ଅକ୍ଷର ବନାମ ଅକ୍ଷ୍ୟର
ମଇ ମାସ ପ୍ରଥମ ସପ୍ତାହ। ଆଧାର କାର୍ଡ ସଂଶୋଧନ କେନ୍ଦ୍ର ବାହାରେ ଅପେକ୍ଷା କରିଥାନ୍ତି ଜଣେ ମହିଳା। ସାଥିରେ ଥାଏ ପାଞ୍ଚବର୍ଷର କୁନିଝିଅ। ସଂଶୋଧନ ପାଇଁ ଉଦ୍ଦିଷ୍ଟ ଫର୍ମଟିକୁ ପୂରଣ କରିବାରେ ମାଆ ବ୍ୟସ୍ତ ଥିଲାବେଳେ କାନ୍ଥ ଓ କାଚ କବାଟରେ ଲାଗିଥିବା ବିଭିନ୍ନ ଲେଖା/ପୋଷ୍ଟରଗୁଡିକୁ ପଢିବାରେ ପିଲାଟି ଲାଗି ଯାଇଥିଲା ଅତି ଆଗ୍ରହରେ। ହଠାତ ମା’ ପାଖକୁ ଆସି ଧୀର ସ୍ବରରେ କହିଲା, ‘‘ମାମା! ବାପା ଯେଉଁଠି କାମ କରନ୍ତି ତା’କୁ ଅଫିସ କୁହନ୍ତି ନା ଓଫିସ?” ମାଆ କହିଲେ – ଅଫିସ। କାଚ କବାଟରେ ଲେଖାଥିବା – ‘ଆଧାର ସଂଶୋଧନ/ନୂତନ ପଞ୍ଜୀକରଣ କେନ୍ଦ୍ର (ହେଡ୍ ପୋଷ୍ଟ ଓଫିସ୍)’ ଆଡକୁ ଆଙ୍ଗୁଠି ଦେଖାଇ ଝିଅଟି କହିଲା, “ଏଠି ତ ଓଫିସ୍ ଲେଖା ଯାଇଛି।” ମାଆ କହିଲେ – ସେଇଟା ଭୁଲ ଲେଖାଯାଇଛି। ଝିଅର ମନ କିନ୍ତୁ ବୁଝିଲାନାହିଁ। ସେ ପୁଣି କହିଲା, “ନା ମାମା, ତୁମେ ଭୁଲ କହୁଛ। ଆଧାର କାର୍ଡ ଭୁଲ ଅଛି ବୋଲି ପରା ତୁମେ ଏଠାକୁ ଆସିଛ ଠିକ କରିବାକୁ। ଯେଉଁଠି ଭୁଲ କଥାକୁ ଠିକ କରାଯାଏ ସେଇଠି ଭୁଲ କାହିଁକି ଲେଖାଯିବ?” ଭ୍ରମିତ କରୁଥିବା ଅନ୍ୟ ଚିତ୍ରପଟ ଉପରେ ଆସନ୍ତୁ ଟିକେ ଆଖି ପକାଇବା। ୫ ‘ଟି’ ରୂପାନ୍ତରିତ ସ୍କୁଲଟିର ଠିକ ପଛକୁ ପଥପାର୍ଶ୍ବରେ ଅବସ୍ଥିତ ପୁଲିସ ବିଭାଗର ଏକ କାର୍ଯ୍ୟାଳୟ। ତା’ର ଅନତିଦୂରରେ ବି ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ। ପୁଲିିିସ କାର୍ଯ୍ୟାଳୟର କାନ୍ଥ ସମେତ ରାସ୍ତାକଡ଼ ଫଳକରେ ବି ଲେଖାଯାଇଛି, ‘ଜିଲା ଗୁଇଁନ୍ଦା ସଂସ୍ଥା’। ସମାଜକୁ ସଜାଡ଼ିବା ଦାୟିତ୍ୱ ଯେଉଁ ବିଭାଗ ଉପରେ ନ୍ୟସ୍ତ, ସେହି ପୁଲିସ ବିଭାଗ କାହିଁକି ବା ଭୁଲ ଲେଖିବ? ତେଣୁ ସେହି ବାଟେ ଯାଉଥିବା ଶହଶହ ପିଲାଙ୍କ ମନରେ ଦୃଢ଼ ଧାରଣା ଆସିବା ସ୍ୱାଭାବିକ – ଗୁଇନ୍ଦା ନୁହେଁ ଗୁଇଁନ୍ଦା ହିଁ ଠିକ। ସେମିତି ବି ସର୍ବୋଚ୍ଚ ପୋଲିସ ଅଧିକାରୀଙ୍କ ବାସଭବନ କାନ୍ଥରେ ନାଗରିକ ସୂଚନା ଫଳକରେ ଲିଖିତ, ‘ନଗର ଉନୟନ୍ନ ବିଭାଗ’।
