କଳିଙ୍ଗର ସାହସୀ ବୀର : ଏକ ଦୃଷ୍ଟିପାତ

ସମୟର ଚକ୍ରରେ କଳିଙ୍ଗ ବିଭିନ୍ନ ନାମରେ ପରିଚିତ ହୋଇଅଛି। କଳିଙ୍ଗ ହେଉଛି ଓଡ଼ିଶାର ସର୍ବପୁରାତନ ନାମ। କଳିଙ୍ଗ, ଉତ୍କଳ ଏବଂ ଶେଷରେ ଉଡ୍ର ବା ଓଡ଼ିଶା। ମହାଭାରତରେ ବର୍ଣ୍ଣନା ଅଛି ଯେ ମହାମାନୀ ଦୁ​‌େ​‌ର୍ଯ୍ୟାଧନ କଳିଙ୍ଗର ସମ୍ରାଟଙ୍କୁ ତାଙ୍କ ସହ ମିଶି ମହାଭାରତ ଯୁଦ୍ଧରେ ଯୁଦ୍ଧ କରିବା ଲାଗି ନିମନ୍ତ୍ରଣ କରିଥିଲେ ଓ ତଦନୁଯାୟୀ କଳିଙ୍ଗ ସମ୍ରାଟ ଏକ ଶହସ୍ର ସାହସୀ ଯୋଦ୍ଧାଙ୍କ ସହିତ ମହାଭାରତ ଯୁଦ୍ଧରେ ଯୋଗ ଦେଇଥିଲେ। ଉତ୍କଳୀୟଙ୍କ ସାହସ ତଥା ବୀରତ୍ବକୁ ମହାକବି କାଳିଦାସ ରଘୁବଂଶରେ ପ୍ରଶଂସା କରିଛନ୍ତି ଓ କହିଛନ୍ତି ଯେ, ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ କଳିଙ୍ଗର ବୀରତ୍ବ ଓ ବାଣିଜ୍ୟ ଉଭୟ ଶୀର୍ଷରେ ରହିଥିଲା। ଖ୍ରୀଷ୍ଟପୂର୍ବ ୨୬୧ରେ ଧଉଳିଗିରି ନିକଟରେ ମଗଧ ସମ୍ରାଟ ଅଶୋକ ଓ କଳିଙ୍ଗ ସମ୍ରାଟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହା ଏକ ଭୟଙ୍କର ଯୁଦ୍ଧ ଥିଲା। ପ୍ରାୟ ସେତେବେଳେ ୬୦ହଜାର କଳିଙ୍ଗର ବୀର ସୈନିକ ସମ୍ରାଟ ଅଶୋକଙ୍କର ୨ଲକ୍ଷ ୫୦ ହଜାର ସୈନ୍ୟଙ୍କ ସହ ଯୁଦ୍ଧ କରିଥିଲେ ଓ ପ୍ରାୟ ଅଧିକାଂଶ କଳିଙ୍ଗ ସୈନ୍ୟ ସହିଦ ହୋଇଯାଇଥିଲେ। ଦୟାନଦୀରେ ରକ୍ତର ସୁଅ ଛୁଟିଥିଲା। ବିପୁଳ ନରସଂହାର ଦେଖି ସମ୍ରାଟ ଅଶୋକଙ୍କର ଭାବାନ୍ତର ହୋଇଥିଲା। ସମ୍ରାଟ ଅଶୋକ କଳିଙ୍ଗ ଯୁବରାଣୀ କାରୁବାକୀଙ୍କୁ ବନ୍ଦିନୀ କରି ନେଇଥିଲେ ଓ କାରୁବାକୀ ଏତେ ସାହସୀ ଥିଲେ ଯେ, ସେ ଅଶୋକଙ୍କ ଅନ୍ତଃପୁରବାସିନୀ ହେବା ପାଇଁ ମନା କରିଦେଇଥିଲେ। ସମ୍ରାଟ ଅଶୋକଙ୍କୁ ବୌଦ୍ଧ ଶ୍ରମଣ ଉପଗୁପ୍ତ ବୌଦ୍ଧ ଧର୍ମରେ ଦୀକ୍ଷିତ କରାଇଥିଲେ ଓ କାରୁବାକୀ ମଧ୍ୟ ଅଶୋକଙ୍କୁ ଅହିଂସା ଧର୍ମରେ ଦୀକ୍ଷିତ କରାଇବା ପାଇଁ ପ୍ରବର୍ତ୍ତାଇଥିଲେ। ସମ୍ରାଟ ଅଶୋକ ଧଉଲି ପାହାଡ଼ର ପାଦଦେଶରେ ଶିଳାଲେଖରେ ଉଲ୍ଲେଖ କରିଛନ୍ତି, ‘କଳିଙ୍ଗାଃ ସାହସିକାଃ’। ଯାହାର ଅର୍ଥ କଳିଙ୍ଗବାସୀ ଭାରି ସାହସୀ। ଖ୍ରୀଷ୍ଟପୂର୍ବ ୧୭୭ରେ ଅର୍ଥାତ୍‌ ପ୍ରାୟ ଦ୍ବିତୀୟ ଶତାବ୍ଦୀରେ ଖାରବେଳଙ୍କର ରାଜ୍ୟାଭିଷେକ ହେଲା। ସମ୍ରାଟ ଖାରବେଳ ମହାମେଘବାହନ ନାମରେ ପ୍ରସିଦ୍ଧି ଲାଭ କଲେ। ତାଙ୍କର ନାମ ହେଲା ମହାମେଘବାହନ ଐର ଖାରବେଳ। ସେ ମହାଭାରତର ଶିଶୁପାଳଙ୍କ ବଂଶଧର ଥିଲେ ଓ ଚେଦି ବଂଶରେ ଜନ୍ମଲାଭ କରିଥିଲେ। ଅଶୋକଙ୍କ ଦ୍ବାରା ଯୁଦ୍ଧର ପ୍ରଭାବରେ କଳିଙ୍ଗ ଯେଉଁ ସମ୍ମାନ ହରାଇଥିଲା, ସେ ପ୍ରଥମେ ମଗଧକୁ ଆକ୍ରମଣ କରି ମଗଧରାଜ ବୃହସ୍ପତି ମିତ୍ରଙ୍କୁ ପରାସ୍ତ କରି ଖାରବେଳ ପ୍ରତିଶୋଧ ନେଇଥିଲେ ଓ ମଗଧରୁ ପ୍ରତ୍ୟାବର୍ତ୍ତନ ସମୟରେ ଅପହୃତ କଳିଙ୍ଗ ଜିନାସନକୁ କଳିଙ୍ଗର ରାଜଧାନୀକୁ ଫେରାଇ ଆଣିଥିଲେ। କେବଳ ସେତିକି ନୁହେଁ; ସେ ଗୋରଥଗିରି ରାଜାଙ୍କୁ ପରାସ୍ତ କରି ମଗଧର ତତ୍କାଳୀନ ରାଜଧାନୀ ରାଜଗୃହକୁ ଅବରୋଧ କରିଥିଲେ। ଜୈନ ଧର୍ମର ପବିତ୍ର କଳ୍ପବୃକ୍ଷକୁ ଧରି କଳିଙ୍ଗକୁ ଫେରି ଆସିଥିଲେ। ସେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରିଥିଲେ। ଅତି ସାହସର ସହିତ ଅବର୍ଣ୍ଣପୋତ ସାହାଯ୍ୟରେ ସମୁଦ୍ରପଥରେ ସିଂହଳ, ବ୍ରହ୍ମଦେଶ, ଶ୍ୟାମଦେଶ, କାମ୍ବୋଜ, ବାଲି, ଜାଭା, ସୁମାତ୍ରା ପ୍ରଭୃତି ଦ୍ବୀପରେ ପହଞ୍ଚିବା ଓ ସେଠାରେ ବାଣିଜ୍ୟ ସହ ସଂସ୍କୃତିର ପ୍ରଚାର କରି ନିର୍ବିଘ୍ନରେ କଳିଙ୍ଗକୁ ଜଳପଥରେ ପ୍ରତ୍ୟାବର୍ତ୍ତନ କରିବା ହେଉଛି କଳିଙ୍ଗାଃ ସାହସିକାଃ। ସମ୍ରାଟ ଅଶୋକ, ଖାରବେଳ ଓ ଶେଷ ହିନ୍ଦୁରାଜା ମୁକୁନ୍ଦଦେବଙ୍କ ଶାସନ ପରେ ଶେଷରେ ୧୮୦୩ରେ ଓଡ଼ିଶା