କୃତଜ୍ଞତା
ଜଣେ ଉଚ୍ଚପଦାଧିକାରୀ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ମାନସିକ ଦୁଶ୍ଚିନ୍ତାରେ ଥିଲାବେଳେ, କାର୍ଯ୍ୟାଳୟର ଝରକା ମଧ୍ୟଦେଇ ରାସ୍ତାରେ ‘ଭିକାରି’ଟିଏ ବୁଲି ଭିକ ମାଗୁଥିବାର ଦେଖିଲେ। ଏହା ତା’ଙ୍କ ମନରେ ଭାବାନ୍ତର ସୃଷ୍ଟିକଲା। ସେ ଈଶ୍ୱରଙ୍କୁ ହାତଯୋଡି କୃତଜ୍ଞତା ଭରା ସ୍ୱରରେ କହିଲେ,‘‘ମୁଁ କେଡେ ଭାଗ୍ୟବାନ ପ୍ରଭୁ! ଅଳ୍ପବହୁତ ଦୁଶ୍ଚିନ୍ତାରେ ଥାଇପାରେ, ହେଲେ ବି ମୁଁ ‘ଭିକାରି’ ନୁହେଁ। ଏଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।’’ ଭିକାରିଟି ପ୍ରବଳ ଖରାରେ ଭିକମାଗୁଥିବା ବେଳେ ଛିଣ୍ଡାକନା ପିନ୍ଧି ଅତି ଅପରିଷ୍କାର ଅବସ୍ଥାରେ ବୁଲୁଥିବା ଏକ ‘ପାଗଳ’କୁ ଦେଖି ହାତଯୋଡି କହିଲା, “ମୁଁ କେଡେ ଭାଗ୍ୟବାନ ସତେ? ‘ଭିକାରି’ ହେଲେ ବି ମୁଁ ‘ପାଗଳ’ ନୁହେଁ। ଏଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ପ୍ରଭୁ।’’ ‘ପାଗଳ’ଟି ରାସ୍ତାରେ ବୁଲୁବୁଲୁ ଏକ ଆମ୍ବୁଲାନ୍ସରେ ‘ରୋଗୀ’ଟିଏ ଯାଉଥିବାର ଦେଖି ପ୍ରଭୁଙ୍କ ଉଦ୍ଦେଶ୍ୟରେ ହାତଯୋଡି କହିଲା,‘‘ମୁଁ କେଡେ ଭାଗ୍ୟବାନ ସତେ? ‘ପାଗଳ’ ହେଲେ ବି ମୁଁ ‘ରୋଗୀ’ ନୁହେଁ। ଆପଣଙ୍କୁ ଅଶେଷ ଧନ୍ୟବାଦ ପ୍ରଭୁ।’’ ରୋଗୀଟି ଡାକ୍ତରଖାନାରେ ଏକ ‘ମୃତଦେହ’କୁ ଦେଖି ହାତଯୋଡି କହିଲା, “ମୁଁ କେଡେ ଭାଗ୍ୟବାନ ସତେ? ଯଦିଓ ମୁଁ ‘ରୋଗୀ’, କିନ୍ତୁ ‘ମୃତ’ ନୁହେଁ। ଆପଣଙ୍କୁ ଅଶେଷ ଧନ୍ୟବାଦ ପ୍ରଭୁ।’’ ସେହି ‘ମୃତବ୍ୟକ୍ତି’ଟି କିନ୍ତୁ କିଛି ବି ଭାବୁନଥିଲା। ଈଶ୍ୱରଙ୍କୁ ଧନ୍ୟବାଦଟିଏ ବି ଦେଉନଥିଲା। କାରଣ ସେ ମରିଯାଇଥିଲା। ଏ ସଂସାରରେ ପ୍ରତ୍ୟେକ ମନୁଷ୍ୟ ଭଗବାନଙ୍କୁ ତଥା ଅନ୍ୟମାନଙ୍କୁ କୃତଜ୍ଞତା ଜଣାଇ ପାରିବେ, କେବଳ ‘ମୃତବ୍ୟକ୍ତି’କୁ ଛାଡି। କାରଣ ପ୍ରାଣହୀନ ଥିବାରୁ ସେ କିଛି କହିପାରିବ ନାହିଁ। ତେଣୁ ଆମେ ନିଜେ ନିଜକୁ ପଚାରିବା ଆବଶ୍ୟକ, ‘ଆମେ ମୃତ ନା ଜୀବିତ?’ ଯଦି ଜୀବିତ, ତେବେ ଦିନମଧ୍ୟରେ କେତେଥର ପ୍ରଭୁଙ୍କର ଅଦୃଶ୍ୟ ବରଦାନ ପାଇଁ ତାଙ୍କୁ ଧନ୍ୟବାଦ ବା କୃତଜ୍ଞତା ଜଣାଉଛେ? ଦିନ ମଧ୍ୟରେ କେତେଥର ତାଙ୍କର ଆଶୀର୍ବାଦ ଓ ବରଦାନକୁ ଗଣୁଛେ ବା ଅନୁଭବ କରୁଛେ? ଯଦି ସେହି କରୁଣାମୟଙ୍କର ଆମ ପ୍ରତି ଝରିପଡୁଥିବା ଅସୁମାରୀ କରୁଣା ସତ୍ତ୍ବେ ତାଙ୍କୁ ଆମେ ଟିକିଏ ଧନ୍ୟବାଦ ଜଣାଇ ନ ପାରୁଛେ, ତେବେ ଆମେ ସେହି ‘ମୃତବ୍ୟକ୍ତି’ ସହ ସମାନ।
ମାତୃଗର୍ଭରେ ଭ୍ରୂଣରୂପେ ସଞ୍ଚରିତ ହେବାଠାରୁ ଜନ୍ମ ହେବା ଓ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିକ୍ଷଣ ବା ମୁହୂର୍ତ୍ତରେ ପରମପିତାଙ୍କର ସେହି ନିଃସ୍ୱାର୍ଥ ସେବାର ପଟାନ୍ତର ନାହିଁ। ଭୂମିଷ୍ଠ ହେବା ପୂର୍ବରୁ ମାତୃସ୍ତନରେ ଆହାରର ବ୍ୟବସ୍ଥା, ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ, ବଞ୍ଚିବା ପାଇଁ ଜଳ, ବାୟୁ, ସୂର୍ଯ୍ୟାଲୋକ, କ୍ଷେତରେ ଶସ୍ୟ, ବୃକ୍ଷରେ ଫଳ ସବୁକିଛି ମାଗିବା ପୂର୍ବରୁ ବିନା ମୂଲ୍ୟରେ ଖଞ୍ଜି ଦେଇଥାନ୍ତି। ପ୍ରତିଦିନ ପ୍ରତିକ୍ଷଣରେ ଆମେ ତାଙ୍କ ବରଦାନୀ ସ୍ପର୍ଶକୁ ଅନୁଭବ କରି, ଏଥିପାଇଁ ତା’ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ଉଚିତ୍। ମେଘ ଖଣ୍ଡ ସବୁ ସ୍ଥାନରେ ସମାନଭାବେ ବର୍ଷିଯାଏ। ଗଭୀରସ୍ଥାନ (ଖାଲ) ସେହି ବର୍ଷାଜଳକୁ ଧରିରଖେ, କିନ୍ତୁ ଢିପ ସ୍ଥାନ ରଖିପାରେ ନାହିଁ। ଠିକ୍ ସେହିପରି ପରମକାରୁଣିକ ପରମାତ୍ମାଙ୍କ ଆଶିଷର ବାରିଧାରା ସର୍ବତ୍ର ସମାନ ଭାବେ ଝରିପଡେ; କିନ୍ତୁ ଯାହାର ହୃଦୟ ଯେତେ ଗଭୀର ସେ’ ସେତେ ପରିମାଣରେ ତାକୁ ଧରି ରଖିପାରେ। ତେଣୁ ପ୍ରଭୁଙ୍କର ସେହି ଆଶୀର୍ବାଦ, କରୁଣା ଓ ବରଦାନକୁ ପ୍ରତି ମୁହୂର୍ତ୍ତରେ ଆମେ ଅନୁଭବ କରିବା ଆବଶ୍ୟକ। ସୁଖ ହେଉ ବା ଦୁଃଖ, ପ୍ରତିକ୍ଷଣରେ ଆମେ ତାଙ୍କୁ କୋଟିକୋଟି ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ଆବଶ୍ୟକ। କାରଣ ସେ’ ଆମକୁ ଯେଉଁଠି, ଯେତେବେଳେ ଓ ଯେପରି ରଖିଛନ୍ତି, ଭଲରେ ହିଁ ରଖିଛନ୍ତି। ଆମେ ନିଜ କର୍ମ ଅନୁସାରେ ଯଦିଓ ଦୁଃଖ ଭୋଗୁ; କିନ୍ତୁ ପାଖେପାଖେ ଥାଇ ସେହି