ଓଡ଼ିଶାରେ ନିଶାଦ୍ରବ୍ୟ କାରବାର ବୃଦ୍ଧି ଏକ ଗୁରୁତର ସାମାଜିକ ସମସ୍ୟା ପାଲଟିଲାଣି। ଚିନ୍ତାର ବିଷୟ ଯେ ଏହା ରାଜ୍ୟର ଭବିଷ୍ୟ ନାଗରିକ ଅର୍ଥାତ୍ କିଶୋର ଓ ଯୁବପିଢ଼ିକୁ ଅନ୍ଧକାର ଗର୍ତ୍ତ ମଧ୍ୟକୁ ଠେଲି ଦେଉଛି। ବିଶେଷତଃ ବିଦେଶରୁ ଡାର୍କୱେବ ଜରିଆରେ ଏଲ୍ଏସ୍ଡ଼ି (ଲାଇସରଜିକ୍ ଏସିଡ଼ ଡାଇଥାଇଲାମିଡ଼) ପରି ସିନ୍ଥେଟିକ ଡ୍ରଗ୍ସ ବା ନିଶାଦ୍ରବ୍ୟ ଓଡ଼ିଶାରେ ପହଞ୍ଚିବା ଏକ ବିପଜ୍ଜନକ ଧାରାକୁ ସୂଚାଇଛି। ଭୁବନେଶ୍ୱରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ପ୍ରଥମ ଥର ପାଇଁ ଏଲ୍ଏସ୍ଡ଼ି ଜବତ କରିଛି, ଯାହା ଇଉରୋପରୁ ଅନ୍ଲାଇନ ପାର୍ସଲ ମାଧ୍ୟମରେ ଆମଦାନୀ ହୋଇଥିଲା। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ। ଏହି ଘଟଣାର ଦିନକ ପୂର୍ବରୁ କନ୍ଧମାଳ ଜିଲାର ଫିରିଙ୍ଗିଆରେ ପାଞ୍ଚଜଣ ଶିକ୍ଷିତ ଯୁବକଙ୍କ ନିକଟରୁ ୨୭ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଏହି ଦୁଇଟି ଘଟଣାରେ ବୈଷୟିକ ଶିକ୍ଷା ହାସଲ କରିଥିବା ଛାତ୍ରମାନେ ସଂପୃକ୍ତ ଅଛନ୍ତି।
ଓଡ଼ିଶାରେ ବିଦେଶରୁ ନିଶାଦ୍ରବ୍ୟ ଆମଦାନୀ ଏକ ନୂଆ ଓ ଭୟାବହ ଧାରା। ଗୁପ୍ତ ଅନ୍ଲାଇନ ପ୍ଲାଟଫର୍ମ ଡାର୍କୱେବରେ ହେଉଥିବା ଏହି କାରବାରକୁ ନିୟନ୍ତ୍ରଣ କରିବା ସହଜ ନୁହେଁ। ଇଉରୋପ, ଆମେରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଭଳି ଦେଶରୁ ଏଲ୍ଏସ୍ଡ଼ି ଭଳି ଶକ୍ତିଶାଳୀ ସିନ୍ଥେଟିକ ନିଶାଦ୍ରବ୍ୟ ଓଡ଼ିଶାରେ ପହଞ୍ଚୁଛି, ଯାହା ସ୍ଥାନୀୟ ନିଶାଦ୍ରବ୍ୟ କାରବାରକୁ ଅନ୍ତର୍ଜାତୀୟ ସ୍ତରରେ ପରିଣତ କରିଛି କହିଲେ ଭୁଲ୍ ହେବନାହିଁ। ଏହା ସ୍ଥାନୀୟ ଯୁବକଙ୍କୁ ଅପରାଧମୂଳକ ନେଟୱାର୍କରେ ଜଡ଼ିତ କରିବା ସହ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଦୀର୍ଘମିଆଦୀ କ୍ଷତି ଘଟାଉଛି।
