ମିଳିତ ଜାତିସଂଘର ଆକଳନ ଅନୁସାରେ ଆସନ୍ତା ଦଶବର୍ଷ ପରେ ଅର୍ଥାତ୍ ୨୦୩୫ ମସିହା ବେଳକୁ ଭାରତର ଜନସଂଖ୍ୟା ୧୬୦ କୋଟିର ନିକଟବର୍ତ୍ତୀ ହୋଇଯାଇଥିବ। ବର୍ତ୍ତମାନ ଦେଶର ୯ କୋଟି କୃଷକ ୧୪୫କୋଟି ଭାରତୀୟଙ୍କ ପାଇଁ କେବଳ ଅନ୍ନଦାତା ହୋଇନାହାନ୍ତି, ବରଂ ସେମାନଙ୍କ ଖାଦ୍ୟ ନିରାପତ୍ତାର ଭାଗ୍ୟବିଧାତା ହୋଇଛନ୍ତି। ‘ଷ୍ଟଡିଜ୍ ଫର୍ ଡେଭେଲପମେଣ୍ଟାଲ ସୋସାଇଟି’ର ଅଠରଟି ରାଜ୍ୟର କୃଷକ ପରିବାରଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଦେଶର ୭୬ ପ୍ରତିଶତ କୃଷକ କୃଷିକ୍ଷେତ୍ର ଛାଡ଼ିବାକୁ ସର୍ବଦା ପ୍ରୟାସରତ। ଗ୍ରାମର ଯୁବସଂପ୍ରଦାୟ କୃଷିକ୍ଷେତ୍ରକୁ ଛାଡ଼ି ଅଧିକ ରୋଜଗାର, ଅଧିକ ସମ୍ମାନ ମିଳୁଥିବା ଅଣକୃଷି କ୍ଷେତ୍ରକୁ ନିଜର କର୍ମସଂସ୍ଥାନର ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆଗଭର। ଦୁଇସପ୍ତାହ ତଳେ ମହାରାଷ୍ଟ୍ର ବିଧାନସଭାରେ ତାଙ୍କର ପୁନର୍ବାସ ଓ ଥଇଥାନ ବିଭାଗ ମନ୍ତ୍ରୀ ଏ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟର ୭୬୭ ଜଣ କୃଷକ ଆତ୍ମହତ୍ୟା କରିଥିବାର ତଥ୍ୟ ରଖିଛନ୍ତି। ପାଠକେ, ଏସବୁ ନୈରାଶ୍ୟଜନକ ବ୍ୟବସ୍ଥା ମଧ୍ୟରେ ଆଶାର ଆଲୋକ ହେଲା, ଗତ ଆର୍ଥିକ ବର୍ଷରେ ଭାରତ ରେକର୍ଡ ପରିମାଣର ୩୫୪ ନିୟୁତ ଟନ୍ ଖାଦ୍ୟଶସ୍ୟ ଓ ୩୬୨ ନିୟୁତ ଟନ୍ ଫଳ ପନିପରିବା ଉତ୍ପାଦନ କରିଛି। ଏହା ସହ ଦେଶର ଅଶୀ କୋଟିରୁ ଊର୍ଦ୍ଧ୍ବ ଜନତାଙ୍କୁ ଗତ ପାଞ୍ଚବର୍ଷ ଧରି ଅତ୍ୟଧିକ ରିଆତି (ମାଗଣା) ଖାଦ୍ୟଶସ୍ୟ ଦିଅାଯାଉଛି ଓ କୃଷି କ୍ଷେତ୍ରରୁ ଗତ ବର୍ଷ ଆମେ ୪୮ ବିଲିୟନ ଡଲାରର ବୈଦେଶିକ ମୁଦ୍ରା ରପ୍ତାନି ଭିତ୍ତିରେ ଅର୍ଜନ କରି ପାରିଛନ୍ତି। ସର୍ବୋପରି ଦେଶର ପ୍ରଧାନମନ୍ତ୍ରୀ ବିଦେଶ ମାଟିରେ ଠିଆହୋଇ ସାରା ବିଶ୍ବକୁ ଆବଶ୍ୟକ ବେଳେ ଭାରତ ଖାଦ୍ୟ ଯୋଗାଇପାରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଏସବୁ ସଫଳତାର ଶ୍ରେୟ, ଉତ୍ପାଦନକାରୀ କୃଷକଙ୍କ ବ୍ୟତୀତ ନୂତନ ଜ୍ଞାନ କୌଶଳ ଉଦ୍ଭାବନକାରୀ ବୈଜ୍ଞାନିକ, ବଜାର ମାଧ୍ୟମରେ ଜ୍ଞାନ କୌଶଳ ପହଞ୍ଚାଇ ପାରୁଥିବା ବ୍ୟବସାୟୀ ଓ ସରକାରଙ୍କ ଫଳପ୍ରସୂ ଯୋଜନାକୁ ଯାଉଛି।
ଗତ ଏକ ଦଶନ୍ଧି ମଧ୍ୟରେ ବିଜ୍ଞାନର ଅଗ୍ରଗତି ଭାରତୀୟ କୃଷକଙ୍କ ଦୃଷ୍ଟିଭଙ୍ଗୀରେ ପ୍ରଭୂତ ପରିବର୍ତ୍ତନ ଆଣିଛି। ଗତ ଦଶନ୍ଧିର ପ୍ରାରମ୍ଭରେ ଅର୍ଥାତ୍ ୨୦୧୫ ମସିହାରେ ସାରାଦେଶରେ ଆରମ୍ଭ ହୋଇଥିବା ‘ଡିଜିଟାଲ ଇଣ୍ଡିଆ’ କୃଷିକ୍ଷେତ୍ରକୁ ନୂତନ ଦିଗନ୍ତ ପ୍ରଦାନ କରିଛି। ଡିଜିଟାଲ ଇଣ୍ଡିଆର ପ୍ରମୁଖ ମାଧ୍ୟମ ହେଉଛି ଆେଣ୍ଡ୍ରାଏଡ୍ ଫୋନ୍। ପ୍ରଣିଧାନଯୋଗ୍ୟ ଯେ ସଂପ୍ରତି ଅଣତିରିଶ ପ୍ରତିଶତ ଭାରତୀୟ କୃଷକ ଏପରି ଫୋନ୍ର ବ୍ୟବହାର କରୁଛନ୍ତି ଓ ୨୦୩୦ ମସିହା ସୁଦ୍ଧା ଏହା ଷାଠିଏ ପ୍ରତିଶତ ଛୁଇଁବ ବୋଲି ଆକଳନ କରାଯାଉଅଛି। ଓଡ଼ିଶା ପରି ରାଜ୍ୟର କୃଷକ ଏହି ଫୋନ ମାଧ୍ୟମରେ ଟଙ୍କା ଦେଣନେଣ କରୁଛି, ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ପାଇପାରୁଛି, ନୂତନ ଜ୍ଞାନ କୌଶଳ ସହ ସରକାରୀ ସୁବିଧାର ତଥ୍ୟ ଠିକ୍ ସମୟରେ ହାସଲ କରିପାରୁଛି। ପ୍ରଯୁକ୍ତି ବିଦ୍ୟାକୁ ଆଉ ପାଦେ ଅଧିକ ବିନିଯୋଗ କରି ଓଡ଼ିଶା ସରକାର ‘ଗୋ-ସୁଗମ’ ପୋର୍ଟାଲ କରିଛନ୍ତି ଯେଉଁଥିରେ ପଞ୍ଜିକୃତ ନହେଲେ ଚାଷୀ କୌଣସି ସରକାରୀ ସୁବିଧା ପାଇପାରିବ ନାହିଁ। ‘ସଫଲ’ ପୋର୍ଟାଲ ମାଧ୍ୟମରେ ତିନିଶହରୁ ଊର୍ଦ୍ଧ୍ବ ବ୍ୟାବସାୟିକ କୃଷିଋଣର ସୁବିଧା କରାଯାଇଛି। କୃଷକ ନିଜ ମୋବାଇଲ୍ରେ ଘରେ ଥାଇ ନିଜ ଋଣ ଦରଖାସ୍ତର ସ୍ଥିତି ସମ୍ପର୍କରେ ଜାଣିପାରୁଛି। ଇ-ନାମ୍, ଏଗ୍ରିମାର୍କେଟ୍ ନେଟ୍ ପୋର୍ଟାଲରେ ଦେଶର ବିଭିନ୍ନ ବଜାର, ମଣ୍ଡିରେ କୃଷିଜାତ ଦ୍ରବ୍ୟର ଚାହିଦା ଓ ଦର ଜାଣିପାରୁଛି। କହିବା ବାହୁଲ୍ୟ, ପ୍ରଯୁକ୍ତି ବିଦ୍ୟା, ଇଣ୍ଟରନେଟ୍ ସହ ଏହି କ୍ଷୁଦ୍ର ଅଦ୍ଭୁତ ଯନ୍ତ୍ର ସ୍ମାର୍ଟଫୋନ୍ଟି ଦେଶର କୃଷିରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି।
ଅପରପକ୍ଷରେ ଆଗାମୀ ୨୦୩୫ ମସିହା ବେଳକୁ ଭାରତୀୟ କୃଷିରେ ଜମିର ଅଭାବ, ଜଳର ଅଭାବ ସହିତ ଜଳବାୟୁର ଅନିଶ୍ଚିତତା ମୁଖ୍ୟ ପ୍ରତିବନ୍ଧକ ଭାବେ ଛିଡ଼ା ହେବାର ଆଶଙ୍କା କରାଯାଉଛି। ଜମିର ଅଭାବ ପୂରଣ ପାଇଁ ପ୍ରିସିଶନ୍ ଫାର୍ମିଙ୍ଗ୍, ମୃତ୍ତିକା ରହିତ ଏେରାପୋନିକସ୍, ହାଇଡ୍ରୋ ପୋନିକସ୍ ପରି କୃଷି ଆଦୃତ ହେବାର ସମ୍ଭାବନା ରହିଛି। ଗତ ଦୁଇ ଦଶନ୍ଧି ଧରି ପ୍ରାକୃତିକ ବିପର୍ଯ୍ୟୟ ଯଥା, ସ୍ବଳ୍ପ ବୃଷ୍ଟି, ମରୁଡ଼ି, ବାଦଲଫଟା ବର୍ଷା, ଭୂସ୍ଖଳନ, ବନ୍ୟା ସର୍ବୋପରି ଫଣି, ତିତ୍ଲି, ହୁଦ୍ହୁଦ୍ ପରି ବାତ୍ୟା କୃଷି କ୍ଷେତ୍ରକୁ ସର୍ବାଧିକ କ୍ଷତି ପହଞ୍ଚାଇଛନ୍ତି। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀଙ୍କ ସଂସଦରେ ବକ୍ତବ୍ୟ ଅନୁସାରେ ଉପଯୁକ୍ତ ଅମଳ ପରବର୍ତ୍ତୀ ଭିତ୍ତିଭୂମିର ଅଭାବ ପାଇଁ ଭାରତର ପ୍ରତିବର୍ଷ ଏକ ଲକ୍ଷ ବାଉନ ହଜାର କୋଟି ଟଙ୍କା କ୍ଷତି ହେଉଅଛି। ଆଗାମୀ ଦଶନ୍ଧିରେ ଏସବୁର ନିରାକରଣ ପାଇଁ କ୍ଷେତଠାରୁ ତାପ ନିୟନ୍ତ୍ରିତ ଯାନରେ ଅମଳ ଯାଇ ରୋଷେଇଘର