ବାକ୍‌ ସଂଯମର ଗୁରୁତ୍ବ

ଷୋଡ଼ଶ ଶତାବ୍ଦୀର ଏକ ଘଟଣା। ଇଂରେଜ ମନୀଷୀ ଥୋମାସ୍‍ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ। ଅନେକ ବର୍ଷର ଅଧ୍ୟବସାୟ ପରେ କାମଟି ସଂପୂର୍ଣ୍ଣ ହେବାରୁ ସେ ଆନନ୍ଦିତ ହେଲେ। ଦିନେ ସନ୍ଧ୍ୟା ସମୟରେ ସେ ତାଙ୍କର ଦୁଇଜଣ ବନ୍ଧୁଙ୍କୁ ସେହି ପାଣ୍ଡୁଲିପିଟି ଦେଖାଇବା ପାଇଁ ନିଜ ଘରକୁ ନେଇ ଆସିଲେ। ମାତ୍ର ଟେବୁଲ ଉପରେ ପାଣ୍ଡୁଲିପି ନ ଥିଲା। ତାଙ୍କ ପତ୍ନୀ ଡିନା ଭାବୁଥିଲେ ତାଙ୍କ ସ୍ୱାମୀ ଗୋଟିଏ ଅଯଥା କାମର ପ୍ରେମରେ ପଡ଼ି ବିଶ୍ରାମବିହୀନ ଜୀବନଯାପନ କରୁଛନ୍ତି ଓ ସ୍ୱାସ୍ଥ୍ୟହାନି କରୁଛନ୍ତି। ଏହି ମୋହରୁ ତାଙ୍କୁ ମୁକୁଳାଇବା ପାଇଁ ସେ ସବୁ ପାଣ୍ଡୁଲିପିକୁ ନିଆଁରେ ପୋଡ଼ି ପାଉଁଶ କରିଦେଲେ। କୁପାର ସ୍ତବ୍‍ଧ ହେଲେ, ମାତ୍ର କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। କେବଳ ପତ୍ନୀଙ୍କୁ ଏତିକି କହିଲେ- “ଡିନା! ତୁମେ ମୋତେ ବଡ଼ କଷ୍ଟ ଦେଲ।” ପୁଣି ଆରମ୍ଭ କଲେ ସଂକଳନ ଓ ଆଠ ବର୍ଷ ଅକ୍ଳାନ୍ତ ପରିଶ୍ରମ କରି ଅଭିଧାନଟି ପ୍ରସ୍ତୁତ କଲେ। ଜଣେ ସ୍ଥିତପ୍ରଜ୍ଞ ଭଳି ନିଜର ଶାନ୍ତ ଓ ସମତାଭାବ ବଜାୟ ରଖିଲେ। ଫଳରେ ଦଗ୍ଦ ପାଣ୍ଡୁଲିପି ଜୀବନ୍ୟାସ ପାଇଲା। ଅନୁତପ୍ତ ପତ୍ନୀ ମଧ୍ୟ ତାଙ୍କୁ ନିରବରେ ସାହାଯ୍ୟ କଲେ। ବାକ୍‍ ଶକ୍ତିର ଉପଯୁକ୍ତ ପ୍ରୟୋଗ ଓ ବାକ୍‍ସଂଯମ ଜୀବନରେ ଏହିଭଳି ଦୁଃଖଦ ଅନୁଭୂତିକୁ ପ୍ରଶାନ୍ତ ଭାବରେ ଗ୍ରହଣ କରିବା ପାଇଁ ଶକ୍ତି ଦିଏ।
ଗୌତମ ବୁଦ୍ଧ ଥିଲେ ଆତ୍ମସଂଯମର ମୂର୍ତ୍ତିମନ୍ତ ପ୍ରତୀକ। ଥରେ ସେ ଜଣେ ଗୃହସ୍ୱାମୀଙ୍କ ଦ୍ୱାରଦେଶରେ ଭିକ୍ଷାପାତ୍ର ଧରି ଉପସ୍ଥିତ ହୋଇ ଭିକ୍ଷା ମାଗନ୍ତେ ଗୃହସ୍ୱାମୀ ତାଙ୍କୁ କଟୁ ଭାଷାରେ ଉର୍ତ୍ସନା କଲେ। ବୁଦ୍ଧ ନୀରବରେ ସବୁ ଶୁଣିଗଲେ ଓ କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ତାଙ୍କ ପାଖରୁ କୌଣସି ପ୍ରତିକ୍ରିୟା ନ ପାଇ ଗୃହସ୍ୱାମୀ ଆହୁରି ରାଗିଗଲେ ଓ କହିଲେ, “ତୁମେ ମୋ କଥାର ଜବାବ ଦେଉନ କାହିଁକି? ମୁଁ ଏତେ କଥା କହୁଛି, ତୁମକୁ କଣ ବାଧୁନି?” ବୁଦ୍ଧଦେବ କହିଲେ “ମୁଁ ଯଦି ତୁମ ଉଦ୍ଦେଶ୍ୟରେ ମୋର ଏହି ଭିକ୍ଷାପାତ୍ରଟିକୁ ଅର୍ପଣ କରିବି ଓ ତୁମେ ତାକୁ ଗ୍ରହଣ ନ କର, ଏହି ପାତ୍ରଟି କୁଆଡ଼େ ଯିବ?” ଗୃହସ୍ୱାମୀ ଉତ୍ତର ଦେଲେ, “ତାହା ତୁମର ହୋଇ ରହିବ।” ବୁଦ୍ଧ କହିଲେ, “ଠିକ୍‍ ସେପରି ତୁମେ ମୋ ପ୍ରତି ଯେଉଁ କଟୁବାକ୍ୟ ପ୍ରୟୋଗ କରିଛ ମୁଁ ତାକୁ ଗ୍ରହଣ କରିନାହିଁ। ଏଣୁ ତାହା ତୁମ ପାଖରେ ରହିଲା।” ଗୃହସ୍ୱାମୀ ସ୍ତବ୍ଧ ହେଲେ। ସେହି ମୁହୂର୍ତ୍ତରେ ତାଙ୍କ ଚେତନାରେ ଏକ ବଡ଼ ପରିବର୍ତ୍ତନ ହେଲା। ସେ ହେଲେ ବୁଦ୍ଧଙ୍କ ଶିଷ୍ୟ। ଏହିଭଳି ଆତ୍ମସଂଯମ ସାଧନା କରି ଅନ୍ୟ କାହାରି ପ୍ରତି ଅସଦ୍ଦିଚ୍ଛା ଓ ଈର୍ଷାପୋଷଣରୁ ନିଜକୁ ସଂପୂର୍ଣ୍ଣ ମୁକ୍ତ କରିପାରିଲେ ନିଜକୁ ନିରାପଦ ରଖିହୁଏ ଏବଂ ତଦ୍ଦ୍ୱାରା ଅସୂୟା ଭାବ ପୋଷଣ କରିଥିବା ବ୍ୟକ୍ତି ଅନୁତପ୍ତ ହୋଇ ସେ ନିଜର ଜୀବନଧାରାକୁ ପରିବର୍ତ୍ତନ କରେ।
ବୁଦ୍ଧ ନିଜେ ବାକ୍‍ସଂଯମ ପାଳନ କରି ଶିଷ୍ୟମାନଙ୍କୁ ମଧ୍ୟ ତାହା କଠୋରଭାବରେ ପାଳନ କରିବାକୁ ଉପଦେଶ ଦେଉଥିଲେ। ଏଣୁ ବୁଦ୍ଧ ଜାତକରେ ମଧ୍ୟ ଆମେ ପାଉ ଜଣେ ସଂଯମୀ ରାଜପୁତ୍ରଙ୍କ କାହାଣୀ। ଜନ୍ମରୁ ବଡ଼ ହେବା ପର୍ଯ୍ୟନ୍ତ ସେ ନିର୍ବାକ୍‍ ରହୁଥିବାରୁ ରାଜାରାଣୀ ଦୁଃଖିତ ଥିଲେ। ଦିନେ ରାଜପୁତ୍ର ଉଦ୍ୟାନରେ ବସିଥିବା ବେଳେ ଗୋଟିଏ ପକ୍ଷୀର ମଧୁର ସଂଗୀତ ଶୁଣୁଥିଲେ। ହଠାତ୍‍ ଜଣେ ଶିକାରୀ ତାକୁ ଶରବିଦ୍ଧ କରିବାରୁ ପକ୍ଷୀଟି କ୍ଷତାକ୍ତ ହୋଇ ତଳେ ପଡ଼ିଗଲା। ରାଜପୁତ୍ର ପକ୍ଷୀଟିକୁ ଆଉଁଶି ଦେଇ କହିଲେ, “ତୁ କଥା କହିଲୁ ବୋଲି ସିନା ଏ ଦଶା ଭୋଗିଲୁ?” ରାଜପୁତ୍ରଙ୍କ ମୁହଁରୁ କଥା ଶୁଣି ଦେହରକ୍ଷୀ ରାଜାଙ୍କୁ ଏହି ସୁସମ୍ବାଦଟି ଜଣାଇଲା। ରାଜା ଦୌଡ଼ି ଆସିଲେ, ମାତ୍ର ସେ ଆସିବାବେଳକୁ ରାଜପୁତ୍ର ପୁଣି ନିର୍ବାକ୍‍ ହୋଇ ସାରିଥିଲେ। ରାଜା ଦେହରକ୍ଷୀକୁ ମିଥ୍ୟାବାଦୀ କହି ପ୍ରାଣଦଣ୍ଡ ଆଦେଶ ଦେଲେ। ଦେହରକ୍ଷୀ କାନ୍ଦି କାନ୍ଦି ରାଜପୁତ୍ରଙ୍କୁ କହିଲା, “ମୁଁ ମିଛ କହିନାହିଁ। ତୁମେ କଥା କହି ମୋ କଥାର ସତ୍ୟତା ପ୍ରମାଣ କର, ନହେଲେ ମୁଁ ମୃତ୍ୟୁଦଣ୍ଡ ଭୋଗିବି।” ଦେହରକ୍ଷୀକୁ ଦଣ୍ଡାଦେଶରୁ ରକ୍ଷା କରିବା ପାଇଁ ରାଜପୁତ୍ର କହିଲେ, “ତୁ କଥା କହିଲୁ ବୋଲି ସିନା ଏ ଦଣ୍ଡ ପାଇଲୁ।” ଦେହରକ୍ଷୀ ଦଣ୍ଡରୁ ରକ୍ଷା ପାଇଲା। ମାତ୍ର ରାଜପୁତ୍ର ସନ୍ନ୍ୟାସ ନେଇ କୁଆଡ଼େ ଚାଲିଗଲେ। ସେ ଥିଲେ ବୋଧିସତ୍ତ୍ୱ। ନିର୍ବାକ୍‌ ରହିବା ଥିଲା ତାଙ୍କ ସାଧନାର ଏକ ଦିଗ। ସେ ମାପିଚୁପି କେବଳ ଆବଶ୍ୟକତା ଅନୁସାରେ ବାକ୍‍ଶକ୍ତିର ଉପଯୋଗ କରୁଥିଲେ ଓ ଶେଷରେ ସିଦ୍ଧି ଲାଭ କରିଥିଲେ।
ଦୈନନ୍ଦିନ ଜୀବନରେ ଆମେ ଯେତେ କଥା କହିଥାଉ ତାର ବହୁ ଅଂଶ ନ କହିଲେ ବି ଚଳନ୍ତା। ଆମେ ଅନେକ ସମୟରେ ଅନାବଶ୍ୟକ ଭାବେ ବହୁ କଥା ଗପିଥାଉ ଓ ଆମର ଶବ୍ଦସ୍ଫୀତି ବେଳେବେଳେ ସମାଜରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରେ ଓ ବେଳେବେଳେ ଜୀବନକୁ ବିପଦାପନ୍ନ କରେ। ବିଷ୍ଣୁଶର୍ମାଙ୍କ ପଞ୍ଚତନ୍ତ୍ରରେ ବର୍ଣ୍ଣିତ ଏ ସଂପର୍କିତ ଏକ କାହାଣୀ ଏକ ଭିନ୍ନ ରୂପରେ ପହଞ୍ଚିଥିଲା ଇଂଲଣ୍ଡରେ। ଚତୁର୍ଦ୍ଦଶ ଶତାବ୍ଦୀରେ କବି ଚସର୍‍ “କାଣ୍ଟରବରି ଟେଲସ୍‍”ରେ ବାକ୍‍ସଂଯମକୁ ଗୁରୁତ୍ୱ ଦେଇ ଲେଖିଲେ ଗୋଟିଏ ଗଞ୍ଜାର କାହାଣୀ। ଗୋଟିଏ ପଲ୍ଲୀରେ ବୁଢ଼ୀଟିଏ ପୋଷିଥାଏ ଏକ ଗଞ୍ଜା। ନାମଟି ତାର ଚଣ୍ଟିକ୍ଲିଅର୍‍। ତାର