ଏବେ ଆସନ୍ତୁ ବୁଲିଯିବା ଜିଲାପାଳଙ୍କ କାର୍ଯ୍ୟାଳୟ ଆଡେ। ଗିରଫଦାରୀ ସମ୍ପର୍କିତ ସୂଚନା ଫଳକରେ ଲେଖା ଅଛି,- ‘‘ଯେଉଁ ପ୍ରଶ୍ନର ଉତ୍ତର ପ୍ରଦାନ କରିଲେ ତୁମେ ଦୋଷୀ ସାବ୍ୟସ୍ତ ହେବାର ସମ୍ଭାବନା ରହିଅଛି, ସେହି ପ୍ରଶ୍ନର ଉତର ନଦେବା ତୁମ ଅଧିକାର।” ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ଥିବା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସୁଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନେ ବି ଦ୍ବନ୍ଦ୍ବରେ ପଡୁଥିବେ କେଉଁଟା ଠିକ୍ – ଉତର ନା ଉତ୍ତର। କଚେରିର ଗୋଟେ ପଟେ ଲେଖାହୋଇଛି କଚେରୀ ତ ଅନ୍ୟପଟେ କଚେରି। ଏହିଭଳି ଅନ୍ଧାରରେ ଆଜି ଆଉଟୁପାଉଟୁ ହେଉଛି ଆମ ଓଡ଼ିଆ ଅକ୍ଷର। ବର୍ଣ୍ଣ ବିଭ୍ରାନ୍ତି ପରିଲକ୍ଷିତ ହୁଏ ସର୍ବତ୍ର। କେଉଁଠି ସହରର ବସ୍ତି ଅଞ୍ଚଳରେ ଜାଗା ମିଶନର ସୂଚନା ଫଳକରେ ବାସପୋଯୋଗୀ ଲେଖାହୋଇଛି ତ ଆଉ କେଉଁଠି ସମୟପୋଯୋଗୀ। କେଉଁଠି ତ୍ରୀନାଥ ହୋଟେଲ ଲେଖାହେଲାଣି ତ ଅନ୍ୟ କେଉଁଠି ଲେଖାହେଲାଣି, – ଏଠାରେ ଦେସୀ କୁକୁଡ଼ା ମାଂସ ମିଳେ। ଜିଲା ଚିକିତ୍ସାକେନ୍ଦ୍ର କାନ୍ଥ କୁହେ, -‘‘ଏହା ଆପଣଙ୍କ ଡାକ୍ତରଖାନା। ଏହାକୁ ପରିଷ୍କାର ରଖିବା ଆପଣଙ୍କ ଦାଇତ୍ୱ।” ଡାକ୍ତରଖାନା କାନ୍ଥରେ କେଉଁଠି ମଧୁମେହ ସ୍ଥାନରେ ମଧୁମେୟ ଲେଖାଯାଇଛି ତ ଆଉ କେଉଁଠି ସଫାଇ ଜାଗାରେ ସଫାଈ। ‘ଏ ଜୀବନ ଜଉବନ’, ‘ଆହେ ଦିନ ବାନ୍ଧବ’ ଆଦି ୟୁ ଟ୍ୟୁବରେ ଭକ୍ତିଗୀତ ଦେଖିଲେ ମୁଣ୍ଡ ପିଟିଦେବାକୁ ଇଚ୍ଛାହୁଏ। ଖବରକାଗଜ, ପତ୍ରପତ୍ରିକା ବି ଏଥିରୁ ବାଦ ନୁହେଁ (‘ସମାଜ’ ଟିକେ ଅଧିକ ସତର୍କ)। ନିର୍ବିଚାର ଭାବେ ବର୍ଣ୍ଣର ଏତାଦୃଶ ଅଶୁଦ୍ଧିକରଣ ପ୍ରକ୍ରିୟାକୁ ଦେଖିଲେ ଦୁଃଖରେ ମ୍ରିୟମାଣ ହୋଇଉଠେ ପ୍ରାଣ। ଓଡ଼ିଆରେ ଲେଖିବାକୁ ପଡିବ ବୋଲି ଯିଏ ଯାହା ପାରିଲା ଆଖିବୁଜି ଲେଖିବା, ଆମ ମାତୃଭାଷା ପ୍ରତି ଏକପ୍ରକାର ଅପମାନ ନୁହେଁ କି? ବ୍ୟକ୍ତି ହେଉ ବା ଜାତି, ଉଭୟଙ୍କ ପରିଚୟ ହେଉଛି ଭାଷା। ଶବ୍ଦ ହେଉଛି ଭାଷାର ଅଙ୍ଗପ୍ରତ୍ୟଙ୍ଗ। ଶବ୍ଦ ବା ବର୍ଣ୍ଣ ଯଦି ବିକଳାଙ୍ଗ ହୁଏ ତେବେ ଭାଷା କ’ଣ ବିକଳାଙ୍ଗ ହେବନାହିଁ? ଏଣୁ ଭାଷାକୁ ସରସ, ସୁନ୍ଦର କରି ରଖିବାକୁ ହେଲେ ‘ଦାଇତ୍ବ’ ଗୁଡିକୁ ସଜାଡ଼ିବା ଆମ୍ଭମାନଙ୍କ ଦାୟିତ୍ୱ। ଭାଷା ଓ ଭୂମିପ୍ରତି ଅନୁରାଗ ଓ ଅଭିମାନର ଅଭାବ ଯୋଗୁଁ ଓଡ଼ିଆ ଭାଷା ପ୍ରତି ବଢୁଛି ଅନାଗ୍ରହଭାବ। ଫଳତଃ କମିକମି ଯାଉଛି ଓଡିଆ ଭାଷାରେ ପଠନ ଓ ଲିଖନର ଅଭ୍ୟାସ, ଓଡ଼ିଆ ଭାଷାର ବ୍ୟବହାର। ବ୍ୟବହାର ଉପରେ ନିର୍ଭର କରେ ଭାଷାର ବିକାଶ। ସେଥିପାଇଁ ଲୋଡ଼ା ଆଦର ଓ ଆଗ୍ରହଭାବ। ଆଗ୍ରହ ବା ଆଦରଭାବ ଜାତହୁଏ ସେତେବେଳେ, ଯେବେ ଆମ୍ଭେ ଭାଷା ସହିତ ବାନ୍ଧିହୋଇ ରହୁ ଏକ ଆବେଗରେ, ଏକ ଆତ୍ମୀୟପଣରେ। “ମୋର ଏକ ସ୍ବର୍ଣ୍ଣିମ ଇତିହାସ ଅଛି। ମୋ ଭୂମିର ପୂର୍ବଜମାନେ ଦିନେ ଖେଦି ଯାଉଥିଲେ ବିଶ୍ୱର ବିଭିନ୍ନ ଦେଶକୁ। ଧନସମ୍ପଦରେ, ବେପାରବାଣିଜ୍ୟରେ ଭୂମିକୁ କରୁଥିିିଲେ ସମୃଦ୍ଧ। ଭୂମିର ବିଜୟ ବୈଜୟନ୍ତ ଉଡୁଥିଲା ଗଙ୍ଗାଠୁ ଗୋଦାବରୀ ପର୍ଯ୍ୟନ୍ତ। ସ୍ୱାଧୀନତା ସଂଗ୍ରାମର ବିଗୁଲ ବି ଏ ମାଟିରୁ ବାଜିଥିଲା ପ୍ରଥମେ। ମହାତ୍ମାବୁଦ୍ଧଙ୍କ ପ୍ରଥମ ଶିଷ୍ୟ ତ ଥିଲେ ଏ ମାଟିର ପୁଅ। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ତ ଆମ୍ଭ ଓଡ଼ିଶା। ଦେଶରେ ପ୍ରଥମ ଭାଷାନୀତି ବି ପ୍ରଣୟନ ହୋଇଥିଲା ଏ ମାଟିରେ। ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପାଦନା ନିମିତ୍ତ ‘ଓଡ଼ିଶା ସରକାରୀ ଭାଷା ଅଧିନିୟମ’ ପ୍ରଥମେ ପ୍ରଣୟନ ହୋଇଥିଲା ୧୯୫୪ ମସିହାରେ। ଚିର ବନ୍ଦନୀୟ ଏ ମାଟିର ଭାଷା, ସଂସ୍କୃତି। ଆମ୍ଭ ଭାଷା ‘ଓଡ଼ିଆ’ ହେଉଛି ଏକ ପ୍ରାଚୀନ ଓ ଶାସ୍ତ୍ରୀୟ ଭାଷା” – ଏହିଭଳି ଗୌରବବୋଧ କାହିଁ ଆମ୍ଭର? ଓଡ଼ିଶା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟି। ସଂସ୍କୃତି ଯେମିତି ମହାପ୍ରଭୁଙ୍କୁ ନେଇ ବେଶ୍ ରୁଦ୍ଧିମନ୍ତ, ଆମ ଭାଷା ବି ସେମିତି ବିକଶିତ ‘ଚକାଡୋଳା’କୁ ନେଇ। ଅର୍ଥାତ୍ ଆମ୍ଭର ପ୍ରାୟ ପ୍ରତ୍ୟେକ ଲିପି, ଚକାଡୋଳା ପରି ଡୋଳାକୃତି (ଗୋଲାକୃତି) ବା ଅର୍ଦ୍ଧ ଗୋଲାକୃତିର ସମାହାର। ଓଡ଼ିଆରେ ଯେବେ କିଛି ଲେଖୁଛୁ ସେତେବେଳେ ମନେକରିବା ଉଚିତ ଯେ “ପ୍ରଭୁ ଶ୍ରୀଚକାଡୋଳାଙ୍କ ପ୍ରତୀକାତ୍ମକ ଚିତ୍ରଟିଏ ଆଙ୍କୁଛୁ ବୋଲି।
ଶ୍ରୀମଦ୍ଭଗବଦ୍ ଗୀତାରେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ବି କହିଛନ୍ତି, “ସେ ହେଉଛନ୍ତି ଅକ୍ଷରମାନଙ୍କ ମଧ୍ୟରେ ‘ଅ’ କାର। ଅର୍ଥାତ୍ ଅକ୍ଷରମାନଙ୍କ ଭିତରେ ଭଗବାନଙ୍କ ସତ୍ତା ବିଦ୍ୟମାନ। ପ୍ରତିଟି ଅକ୍ଷର ମନ୍ତ୍ରସମ ପବିତ୍ର। ଏଣୁ ବର୍ଣ୍ଣବିଶେଷ ଲେଖିବାବେଳେ ନିର୍ଭୁଲଭାବେ ଲେଖିବାକୁ ଯଥାସମ୍ଭବ ଯତ୍ନବାନ ହେବା ଉଚିତ। ‘’ଅ ରୁ କ୍ଷ ସବୁ ଅକ୍ଷର’ ମୋ ମା’ ର ମୁହଁ ଅବା ଉତ୍କଳ ମାତାଙ୍କ ପ୍ରତିବିମ୍ବ ପରି”- ଏହି ଭାବଧାରା ଯେ ପର୍ଯ୍ୟନ୍ତ ନ ଆସିଛି, ସେ ପର୍ଯ୍ୟନ୍ତ ଭାଷାପ୍ରୀତି, ଭୂମିପ୍ରୀତି ଆସିବ ବା କିପରି? ଭାଷା ଶିକ୍ଷାର ମୁଖ୍ୟ ଚାରୋଟି ଆଧାର ସ୍ତମ୍ଭ ହେଲା – ଶ୍ରବଣ, କଥନ, ପଠନ ଓ ଲିଖନ। ପଠନ ଓ ଲିଖନର ଦକ୍ଷତା ଉପରେ ନିର୍ଭର କରେ ନିର୍ଭୁଲ ବନାନ ବା ବର୍ଣ୍ଣଶୁଦ୍ଧି। ଅଜସ୍ର ଅର୍ଥ ବ୍ୟୟରେ ପ୍ରଶାସନିକ ଭାଷାକୋଷ, ନମୁନା ପତ୍ରାବଳୀ ପୁସ୍ତିକା ପ୍ରଭୃତି ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଥିଲେ ବି ନିର୍ଭୁଲ ଭାବେ ଓଡ଼ିଆ ଲେଖିବା ପାଇଁ ଆମ୍ଭର ଅଙ୍ଗୀକାରବଦ୍ଧତା କାହିଁ? ବୋଧହୁଏ ନିର୍ଭୁଲ ଲେଖିପାରିବାର ଅସମର୍ଥପଣିଆ ଯୋଗୁଁ ଓଡ଼ିଆ ଭାଷାରେ ଚିଠିପତ୍ର ଆଦାନପ୍ରଦାନ କରିବକୁ ସରକାରୀ ସ୍ତରରେ ବାବୁମାନେ ପଛଘୁଞ୍ଚା ଦେଉଛନ୍ତି। ପ୍ରଚାରପତ୍ର ହେଉ କି ପ୍ରାଚୀରପତ୍ର, ନିମନ୍ତ୍ରଣପତ୍ର ଅବା ରାସ୍ତାକଡ଼ର ବିଜ୍ଞାପନ ଫଳକ, ସାଧାରଣତଃ ବନାନ ଭୁଲ ପରିଲକ୍ଷିତ ହୁଏନାହିଁ ଇଂରାଜୀ ଲେଖାରେ। ମାତ୍ର ବହୁଳ ମାତ୍ରାରେ ବର୍ଣ୍ଣାଶୁଦ୍ଧି ଦେଖିବାକୁ ମିଳେ ଓଡ଼ିଆ ଭାଷା କ୍ଷେତ୍ରରେ। ତା’ଅର୍ଥ ଇଂରାଜୀ ଭାଷା ପ୍ରତି ଯେତିକି ଧ୍ୟାନ ଦେଉଛୁ, ସେହି ତୁଳନାରେ ଆମ୍ଭର ଧ୍ୟାନ ନାହିଁ ଓଡ଼ିଆ ଭାଷା ପ୍ରତି। ଇଂରାଜୀ ଭାଷା ପ୍ରତି ଆମେ ଯେତିକି ଯତ୍ନଶୀଳ, ତା’ ତୁଳନାରେ ଓଡ଼ିଆ ଭାଷା ପ୍ରତି ନାହିଁ ଆମ୍ଭର ନିଘା। ନିଷ୍ଠାର ଅଭାବରୁ ତା’ପ୍ରତି ଆମ୍ଭର ବିଶେଷ ଧ୍ୟାନ ନାହିଁ କି ତାହାକୁ ଆୟତ୍ତ କରିବାକୁ ପ୍ରୟାସ ନାହିଁ।
ଗୋଟିଏ ପଟେ ‘ଅକ୍ଷର’କୁ ନେଇ ଭୀଷଣ ଭାଷଣବାଜି ତ ଅନ୍ୟପଟେ ‘ଅକ୍ଷ୍ୟର’କୁ ନେଇ ଆକ୍ରମାକ୍ତା ଆଜି ଓଡ଼ିଆ ବର୍ଣ୍ଣବିଭବ। ସାହିତ୍ୟକୁ ନେଇ ବଢ଼ିବଢି ଚାଲିଛି ସଭା, ସମିତି, ଆଲୋଚନା କିନ୍ତୁ କମୁଛି ଭାଷାର ମାନ-ମର୍ଯ୍ୟାଦା, ବଢୁଛି ଅପବ୍ୟବହାର, ଅସମ୍ମାନ। ଆମ ଓଡ଼ିଆ ଭାଷା, ସଂସ୍କୃତିରେ ଏତେ ମିଠାଭାବ ଭରିରହିଛି ଯେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତ ଦିନ କେଇଟାରେ ବନିଗଲେ ଜଣେ ଓଡ଼ିଆପ୍ରାଣ। ଟାଟାପାୱାରର ଉତ୍ତର ଓଡିଶା ବାଣିଜ୍ୟ ବିଭାଗ ମୁଖ୍ୟ ଦୁଷ୍ୟନ୍ତ ତ୍ୟାଗୀ ବି ଦୁଇ ବର୍ଷର ରହଣି ଭିତରେ ଓଡ଼ିଆ ଭାଷା ଶିଖି, ଓଡ଼ିଆରେ କଥାବାର୍ତ୍ତା କରିବା ସହିତ ଓଡ଼ିଆରେ ଦସ୍ତଖତ କରିବାକୁ ଗୌରବ ମଣୁଛନ୍ତି। ଜନ୍ ବିମ୍ ଜଣେ ବିଦେଶୀ ହୋଇ ବି ଓଡ଼ିଆ ଭାଷା ଓ ସାହିତ୍ୟକୁ ପ୍ରାଣଭରି ଭଲ ପାଉଥିଲେ। ଓଡ଼ିଶା ମାଟିର ଜଣେ ସୁକନ୍ୟା ଦେଶର ଆଜି