ପର୍ଯ୍ୟନ୍ତ ପହଞ୍ଚିବାର ବ୍ୟବସ୍ଥା ଉପଯୁକ୍ତ ଜ୍ଞାନକୌଶଳ ବିନିଯୋଗରେ କରାଯାଇଥିବ। ପ୍ରତ୍ୟେକଦିନ ଇଣ୍ଟରନେଟ୍ରେ ପ୍ରାୟ ଅଢ଼େଇ ଲକ୍ଷ ନୂତନ ୱେବ୍ ସାଇଟ ଓ ନୂତନ ତଥ୍ୟ ଯୋଡ଼ିହୋଇ ସାରା ବିଶ୍ବର ଇତିହାସରୁ ଭବିଷ୍ୟତ ପର୍ଯ୍ୟନ୍ତ ମୋବାଇଲ ମଧ୍ୟରେ ରହୁଛି। କୃତ୍ରିମ ବୁଦ୍ଧିମତ୍ତା ଓ ଇଣ୍ଟରନେଟର ବିନିଯୋଗ କରି କୃଷକ ନିଜ ଜମିପାଇଁ, ପରିବାର ପାଇଁ, ବଜାର ପାଇଁ ଫସଲ ଖସଡ଼ା କରିପାରିବ। ବିଶ୍ବବ୍ୟାଙ୍କ ସହାୟତାରେ ଓଡ଼ିଶାର ଛଅଟି ଜିଲାର ମାଟି, ପାଣି, ଫସଲ ଓ ଲୋକଙ୍କ ସ୍ଥିତିକୁ ନେଇ ‘ରିୱାର୍ଡ’ ନାମକ ପରିଯୋଜନାକୁ ପରୀକ୍ଷାମୂଳକ ଭାବେ ଗ୍ରହଣ କରାଯାଇଛି। ଆଶା କରାଯାଏ, ଆଗାମୀ ଦଶନ୍ଧି ମଧ୍ୟରେ ଜଳବାୟୁ ଓ ପାଣିପାଗ ସୂଚନାକୁ ଗ୍ରାମସ୍ତରକୁ ପହଞ୍ଚାଇବାର ବ୍ୟବସ୍ଥା ହୋଇ ସାରିଥିବ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ବୟଂକ୍ରିୟ ପାଣିପାଗ କେନ୍ଦ୍ର ରହିବ ଓ ଏହା ପ୍ରତ୍ୟେକ ଦିନ କୃଷକର ମୋବାଇଲ୍କୁ ପାଣିପାଗ ଜନିତ ବାର୍ତ୍ତା ଆପେଆପେ ପ୍ରେରଣ କରିବ। ଆମ ଦେଶର ଅଶୀ ପ୍ରତିଶତ ସ୍ବଚ୍ଛ ଜଳ କୃଷିରେ ବ୍ୟବହାର ହେଉଥିବା ବେଳେ ଭୂତଳ ଜଳର ଦ୍ରୁତ ହ୍ରାସ ଭବିଷ୍ୟତର ଫସଲ ଉତ୍ପାଦନ ପାଇଁ ସତର୍କ ଘଣ୍ଟି। ନିର୍ଦିଷ୍ଟ ଫସଲ ପାଇଁ ନିର୍ଦିଷ୍ଟ ସମୟରେ ଜଳର ଆବଶ୍ୟକତାକୁ ଲକ୍ଷ୍ୟ ରଖି ମାଟିର ଆର୍ଦ୍ରତା ପ୍ରଦାନ କରିବାକୁ ସେନସର ସଂପୃକ୍ତ ଜ୍ଞାନକୌଶଳ ଆଗାମୀ ଦିନରେ ବ୍ୟବହୃତ ହେବ। ଏହି ବର୍ଷ ବିଶ୍ବ ଖାଦ୍ୟ ପ୍ରକଳ୍ପର ସହଯୋଗରେ ଓଡ଼ିଶାର କୃଷିବିଜ୍ଞାନ କେନ୍ଦ୍ର, ବ୍ରହ୍ମପୁର ତତ୍ତ୍ବାବଧାନରେ ପରୀକ୍ଷାମୂଳକ ଭାବେ ଏ କାର୍ଯ୍ୟ ଗ୍ରହଣ କରାଯାଉଅଛି। ଏହାଦ୍ବାରା ଫସଲ ଅନୁଯାୟୀ ଜଳର ବିନିଯୋଗ ହେବ, ଅନାବଶ୍ୟକ ଜଳର ଅପଚୟ ରୋକାଯାଇପାରିବ ଓ ଧାନ କ୍ଷେତରୁ ମିଥେନ୍ ନିର୍ଗମନ ନିୟନ୍ତ୍ରିତ ହେବ, ଅମଳ ମଧ୍ୟ ବଢ଼ିବ। ଏସବୁ ସତ୍ତ୍ବେ କୃଷିକ୍ଷେତ୍ରରେ କ୍ଷତିକୁ ସାଟେଲାଇଟ୍ ସହାୟତାରେ ନିରୂପଣ କରି ତ୍ବରିତ ସରକାରୀ ସହାୟତା, ବୀମା ପହଞ୍ଚାଇବା ପାଇଁ ବୈଷୟିକ ଜ୍ଞାନର ବ୍ୟବହାର କରାଯିବ। ଅଧୁନା କ୍ଷଣକ ମଧ୍ୟରେ ଦେଶର ୯ କୋଟି କୃଷକ ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଅର୍ଥ ବିନା କୌଣସି ବାଧାରେ ନିଜ ବ୍ୟାଙ୍କ ଜମାଖାତାରେ ପାଇପାରୁଛନ୍ତି। ସୁତରାଂ, ଡିଜିଟାଲ ଇଣ୍ଡିଆ କାର୍ଯ୍ୟାନ୍ବୟନର ଦକ୍ଷତା, ସ୍ବଚ୍ଛତା ବୃଦ୍ଧି ସହ କୃଷକ ସଶକ୍ତୀକରଣର ମୁଖ୍ୟଅସ୍ତ୍ର ପାଲଟିଛି। ଆଗାମୀ ଦଶବର୍ଷ ବେଳକୁ ଏହା ଆହୁରି ଦୃଢ଼ୀଭୂତ ହୋଇ ସାରିଥିବ।
ଗତ କେତେବର୍ଷ ମଧ୍ୟରେ ଆମ ଦେଶରେ ପଙ୍ଗପାଳ, ଚକଡ଼ା ପୋକଠାରୁ ବୁଲା ପଶୁ, ଜଙ୍ଗଲୀପଶୁଙ୍କ ଦୌରାତ୍ମ୍ୟ କୃଷକ ଶ୍ରେଣୀକୁ ଚିନ୍ତାଗ୍ରସ୍ତ କରିଛି। କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗରେ ରୋଗପୋକର ଆଗୁଆ ସୂଚନା, ତାଙ୍କର ସର୍ବେକ୍ଷଣ ଓ ନିୟନ୍ତ୍ରଣ ସହଜ ହୋଇପାରିବ। ଡ୍ରୋନ ମାଧ୍ୟମରେ ଶ୍ରମ, ସମୟ ଓ ଶକ୍ତିର ସଞ୍ଚୟ ହୋଇପାରିବ। ଆଗାମୀ ଦଶନ୍ଧି ବେଳକୁ କୃଷି କ୍ଷେତ୍ରରେ ଶ୍ରମଶକ୍ତି ବଦଳରେ ଅଣପାରମ୍ପରିକ ଉତ୍ସରୁ ଜାତ ସୌରଶକ୍ତିର ପ୍ରଭୂତ ବ୍ୟବହାର ହେବ। ଏହା ଜୀବାଶ୍ମ ଇନ୍ଧନର ବ୍ୟବହାରକୁ କମାଇ ପରିବେଶକୁ ପ୍ରଦୂଷଣମୁକ୍ତ କରିବ। କୃଷିକ୍ଷେତ୍ରର କ୍ଳିଷ୍ଟତା କମାଇବା ପାଇଁ ଯାନ୍ତ୍ରିକୀକରଣ ଆହୁରି ମଜଭୁତ ହେବ। ରୋବୋଟ୍ ସହାୟତାରେ ବିପଜ୍ଜନକ ଓ ଅଧିକ ଶ୍ରମଯୁକ୍ତ ଅନାକର୍ଷଣୀୟ କାର୍ଯ୍ୟସବୁ ସମ୍ପାଦିତ ହେବ। ଜମି ସମତୁଲ, ମଞ୍ଜିବୁଣା, ଅନ୍ତଃଚାଷ, ରୋଗପୋକ ନିୟନ୍ତ୍ରଣ, ଖାଦ୍ୟଶସ୍ୟ ଅମଳ, ସଂରକ୍ଷଣ ପ୍ରକ୍ରିୟାକରଣ ଅର୍ଥାତ୍ ‘ଫାର୍ମରୁ ଫର୍କ’ ପର୍ଯ୍ୟନ୍ତ ସବୁ ରିମୋଟ୍ ଶକ୍ତିରେ ପରିଚାଳିତ ଯନ୍ତ୍ର ଦ୍ବାରା କରାଯିବ। ପ୍ରତ୍ୟେକ ଜମି, ତା’ର ଆବଶ୍ୟକତା ଓ ତଦନୁଯାୟୀ ଫସଲ ଉତ୍ପାଦନ କୃତ୍ରିମ ବୁଦ୍ଧିମତ୍ତା ଦ୍ବାରା ନିୟନ୍ତ୍ରିତ ହେବ। ବିଷ ରହିତ ଖାଦ୍ୟ ଉତ୍ପାଦନ ପାଇଁ ମଧ୍ୟ କୃତ୍ରିମ ବୁଦ୍ଧିମତ୍ତା ଓ ଇଣ୍ଟରନେଟ୍ର ବ୍ୟବହାର ଭାରତୀୟ କୃଷକ କରିବେ। ୨୦୩୫ ମସିହା ବେଳକୁ ବିଭିନ୍ନ ଆପ୍, ପୋର୍ଟାଲ, ୱେବସାଇଟ୍ କୃଷକମାନଙ୍କର ସୂଚନାର ଉତ୍ସ ହେବ, ଏହା ନିଃସନ୍ଦେହ।
ପରାଧୀନ ଭାରତରେ କୃଷିକୁ ବିଜ୍ଞାନ ସହ ଯୋଡ଼ିବାକୁ ଭାରତୀୟ କୃଷି ଗବେଷଣା ପରିଷଦର ସ୍ଥାପନା, ତାର ଚାରି ଦଶନ୍ଧି ପରେ ସ୍ବାଧୀନ ଭାରତକୁ ଖାଦ୍ୟ ପରାଧୀନତାରୁ ମୁକ୍ତ ହେବା ପାଇଁ ସବୁଜ ବିପ୍ଳବ ଯୋଜନା, ତା’ ପରବର୍ତ୍ତୀ ଦଶନ୍ଧିରେ କୃଷକ ମନଲାଖି ଜ୍ଞାନକୌଶଳ ପ୍ରଦାନ ପାଇଁ କୃଷିବିଜ୍ଞାନ କେନ୍ଦ୍ରଯୋଜନା, ତା’ର ଚାରି ଦଶନ୍ଧି ପରି ତ୍ବରିତ ସୂଚନା ପାଇଁ ଡିଜିଟାଲ୍ ଇଣ୍ଡିଆ ଯୋଜନା; ପ୍ରତ୍ୟେକ ଭାରତୀୟ କୃଷି ଓ କୃଷକର ସମୃଦ୍ଧି, ସ୍ବାବଲମ୍ବନତା ଓ ସଶକ୍ତୀକରଣ ଇତିହାସର ମାଇଲ୍ଖୁଣ୍ଟ। ଆଗାମୀ ଦଶନ୍ଧି ପରର କୃଷିକୁ ଏକ ଆକର୍ଷଣୀୟ, ସୌଖୀନ ପେସା କରିବାପାଇଁ ବୈଷୟିକ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହିଁ ଏକମାତ୍ର ପନ୍ଥା, ଏହା ଅନସ୍ବୀକାର୍ଯ୍ୟ।
ସୁଜିତ୍ କୁମାର ନାଥ, ତଳମୂଳ ଶାସନ, ଅନୁଗୋଳ



