ଗୋଷ୍ଠୀ କନ୍ଦଳକୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି କି ସାଙ୍ଗଠନିକ ସମ୍ପାଦକ !ଦଳୀୟ ନେତା କହିଲେ ଏମିତି

ସମ୍ବଲପୁର : ସାରା ଦେଶ ସହିତ ରାଜ୍ୟରେ ଏବେ ସାଧାରଣ ଓ ବିଧାନସଭା ନିର୍ବାଚନକୁ ନେଇ ଘଡିକେ ଘୋଡା ଛୁଟିବା ସ୍ଥିତି ଜାରି ରହିଛି । ଚଳିତ ଥର ନିର୍ବାଚନରେ କେନ୍ଦ୍ର ସରକାରଙ୍କ ପାଇଁ ହେବାକୁ ଥିବା ନିର୍ବାଚନରେ କିଛିଟା ଭୋଟରଙ୍କ ମୁଡ ଆକଳନ ଉଣାଅଧିକେ ରାଜନୈତିକ ବିଶ୍ଲେଷକ ମାନେ କରି ପାରୁଥିବା ବେଳେ କିନ୍ତୁ ରାଜ୍ୟ ରାଜନୀତି ଉପରେ ସମସ୍ତଙ୍କ ଅକଲ ଗୁଡୁମ ହୋଇଯାଇଛି । ଏବେ ଦଳୀୟ ଟିକଟ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଘାମାଶାନ ଚାଲିଥିବା ବେଳେ କିଏ କେତେବେଳେ ଅସନ୍ତୁଷ୍ଟ ହୋଇ ଟିକଟ ଖଣ୍ଡିଏ ଆଶାରେ ଅନ୍ୟ ଦଳକୁ ଡେଇଁ ଦେଉଛନ୍ତି, ତାହା ଜଣାପଡୁ ନାହିଁ । ବିଜେପିର କେନ୍ଦ୍ରୀୟ ନେତୃତ୍ୱରେ ଚଳିତ ଥର ୪୦୦ ପାର ର ନାରା ଏବଂ ୨୦୦୯ ମସିହାରେ ବିଜେଡି ଓ ବିଜେପି ମେଣ୍ଟ ଭାଙ୍ଗିବାର ପ୍ରାୟ ୧୫ ବର୍ଷ ପରେ ଓଡିଶାକୁ ନେଇ ସେମାନେ ଗମ୍ଭୀର ଥିବାର ଜଣାପଡୁଛି ।

ଅପରପକ୍ଷରେ ବିଗତ ଦିନରେ ବିଜେଡି ଦଳ ରାଜ୍ୟରେ ଗୋଷ୍ଠୀ କନ୍ଦଳକୁ କଠୋର ଭାବରେ ଦମନ କରି ଆସୁଥିବା ବେଳେ କିନ୍ତୁ ସମ୍ବଲପୁର ଜିଲାରେ ଦଳର ଗଠନ ପରଠାରୁ ଚାଲିଥିବା ଗୋଷ୍ଠୀ ବିବାଦ ଆଜି ପର୍ଯ୍ୟନ୍ତ ଜାରି ରହିଛି । ବିଗତ ୨୫ ବର୍ଷ ମଧ୍ୟରେ ଅନେକ ଦଳୀୟ ନେତା ସମ୍ବଲପୁର ଜିଲାରେ ଚାଲିଥିବା ଗୋଷ୍ଠୀ ବିବାଦକୁ ଦୃଢ଼ ତଥା ନରମ ହସ୍ତରେ ଦମନ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବାର ଅନେକ ନଜିରର ରହିଥିବା ବେଳେ ଏବେ ସମଦଶା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଗିବାକୁ ପଡୁଥିବାର ଦେଖାଯାଉଛି । ଅବଶ୍ୟ ୨୦୧୪ ମସିହାରେ ଏହି ଗୋଷ୍ଠୀ କନ୍ଦଳକୁ କିଛିଟା ପ୍ରଶମିତ କରାଯାଇ ସମ୍ବଲପୁର ଲୋକସଭା ଆସନ ସହିତ ସାରା ଜିଲାରେ ଥିବା ୪ଟି ବିଧାନସଭା ଆସନ ମଧ୍ୟରୁ ୩ଟି ବିଜେଡି ଦଳ ଜିଣିବାରେ ସଫଳ ହୋଇଥିଲା । କିନ୍ତୁ ପରବର୍ତ୍ତସମୟରେ ଜିଲାରେ ଚାଲିଥିବା ଗୋଷ୍ଠୀ ବିବାଦ ଚରମ ସୀମାରେ ପହୁଞ୍ଚô ଯାଇଥିବା ବେଳେ ଏବେ ଜିଲାରେ ଥିବା ୪ଟି ବିଧାନସଭା ଆସନ ମଧ୍ୟରୁ ୩ଟି ସ୍ଥାନରେ ଏ ପର୍ଯ୍ୟନ୍ତ ଦଳ କାହାକୁ ପ୍ରାର୍ଥୀ କରିବ ଠିକ କରି ପାରୁ ନାହିଁ । ଜିଲାରେ ଚାଲିଥିବା ବିଭିନ୍ନ ଗୋଷ୍ଠୀ ନିଜ ନିଜ ସ୍ଥାନରେ ଛିଡା ହୋଇ ଏକ ପ୍ରକାରରେ ଦଳୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଳେ ସ୍ଥିତ ଏଭଳି ଅଛି ଯେ ଦଳ ପାଇଁ ସ୍ଥିତ ‘ତଣ୍ଟିରେ ମାଛ କଣ୍ଟା ଲଟକିବା’ ଭଳି ରହିଛି । ରାଜ୍ୟରେ ସବୁ ଠାରୁ ହଟ ସିଟରେ ପରିଣତ ହୋଇଥିବା ସମ୍ବଲପୁର ଲୋକସଭା ପାଇଁ ଦଳ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ କିନ୍ତୁ ସମ୍ବଲପୁର ବିଧାନସଭା ଆସନର ଟିକଟ ପାଇଁ ଡା. ରାସେଶ୍ୱରୀ ପାଣିଗ୍ରାହୀ ଓ ଇଂ ରୋହିତ ପୂଜାରୀ ପ୍ରବଳ ପ୍ରତିଯୋଗିତା ଚାଲିଛି । ଇତି ମଧ୍ୟରେ ପୂର୍ବତନ ଜିଲା ସଭାପତି ଇଂ ସିଦ୍ଧାର୍ଥ ଦାଶ ମଧ୍ୟ ନିଜର ଦାବିଦାରୀ ଉପସ୍ଥାପନ କରିଛନ୍ତି । ସମସ୍ତ ଆଶାୟୀ ମାନେ ନିଜ ନିଜ ହିସାବରେ ଶକ୍ତି ପ୍ରଦର୍ଶନ କରି ଟିକଟ ହାସଲ ପାଇଁ ଶେଷ ଲଢ଼େଇ ଆରମ୍ଭ କରି ଦେଇଛନ୍ତି ।

