ମହାକାଶ କ୍ଷେତ୍ରରେ ଭାରତ-ରୁଷିଆ ସହଯୋଗ

ମହାକାଶ ଗବେଷଣା କ୍ଷେତ୍ରରେ ପୃଥିବୀରେ ରୁଷିଆ ଏକ ମହାଶକ୍ତି ରୂପେ ପରିଚିତ। ଏହି ଦେଶକୁ ମହାକାଶ ବିଜ୍ଞାନର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ। ୧୯୫୭ ମସିହା ଅକ୍ଟୋବର ୪ ତାରିଖ ତତ୍କାଳୀନ ସୋଭିଏତ ରାଷ୍ଟ୍ର ସଂଘ (ଏବେକାର ରୁଷିଆ) ମହାକାଶକୁ ସ୍ଫୁଟନିକ-୧ନାମରେ ପ୍ରଥମେ ଏକ କୃତ୍ରିମ ଉପଗ୍ରହ ପ୍ରେରଣ କରିବା ପରେ ମହାକାଶ ବିଜ୍ଞାନର ମୂଳଦୂଆ ପ୍ରତିଷ୍ଠିତ ହୋଇଥିଲା। ଏହା ପରେ ଏହି ଦେଶ ଚନ୍ଦ୍ର, ଶୁକ୍ର, ମଙ୍ଗଳ ଆଦି ପିଣ୍ଡକୁ ଏକାଧିକ ମହାକାଶଯାନ ପ୍ରେରଣ କରି ସୌରଜଗତ ସମ୍ପର୍କିତ ଆମର ଦୃଷ୍ଟିଭଙ୍ଗୀକୁ ପରିବ୍ୟାପ୍ତ କରିଥିଲା। ପୃଥିବୀର ପ୍ରଥମ ଦେଶ ଭାବେ ଏହା ମହାକାଶକୁ ମାନବ ( ଉଭୟ ପୁରୁଷ ଓ ମହିଳା) ପ୍ରେରଣ କରି ଏ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଆଧିପତ୍ୟ ଜାହିର କରିଥିଲା। ଏହି ଦେଶ ମଧ୍ୟ ପ୍ରଥମେ ମହାକାଶକୁ ମହାକାଶ ଷ୍ଟେସନ ପ୍ରେରଣ କରି ମହାକାଶ ବିଜ୍ଞାନକୁ ଏକ ନୂତନ ଶୀର୍ଷରେ ଉପନୀତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ଭାରତ ସହିତ ସୋଭିଏତ ରୁଷ୍‍ର ବନ୍ଧୁତ୍ୱର ନିଦର୍ଶନ ସ୍ୱରୂପ ଏହି ଦେଶ ବିଭିନ୍ନ ସମୟରେ ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ସାହାଯ୍ୟ ଓ ସହଯୋଗ କରିଆସିଛି। ଏହା ମଧ୍ୟ ଆବଶ୍ୟକ ସ୍ଥଳେ ଅନ୍ତରୀକ୍ଷ ଗବେଷଣା ସମ୍ବନ୍ଧୀୟ ଜ୍ଞାନକୌଶଳ ହସ୍ତାନ୍ତର କରି ଏହି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହୋଇଛି। ୧୯୬୧ ମସିହା ଏପ୍ରିଲ ୧୨ ଦିନ ସୋଭିଏତ୍‍ ଋଷର ମହାକାଶଚାରୀ ୟୁରି ଗାଗାରିନ୍‍ ବୈକାନୁର ମହାକାଶ କେନ୍ଦ୍ରରୁ ଭୋସ୍ତୋକ-୧ ଯାନ ଯୋଗେ ପ୍ରଥମେ ମହାକାଶକୁ ଯାତ୍ରା କରି ବିଶ୍ୱବାସୀଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ। ସେ ମହାକାଶରେ ୧୦୮ ମିନିଟ ଅବସ୍ଥାନ କରିବା ସହିତ ଭୂପୃଷ୍ଠରୁ ୩୦୬ କି.