ସୋର: ସାମରିକ ବାହିନୀରେ ନିଯୁକ୍ତିର ସୁଯୋଗ ନେଇ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିହାର, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ବିରୋଧ ଚାଲିଛି। ଅନ୍ୟ ପକ୍ଷରେ ଏହି ଯୋଜନା ପାଇଁ ସେନାରେ ଭର୍ତ୍ତି ହେବାର ଆଶା ଛାଡି ବାଲେଶ୍ୱର ଜିଲା, ସୋର ବ୍ଳକର ଜଣେ ଯୁବକ ଆତ୍ମହତ୍ୟା କରିବା ଭଳି ଦୁଃଖଦ ଘଟଣା ସବୁ ମହଲରେ ଉଦବେଗ ସୃଷ୍ଟି କରିଛି। ଯୁବକ ଜଣକ ଦେଢ଼ ବର୍ଷ ପୂର୍ବେ ସ୍ଥଳ ସେନାରେ ଭର୍ତି ହେବା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ତାଙ୍କର ଲିଖିତ ପରୀକ୍ଷା ବାରମ୍ବାର ଘୁଞ୍ଚି ଚାଲିଥିଲା। ଶେଷରେ ଅଗ୍ନିପଥ ଯୋଜନା ଆସିବା ପରେ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଲିଖିତ ପରୀକ୍ଷା ବାତିଲ ହୋଇଯିବାରୁ ସେ ହତାଶ ହୋଇପଡ଼ିଥିଲେ।
ଖବରରୁ ପ୍ରକାଶ, ସୋର ବ୍ଲକ ତେଣ୍ଟେଇ ଗ୍ରାମର ରଜନୀକାନ୍ତ ମହାନ୍ତିଙ୍କ ପୁଅ ଧନଞ୍ଜୟ ସେନା ବାହିନୀରେ ଭର୍ତି ହେବାକୁ ଦେଢ଼ ବର୍ଷ ଧରି ଲିଖିତ ପରୀକ୍ଷାକୁ ଅପେକ୍ଷା କରି ରହିଥିଲେ। ଆସନ୍ତା ଅଗଷ୍ଟ ୩୦ ତାରିଖରେ ଲିଖିତ ପରୀକ୍ଷା ହେବାକୁ ପତ୍ର ଆସିଥିଲା। ଏହା ମଧ୍ୟରେ ସରକାର ଘୋଷଣା କଲେ ଅଗ୍ନିପଥ ଯୋଜନା। ଅଗ୍ନିପଥ ଯୋଜନା ଘୋଷଣା ପରେ ଲିଖିତ ପରୀକ୍ଷା ବାତିଲ ହୋଇଯାଇଥିଲା। ଫଳରେ ଧନଞ୍ଜୟ ମାନସିକ ଭାରସାମ୍ୟ ହରାଇ ବୁଧବାର ରାତି ୩ଟାରେ ଶୋଇବା ଘରେ ଗଡାଣରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଜାଣିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ମୋବାଇଲରୁ ଭାଇ ଓ ସାଙ୍ଗମାନଙ୍କୁ ମେସେଜ କରିଥିଲେ, ମୁଁ ଯାଉଛି। ବାପା ମା ତମକୁ ଲାଗିଲେ। ସେ ନିଜର ହ୍ୱାଟସଆପ ଷ୍ଟାଟସରେ ପୂର୍ବରୁ ସାମରିକ ବାହିନୀରେ ନିଯୁକ୍ତି ନେଇ ବିଭିନ୍ନ ପରୀକ୍ଷା ବାତିଲ ହେବାରୁ ଆତ୍ମହତ୍ୟା କରିଥିବା ଯୁବକଙ୍କ ଫଟୋ ରଖୁଥିଲେ। ଧନଞ୍ଜୟଙ୍କ ମୃତ୍ୟୁ ପରେ ତାଙ୍କ ବାପା ଓ ମା ପୁଅର ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଛା କରିଥିଲେ; ମାତ୍ର ସୁବିଧା ନ ଥିବାରୁ ତାଙ୍କର ଇଚ୍ଛା ପୂରଣ ହୋଇପାରିନାହିଁ। ମୃତକଙ୍କ ବାପା କହିଛନ୍ତି; ‘ପୁଅକୁ ଜଣେ ଯବାନ ବେଶରେ ଦେଖିବାକୁ ଚାହଁୁଥିଲି। ମୋର ସବୁ ସ୍ବପ୍ନ ଧୂଳିସାତ୍ ହୋଇଗଲା। ସେ ବି ବହୁତ କଷ୍ଟ କରିଥିଲା। ସରକାରଙ୍କ ଭୁଲ ନିଷ୍ପତ୍ତି ଓ ନିଯୁକ୍ତିର ବିଡ଼ମ୍ବନା ମୋ ପୁଅକୁ ଜୀବନ ହାରିବାକୁ ବାଧ୍ୟ କଲା। ଏଭଳି ପଦକ୍ଷେପ ଆଉ କେହି ନ ନିଅନ୍ତୁ। ସରକାରୀ ନିଯୁକ୍ତି ପଛରେ ନ ଦଉଡ଼ି ଆତ୍ମନିର୍ଭରଶୀଳ ହୁଅନ୍ତୁ’ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ଧନଞ୍ଜୟଙ୍କ ସହିତ ୭୦ରୁ ଅଧିକ ଯୁବକ ସେନାରେ ଭର୍ତି ହେବା ପାଇଁ ଭଦ୍ରକ ଜିଲା ଇରମ ପଡିଆରେ ବିଭିନ୍ନ ଅଭ୍ୟାସ କରୁଥିଲେ। ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଯୁବକ ସେନା ସ୍ୱାସ୍ଥ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଲିଖିତ ପରୀକ୍ଷାକୁ ଅପେକ୍ଷା କରିଥିଲେ। ଧନଞ୍ଜୟଙ୍କ ମୃତ୍ୟୁ ଓ ଲିଖିତ ପରୀକ୍ଷା ବାତିଲ ହେବା ପରେ ଅଭ୍ୟାସ କରୁଥିବା ଯୁବକମାନେ ମାନସିକ ସ୍ତରରେ ଭାଙ୍ଗି ପଡିଥିବା କହିଛନ୍ତି।