ଦଳରେ ଚାଲିଥିବା ଚର୍ଚ୍ଚାନୁଯାୟୀ, ଟିକଟ ଲବି ଓ ବିବାଦ ଏତେ ବଢ଼ି ଯାଇଛି ଯେ, ଦଳୀୟ ନେତୃତ୍ୱଙ୍କ ପରାମର୍ଶକ୍ରମେ ବିଗତ ଦିନରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ୨ ଥର ସମ୍ବଲପୁର ଗସ୍ତ ସମୟରେ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନିକଟକୁ ଯାଇଥିଲେ । ପ୍ରଥମ ଥର ତାଙ୍କୁ ଡା. ପାଣିଗ୍ରାହୀଙ୍କ ସମର୍ଥକ ମାନଙ୍କ ଠାରୁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ଦ୍ୱିତୀୟ ଥର ଡା. ପାଣିଗ୍ରାହୀଙ୍କ ସହିତ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଏତଦ ବ୍ୟତିତ ବିଗତ ୭ ଦିନ ମଧ୍ୟରେ ଜିଲା ବାହାରେ ମଧ୍ୟ ତାଙ୍କୁ ଥରେ ଭେଟି ଶ୍ରୀ ଦାସ ଟିକଟ ପାଇଁ ଚାଲିଥିବା ଅଚଳାବସ୍ଥାକୁ ଦୂର କରିବା ପାଇଁ ଆଲୋଚନା କରିଛନ୍ତି । ଇଂ ରୋହିତ ପୂଜାରୀ ଦୀର୍ଘ ଦିନ ଧରି ସମ୍ବଲପୁର ରୁ ନେଇ ଭୁବନେଶ୍ୱର ପର୍ଯ୍ୟନ୍ତ ଲବି ଜୋର ଚଳାଇଥିବା ବେଳେ ବେଶ କିଛି ଦିନ ଦଳବଳ ଧରି ଭୁବନେଶ୍ୱରରେ ଡେରା ଜମାଇଥିଲେ ।

ଏଭଳି ଛକ୍କାପଞ୍ଜା ସ୍ଥିତି ଉପରେ ବରିଷ୍ଠ ବିଜେଡି ନେତା ତଥା ଶ୍ରମିକ ନେତା ଗୋକୁଳ ମେହେର କହିଛନ୍ତି ଯେ, ଆଜିର ଦିନରେ ଯେଭଳି ସ୍ଥିତି ରହିଛି, ଏହା ଆଗାମୀ ଦିନରେ ଦଳର ପ୍ରଦର୍ଶନକୁ ନିଶ୍ଚିତ ରୂପେ ନିର୍ବାଚନରେ ପ୍ରଭାବିତ କରିବ । ଏଣୁ ଅସ୍ପଷ୍ଟ ସ୍ଥିତି ଉପରୁ ଦଳୀୟ ନେତୃତ୍ୱ ପରଦା ହଟାଇ କର୍ମୀ ମାନଙ୍କୁ ନିର୍ବାଚନ ପ୍ରଚାରରେ ଓହ୍ଲାଇବା ପାଇଁ ଉତ୍ସାହିତ କରନ୍ତୁ ବୋଲି ଶ୍ରୀ ମେହେର କହିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଦଳର ସାଙ୍ଗଠନିକ ସମ୍ପାଦକ ନିଜେ ଯେଉଁ ଲୋକସଭା ଆସନର ପ୍ରାର୍ଥୀ ରୂପେ ଛିଡା ହୋଇଛନ୍ତି, ସେହି ଜିଲାରେ ଚାଲିଥିବା ଗୋଷ୍ଠୀ ବିବାଦକୁ ନିୟନ୍ତ୍ରଣ କରିବାରେ ବାରମ୍ବାର ବିଫଳ ହେଉଥିବା ବେଳେ ଆଗାମୀ ଦିନରେ ତାଙ୍କର ନିର୍ବାଚନ ଜିଣିବା ସହିତ ରାଜ୍ୟରେ ଦଳର ପ୍ରଦର୍ଶନ ଉପରେ ଏହା ସିଧାସଳଖ ପ୍ରଭାବ ପକାଇବ ବୋଲି ଦଳୀୟ କର୍ମୀ ସମେତ ସବୁ ମହଲରେ ମତ ପ୍ରକାଶ ପାଉଛି ।

Comments are closed.