ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଉଦଯାପିତ
ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଘଟ ଯାତ୍ରା ମଙ୍ଗଳବାର ଉଦଯାପିତ ହୋଇଛି। ଦୀର୍ଘ ନଅ ଦିନ ଧରି ମା’ଙ୍କ ଘଟ ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିବା ପରେ ଶେଷ ଦିନରେ ମାଝୀଗୁଡା ଗ୍ରାମକୁ ଯାଇଥିଲା। ଅପରାହ୍ନରେ ହଜାର ହଜାର ଭକ୍ତଙ୍କ ସମାଗମ ମଧ୍ୟରେ ବାଦ୍ୟ ନୃତ୍ୟ ଓ ଆତସ ବାଜି ଭିତରେ ମା’ଙ୍କ ତିନି ଗୋଟି ଘଟ ବାହାରିଥିଲା। ସହରର ମୁଖ୍ୟ ରାସ୍ତା ଏହି ଅବସରରେ ଲୋକାରଣ୍ୟ ହୋଇ ଉଠିଥିଲା।
ଶହ ଶହ ମାନସିକ ଧାରି ମୁଣ୍ଡରେ କଳସ ଧରି ଘଟସହ ବାହାରିଥିଲେ। ରାସ୍ତାରେ ଘରେ ଘରେ ଲୋକମାନେ ଘଟକୁ ପୁଷ୍ପ ନାରିକେଳ ଝୁଣା ଆଦି ଦେଇ ପୂଜା କରିଥିଲେ। ମାଝୀଗୁଡା ଗ୍ରାମ ପହଁଚିଵା ପରେ ଠାକୁରାଣୀ ମନ୍ଦିର ନିକଟରେ ଘଟ ଅବତରଣ ହୋଇଥିଲା। ପାପଡାହାଣ୍ଡି ଓ ମାଝୀଗୁଡା ଗ୍ରାମରେ ବଜାର ବସିବା ସହ ଯାତ୍ରା ପାଳନ କରାଯାଇଥିଲା। ଏହି ସମାପନ ଦିବସରେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଜିଲ୍ଲା ପରିଷଦ ସଭ୍ୟ ୟଶବନ୍ତ ନାୟକ, ସରପଞ୍ଚ ଚନ୍ଦ୍ର ଶେଖର ମାଝୀ ସହ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
Comments are closed.