ଇଂରେଜମାନଙ୍କ ଶାସନାଧୀନ ହୋଇଥିଲା। ଖୋର୍ଦ୍ଧା ପାଇକ ବିଦ୍ରୋହର ନେତୃତ୍ବ ନେଇଥିଲେ ଜୟୀ ରାଜଗୁରୁ। ୧୮୦୪ ମସିହାରେ ପିପିଲିଠାରେ ସେ ଏକ ସପ୍ତାହକାଳ ଯୁଦ୍ଧ କରିଥିଲେ ଇଂରେଜ ମେଜର ଫ୍ଲେଚରଙ୍କ ସହିତ। ବର୍ବର ଇଂରେଜମାନେ ତାଙ୍କୁ ଗିରଫ କରି ମେଦିନିପୁର ନିକଟବର୍ତ୍ତୀ ବାଲିତୋଟାରେ ବୀଭତ୍ସ ଭାବେ ମୃତ୍ୟୁଦଣ୍ଡ ଦେଇଥିଲେ। ଭାରତ ସ୍ବାଧୀନତାର ପ୍ରଥମ ଯୋଦ୍ଧା ଥିଲେ ଉତ୍କଳର ମହାମନ୍ତ୍ରୀ ସାହସୀ ଜୟୀ ରାଜଗୁରୁ। ୧୮୧୭ ମସିହାରେ ବ୍ରିଟିଶ ଶାସନ ବିରୋଧରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ପାଇକ ବିଦ୍ରୋହକୁ ବ୍ୟାପକ ରୂପ ଦେଲେ ଓ କ୍ରମାଗତ ଭାବେ ଦୁଇ ଦଶନ୍ଧି ଧରି ସଂଗ୍ରାମ କରି ଇଂରେଜମାନଙ୍କୁ ପରାସ୍ତ କଲେ। ଇଂରେଜ ସରକାର ତାଙ୍କୁ ଧରିବାକୁ ୫ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ୧୮୨୯ ଜାନୁଆରୀ ୨୪ତାରିଖରେ ତାଙ୍କର ପରଲୋକ ଘଟିଥିଲା। ଉତ୍କଳର ଆଉ ଜଣେ ସାହସୀ ଯୁବକ ଚାଖି ଖୁଣ୍ଟିଆ ୧୮୫୭ ମସିହାରେ ଝାନ୍‌ସୀର ରାଣୀ ଲକ୍ଷ୍ମୀବାଈଙ୍କୁ ଅପୂର୍ବ ରଣକୌଶଳ ପ୍ରଦର୍ଶନ କରି ସହାୟତା କରିଥିଲେ। ସେ ଥିଲେ ପୁରୀ ହରଚଣ୍ଡୀ ସାହିର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗଲାଗି ସେବାୟତ ଚନ୍ଦନହଜୁରୀ ବା ଚାଖି ଖୁଣ୍ଟିଆ। ତାଙ୍କର କୀର୍ତ୍ତି ଓ କୃତି ଆମ ପାଇଁ ଗର୍ବ ଓ ଗୌରବ। ମାତ୍ର ୪୩ବର୍ଷ ବୟସରେ ୧୮୭୦ରେ ଏହି ଯୋଦ୍ଧାଙ୍କର ଦେହାନ୍ତ ହୋଇଥିଲା। କଳିଙ୍ଗର ବୀରପୁତ୍ର ଝାନ୍‌ସୀ ମାଟିରେ ରଣକୌଶଳ ପ୍ରଦର୍ଶନ କରି ସେଠାରେ ଇଂରେଜ ଓ ବିଶ୍ବାସଘାତକ କର୍ମଚାରୀଙ୍କ ଘେରରେ ଥିବା ରାଣୀ ଲକ୍ଷ୍ମୀବାଈଙ୍କୁ ଅପୂର୍ବ ସାହସ ଦେଖାଇ ସହାୟତା ପ୍ରଦାନ କରିବା ‘କଳିଙ୍ଗାଃ ସାହସିକାଃ’ ବୋଲି ପ୍ରମାଣିତ କରିଛି।