ପ୍ରାରବ୍ଧକୁ ଭୋଗିବା ପାଇଁ ସେ ଆମକୁ ‘ସହନଶକ୍ତି’ ପ୍ରଦାନ କରନ୍ତି। ଦୁଃଖ ଭୋଗର ଅନ୍ତରାଳରେ ଯେଉଁ ସୁଖ ଥାଏ, ତାକୁ ଆମେ ସହସା ବୁଝିନପାରି ପରେ ବୁଝିଥାଉ; କିନ୍ତୁ ସବୁ କିଛି ସେହି ମଙ୍ଗଳମୟଙ୍କୁ ହିଁ ଜଣା ଓ ପ୍ରତ୍ୟେକ ସ୍ଥିତିର ପ୍ରଚ୍ଛଦରେ ଆମ ପାଇଁ ମଙ୍ଗଳ ହିଁ ନିହିତ ଥାଏ। ଈଶ୍ବର ଯଦି ଆମ ପ୍ରାର୍ଥନା ସହସା ଶୁଣୁଥାନ୍ତି, ତେବେ ସେ’ ତାଙ୍କ ପ୍ରତି ଆମର ବିଶ୍ୱାସ ବୃଦ୍ଧି କରାଉ ଥାନ୍ତି। ଯଦି ଆମ ପ୍ରାର୍ଥନା ବିଳମ୍ବରେ ଶୁଣୁଥାନ୍ତି, ତେବେ ସେ’ ଆମ ଧୈର୍ଯ୍ୟର ପରୀକ୍ଷା ନେଉଥାନ୍ତି। ଆଉ ଯଦି ଆଦୌ ଶୁଣୁନଥାନ୍ତି, ତେବେ ମଧ୍ୟ ବୁଝିବାକୁ ହେବ, ଭବିଷ୍ୟତରେ ସେ’ ଆମ ପାଇଁ ଆଉ କିଛି ସର୍ବୋତ୍ତମ ‘ଉପହାର’ ରଖିଛନ୍ତି; କିନ୍ତୁ ଯାହା ଆମ ପାଖରେ ଅଛି, ତା’ପାଇଁ ଆମେ ସୁଖି ନଥାଉ, ବରଂ ଯାହା ଆମ ପାଖରେ ନାହିଁ, ତା’ପାଇଁ ଦୁଃଖୀ ଥାଉ।
ଆମ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ଭଗବାନ ଓ ପ୍ରକୃତି ଆମକୁ ଯାହା ଦେଇଛନ୍ତି, ତା’ ପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେଉନାହୁଁ। ଅଥଚ ଯାହା ନପାଇଛୁ, ତା’ପାଇଁ ନିନ୍ଦା କରୁଛୁ। ଯଦି ଆମେ ସୁଖୀ ରହିବାକୁ ଚାହୁଁ, ତେବେ କେବଳ ଭଗବାନଙ୍କର ଆଶୀର୍ବାଦ ଓ ବରଦାନକୁ ନୁହେଁ, ପ୍ରକୃତି ତଥା ମନୁଷ୍ୟ ସମେତ ଜଡ, ଉଦ୍ଭିଦ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ସରୀସୃପ ଆଦିଙ୍କ ସାହାଯ୍ୟ, ସହଯୋଗ ଓ ସେବାକୁ ପ୍ରତିକ୍ଷଣରେ ଅନୁଭବ କରି କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ଆବଶ୍ୟକ; କିନ୍ତୁ ପ୍ରଭୁଙ୍କର ଆମ ପ୍ରତି ଏତେ ନିଃସ୍ୱାର୍ଥ ସେବା ସତ୍ତ୍ୱେ ମଧ୍ୟ ଯଦି ପ୍ରଶଂସା ପରିବର୍ତ୍ତେ ଆମେ ତାଙ୍କର ନିନ୍ଦା କରୁଥାଉ କିମ୍ବା ତାଙ୍କ ପ୍ରତି ଆମ ମନରେ ବୃଥା ଅଭିମାନ ଆସୁଥାଏ, ତେବେ ତିନୋଟି ସ୍ଥାନ ଅଛି, ଯେଉଁଠାକୁ ଗଲେ ଆମ ପ୍ରତି ତାଙ୍କର ଦରଦ ଓ ଆଶୀର୍ବାଦକୁ ଆମେ ଅନୁଭବ କରିପାରିବା। ସେଗୁଡ଼ିକ ହେଲା ଡାକ୍ତରଖାନା, କାରାଗାର ଓ ଶ୍ମଶାନ। ଡାକ୍ତରଖାନାରେ ରୋଗୀମାନଙ୍କର ଆର୍ତ୍ତଚିତ୍କାର ଓ ଯନ୍ତ୍ରଣାକୁ ଲକ୍ଷ୍ୟକଲେ, ଉତ୍ତମ ସ୍ୱାସ୍ଥ୍ୟ ଆମ ପାଇଁ କେତେ ମୂଲ୍ୟବାନ ଓ ପ୍ରଭୁ ଆମକୁ ଏହି ରୋଗୀମାନଙ୍କ ତୁଳନାରେ କେତେ କୁଶଳରେ ରଖିଛନ୍ତି, ତାହା ଅନୁଭବ କରିପାରିବା। କାରାଗାର (ଜେଲ୍)କୁ ଯାଇ କଏଦୀମାନଙ୍କ ପରାଧୀନତାର କଷ୍ଟ ଓ ନିର୍ଯାତନାକୁ ଦେଖିଲେ, ଅନୁଭବ କରିପାରିବା, ପ୍ରଭୁ ଆମକୁ ସ୍ୱଚ୍ଛନ୍ଦରେ ଜୀବନଯାପନ କରିବା ପାଇଁ କେତେ ସ୍ୱାଧୀନତା ଦେଇଛନ୍ତି।
ଶ୍ମଶାନକୁ ଯାଇ ସେଠାକାର କରୁଣଦୃଶ୍ୟ ଓ ଶୋକାକୁଳ ପରିବେଶ ଦେଖିଲେ, ଆମେ ଜୀବନର ମୂଲ୍ୟକୁ ଅନୁଭବ କରିପାରିବା ଏବଂ ଜାଣିପାରିବା ପ୍ରଭୁ ଆମକୁ ବଞ୍ଚିବାକୁ କେତେ ସୁନ୍ଦର ଜୀବନ ଯାପନର ଅବସର ପ୍ରଦାନ କରିଛନ୍ତି। ତେବେ ଯାଇ ଆମେ ପ୍ରଭୁଙ୍କର ଦୟା ଓ କରୁଣାକୁ ମର୍ମେମର୍ମେ ଅନୁଭବ କରିପାରିବା ଏବଂ ଅନ୍ତିମ ସମୟ ପର୍ଯ୍ୟନ୍ତ ତା’ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ନିଜ ଆନ୍ତରିକଶକ୍ତି ଓ ମାର୍ଗଦର୍ଶନ ଭିକ୍ଷାକରି ପାରିବା। ଆମର ଚତୁର୍ଦ୍ଦିଗରେ, ଜଗତର ସର୍ବତ୍ର ଓ ସକଳ ବସ୍ତୁରେ ତାଙ୍କର ଅଦୃଶ୍ୟ ଉପସ୍ଥିତି ଦର୍ଶନକରି ତାଙ୍କୁ ପ୍ରେମପୂର୍ଣ୍ଣ ହୃଦୟରେ ନିରନ୍ତର ସ୍ମରଣ ଓ ତାଙ୍କ ପବିତ୍ର ନାମ ଉଚ୍ଚାରଣ କରିବା। ଯଦି ଆମେ ଗୋଟିଏ ମାତ୍ର ସର୍ତ୍ତକୁ ମାନିନେଉ। ସେହି ସର୍ତ୍ତଟି ହେଉଛି, ଆମକୁ ତାଙ୍କ ଆଡକୁ ପାଦ ବଢାଇବାକୁ, ତାଙ୍କୁ କୃତଜ୍ଞତା ଜଣାଇବାକୁ ଏବଂ ତାଙ୍କର କୃପାଭିକ୍ଷା କରିବାକୁ ପଡିବ। ତେବେ ଯାଇ ଅବିଳମ୍ବେ ତାଙ୍କର କୃପାବାରି ଆମ ଉପରେ ଅବାରିତ ଭାବେ ଝରିପଡିବ। ଯଦି ତାଙ୍କ ପ୍ରତି ଆମର ଭକ୍ତି, ବ୍ୟାକୁଳତା ଓ କୃତଜ୍ଞତା ରହିଛି, ତେବେ ସେ ଆମର ସମସ୍ତ ଦୋଷ କ୍ଷମା କରିଦେବେ। ସେ ଆମର ଅପରାଧକୁ ହିସାବକୁ ନିଅନ୍ତିନାହିଁ, କେବଳ ଦେଖନ୍ତି ଆମ ଅନ୍ତର ଭିତରଟାକୁ ବା ହୃଦୟର ସ୍ୱଚ୍ଛତା, ନିଷ୍କପଟତା ଓ ଦରଦୀଭାବକୁ।
ନିମାଇଁ ଚରଣ ଲେଙ୍କା
ଦୂରଭାଷ:୯୨୩୮୬୧୫୪୭୮
Comments are closed.