ନିଶାଦ୍ରବ୍ୟ ସେବନ ଓ କାରବାର ଯୁବପିଢ଼ି ମଧ୍ୟରେ ଆପରାଧିକ ପ୍ରବୃତ୍ତିକୁ ବଢ଼ାଇବାରେ ପ୍ରମୁଖ ଭୂମିକା ନେଉଛି। କନ୍ଧମାଳରେ ଗିରଫ ଅଭିଯୁକ୍ତମାନେ ବି.ଟେକ୍ ପଢ଼ୁଥିବା ଜଣାଯାଏ, ଯେଉଁମାନେ କମ୍ ପରିଶ୍ରମରେ ଅଧିକ ରୋଜଗାରର ଲୋଭରେ ଗଞ୍ଜେଇ ଚୋରା ଚାଲାଣରେ ଜଡ଼ିତ ଥିଲେ। ଏହା ଦର୍ଶାଉଛି ଯେ ନିଶାଦ୍ରବ୍ୟର ଆକର୍ଷଣ ତଥାକଥିତ ଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାରର ସନ୍ତାନମାନଙ୍କୁ ଅପରାଧ ପଥର ପଥିକ କରିଛି। ବର୍ତ୍ତମାନ ସ୍କୁଲକଲେଜରେ ପଢ଼ୁଥିବା ଅଳ୍ପ ବୟସର ପିଲାଏ ମଧ୍ୟ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ କରୁଛନ୍ତି। ଏହାର କେତେକ କାରଣ ହେଲା: ସାମାଜିକ ଚାପ ଓ କୁସଙ୍ଗ; ଦ୍ବିତୀୟରେ, ମାନସିକ ଚାପ, ଅର୍ଥାତ୍ ପଢ଼ାଶୁଣା, ରୋଜଗାର ଓ ଭବିଷ୍ୟତର ଅନିଶ୍ଚିତତା ଯୁବପିଢ଼ିକୁ ନିଶାଦ୍ରବ୍ୟ ଆଡ଼କୁ ଠେଲି ଦେଉଛି। ତୃତୀୟରେ, ସହଜ ଉପଲବ୍ଧତା। ଅନ୍ଲାଇନ ପ୍ଲାଟଫର୍ମ ଓ ଡାର୍କୱେବ ମାଧ୍ୟମରେ ନିଶାଦ୍ରବ୍ୟ ସହଜରେ ଉପଲବ୍ଧ ହେଉଛି। ଚତୁର୍ଥରେ, ସଚେତନତାର ଅଭାବ ଏବଂ ପଞ୍ଚମରେ, ଆର୍ଥିକ ଲୋଭ ଅର୍ଥାତ କମ ସମୟ ଭିତରେ ଅଧିକ ଟଙ୍କା ରୋଜଗାରର ଆଶା।
ଏନ୍ସିବି ଓ ପୁଲିସ ନିଶାଦ୍ରବ୍ୟ କାରବାର ବିରୋଧରେ ଅଭିଯାନ ଚଳାଇଥିଲେ ମଧ୍ୟ ସରକାରୀ ପଦକ୍ଷେପ ଆଖିଦୃଶିଆ ନୁହେଁ। ଡାର୍କୱେବ ଜରିଆରେ ହେଉଥିବା ଅନ୍ଲାଇନ କାରବାରକୁ ନିୟନ୍ତ୍ରଣ କରିବା ପାଇଁ ଉନ୍ନତ ପ୍ରଯୁକ୍ତି ଓ ଗୁଇନ୍ଦା ବ୍ୟବସ୍ଥାର ଅଭାବ ରହିଛି। ଯୁବପିଢ଼ିକୁ ରୋଜଗାର ଯୋଗାଇବାରେ ବିଫଳତା ଓ ନୈତିକ ଶିକ୍ଷାର ଅଭାବ ଏହି ସମସ୍ୟାକୁ ଆହୁରି ବଢ଼ାଇଛି। ଏହାକୁ ରୋକିବା ପାଇଁ ସରକାରଙ୍କୁ କଠୋର ଆଇନଗତ ପଦକ୍ଷେପ, ଉନ୍ନତ ପ୍ରଯୁକ୍ତି ବ୍ୟବହାର, ସ୍କୁଲ-କଲେଜରେ ସଚେତନତା କାର୍ଯ୍ୟକ୍ରମ ଓ ଯୁବକଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ହେବ। ସରକାର ଏଥିପ୍ରତି ସଚେତନ ଅଛନ୍ତି ତ?
ବିଦେଶୀ ନିଶାର ଫାଶ
Popular Categories



