ପାରିବାରିକ ବିବାଦର କରୁଣ ପରିଣତି; କାର ଚଢ଼ାଇ ସ୍ତ୍ରୀ, ଶ୍ୱଶୁର ଓ ଶଳାଙ୍କୁ ଜୀବନରେ ମାରିବାକୁ ଉଦ୍ୟମ
ସମ୍ବଲପୁର: ସମ୍ବଲପୁର ଠାରେ ପାରିବାରିକ କଳହରୁ ଜଣେ ଆଇନଜୀବୀ ତାଙ୍କର ସ୍ତ୍ରୀ, ଶ୍ୱଶୁର ଓ ଶଳାଙ୍କୁ କାର ଚଢ଼ାଇ ମାରିଦେବାର ଉନ୍ନୁକ୍ତ କାଣ୍ଡ ଭିଆଇଛନ୍ତି । ବୁର୍ଲା ନିବାସୀ ଆଇନଜୀବୀ ପଞ୍ଚାନନ ଦାଶ ଓ ତାଙ୍କର ଧର୍ମପତ୍ନୀ ଚିନ୍ମୟୀ ମହାପାତ୍ରଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ କଳହ ଲାଗି ରହିଥିଲା । ଏଣୁ ସେମାନଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ହୋଇଥିବା ବେଳେ ଗତ ଜାନୁଆରୀ ୨୪ ତାରିଖରେ ତାଙ୍କୁ ପ୍ରବଳ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବାର ଅଭିଯୋଗ ବୁର୍ଲା ଥାନାରେ ଚିନ୍ମୟୀ ମହାପାତ୍ର ଅଭିଯୋଗ କରିଥିଲେ । ଏ ନେଇ ବୁର୍ଲା ଥାନାରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଚାଲିଥିବା ବେଳେ ମାଡପିଟ ଘଟଣା ପରେ ଚିନ୍ମୟୀ ତାଙ୍କର ପିତ୍ରାଳୟ ତାଳଚେରକୁ ଚାଲି ଯାଇଥିଲେ । ତେବେ ବୁର୍ଲା ଠାରେ ପଢ଼ୁଥିବା ପୁଅର ବିଦ୍ୟାଳୟ ଖୋଲିବା ପରେ ବାରମ୍ବାର ଫୋନ ଆସିବାରୁ ସେ ପୁର୍ନବାର ଫେରିବାକୁ ଚାହୁଁଥିବା ବେଳେ ତାଙ୍କର ସ୍ୱାମୀ ଧମକଚମକ ଦେଇଥିଲେ । ଏଣୁ ସୋମବାର ଚିନ୍ମୟୀ ମହାପାତ୍ର ତାଙ୍କର ବାପା ରାମଚନ୍ଦ୍ର ମହାପାତ୍ର ଓ ମାମୁ ପୁଅ ଭାଇ ସୌମ୍ୟରଞ୍ଜନ ଦାଶଙ୍କ ସହିତ ଜିଲା ଓକିଲ ସଂଘର ସଭାପତିଙ୍କୁ ସାକ୍ଷାତକାର କରିବା ପାଇଁ ଦିନ ପ୍ରାୟ ୧୨ଟା ସମୟରେ ଆସିଥିଲେ ।
ତେବେ ସେ ସମୟରେ ଓକିଲ ସଂଘର ସଭାପତି କୌଣସି କାର୍ଯ୍ୟବଶତଃ ଅନୁପସ୍ଥିତ ଥିବାରୁ ଚିନ୍ମୟୀ, ତାଙ୍କର ବାପା ଓ ଭାଇ ସଂଘର କାର୍ଯ୍ୟାଳୟ ନିକଟରେ ଥିବା ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛିଡା ହୋଇଥିଲେ । ଇତି ମଧ୍ୟରେ ଏହି ଘଟଣା ସର୍ମ୍ପକରେ ଜାଣିବା ପରେ ଓକିଲ ପଞ୍ଚାନନ ଦାଶ ଅତ୍ୟନ୍ତ ଉତକ୍ଷିପ୍ତ ହେବା ସହିତ ରକ୍ତମୁଖା ହୋଇ ତାଙ୍କର ଅଲଟୋ କାର (ଓଡି – ୧୪ – ଏମ – ୦୩୪୪) ରେ ଆସି ଓକିଲ ସଂଘର କାର୍ଯ୍ୟାଳୟ ପଟରୁ ଆସି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ଶ୍ୱଶୁର ରାମଚନ୍ଦ୍ର ମହାପାତ୍ରଙ୍କୁ ଜୀବନରେ ମାରିଦେବାକୁ ପ୍ରଥମେ ଧକ୍କା ଦେଇଥିଲେ । ଏହା ପରେ କଚେରୀ ଛକର ଗୋଲେଇରେ ଏକ ଚକ୍କର ମାରି ପୁର୍ନବାର ଅତି ତୀବ୍ର ଗତିରେ ଫେରି ଆସି ତାଙ୍କର ଶଳା ସୌମ୍ୟ ରଞ୍ଜନ ଦାସଙ୍କୁ ଜୋରରେ ଧକ୍କା ଦେଇ ଗାଡିକୁ ନେଇ ଏସପିଙ୍କ ବାସଭବନର ପାଚେରିରେ ବାଡେଇ ଦେଇଥିଲେ ।
କାରରେ ଧକ୍କା ଏତେ ଜୋର ଥିଲା ଯେ ପାଚେରିରେ ପ୍ରାୟ ୧୦ ଫୁଟ ଲମ୍ବ ଓ ୬ ଫୁଟ ଦୈଘ୍ୟର ଏକ ବିରାଟ ଗର୍ତ୍ତ ହୋଇଯାଇ କାରଟି ଫଶି ଯାଇଥିଲା । ଓକିଲ ଦାଶ ଏହି ଉନ୍ନୁକ୍ତ କାଣ୍ଡ ଭିଆଇବା ସମୟରେ ରାସ୍ତାରେ ଅନ୍ୟ ଏକ ଅଟୋ, ୨ଟି ମୋଟର ସାଇକେଲ, ଗୋଟିଏ ଦହିବରା ବିକାଳୀର ଗାଡିକୁ ମଧ୍ୟ ଧକ୍କା ଦେଇଥିଲେ । ଏହି ଘଟଣାରେ ୪ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ଦହିବରା ବିକାଳୀଙ୍କ ଗାଡିଟି ଭାଙ୍ଗିଯାଇ ଚୁରମାର ହୋଇଯାଇଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଆହତ ହୋଇଥିବା ସୌମ୍ୟରଞ୍ଜନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ କାଣ୍ଡ ଭିଆଇଥିବା ଆଇନଜୀବୀ ଦାଶଙ୍କୁ ଭଲ ଉତ୍ତମ ମଧ୍ୟମ ଦେଇଥିଲେ । ଏହା ପରେ ଟାଉନ ପୁଲିସ ଆସି ଘଟଣାସ୍ଥଳକୁ ପହଞ୍ଚିବା ପରେ ତୁରନ୍ତ ଅଭିଯୁକ୍ତଙ୍କୁ ସାଥିରେ ନେଇ ଯାଇଥିଲା । ଗୁରୁତର ଆହତ ହୋଇଥିବା ସୌମ୍ୟରଞ୍ଜନଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ସେ ଏବେ ଚିକିତ୍ସିତ ହେଉଛନ୍ତି । ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି ।
ଏ ସର୍ମ୍ପକରେ ଆଇନଜୀବୀଙ୍କ ଧର୍ମପତ୍ନୀ ଚିନ୍ମୟୀ ମହାପାତ୍ର ଟାଉନ ଥାନାରେ ଅଭିଯୋଗ କରିବାରୁ ମାମଲା ସଂଖ୍ୟା ୨୭୪/୨୦୨୨ ରୁଜୁ କରାଯାଇ ଅଭିଯୁକ୍ତ ଆଇନଜୀବି ଦାଶଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି । ଏହି ଘଟଣାକୁ ସମ୍ବଲପୁର ଜିଲା ଓକିଲ ସଂଘ ନିନ୍ଦା କରିବା ସହିତ ତୁରନ୍ତ ତାଙ୍କୁ ଓକିଲ ସଂଘର ସଦସ୍ୟତାରୁ ସସପେଣ୍ଡ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
Comments are closed.