ପଶ୍ଚିମ ଓଡ଼ିଶାର ବୀର ସୁରେନ୍ଦ୍ର ସାଏ, ୧୮୦୯ ଜାନୁଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ରାଜପୁର ଖିଣ୍ଡାର ଚୌହାନ ରାଜବଂଶରେ। ବୀର ସୁରେନ୍ଦ୍ରଙ୍କ ଗରିଲା ଯୁଦ୍ଧ ବ୍ୟତିବ୍ୟସ୍ତ କରିଥିଲା ବ୍ରିଟିଶ ସେନାକୁ। ସେ ଇଂରେଜମାନଙ୍କ ଦ୍ବାରା ବନ୍ଦୀ ହୋଇ ହଜାରିବାଗ ଜେଲ୍‌ରେ ଥିଲେ ହେଁ ୧୮୫୭ ମସିହାର ସିପାହି ବିଦ୍ରୋହ ବେଳେ କୌଶଳକ୍ରମେ ଖସିଆସି ପୁଣି ଲଢ଼ାଇ ଜାରି ରଖିଥିଲେ। ତାଙ୍କ ଡାକରାରେ ବ୍ରିଟିଶ ବିରୋଧୀ ଲଢ଼େଇରେ ବହୁ ଜମିଦାର, ଆଦିବାସୀ, ଗୌନ୍ତିଆ ଓ ସାଧାରଣ କୃଷକ ସାମିଲ ହୋଇଥିଲେ। ସେ ବ୍ରିଟିଶ ସୈନ୍ୟ ଦ୍ବାରା ୧୮୬୪ରେ ଧରାପଡ଼ି ଅସୁରଗଡ଼ ଜେଲ୍‌ରେ ରହିଥିଲେ। ଏହି ମହାନ୍‌ କଳିଙ୍ଗପୁତ୍ର ୨୮ ଫେବୃଆରୀ ୧୮୮୪ରେ ସ୍ବର୍ଗାରୋହଣ କରିଥିଲେ। ସେ କଳିଙ୍ଗାଃ ସାହସିକାଃ ମନ୍ତ୍ରର ଥିଲେ ଜଣେ ବୀର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଭାରତ ସ୍ବାଧୀନତା ମୁକ୍ତି ସଂଗ୍ରାମର ଆଉ ଜଣେ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର କଟକରେ ଜନ୍ମ ନେଇଥିଲେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ। ସେ ୧୯୪୩ରେ ଆଜାଦ୍‌ ହିନ୍ଦ୍‌ ଫୌଜ ନେଇ ଜାପାନ ସହାୟତାରେ ଭାରତ ସୀମାକୁ ଆସିଲେ ଓ କହିଥିଲେ- ହେ ମୋର ପ୍ରିୟ ଭାରତବାସୀ, ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି। ସେ ଥିଲେ ଦେଶପ୍ରେମ ଓ ବୀରତ୍ବର ଅନିର୍ବାଣ ଶିଖା। ଭାରତ ସ୍ବାଧୀନତା ମୁକ୍ତି ସଂଗ୍ରାମର ସେ ଥିଲେ ମହାନାୟକ। ଓଡ଼ିଶାର ଜଣେ ବ୍ୟକ୍ତି ନେତାଜୀ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ହୋଇଥିଲେ ଓ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କୁ କଂଗ୍ରେସର କାର୍ଯ୍ୟକାରୀ କମିଟି ସଦସ୍ୟ କରିଥିଲେ। ୧୯୪୫ ମସିହା ଅଗଷ୍ଟ ୧୮ରେ ନେତାଜୀଙ୍କ ମୃତ୍ୟୁ ଖବର ଭାରତବାସୀ ଜାଣିଲେ ଓ ସମଗ୍ର ଭାରତ ସ୍ତବ୍ଧ ହୋଇଯାଇଥିଲା। ରଣପୁରରେ ପ୍ରଜା ଆନ୍ଦୋଳନ ବେଳେ ଦୁଇଜଣ ସାହସୀ ଯୁବକ ଦିବାକର ପରିଡ଼ା ଓ ରଘୁନାଥ ମହାନ୍ତି ଅନ୍ୟମାନଙ୍କ ସହ ମିଶି ବ୍ରିଟିଶ ପଲ୍‌ଟିକାଲ ଏଜେଣ୍ଟ ବେଜେଲଗେଟ୍‌ଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ। ଏହି ହତ୍ୟା ମୋକଦ୍ଦମାରେ ତାଙ୍କୁ ହୁଏତ ଫାଶୀ ମିଳିଥାଆନ୍ତା; କିନ୍ତୁ ମାହାତ୍ମା ଗାନ୍ଧୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଫଳରେ ସେ ବଞ୍ଚିଗଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବନ୍ଧୁକ, ଗୁଳି ଓ କମାଣକୁ ଖାତିର ନ କରି ଠେଙ୍ଗା ଯୁଦ୍ଧ କରି ବେଜେଲଗେଟ୍‌ଙ୍କୁ ଦୁଇ ସାହସୀ ଯୁବକ ନିପାତ କରିଦେଲେ। ଭାରତର ସ୍ବପ୍ନଦ୍ରଷ୍ଟା ଥିଲେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ। ଯଥାର୍ଥରେ ସେ ଥିଲେ, ‘କଳିଙ୍ଗାଃ ସାହସିକାଃ’- ମନ୍ତ୍ରର ଏକ ଟାଣୁଆ ପୁରୋଧା। ଏବେ ଆସନ୍ତୁ ଦେଖିବା ବାଜି ରାଉତର ବୀରତ୍ବ କଥା। ୧୯୩୮ ମସିହା ଢେଙ୍କାନାଳ ଗାଁ ଭୁବନ ଥିଲା ପ୍ରଜାମଣ୍ଡଳ ଆନ୍ଦୋଳନର କେନ୍ଦ୍ର। ଏଠାରେ ଆଶ୍ରୟ ନେଇଥିଲେ ଦେଶ ପାଇଁ ଲଢ଼ୁଥିବା ଅନେକ ଉତ୍କଳର ଦେଶପ୍ରେମୀ। ୧୯୩୮ ମସିହା ଅକ୍ଟୋବର ୧୦ ତାରିଖ। ସ୍ବାଧୀନତା ସଂଗ୍ରାମୀମାନେ ଇଂରେଜ ଫଉଜକୁ ଗୋଡ଼ାଇଥିଲେ ମାରିବା ପାଇଁ, କାରଣ ଅଳ୍ପ ସଂଖ୍ୟକ ଫଉଜ ଥିଲେ। ଫଉଜ ଧାଇଁଲେ ଜୀବନ ବଞ୍ଚାଇବାକୁ। ଆଗରେ ବ୍ରାହ୍ମଣୀଘାଟ ପଡ଼ିଲା। ୧୨ ବର୍ଷର ଘାଟିଆ ବାଜି ରାଉତକୁ ଡାକିଲେ ଡଙ୍ଗାରେ ପାରିକରିବା ପାଇଁ; କିନ୍ତୁ ସାହସୀ ବାଳକ ଇଂରେଜ ଗୁଳିରେ ମଲା ପଛକେ, ଇଂରେଜକୁ ନଦୀ ପାର କରାଇ ଦେଇନଥିଲା। କଳିଙ୍ଗ ବା ଉତ୍କଳର ଏହି ନାବାଳକ କେତେ ସାହସୀ ଥିଲା ଏଥିରୁ ସ୍ପଷ୍ଟ ଅନୁମେୟ। ସହିଦ ଲକ୍ଷ୍ମଣ ନାଏକଙ୍କ କଥା ଏଠାରେ ଉଲ୍ଲେଖ କରାଯାଇପାରେ। ମାଲକାନାଗିରି ଜିଲାର ତେନ୍ତୁଳିଆ ଗ୍ରାମରେ ଲକ୍ଷ୍ମଣ ନାଏକ ଜନ୍ମଗ୍ରହଣ କରିଥିଲେ। ଗାନ୍ଧିଜୀଙ୍କ ଡାକରାରେ ୧୯୩୬ରେ ସେ କଂଗ୍ରେସରେ ଯୋଗଦେଲେ। ଇଂରେଜଙ୍କ ଅତ୍ୟାଚାର ବିରୋଧରେ ସେ ଲଢ଼ାଇ ଜାରି ରଖିଥିଲେ। ଏକ ମିଥ୍ୟା ଘଟଣାରେ ତାଙ୍କୁ ଇଂରେଜମାନେ ୧୯୪୨ ମସିହାରେ ଗିରଫ କରି ବ୍ରହ୍ମପୁର ଜେଲ୍‌କୁ ପଠାଇଲେ। ୧୯୪୩ ମାର୍ଚ୍ଚ ୨୯ ତାରିଖ ସକାଳ ୫.୩୦ରେ ତାଙ୍କୁ ଜେଲ୍‌ରେ ଫାଶୀ ଦିଆଯାଇଥିଲା। ସେ ମରିବା ପୂର୍ବରୁ କହିଥିଲେ ସ୍ବରାଜ ନିଶ୍ଚୟ ଆସିବ। ମୁଁ ଦେଶ ପାଇଁ ପ୍ରାଣବଳି ଦେବାକୁ ଯାଉଛି। ୧୯୪୮ ମସିହାର ଏକ ଛୋଟିଆ ଉଦାହରଣ ଏଠାରେ ଦିଆଯାଇପାରେ ଯେଉଁଠାରେ କି କେନ୍ଦ୍ରାପଡ଼ାର ଯୁବକ ରଘୁ ନାୟକ ତା’ର ସାହସ ପ୍ରଦର୍ଶନ କରିଥିଲା। ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଯେତେବେଳେ ନାଥୁରାମ୍‌ ବିନାୟକ ଗଡ୍‌ସେ ଅତି ନିକଟରୁ ଗୁଳି ଚାଳନା କରି ନିର୍ଦୟ ଭାବେ ହତ୍ୟା କଲା, ସେହି ସମୟରେ ବିରଳାଭବନରେ କାର୍ଯ୍ୟରତ ମାଳୀ ଓଡ଼ିଆ ଯୁବକ ରଘୁ ନାୟକ ସେଠାରେ ଉପସ୍ଥିତ ଥିଲେ। ସେ ଗଡ୍‌ସେକୁ ସେହିଠାରେ ମାଡ଼ି ବସିଥିଲେ। ରଘୁ ନାୟକ ହେଉଛନ୍ତି କେନ୍ଦ୍ରାପଡ଼ାର ଯୁବକ। ଟିକିଏ ଆଗରୁ ସେ ଯଦି ସୁରାକ ପାଇଥାନ୍ତେ ତେବେ ଗଡ୍‌ସେଙ୍କୁ ବୋଧହୁଏ କାବୁ କରିପାରିଥାନ୍ତେ। ସେ କେତେ ସାହସୀ ଥିଲେ ତାହା ଏଥିରୁ ବାରିହୁଏ।
