ପ୍ରଥମ ଗୋଁଣ୍ଡୱନା ଯୁବ ଓ ଛାତ୍ର ମହାଧିବେଶନ ଅନୁଷ୍ଠିତ
ଷ୍ଟାଇପେଣ୍ଡ ପାଇ ନଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆନ୍ଦୋଳନ
ସମ୍ବଲପୁର: ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶ ପକ୍ଷରୁ ରାଜ୍ୟର ଯୁବକ ଓ ଛାତ୍ର ମାନଙ୍କୁ ନେଇ ପ୍ରଥମ ଅଧିବେଶନ ସମ୍ବଲପୁର ସ୍ଥିତ ଜିଲା ପ୍ରେକ୍ଷାଳୟ ତପସ୍ୱିନୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଗୋଁଣ୍ଡୱନା ଛାତ୍ର ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମଜୀତ ଉଇକେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ସଭାପତିତ୍ୱ କରିଥିଲେ । ରାଜ୍ୟରେ ୨୨ ବର୍ଷ ଧରି ଚାଲିଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ସରକାର ଆଦିବାସୀ ମାନଙ୍କର କୌଣସି ହକ ଅଧିକାର କାର୍ଯ୍ୟକାରୀ କରି ନଥିବାରୁ ଅଧିବେଶନରେ ଗଭୀର ଉଦବେଗ ପ୍ରକାଶ ପାଇଥିଲ।
ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଯୋଜନାବଦ୍ଧ ଭାବରେ ଧ୍ୱଂସ କରିବା ଉଦ୍ୟମ ଆଦିବାସୀ ସମାଜକୁ ଅସ୍ତବ୍ୟସ୍ତ କରୁଛି । ୨୦୨୧ – ୨୨ ଆର୍ଥିକ ବର୍ଷରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାଇପେଣ୍ଡ ନ ମିଳିବା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ପିଲା ମାନଙ୍କୁ ଦିଆଯାଉଥିବା ଖାଦ୍ୟ ଅପୃଷ୍ଟିକର ଅଭିଯୋଗ ସମେତ ଆଦିବାସୀଙ୍କ ବିକାଶ ନିମନ୍ତେ ସରକାରଙ୍କ ଉଦାସୀନତାକୁ ଅଧିବେଶନରେ ଗଭୀର କ୍ଷୋଭ ପ୍ରକାଶ କରାଯାଇଥିଲା । ଏଥି ସହ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏସଟି ଓ ଏସସି ମାନଙ୍କର ଜନସଂଖ୍ୟା ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ୪୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥାକୁ ଆଜି ପର୍ଯ୍ୟନ୍ତ ଲାଗୁ ନକରିବା ଅତ୍ୟନ୍ତ ଦୁଃଖଦ ବିଷୟ ଅଟେ ବୋଲି ଅଧିବେଶନରେ ମତପ୍ରକାଶ ପାଇଥିଲା । ବାରମ୍ବାର ଦାବି ସତ୍ୱେ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାର ଆଦବାସୀଙ୍କ ଉନ୍ନତି ନିମନ୍ତେ ଉଦାସୀନ ରହିବା ଦୁର୍ଭାଗ୍ୟଜନକ ଅଟେ ।
ଏଥି ସହ ପୂର୍ବରୁ ପ୍ରଚଳିତ ତଥା ନିଷ୍ପତ୍ତି ଅନୁଯାୟୀ ବଡଦେଓ ଆଭାଷୀ ପାଠାଗାର, ପୋଷ୍ୟଶିକ୍ଷାର୍ଥି ଯୋଜନା, ମେଧା ସମ୍ମାନ ପ୍ରଦାନ, ବିଭିନ୍ନ ବିଷୟରେ ଆକର୍ଷଣୀୟ ଆଭାଷୀ ପ୍ରତିଯୋଗୀତା, ସୁନ୍ଦରଗଡ ଜିଲା ବଡଗାଁ ବ୍ଲକରେ ଥିବା ବଡଦେଓ ଇଂରାଜୀ ମିଡିୟମ ଆବାସିକ ପାଠଶାଳା ଆଦି ଉପରେ ସୁଚାରୁ ରୂପେ ପରିଚାଳନା କରି ଦୃଢ଼ ପଦକ୍ଷେପ ନେବା ପାଇଁ ବିସ୍ତୃତି ଆଲୋଚନା କରାଯାଇଥିଲା । ଏଥି ସହ ରେଢ଼ାଖୋଲ ଠାରେ ଗୋଁଣ୍ଡୱନା ରାଜ୍ୟ ସମ୍ବିଧାନ ଭବନ ନିର୍ମାଣ କରାଯିବ । କାର୍ଯ୍ୟକ୍ରମରେ ଆଦିବାସୀ ମାନଙ୍କର ହକ, ଅଧିକାର ପୂରଣ ପାଇଁ ରାଜ୍ୟବ୍ୟାପି ଛାତ୍ର ଓ ଯୁବ ସମାଜ ବ୍ୟାପକ ଆନ୍ଦୋଳନ ଜାରି ରଖାଯିବ ବୋଲି ଶପଥ ନିଆଯାଇଥିଲା । ଆଗାମୀ ୯ ଅଗଷ୍ଟରେ ବିଶ୍ୱ ଆଦିବାସୀ ଦିବସକୁ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ପକ୍ଷରୁ ଜାତୀୟ ସ୍ତରରେ ଛତିଶଗଡର ବିଲାସପୁର ଠାରେ ଆୟୋଜିତ ହେବ ଏବଂ ଏଥିରେ କେନିଆର ରାଷ୍ଟ୍ରପତି ମୁଖ୍ୟ ଅତିଥି ରୂପେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଅଧିବେଶନରେ ସୂଚନା ଦିଆଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଧିନତା ମହାସଂଗ୍ରାମରେ ସହୀଦ ହୋଇଥିବା ବ୍ୟକ୍ତି ବିଶେଷଙ୍କ ପରିବାରବର୍ଗଙ୍କୁ ସମ୍ମାନୀତ କରାଯିବ । ସମ୍ବଲପୁର ଠାରେ ଆୟୋଜିତ ଅଧିବେଶନରେ ପ୍ୟାରିମୋହନ ନାୟକ, ସନ୍ତୋଷ କୁମାର ଭୌଇ, ସଦାଶିବ ନାୟକ, ଡମ୍ବରୁଧର ନାଏକ, ଭାଗିରଥି ସିଂହ, ଶ୍ୟାମ ସୁନ୍ଦର ଭୋଇ, ମୁକୁନ୍ଦ ପଡିଆମୀ, ପ୍ରସନ୍ନ ମାଝୀ, ଉଗ୍ରସେନ ନାୟକ, ରଘୁନାଥ ନାୟକ, କୁଳମଣି ସିଂହ, ବିରାଜ ଭୋଇ, ମଧୁସୂଦନ ପ୍ରଧାନ, ବିଣାପାଣୀ ନାଏକ, ବୁଦ୍ଧେଶ୍ୱରୀ ମାଝୀ, ଯୋଗେଶ୍ୱରୀ ମାଝୀଙ୍କ ସମେତ ସମ୍ବଲପୁର, ଅନୁଗୁଳ, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ମାଲକାନଗିରି, ନୂଆପଡା, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ସୋନପୁର ସମେତ ବିଭିନ୍ନ ଜିଲାରୁ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ ।
Comments are closed.