ମି. ଊର୍ଦ୍ଧ୍ବକୁ ଉଠି ପୃଥିବୀ ଚତୁଃପାର୍ଶ୍ବରେ ଗୋଟିଏ ଥର ପରିକ୍ରମା କରିଥିଲେ। ସେହି ବର୍ଷ ନଭେମ୍ବର ମାସରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆମନ୍ତ୍ରଣ କ୍ରମେ ସେ ଭାରତ ଭ୍ରମଣରେ ଆସି ପ୍ରାୟ ଆଠ ଦିନ ଅବସ୍ଥାନ କରିଥିଲେ। ଏପରି କି ପୂର୍ବରୁ କୌଣସି ସୂଚନା ନଥାଇ ସମସ୍ତଙ୍କୁ ଚକିତ କରିଦେଇ ପଣ୍ଡିତ ନେହେରୁ ତାଙ୍କୁ ନେଇ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ପହଞ୍ଚିଥିଲେ। ସମାବର୍ତ୍ତନ ଉତ୍ସବରେ ଗାଗାରିନଙ୍କ ଉପସ୍ଥିତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସହରର ଜନସାଧାରଣଙ୍କ ମଧ୍ୟରେ ବେଶ କୌତୂହଳ ସୃଷ୍ଟି କରିଥିଲା। ଗାଗାରିନ ନଭେମ୍ବର ମଧ୍ୟ ୨୯ ତାରିଖ ମୁମ୍ବଇର ଶିବାଜି ପାର୍କରେ ଏକ ବିଶାଳ ସମବେଶକୁ ଉଦ୍‌ବୋଧନ ଦେଇଥିବାବେଳେ ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦିଲ୍ଲୀରେ ରହଣି କାଳରେ ସେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ତିନମୂର୍ତ୍ତି ଭବନରେ ଭେଟି ଭାବବିନିମୟ କରିବା ସହିତ ସେ କହିଥିଲେ, “ ମୁଁ ଭାବୁଛି ସୋଭିଏତ ରୁଷ୍‍ ଓ ଭାରତର ମହାକାଶଚାରୀମାନେ ମିଳିତ ଭାବରେ ମହାକାଶ ଗବେଷଣା କରିବା ଉଚିତ।” ତେବେ ଏହାର ପ୍ରାୟ ୨୦ ବର୍ଷ ପରେ ତାଙ୍କର ସେହି ଐତିହାସିକ ପ୍ରସ୍ତାବ ବାସ୍ତବ ରୂପ ନେଇଥିଲା।
୧୯୮୨ ମସିହା ସେପ୍ଟେମ୍ବର ୨୦ ତାରିଖ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଓ ରୁଷ୍‍ର ମହାକାଶ ସଂସ୍ଥା ରସ୍‍କସ୍‌ମସ ଜଣେ ଭାରତୀୟଙ୍କୁ ମହାକାଶକୁ ପ୍ରେରଣ କରିବା ପାଇଁ ଏକ ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ଏଥିପାଇଁ ବାୟୁସେନା ବିଭାଗର ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କୁ ମନୋନୀତ କରାଯାଇ ମସ୍କୋ ନିକଟସ୍ଥ ଗାଗାରିନ୍‍ ପ୍ରଶିକ୍ଷଣ କେନ୍ଦ୍ରରେ ମହାକାଶ ଅଭିଯାନ ସମ୍ପର୍କିତ ଉଚ୍ଚତର ପ୍ରଶିକ୍ଷଣ ଦିଆଯାଇଥିଲା। ସେ ୧୯୮୪ ମସିହା ଏପ୍ରିଲ ୩ ତାରିଖ ସନ୍ଧ୍ୟା ୬ଟା ୩୮ମିନିଟ୍‍ରେ ରୁଷ୍‍ର ବୈକାନୁର ମହାକାଶ କେନ୍ଦ୍ରରୁ ସୋୟୁଜ ଟି-୧୧ ମହାକାଶ ଯାନରେ ମହାକାଶକୁ ଯାତ୍ରା କରିଥିଲେ। ସେତେବେଳେ ଭାରତ ପୃଥିବୀର ୧୪ଶ ଦେଶ ରୂପେ ମହାକାଶକୁ ମାନବ ପ୍ରେରଣ କରିଥିଲା। ସେ ମହାକାଶରେ ମୋଟ ୭ଦିନ ୨୧ ଘଣ୍ଟା ୪୦ ମିନିଟ ସମୟ ଅତିବାହିତ କରବା ସହିତ ସେଠାରେ ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରିଥିଲେ। ଏହା ସହିତ ସେ ବେତାର ଯୋଗେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରାୟ ୧୦ମିନିଟ୍‍ ଧରି ବାର୍ତ୍ତାଳାପ କରିଥିଲେ। ଶ୍ରୀମତୀ ଗାନ୍ଧୀ ତାଙ୍କୁ ପଚାରିଥିଲେ, ‘ମହାକାଶରୁ ଭାରତ କିପରି ଦେଖାଯାଉଛି ?’ ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥିଲେ ‘ସାରେ ଜହାଁସେ ଆଚ୍ଛା।’ ରାକେଶ ଓ ଇନ୍ଦିରାଙ୍କ ଏହି ବାର୍ତ୍ତାଳାପକୁ ଭାରତ ଓ ସୋଭିଏତ ସଂଘର ଦୂରଦର୍ଶନ ଓ ଆକାଶବାଣୀ ଯୋଗେ ସିଧା ପ୍ରସାରଣ କରାଯାଇଥିଲା।
୧୯୭୧ ମସିହାରେ ସୋଭିଏତ ରୁଷ୍‍ରେ ଭାରତର ୧୦୦ କି.ଗ୍ରା. ଓଜନର ଏକ ଉପଗ୍ରହ ମହାକାଶକୁ ପ୍ରେରଣ କରିବା ସମ୍ମତି ପ୍ରଦାନ କରିଥିଲା। ଭାରତର ବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀଙ୍କ ନାମାନୁସାରେ ନାମିତ ଏହି ଆର୍ଯ୍ୟଭଟ୍ଟ ଉପଗ୍ରହକୁ ୧୯୭୫ ମସିହା ଏପ୍ରିଲ ୧୯ ତାରିଖ ରୁଷ୍‍ର କାପୁଷ୍ଟିନୟାର ମହାକାଶ କେନ୍ଦ୍ରରୁ ଇଂଟରକସମସ୍‍ ରକେଟ ଯୋଗେ ପ୍ରକ୍ଷେପଣ କରାଯାଇଥିଲା। ସେତେବେଳେ ସୋଭିଏତ ରୁଷ, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଫ୍ରାନ୍‌ସ ଓ ଚୀନ କେବଳ ମହାକାଶକୁ କୃତ୍ରିମ ଉପଗ୍ରହ ପ୍ରେରଣ କରିଥିଲେ। ଏହା ପରେ ଭାରତ ସୋଭିଏତ ରୁଷର ମହାକଶ କେନ୍ଦ୍ରରୁ ଏହାର ଦ୍ୱିତୀୟ ଓ ତୃତୀୟ ଉପଗ୍ରହ ଭାସ୍କର-୧ ଓ ଭାସ୍କର-୨କୁ ମଧ୍ୟ ପ୍ରେରଣ କରିଥିଲା। ଭୂପୃଷ୍ଠ ପର୍ଯ୍ୟବେକ୍ଷଣ ଉଦ୍ଦେଶ୍ୟରେ ୧୯୮୮ମସିହା ମାର୍ଚ୍ଚ ୧୭ ତାରିଖ ସୋଭିଏତ ଋଷର ବୈକାନୁର୍‍ ମହାକାଶ କେନ୍ଦ୍ରରୁ ଭୋଷ୍ଟୋକ ରକେଟ ଯୋଗେ ଭାରତର ପ୍ରଥମ ଦୂର ସମ୍ବେଦୀ ଉପଗ୍ରହ ଆଇଆରଏସ୍‍-୧ ଏ ଉତ୍‍କ୍ଷେପଣ କରାଯାଇଥିଲା। ଏହା ଫଳରେ ଅନ୍ତରୀକ୍ଷ କ୍ଷେତ୍ରରେ ଭାରତ ଏକ ଗୌରବମୟ ସ୍ଥାନ ଅଧିକାର କରିଥିଲା। ସେତେବେଳେ ପୃଥିବୀର ମାତ୍ର ତିନିଗୋଟି ଦେଶ ମହାକାଶକୁ ଦୂରସମ୍ବେଦୀ ଉପଗ୍ରହ ପ୍ରେରଣ କରିବାର ସୌଭାଗ୍ୟଲାଭ କରିଥିଲେ। ଏହାପରେ ଋଷ୍‍ ସହାୟତାରେ ଭାରତ ଆଇଆରଏସ-୧ବି, ଆଇଆରଏସ-୧ସି ଉପଗ୍ରହକୁ ମହାକାଶକୁ ପ୍ରେରଣ କରିବାରେ ସଫଳ ହୋଇଥିଲା।