କଣ୍ଠର ସୁଲଳିତ ସଂଗୀତରେ ସମଗ୍ର ପକ୍ଷୀକୁଳ ମୋହିତ ହୁଅନ୍ତି। ମାତ୍ର ଗଞ୍ଜା ଉପରେ ଲୋଲୁପ ଦୃଷ୍ଟି ପକାଇଥାଏ ଏକ ଶୃଗାଳ। ଦିନେ ଶୃଗାଳ ତାକୁ କହିଲା “ତୁମକୁ ଦେଖିଲେ ତୁମ ସ୍ୱର୍ଗତ ପିତାଙ୍କ କଥା ମନେ ପଡ଼ିଯାଏ। ଯେତେବେଳେ ସେ କଣ୍ଠ ଖୋଲି ଗୀତ ବୋଲନ୍ତି ମୁଁ ଅଭିଭୂତ ହେଉଥାଏ। ତୁମେ ତାଙ୍କର କଳାକୁ ବଜାୟ ରଖିଛ।” ଗଞ୍ଜାଟି ପୁଲକିତ ହେଲା ଓ ଆହୁରି ଉଚ୍ଚ ସ୍ୱରରେ ଗୀତ ଗାଇବାକୁ ଚେଷ୍ଟା କଲା। ଶୃଗାଳ କହିଲା “ମାତ୍ର ତୁମ ପିତା ସଂଗୀତ ଗାଇବା ବେଳେ ଆଖି ବନ୍ଦ କରୁଥିବାରୁ ଏକ ଅପୂର୍ବ ଭାବାବେଶ ସୃଷ୍ଟି ହେଉଥିଲା। ତାହା ଥିଲା ତାଙ୍କର ବିଶିଷ୍ଟ ଶୈଳୀ।” ଗଞ୍ଜା ଆହୁରି ପୁଲକିତ ହୋଇ ଆଖି ଦୁଇଟି ବନ୍ଦକରି ଗୀତ ଗାଆନ୍ତେ ଶୃଗାଳ ତା ଉପରକୁ କୁଦିପଡ଼ି କାମୁଡ଼ି ଧରି ଅରଣ୍ୟ ଭିତରକୁ ଚାଲିଗଲା।
ଘଟଣା ବିଷୟରେ ମାଲିକାଣୀ ବୁଢ଼ୀ ଅବଗତ ହେଲାପରେ ତା’ର ଦଳବଳ ଧରି ଗଞ୍ଜାର ପୁନରୁଦ୍ଧାର ସକାଶେ ଶୃଗାଳର ଅନୁଧାବନ କଲା। ଶୃଗାଳ ପାଟିରେ ଥାଇ ଗଞ୍ଜାଟି କହିଲା, “ଦେଖ ବନ୍ଧୁ! ଏହି ବୁଢ଼ୀ ଓ ତା ଦଳ କେତେ ଓଲୁ। ସେମାନେ ତୁମ ଭଳି ଶକ୍ତିଶାଳୀ ପଶୁର ଅନୁଧାବନ କରୁଛନ୍ତି। ତାଙ୍କୁ ଉପହାସ କରି କହି ଦେଉନ ଯେ ସେମାନଙ୍କ ଶ୍ରମ ବୃଥା ହେବ।” ପୁଲକିତ ହେଲା ଶୃଗାଳ ଓ କହିଲା “ତୁମେ ଠିକ୍‍ କହୁଛ। ମୁଁ କହିଦେଉଛି।” ସେ ମୁହଁ ଖୋଲିବା ମାତ୍ରେ ଗଞ୍ଜାଟି ତା’ ପାଟିରୁ ଖସି ଯାଇ ଗଛ ଉପରକୁ ଚାଲିଗଲା। ଶୃଗାଳ ତାର ମୂର୍ଖତା ପାଇଁ ଅନୁତାପ କଲା ଓ କହିଲା, “ହେ ଅନିନ୍ଦ୍ୟ ଗାୟକ। ତୁମ ସହ ମୋ ସଂପର୍କ ଏମାନେ କିପରି ବୁଝିବେ? ମୁଁ ଚାହୁଁଥିଲି ତୁମକୁ ନେଇ ନିକାଞ୍ଚନରେ ତୁମଠାରୁ ଗୀତ ଶୁଣିବି। ଆସ ଶୀଘ୍ର ପଳାଇବା। ତୁମେ ଗାଇବ ଓ ମୁଁ ଶୁଣିବି।” ମାତ୍ର ଗଞ୍ଜା କହିଲା, “ଆଉ ଧୂର୍ତ୍ତ ବୁଦ୍ଧିଦ୍ୱାରା ତୁମେ ମୋତେ ପ୍ରତାରଣା କରିପାରିବ ନାହିଁ। ମୁଁ ଯେତେବେଳେ ଆଖି ଖୋଲା ରଖିବା କଥା, ସେତେବେଳେ ଆଖି ବନ୍ଦ କରି ଦୁର୍ଦଶା ଭୋଗିଲି।” ଶୃଗାଳ ମଧ୍ୟ କହିଲା, “ମୁଁ ଯେତେବେଳେ ପାଟି ବନ୍ଦ କରିବା କଥା ସେତେବେଳେ ପାଟି ଖୋଲି ମୂର୍ଖାମି କଲି ଓ ତୁମକୁ ହରାଇଲି।”
କାହାଣୀଟି ଚମତ୍କାର ଭାବରେ ସ୍ଥାନ କାଳ ପାତ୍ର ଅନୁସାରେ ବାକ୍‍ଶକ୍ତିର ଉପଯୋଗ କରିବା ଉପରେ ଚେତାବନୀ ଦେଇଛି। ଶାସ୍ତ୍ରରେ ଅଛି “ବ୍ୟାଘ୍ରୀ ଯଥା ହରେତ୍‍ ପୁତ୍ରାନ୍‍ ଦ୍ରଂଷ୍ଟୟୋର୍ମଧ୍ୟେ ସଂସ୍ଥିତାନ୍‍। ଭୀତା ପତନଭେଦଭ୍ୟାଂ ତତ୍‍ବତ୍‍ ବର୍ଣ୍ଣାନ୍‍ ପ୍ରୟୋଜୟେତ୍‍।” ଅର୍ଥାତ୍‍ ବ୍ୟାଘ୍ରୀ ନିଜ ଶାବକକୁ ଉପରତଳ ଦୁଇ ଦାନ୍ତ ମଧ୍ୟରେ ଅତି ସତର୍କତାର ସହ ବହନ କରେ, କାରଣ ଅନ୍ୟଥା ଶାବକ ଭୂଇଁକୁ ଖସି ପଡ଼ିବାର ଅଥବା ତାର ଦାନ୍ତ ଶାବକ ଶରୀରକୁ ଭେଦ କରି କ୍ଷତାକ୍ତ କରିବାର ଭୟ ଥାଏ। ଜଣେ ସଂଭ୍ରାନ୍ତ ଯୁବକ ଲଜ୍ଜାବଶତଃ ମିହଳାଙ୍କ ସହ ମିଶି ପାରୁ ନ ଥିବାରୁ ଆତ୍ମଗ୍ଲାନି ଅନୁଭବ କରନ୍ତେ ଜଣେ ବନ୍ଧୁ ତାକୁ କହିଲେ, “ପ୍ରଥମେ ମହିଳାଙ୍କ ବିଭିନ୍ନ ଜିନିଷକୁ ପ୍ରଶଂସା କରିବୁ। ସେ ବିବାହିତା ନା ନୁହେଁ, ତାଙ୍କର ପିଲାପିଲି କେତେ ଆଦି ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରଶ୍ନ ପଚାରିବୁ, ଦେଖିବୁ ସେ ନିଶ୍ଚୟ ତୋ ସଙ୍ଗେ କଥାବାର୍ତ୍ତା କରିବେ।” ଦିନେ ଯୁବକଟି ଜଣେ ମହିଳାଙ୍କ ସଙ୍ଗେ କଥାବାର୍ତ୍ତା ଆରମ୍ଭ କରିବାକୁ ଯାଇ ତାଙ୍କ ବ୍ୟାଗ୍‍ର ପ୍ରଶଂସା କଲା। ମହିଳାଟି ଖୁସି ବ୍ୟକ୍ତ କଲେ। ତାପରେ ସେ ପଚାରିଲା “ଆପଣଙ୍କ ପିଲାପିଲି କେତେ? ମହିଳା ଜଣକ ଉତ୍ତର ଦେଲେ, ପୁଅଟିଏ, ଝିଅଟିଏ।” ତାପରେ ସେ ପଚାରିଲେ, “ଆପଣ ବିବାହିତା?” ସଂଗେସଂଗେ ଭଦ୍ରମହିଳା ଉତ୍‍କ୍ଷିପ୍ତ ହୋଇ ତାକୁ ଅଭଦ୍ର ବୋଲି କହନ୍ତେ ଯୁବକଟି ଚାଲି ଆସିଲା ଓ ତାକୁ ତାଲିମ ଦେଇଥିବା ବନ୍ଧୁଙ୍କ ପାଖରେ ସବୁକଥା କହିଲା। ବନ୍ଧୁ କହିଲେ “ମୂର୍ଖ, ତୁ ସିନା ପ୍ରଥମେ ବିବାହ କଥା ପଚାରିଥାନ୍ତୁ। ତୁ କ୍ରମ ରକ୍ଷା ନ କରି ଅସୁବିଧାରେ ପଡ଼ିଲୁ।” ଆଉ ଦିନକର କଥା। ସେ ଆଉ ଜଣେ ମହିଳାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ଯାଇ କଥା ପ୍ରସଂଗରେ ପଚାରିଲା, “ମ୍ୟାଡ଼ାମ୍‍ ଆପଣ ବିବାହିତା?” ସେ କହିଲେ “ନା”। ତାପରେ ସେ ପଚାରିଲା “ଆପଣଙ୍କ ପିଲାପିଲି କେତେ?” ମହିଳା ଜଣକ ଉତ୍‍କ୍ଷିପ୍ତ ହୋଇ ତାକୁ ଅଭଦ୍ର କହିଲେ ଓ ଗାଳି ବର୍ଷଣ କଲେ। ଯୁବକଟି ସଚେତନ ହେଲା ଓ ତାଙ୍କୁ କ୍ଷମା ମାଗି ଚାଲିଆସିଲା। ଏହା ଅବଶ୍ୟ ଯୁବକର ନିର୍ବୋଧତା ବା ନିରୀହତା ହୋଇପାରେ। ମାତ୍ର ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ମତରେ ଏ ପର୍ଯ୍ୟାୟରେ ନିରୀହତା ମଧ୍ୟ ଅଜ୍ଞାନତାର ଅଭିବ୍ୟକ୍ତି। ଏଣୁ ସତର୍କତା ଅବଲମ୍ବନ ନ କଲେ ପାଟିରୁ ଉଚ୍ଚାରିତ ଶବ୍ଦ ଅନ୍ୟକୁ ଆଘାତ ଦେବା ସଙ୍ଗେ ସଙ୍ଗେ ସମାଜରେ ବିଷମ ସମସ୍ୟା ସୃଷ୍ଟିକରେ ଓ ଶାନ୍ତିଭଙ୍ଗ କରେ।
ଆମେ କହୁଥିବା ପ୍ରତ୍ୟେକ ଶବ୍ଦ ଆମର ଅନ୍ତଃକରଣରେ ଏକ ଅଲିଭା ଦାଗ ଛାଡ଼ିଯାଏ। ତାହା ଆମ ସ୍ୱଭାବ ଓ ଚରିତ୍ର ନିର୍ମାଣ କରିବାରେ ସାହାଯ୍ୟ କରେ। ଏଣୁ ଭାରତୀୟ ଋଷିଗଣ ଶବ୍ଦ ଉଚ୍ଚାରଣ ଉପରେ ଅତ୍ୟନ୍ତ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ଛାନ୍ଦୋଗ୍ୟ ଉପନିଷଦରେ ବାକ୍‍କୁ ବ୍ରହ୍ମ କୁହାଯାଇଛି। ଏଣୁ ବାକ୍‍ର ଯଥାର୍ଥ ପ୍ରୟୋଗ ହିଁ ବ୍ରହ୍ମୋପାସନା।

ଛାୟାକାନ୍ତ ଷଡ଼ଙ୍ଗୀ
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ଦୂରଭାଷ: ୯୪୩୭୩୨୯୨୬୩

Comments are closed.