ପ୍ରଥମ ନାଗରିକ। କହିବାକୁ ଗଲେ ଓଡ଼ିଆମାନେ ଆଜି ସମଗ୍ର ଭାରତବର୍ଷକୁ ପରିଚାଳନା କରୁଛନ୍ତି। ଏହା ସତ୍ତ୍ୱେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ଆମ୍ଭର ଗୌରବବୋଧ ନ ରହିବା, ପବିତ୍ର ଓଡ଼ିଆ ବର୍ଣ୍ଣମାଳାକୁ ଆୟତ୍ତ କରିନପାରିବା, ଶୁଦ୍ଧଭାବେ ଓଡ଼ିଆରେ ଲେଖିବାକୁ ପ୍ରୟାସ ନ କରିବା ଅତ୍ୟନ୍ତ ବେଦନା ଓ ବିଡ଼ମ୍ବନାର ବିଷୟ। ଏଭଳିସ୍ଥଳେ ସ୍ୱତଃ ମନକୁ ଆସିଥାଏ ଓଡ଼ିଆ ଭାଷା ପ୍ରତିଷ୍ଠାନର କଥା। ଓଡ଼ିଆ ଭାଷାର ବିକାଶ ପାଇଁ ଗଠିତ ହେଲା ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଗତ ଅପ୍ରେଲ ୦୧, ୨୦୦୬ରେ।
ଗତ ଦୀର୍ଘ ୧୭ବର୍ଷ ଭିତରେ ଭାଷା ବିକାଶ ଦିଗରେ ପ୍ରତିଷ୍ଠାନ ଯେ କେତେ ପରିମାଣରେ ନିଜ ଦାୟିତ୍ୱ ଓ ଭୂମିକା ନିର୍ବାହ କରିଛି, ତାହା ତ ସହଜେ ବୁଝାପଡ଼େ ଭାଷା ଓ ବର୍ଣ୍ଣର ଏତାଦୃଶ ଅବକ୍ଷୟକୁ ଦେଖିଲେ। ଅବଶ୍ୟ ବହୁ ବିଳମ୍ବରେ ହେଲେ ବି ଗତବର୍ଷ ପ୍ରଥମଥର ପାଇଁ ପ୍ରତିଷ୍ଠାନ ଆୟୋଜନ କରିଥିଲା ରାଜ୍ୟସ୍ତରୀୟ ଏକ ପ୍ରଶିକ୍ଷଣ ଶିବିର। ପ୍ରତିଷ୍ଠାନ ତରଫରୁ ଯଦି ପ୍ରତି ଜିଲ୍ଲାରେ ବନାନଶୁଦ୍ଧି ସମ୍ପର୍କିତ ଏଭଳି ପ୍ରଶିକ୍ଷଣ ବର୍ଗ ଆୟୋଜନ କରୁଥାନ୍ତେ, ତେବେ ଓଡ଼ିଆ ଭାଷାର ଆଜି ଏଭଳି ବର୍ଣ୍ଣଅଶୁଦ୍ଧି ପରିଲକ୍ଷିତ ହେଉନଥାନ୍ତା। ଲୋଡ଼ା କେବଳ ଦୃଢ଼ ଇଚ୍ଛାଶକ୍ତି, ଭାଷା ଓ ଭୂମିପ୍ରତି ପ୍ରୀତିଭାବ। ଯାହା ବି ହେଉ, ପ୍ରତ୍ୟେକ ଓଡ଼ିଆପ୍ରାଣରେ ଉଜ୍ଜୀବିତ ହେଉ ଜାତୀୟ ଚେତନା। ମହନୀୟ ଆମ ମାତୃଭାଷା ପାଉ, ଯଥାର୍ଥ ମର୍ଯ୍ୟାଦା। ଜଗନ୍ନାଥ ଚେତନା ପରି ‘ଓଡ଼ିଆ ଚେତନା’ରେ ଉଦ୍ଭାସିତ ହେଉ ସାରା ଓଡିଶା। ସେଥିପାଇଁ ଆସନ୍ତୁ ସମ୍ମିଳିତଭାବେ ଦୃଢ଼ ପ୍ରୟାସ ଜାରିରଖିବା।
ଉପେନ୍ଦ୍ର ବିଶ୍ବାଳ
ଲଛମା କଲୋନୀ, ଫକିରମୋହନ ନଗର, ବାଲେଶ୍ବର, ଦୂରଭାଷ:୯୪୩୭୪୩୬୦୭୩
Comments are closed.