ଭାରତର ସର୍ବବୃହତ୍‌ ତଥା ଶକ୍ତଶାଳୀ ଉପଗ୍ରହ ପ୍ରକ୍ଷେପଣ ଯାନ ବା ରକେଟ ହେଉଛି ଜିଏସଏଲଭି। ଏହା ପୃଥିବୀର ନିମ୍ନ କକ୍ଷରେ ୫୦୦୦କି.ଗ୍ରା ଓ ଭୂ-ସ୍ଥିର କକ୍ଷରେ ୨୫୦୦କି.ଗ୍ରା. ଓଜନର ଉପଗ୍ରହକୁ ଅବସ୍ଥାପିତ କରିପାରେ। ଏହାର ପ୍ରଥମ ସ୍ତରରେ କଠିନ ଇନ୍ଧନ ଓ ଦ୍ୱିତୀୟ ସ୍ତରରେ ତରଳ ଇନ୍ଧନ ବ୍ୟବହୃତ ହେଉଥିବାବେଳେ ତୃତୀୟ ସ୍ତରରେ ଶକ୍ତିଶାଳୀ କ୍ରାୟୋଜେନିକ୍‍ ଇଞ୍ଜିନ ବ୍ୟବହୃତ ହୋଇଥାଏ। ପ୍ରଥମେ କ୍ରାୟୋଜେନିକ୍ସ ଇଞ୍ଜିନ୍‍ ଓ ଏହି ଜ୍ଞାନକୌଶଳ ପାଇଁ ଭାରତ ରୁଷିଆ ଉପରେ ନିର୍ଭର କରୁଥିଲା। ୧୯୯୧ ମସିହା ଜାନୁୟାରୀ ମାସରେ ଭାରତ ରୁଷ୍‍ରୁ ୫ଟି କ୍ରାୟୋଜେନିକ୍ସ ଇଂଜିନର କ୍ରୟ ଓ ତତ୍‌ସମ୍ପର୍କିତ ଜ୍ଞାନ କୌଶଳ ହସ୍ତାନ୍ତର ଉଦ୍ଦେଶ୍ୟରେ ସୋଭିଏତ ମହାକାଶ ସଂସ୍ଥା ଗ୍ଲାଭ୍‍କସ୍ମୋସ ସହିତ ୨୩୫ କୋଟି ଟଙ୍କାର ଏକ ଚୁକ୍ତି କରିଥିଲା। ମାତ୍ର ସେହି ବର୍ଷ ଡିସେମ୍ବର ମାସରେ ସୋଭିଏତ ରାଷ୍ଟ୍ର ସଂଘର ବିଲୟ ହେତୁ ରୁଷିଆ ଆମେରିକାର ଆର୍ଥିକ ସହାୟତା ଉପରେ ନିର୍ଭରଶୀଳ ଥିଲା। କ୍ରାୟୋଜେନିକ୍ସ ଇଂଜିନ ନିର୍ମାଣ ସମ୍ବନ୍ଧୀୟ ଜ୍ଞାନକୌଶଳକୁ ଭାରତ କ୍ଷେପଣାସ୍ତ୍ର ନିର୍ମାଣରେ ବ୍ୟବାହର କରିବ ବୋଲି ସନ୍ଦେହ କରି ଆମେରିକା ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ଭାରତକୁ କ୍ରାୟୋଜେନିକ୍ସ ଇଂଜିନ ବିକ୍ରୟ କଲେ କିମ୍ବା ଏହି ଜ୍ଞାନ କୌଶଳ ହସ୍ତାନ୍ତର କଲେ ଋଷିଆକୁ ୨୪୦୦ କୋଟି ଡଲାରର ଆର୍ଥିକ ସହାୟତା ବନ୍ଦ କରିଦେବାକୁ ଆମେରିକା ଧମକ ଦେଇଥିଲା।
ପରବର୍ତ୍ତୀ କାଳରେ ୧୯୯୪ ମସିହାରେ ରୁଷିଆ ରାଷ୍ଟ୍ରପତି ବୋରିସ ୟେଲସିନ ଓ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଂଟୋନଙ୍କ ମଧ୍ୟରେ ନୂତନ ବୁଝାମଣା ଫଳରେ ଋଷିଆ ଭାରତକୁ କେବଳ ୭ଟି କେ.ଭି.