ସମ୍ବଲପୁର: ସମ୍ବଲପୁର ସହର ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ହୋଇଥିବା ବେଳେ ସମୟର ତାଳ ସହିତ ସହର ତାର ପୁର୍ବ ସ୍ୱରୂପ ବଦଳିବାରେ ଲାଗିଛି। ସହରରେ ବିଭିନ୍ନ ଉନ୍ନୟନମୂଳକ ଦ୍ୱାରା କାୟାକଳ୍ପ ବଦଳୁଥିବା ବେଳେ କିନ୍ତୁ ସହରର ପୁରୁଣା ସମସ୍ୟା ଜବରଦଖଲ କମିବା ଅପେକ୍ଷା ବଢ଼଼ିବାରେ ଲାଗିଛି। ତେବେ ପ୍ରଶାସନର ଢ଼ିଲା ମନୋବୃତ୍ତି ଯୋଗୁଁ ଜନତାର ଟିକସର ଅଯଥା ଅପବ୍ୟୟ ତଥା ଜନତାଙ୍କ ଜୀବନ ସହିତ ପ୍ରଶାସନର ଖେଳର ବହୁ ଦୃଷ୍ଟାନ୍ତ ସହରର ବିଭିନ୍ନ ଭାଗରେ ଦେଖିବାକୁ ମିଳୁଛି। ବିଗତ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ବିଭାଗର ଖାମଖିଆଲୀ ନିତି ଯୋଗୁଁ ଓହଳି ପଡ଼ିଥିବା ତାର ଓ ବିଦ୍ୟୁତ ଖୁଣ୍ଟ ଗୁଡିକ ଯୋଗୁଁ ଅନେକ ଦୁର୍ଘଟଣା ଘଟି ଅମୂଲ୍ୟ ଜୀବନ ଓ ଧନ ହାନି ହେବାର ନଜୀର ରହିଛି। ବିଦ୍ୟୁତ ତାର ଜନିତ ଦୁର୍ଘଟଣା ମାନ ବଢ଼଼ି ଚାଲିଥିବା ବେଳେ କିନ୍ତୁ ବିଦ୍ୟୁତ ବିଭାଗ ସଚେତ ହେବା ମୁଡରେ ନ ଥିବା ଭଳିଆ ଦେଖାଯାଉଛି। ଏବେ ବିଦ୍ୟୁତ ବିଭାଗର କ୍ଷତି ହେଉଥିବା ଦର୍ଶାଇ ସରକାର ବିଭାଗକୁ ହାତକୁ ନେବା ପରେ ବେସରକାରୀ ସଂସ୍ଥା ଟାଟା ପାୱାର ର ହାତକୁ ବିଦ୍ୟୁତ ସେବା ଟେକି ଦେଇଛନ୍ତି। ଟାଟା ପାୱାର ବିଦ୍ୟୁତ ସେବା ହାତକୁ ନେବା ପରେ ସ୍ଥିତିରେ ସୁଧାର ହେବ ବୋଲି ଜନତା ଆଶା କରିଥିବା ବେଳେ କିନ୍ତୁ ଯଥା ପୂର୍ବଂ ତଥା ପରଂ ଅବସ୍ଥା ଏବେ ମଧ୍ୟ ଜାରି ରହିଛି। ବିଦ୍ୟୁତ ସେବାରେ ଏ ପର୍ଯ୍ୟନ୍ତ କୌଣସି ସୁଧାର ଆସି ନ ଥିବା ବେଳେ କେବଳ ବିଦ୍ୟୁତ ଶୁଳ୍କ ଗୁଡିକୁ ଆଦାୟ ଉପରେ ଜୋର ଦିଆଯାଉଛି। ବିଦ୍ୟୁତ ବିଭାଗର ମନମାନୀ ନିତି ଯୋଗୁଁ ଭଙ୍ଗା ଦରରା ପୋଲ, ପୁରୁଣା କାଳିଆ ତାର, ସେହି ତାରରେ ଶହେ ପ୍ରକାରର ଜଏଣ୍ଟ, କେଉଁ ଠି ତାର ଓହଳିଯାଇଛି ତ କେଉଁ ଠି ରାସ୍ତା ସମ୍ପ୍ରସାରଣ ପରେ ରାସ୍ତା ମଝିରେ ପୋଲ ରହିଛି।
ସମ୍ବଲପୁର ସହରରେ ପ୍ରଶାସନିକ ବ୍ୟବସ୍ଥା ଏକ ପ୍ରକାରର ସ୍ଥାଣୁ ପାଲଟି ସାରିଥିବା ବେଳେ ଏବେ ତାହା ଜନତାଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କଲାଣି। ସହରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନାମରେ ଜନତାଙ୍କ ସହିତ ମଜାକ ଜାରି ରହିଛି। ଜିଲାରେ କାର୍ଯ୍ୟରତ ସରକାରୀ ଏଜେନ୍ସି ମାନଙ୍କ ସହିତ ଜିଲା ପ୍ରଶାସନର ହେଳୁଆ ନିତି ଯୋଗୁଁ କୌଣସି ବିଭାଗ ମଧ୍ୟରେ କୌଣସି ତାରତମ୍ୟ ରହୁ ନାହିଁ। ଏଣୁ ବିଗତ କିଛି ବର୍ଷ ହେବ ରାସ୍ତା ଗୁଡିକର ଚୌଡାକରଣ କରାଯାଇଥିବା ବେଳେ କିନ୍ତୁ ଅନେକ ସ୍ଥାନରେ ରାସ୍ତା ମଝିରେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ପୋଲ ଗୁଡିକ ଏବେ ମଧ୍ୟ ରହିଛି। ଶୀତଳଷଷ୍ଠୀ ଉପଲକ୍ଷେ ବ୍ୟସ୍ତତମ ମାର୍ଗ ଗୋଲବଜାରରୁ ଲକ୍ଷ୍ମୀ ଟକିଜ ଛକ ମଧ୍ୟରେ ଫ୍ଲାଏ ଓଭରର ଦୁଇ ପାର୍ଶ୍ବରେ ଥିବା ପାଥ ୱେ ଗୁଡିକୁ ପିଚୁ କରାଯାଇଥିଲା। କିନ୍ତୁ ବିଭାଗ ମାନଙ୍କର ଦାୟିତ୍ୱହୀନତା ପାଇଁ ଟାଉନ ଥାନା ସମ୍ମୁଖରେ ଥିବା ଏକ ୧୧ କୋଭି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ଖୁଣ୍ଟକୁ ହଟା ଯାଇ ନାହିଁ। ତରବରିଆ ଭାବରେ ପୂର୍ତ୍ତ ବିଭାଗ ତାର ଦାୟିତ୍ୱ ସମ୍ପନ୍ନ କରି ସାରିଥିବା ବେଳେ କିନ୍ତୁ ବିଦ୍ୟୁତ ବିଭାଗ ତାର ଦାୟିତ୍ୱ ନିର୍ବାହ କରି ନ ଥିବାରୁ ରାସ୍ତା ମଝିରେ ବିଦ୍ୟୁତ ପୋଲ ଗୁଡିକ ରହିଛି।
ସେହିଭଳି ଅନ୍ୟତମ ବ୍ୟସ୍ତତମ ମାର୍ଗ ମୁଦିପଡ଼ା ରୁ ଜିଏମ କଲେଜ ଛକ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ବିଗତ ଦିନରେ କରାଯାଇଥିବା ବେଳେ କିନ୍ତୁ ଆଜି ମଧ୍ୟ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଗୁଡିକ ରାସ୍ତା ମଝିରେ ବିପଦଜନକ ଭାବରେ ଛିଡା ହୋଇଛନ୍ତି। ଏହା ଦ୍ୱାରା ଜନତାଙ୍କ ଜୀବନ ବିପନ୍ନ ହୋଇ ପ୍ରତ୍ୟହ ଛୋଟ ବଡ ଦୁର୍ଘଟଣା ଲାଗି ରହିଥିବା ବେଳେ ଏହା ଜବରଦଖଲକାରୀ ମାନଙ୍କୁ ମଧ୍ୟ ବେଶ ସୁହାଉଛି। ଏଣୁ ଜିଲା ପ୍ରଶାସନ ତାର କୁମ୍ଭକର୍ଣ୍ଣ ନିଦ୍ରାରୁ ଜନତାର ସ୍ୱାର୍ଥ ପାଇଁ ଜାଗ୍ରତ ହୋଇ ସହର ତଥା ଆଖପାଖ ଅଞ୍ଚଳରେ ରାସ୍ତା ମଝିରେ ଏବଂ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଘର ଗୁଡିକର ସନ୍ନିକଟରେ ଥିବା ସମସ୍ତ ବିଦ୍ୟୁତ ପୋଲ ଗୁଡିକୁ ରାସ୍ତା କଡକୁ ଅଥବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହିତ ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରର ସମ୍ବଲପୁରକୁ ଜବରଦଖଲ ମୁକ୍ତ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି।



