧୀନତା ବିଷୟ ଉପରେ ସେମାନଙ୍କର ଭିନ୍ନ ଭିନ୍ନ ମତ ରଖିଥିଲେ। ସମାଚାର ବିଭାଗର ମୁଖ୍ୟ ସତ୍ୟନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅତିଶ କୁମାର ଶତପଥୀ ଏବଂ ସୁପ୍ରୀତି ମିଶ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ତେଜଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆକାଶବାଣୀ କେନ୍ଦ୍ରର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।
Popular Categories