ସ୍ବାଧୀନତା ପ୍ରାପ୍ତିର ଅବ୍ୟବହିତ ପୂର୍ବରୁ ୧୯୪୬ ମସିହାରେ ରାଜନୀତିରେ ପ୍ରବେଶ କଲେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ। ତାଙ୍କୁ ଭାରତବର୍ଷର ଜନନାୟକ ବୋଲି ଆଖ୍ୟା ଦିଆଯାଇଛି। ବିଜୁ ପଟ୍ଟନାୟକ ଥିଲେ କଳିଙ୍ଗର ମୁକୁଟବିହୀନ ସମ୍ରାଟ, ଓଡ଼ିଆ ଜାତିର ଗର୍ବ, ଗୌରବ, ସ୍ବାଭିମାନର ପ୍ରତୀକ, ଝଡ଼ର ଇଗଲ୍‌ ଓ ମାଟିର ମୂର୍ତ୍ତିକାର। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମର ପୁରୋଧା ସୁକର୍ଣ୍ଣଙ୍କୁ ନିଜେ ବିମାନ ଚଳାଇ ଉଦ୍ଧାର କରିବା ପାଇଁ ଯାଇଥିଲେ। ମାତ୍ର ସୁକର୍ଣ୍ଣ ନିଜେ ନ ଆସିପାରିବାରୁ ତାଙ୍କର ସହଯୋଗୀ ମହମ୍ମଦ ହଟ୍ଟା ଜାରିଅର ଓ ସୁହାର୍ତ୍ତୋଙ୍କୁ ବିମାନଯୋଗେ ଉଦ୍ଧାର କରି ଭାରତକୁ ବିଜୁବାବୁ ନେଇ ପଳାଇ ଆସିଥିଲେ। ସେ ଇଣ୍ଡୋନେସିଆର ଭୂମିପୁତ୍ର ଉପାଧି ପାଇଥିଲେ। ସେ ୧୯୬୧ରୁ ୧୯୬୪ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଓ ପୁଣି ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ସେ ଥିଲେ ନିର୍ଭୀକ, ଦୁଃସାହସିକ, ସ୍ବପ୍ନବାଦୀ ରାଷ୍ଟ୍ରନାୟକ। କଳିଙ୍ଗ ନାମକୁ ସେ ବିଶ୍ବ ଦରବାରରେ ପରିଚିତ କରାଇଥିଲେ। ସେ ସର୍ବଦା କହୁଥିଲେ ମୁଁ ଖାରବେଳ ଜାତିର ଦାୟାଦ। ୧୯୯୧ ମସିହାରେ ସେ ଏସିଆ ମହାଦେଶର ଏକ ବିରାଟ ପ୍ରକଳ୍ପ କଳିଙ୍ଗନଗରର ସ୍ବପ୍ନ ଦେଖିଥିଲେ ଓ ତାହା ତୁରନ୍ତ ପ୍ରବର୍ତ୍ତିତ କରିଥିଲେ। ଆଜି ଭୁବନେଶ୍ବରରେ କେ-୧ଠାରୁ କେ-୯ ପର୍ଯ୍ୟନ୍ତ ନଗରମାନ ଗଢ଼ିଉଠିଛି। ଏହି ମହାନ୍‌ ବ୍ୟକ୍ତିଙ୍କର ତିରୋଧାନ ୧୭.୪.୧୯୯୭ରେ ହୋଇଥିଲା। ‘କଳିଙ୍ଗାଃ ସାହସିକାଃ’ ମନ୍ତ୍ରର ସେ ଥିଲେ ବିଶିଷ୍ଟ ତଥା ମହାନ୍‌ ପୁରୋଧା।

ପୂର୍ଣ୍ଣଚନ୍ଦ୍ର ସେନାପତି
କଳିଙ୍ଗନଗର, ଘାଟିକିଆ, ଭୁବନେଶ୍ବର
ଦୂରଭାଷ:୮୮୯୫୯୯୭୧୭୦

Comments are closed.