ଡି- ୧ କ୍ରାୟୋଜେନିକ୍ସ ଇଞ୍ଜିନ୍‍ ବିକ୍ରୟ କରବାକୁ ସମର୍ଥ ହୋଇଥିଲା। ମାତ୍ର କ୍ରାୟୋଜେନିକ୍ସ ଇଞ୍ଜିନ୍‍ ନିର୍ମାଣ ଜ୍ଞାନକୌଶଳକୁ ହସ୍ତାନ୍ତର କରିନଥିଲା। ଭାରତ ମଧ୍ୟ କ୍ରାୟୋଜେନିକ୍ସ ଇଞ୍ଜିନ୍‍କୁ ମାନବ କଲ୍ୟାଣରେ ବିନିଯୋଗ କରିବ ବୋଲି ନିର୍ଭର ପ୍ରତିଶ୍ରୂତି ଦେଇଥିଲା। ଭାରତ ଋଷିଆରୁ କ୍ରୟ କରିଥିବା କ୍ରାୟୋଜେନିକ୍ସ ଇଞ୍ଜିନ୍‍ଗୁଡ଼ିକୁ ପ୍ରଥମ ପିଢ଼ିର ଜିଏସଏଲଭି-ମାର୍କ-୧ ରକେଟରେ ବ୍ୟବହାର କରିଥିଲା। ୨୦୦୪ ମସିହା ସେପ୍ଟେମ୍ବର ୨୦ ତାରିଖ ଏହା ଯୋଗେ ଦେଶର ପ୍ରଥମ ଶିକ୍ଷା ଉପଗ୍ରହ ଏଡ଼ୁସାଟର ଉତ୍‍କ୍ଷେପଣ କରାଯାଇଥିଲା।
ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ରେ ରୁଷିଆ ନିର୍ମିତ ରେଡ଼ିଓ ନ୍ୟୁକ୍ଲିଓଟାଇଡ କ୍ୟୁରିଅମ-୨୪୪ ବ୍ୟବହୃତ ହୋଇଥିଲା। ସେହିପରି ଋଷିଆର ନିଜସ୍ୱ ନୌସଂଚାଳଣ ବ୍ୟବସ୍ଥା ଗ୍ଲୋନାସରେ କାର୍ଯ୍ୟକ୍ଷମ ୨୬ଟି ଉପଗ୍ରହ ମଧ୍ୟରୁ ଗୋଟିଏ ଉପଗ୍ରହ ଗ୍ଲୋନାସ-ଏମ୍‍କୁ ଭାରତର ଜିଏସଏଲଭି ଯାନ ଯୋଗେ ପ୍ରକ୍ଷେପଣ କରାଯିବା ସହିତ ଗତ ୨୦୧୯ ମସିହାଠାରୁ ବ୍ୟସ୍ତ ବହୁଳ ମୁମ୍ବାଇ-ଦିଲ୍ଲୀ ରାଜପଥରେ ଏହାକୁ ବ୍ୟବହାର କରାଯାଉଛି। ଗତ ୨୦୧୮ ମସିହା ସ୍ୱାଧୀନତା ଦିବସ ଅବସରରେ ପ୍ରଧାନ ମନ୍ତ୍ରୀ ମହାକାଶକୁ ଭାରତୀୟ ମହାକାଶଚାରୀ ପ୍ରେରଣପାଇଁ ଗଗନଯାନ ନାମରେ ଏକ ଉଚ୍ଚାଭିଳାଷୀ ଯୋଜନା ଘୋଷଣା କରିଛନ୍ତି।
ଏହିପରି ଭାରତର ଏକ ବନ୍ଧୁ ରାଷ୍ଟ୍ର ରୂପେ ରୁଷିଆ ବିଭିନ୍ନ ସମୟରେ ଭାରତକୁ ମହାକାଶ କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇ ଅସିିଛି। ଭାରତ ଏବେ ଏକ ମହାକାଶ ମହାଶକ୍ତିରୂପେ ସମଗ୍ର ବିଶ୍ୱରେ ଯେଉଁ ମାନ୍ୟତା ଲାଭ କରିଛି ଏହା ପଛରେ ରୁଷିଆର ଭୂମିକାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଭାରତ ମଧ୍ୟ ରୁଷିଆର ଦାୟିତ୍ୱସମ୍ପନ୍ନ ବନ୍ଧୁ ରାଷ୍ଟ୍ର ରୂପେ ବିଭିନ୍ନ ସମୟରେ ଅନ୍ତର୍ଜାତୀୟ ମଞ୍ଚରେ ରୁଷିଆ ବିରୋଧରେ ଆଗତ ପ୍ରସ୍ତାବରୁ ନିଜକୁ ଦୂରେଇ ରଖୁଛି। ତେବେ ଏକ ଶାନ୍ତିପ୍ରିୟ ଦେଶ ଭାବେ ଭାରତ ରୁଷିଆ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଉପରେ ଗୁରୁତ୍ୱ ଦେଇ ଆସୁଛି।

ହିମାଂଶୁ ଶେଖର ଫତେସିଂହ
ହାଉସିଂବୋର୍ଡ କଲୋନୀ, ଗୁରୁଜଙ୍ଗ, ଖୋର୍ଦ୍ଧା
ଦୂରଭାଷ: ୭୦୦୮୬୬୨୩୪୧

Comments are closed.