ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ ହେଉଛନ୍ତି- ଶ୍ରୀ ଜଗନ୍ନାଥ। କିମ୍ବଦନ୍ତୀ ଅଛି ଓଡ଼ିଆ ରାଜାଙ୍କ ସମ୍ମାନ ଓ ସ୍ୱାଭିମାନ ପାଇଁ ନିଜେ ବଳଭଦ୍ର ଓ ଜଗନ୍ନାଥ ଧଳାଘୋଡ଼ା, କଳାଘୋଡ଼ା ଚଢ଼ି ଯୁଦ୍ଧ କ୍ଷେତ୍ରକୁ ଯାଇଥିଲେ। ଏହି କିମ୍ବଦନ୍ତୀ ପଛରେ ସତ୍ୟତା କେତେ ଅଛି ତାହା ବଡ଼ କଥା ନୁହେଁ, ବଡ଼ କଥା ହେଲା ଜଗନ୍ନାଥ ଓ ଓଡ଼ିଆ ଜାତି ପରିପୂରକ ବୋଲି ପ୍ରାଚୀନ କାଳରୁ ଆମେ ଜାଣୁ। ତେଣୁ ଜଗନ୍ନାଥଙ୍କ ନାଁରେ ଆମର ପାଞ୍ଜି ଚଳେ। ଜଗନ୍ନାଥଙ୍କୁ କେନ୍ଦ୍ରକରି ଆମର ପର୍ବପର୍ବାଣି ପାଳିତ ହୁଏ। ବିଦେଶୀ ଶାସକମାନେ ଯେବେ ବି ଓଡ଼ିଶାରେ ଶାସନ କରିଛନ୍ତି, ସେମାନେ ପ୍ରଥମେ ଜଗନ୍ନାଥଙ୍କ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣର ଉଦ୍ଦେଶ୍ୟ ମୁଖ୍ୟତଃ ଦୁଇଟି ଥିଲା। ପ୍ରଥମତଃ ମନ୍ଦିର ଉପରେ ଆକ୍ରମଣ କରି ସେମାନେ ଜଗନ୍ନାଥଙ୍କ ଧନ ସମ୍ପତ୍ତି ଲୁଟି ନେଉଥିଲେ। ଦ୍ୱିତୀୟତଃ ଓଡିଆମାନଙ୍କ ଏକତାକୁ ଭାଙ୍ଗି ଦେବା ପାଇଁ ସେମାନେ ଜଗନ୍ନାଥଙ୍କୁ ଆକ୍ରମଣ କରୁଥିଲେ। ତେଣୁ ପଣ୍ଡା ପଢ଼ିହାରୀମାନେ ଅନେକଥର ଜଗନ୍ନାଥଙ୍କୁ ନେଇ ବିଭିନ୍ନ ଜାଗାରେ ଲୁଚେଇ ଦିଅନ୍ତି। ଏପରିକି କଳାପାହାଡ଼ ଜଗନ୍ନାଥଙ୍କ ମୂର୍ତ୍ତିକୁ ପୋଡି ଦେଇଥିଲେ ମଧ୍ୟ ଓଡ଼ିଆମାନଙ୍କ ଆନ୍ତରିକତା ଯୋଗୁଁଁ ସେ ବ୍ରହ୍ମ ଅକ୍ଷତ ରହିଥିଲା। ଏକଥା ଆଜି କହିବା ପାଇଁ ମୁଁ ଏଇଥିପାଇଁ ଚାହିଁଲି ଯେ, ଜଗନ୍ନାଥଙ୍କ ଉପରେ ଓ ଜଗନ୍ନାଥ ସଂସ୍କୃତି ଉପରେ ବାରମ୍ବାର ଆକ୍ରମଣ ହୋଇଛି। ତାହା ସେତ୍ତ୍ବ ଜଗନ୍ନାଥଙ୍କୁ ସୁରକ୍ଷିତ ରଖିଛନ୍ତି ଏଇ ଓଡ଼ିଆମାନେ।
ରାଜା ରାଜୁଡ଼ାଙ୍କ ଶାସନ ପରେ ଗଣତାନ୍ତ୍ରିକ ପଦ୍ଧତିରେ ରାଜନୈତିକ ଲୋକମାନଙ୍କ ହାତକୁ କ୍ଷମତା ଗଲା ଏବଂ ସେମାନେ ଏ ରାଜ୍ୟର ଶାସକ ହେଲେ। ଗଜପତି ଜଗନ୍ନାଥଙ୍କ ପ୍ରଧାନ ସେବକ ହେଲେ ମଧ୍ୟ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ରହିଲା ସରକାରଙ୍କ ଉପରେ। ତେଣୁ, ସରକାରରେ ଯିଏ ଯେତେବେଳେ ରୁହନ୍ତୁ ନା କାହିଁକି, ତାଙ୍କର ପ୍ରଥମ ଦାୟିତ୍ୱ ହେଲା- ଆମ ଜାତିର ପରିଚୟ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିଚାଳନାକୁ ବ୍ୟବସ୍ଥିତ କରିବା। କିଛି ବର୍ଷ ହେଲା, ମୁଁ ଲକ୍ଷ୍ୟ କରୁଛି, ଜଗନ୍ନାଥ ମନ୍ଦିର ପ୍ରତି ସରକାରଙ୍କର ଯେତିକି ଦାୟିତ୍ୱ ଓ କର୍ତ୍ତବ୍ୟ ରହିବା କଥା, ସରକାର ତାହା ଆକ୍ଷରିକ ଅର୍ଥରେ କରୁନାହାନ୍ତି। ପ୍ରସଙ୍ଗ କ୍ରମେ ମୁଁ ସୂଚାଇ ଦେବାକୁ ଚାହେଁ ୧୯୭୭ରେ ଜଗନ୍ନାଥଙ୍କ ନବକଳେବର ରଥଯାତ୍ରା ହୋଇଥିଲା। ସେତେବେଳେ ରଥଯାତ୍ରାକୁ ସରକାର ସୁପରିଚାଳନା କରିପାରିଲେ ନାହିଁ ବୋଲି ନାନା ବିଶୃଙ୍ଖଳା ହେଲା। ବିଧାନସଭାରେ ଏଥିପାଇଁ ହଟ୍ଟଗୋଳ ହେଲା। ଶେଷରେ ସରକାର ବାଧ୍ୟ ହୋଇ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ସେ ବିଶୃଙ୍ଖଳାର ତଦନ୍ତ କରାଇଲେ। ଏ କଥା ମନରେ ରଖିଥିଲେ ଜାନକୀବଲ୍ଲଭ ପଟ୍ଟନାୟକ। ତାଙ୍କ ତୃତୀୟ ପାଳି ମୁଖ୍ୟମନ୍ତ୍ରିତ୍ୱ ସମୟରେ ୧୯୯୬ରେ ନବକଳେବର ରଥଯାତ୍ରା ହୋଇଥିଲା। ମୋର ଯାହା ମନେ ଅଛି ଏଥିପାଇଁ ଜାନକୀବାବୁ ରଥଯାତ୍ରାର ବର୍ଷେ ପୂର୍ବରୁ ପ୍ରାୟ ୨୦ରୁ ଅଧିକ ଉଚ୍ଚସ୍ତରୀୟ ସମୀକ୍ଷା ଓ ପ୍ରସ୍ତୁତି ବୈଠକ କରିଥିଲେ। ସେହି ସମୟରେ ଭକ୍ତମାନଙ୍କ ସମାଗମକୁ ଆଖିରେ ରଖି ବାଲିଘାଟ ଛକରୁ ଗୋପାଳପୁର ଯାଏ ୬ କିଲୋମିଟର ନବକଳେବର ରୋଡ ନିର୍ମାଣ ହୋଇଥିଲା ଏବଂ ଶରଣକୂଳ-ପୁରୀ ଜଗନ୍ନାଥ ସଡ଼କ ନିର୍ମାଣ ହୋଇଥିଲା। ନବୀନବାବୁଙ୍କ ଶାସନ ସମୟରେ ମଧ୍ୟ ନବକଳେବର ହେଲା। ଏହି ସମୟରେ ବ୍ରହ୍ମ ବିଭ୍ରାଟ ହେବା ସହ ନାନାଦି ବିଶୃଙ୍ଖଳା ହେଲା। ଓଡ଼ିଆ ଲୋକେ ସବୁ ସହି ଯାଆନ୍ତି ବୋଲି ନବକଳେବରର ଏତେ ବଡ଼ବିଭ୍ରାଟରେ ମଧ୍ୟ ଚୁପ ରହିଲେ। ତାପରେ ଆସିଲା ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ।
ନବୀନବାବୁଙ୍କ ସରକାର ବେଦାନ୍ତକୁ ଶାଗମାଛ ଦରରେ ପୁରୀ-କୋଣାର୍କ ରାସ୍ତାରେ ଥିବା ବାଲୁଖଣ୍ଡ, ଅଭୟାରଣ୍ୟ, ନଈନାଳ ଏମିତିକି ଶ୍ରୀଜଗନ୍ନାଥଙ୍କ ଦଶ ହଜାର ଏକର ଅମୃତମଣୋହି ଜମିକୁ ବିକିବାକୁ ଷଡ଼ଯନ୍ତ୍ର କରିଥିଲେ। ପ୍ରକୃତରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ହଜାର ହଜାର ଏକର ଜମିର କୌଣସି ଆବଶ୍ୟକତା ନଥିଲା। କିନ୍ତୁ ଜଣେ ଶିଳ୍ପପତିଙ୍କୁ ମୁନାଫା ଦେବାପାଇଁ ଶ୍ରୀ ଜଗନ୍ନାଥଙ୍କ ଅମୃତମଣୋହି ଜମି କିପରି ଦେଇ ଦେବାକୁ ସେ ସରକାର ଚିନ୍ତା କଲେ, ମୁଁ ଭାବି ପାରେ ନାହିଁ। ଏପରିକି ଓଡ଼ିଶାର ହାଇକୋର୍ଟ ସରକାରଙ୍କ ଏ ଷଡ଼ଯନ୍ତ୍ରକୁ ନାପସନ୍ଦ କରି ରାୟ ଦେବା ପରେ ବେଦାନ୍ତ ଜମି ଅଧିଗ୍ରହଣ ଆସକ୍ତି ଦୂରରେ ନରହି ଅର୍ଥ ଖର୍ଚ୍ଚ କରି ସୁପ୍ରିମକୋର୍ଟ ଗଲେ। ସୁପ୍ରିମକୋର୍ଟରେ ସେମାନେ ନିରାଶ ହେବା ପରେ ମୋର ହୃଦ୍ବୋଧ ହେଲା, ସ୍ୱୟଂ ଜଗନ୍ନାଥ ନିଜେ ନିଜର ସମ୍ପତ୍ତିକୁ ଉଦ୍ଧାର କଲେ; କିନ୍ତୁ ଏତେବେଳେ ବି ସାଧାରଣ ଲୋକେ ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟକ୍ତି ଓ ସମାଜ ସବୁବେଳେ ସକାରାତ୍ମକ ସମାଲୋଚକ ହେବା ଆବଶ୍ୟକ। ସରକାରଙ୍କ ସଫଳତାକୁ ଶ୍ରେୟ ଦେବା ସହ ବିଫଳତାକୁ ମଧ୍ୟ ସମାଲୋଚନା କରିବା ଆବଶ୍ୟକ। ଆମର ଓଡ଼ିଶାରେ ନାଗରିକ ସମାଜ ସବୁବେଳେ ନିରବଦ୍ରଷ୍ଟା। ଯାହା ଫଳରେ ସରକାରରେ ଥିବା ବ୍ୟକ୍ତି ବିଶେଷ ଲୋକଙ୍କ ଭାବନା ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। ଏହି ପ୍ରସଙ୍ଗରେ ମୁଁ ବର୍ତ୍ତମାନ ରାଜ୍ୟରେ ଥିବା ବିଜେପି ସରକାର କଥା ଉଲ୍ଲେଖ କରିବି। ଶପଥ ଗ୍ରହଣର ପରବର୍ତ୍ତୀ ଦିନ ଏ ସରକାର ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ତାଙ୍କ ସରକାର ଏକ ସଫଳତା ବୋଲି ଦାବି କରୁଛନ୍ତି। ପ୍ରକୃତ କଥା ହେଲା, ଶ୍ରୀମନ୍ଦିର ଚାରିପାଖରେ ଥିବା ପ୍ରାଚୀନ ମଠ ମନ୍ଦିରକୁ ଭାଙ୍ଗି ବିଜେଡି ସରକାର ଦକ୍ଷିଣ ଭାରତୀୟ ଢାଞ୍ଚାରେ ଏଠାରେ ପରିକ୍ରମା ରାସ୍ତା ନିର୍ମାଣ କଲେ। ଯାହାଫଳରେ ଶ୍ରୀମନ୍ଦିରର ସିଂହଦ୍ୱାର ବାଟେ ସର୍ବସାଧାରଣ ଭକ୍ତ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନୋଟି ରାସ୍ତାରେ ନିର୍ଦିଷ୍ଟ ଲୋକ ଯା’ଆସ କରୁଥିଲେ। ପରିକ୍ରମା ପ୍ରକଳ୍ପ ଶେଷ ହୋଇଥିଲେ ବାଧ୍ୟ ହୋଇ ଅନ୍ୟ ତିନୋଟି ଦ୍ୱାର ସମ୍ପୂର୍ଣ୍ଣ ଖୋଲା ହୋଇଥାନ୍ତା ଓ ଭକ୍ତମାନେ ଯା’ଆସ କରିଥାନ୍ତେ। ସମସ୍ୟା ସେଠି ନାହିଁ। ସମସ୍ୟା ଅଛି ନାଟମଣ୍ଡପରେ ଦର୍ଶନରେ। ଭକ୍ତମାନେ ମନ୍ଦିରକୁ ଥରେ ପଶିଗଲେ ଠେଲା ପେଲା ନ ହୋଇ କେମିତି ଧାଡ଼ିରେ ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ସେକଥା ଏ ସରକାର ଯୋଜନା ନ କରି ଅନ୍ୟ ତିନୋଟି ଦ୍ୱାର ଖୋଲି ଦେବା ଦ୍ୱାରା ଭକ୍ତଙ୍କର କ’ଣ ସୁବିଧା ହେଲା? ଏ ସମ୍ପର୍କରେ ସରକାର କାହା ସହ ଥରୁଟିଏ ଆଲୋଚନା କଲେ କି? କେବଳ ଚାରିଦ୍ୱାର ଖୋଲି ଦେଲୁ ବୋଲି କହିଲେ। ମାତ୍ର ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ଆସୁଥିବା ଶ୍ରଦ୍ଧାଳୁଙ୍କ ଦର୍ଶନ ସମସ୍ୟାର ସମାଧାନ ହୋଇ ପାରିଲା କି? ଏ ସରକାର କ୍ଷମତାକୁ ଆସୁ ଆସୁ ରଥଯାତ୍ରା ହେଲା। ସରକାର ଓ ମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ୱୟ ରହିଲା ନାହିଁ। ଫଳରେ ମନଇଚ୍ଛା ଲୋକେ ରଥରେ ଚଢ଼ିଲେ। ଅଣତାଲିମ ପ୍ରାପ୍ତ ଯୁବକମାନଙ୍କ ଯୋଗୁଁଁ ହେଉ ବା ସମନ୍ୱୟ ଅଭାବରୁ ହେଉ ବଳଭଦ୍ର ଚାରମାଳ ଉପରେ ପଡ଼ିଗଲେ। ଏହା ଏକ ଦୁର୍ଘଟଣା ନିଶ୍ଚୟ। କିନ୍ତୁ ଏହିପରି ଦୁର୍ଘଟଣାର କାରଣ ଖୋଜି ତାହାର ନିରାକରଣ କରାଗଲା କି?
ଶୁଣାଯାଉଛି ଏଥର ଚାରମାଳର ଚଉଡ଼ାକୁ ୨ଫୁଟର ଅଧିକ ବଢ଼ାଯିବ। ଏହା ଦୁର୍ଘଟଣା ରୋକିପାରିବ ତ? ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦଶମାସ ହେଲା ନାହିଁ। ଏଥିରେ ସରକାର ତାଙ୍କର ଯେଉଁ ପ୍ରତିନିଧିମାନଙ୍କୁ ମନୋନୟନ କରିବା କଥା, ତାହା ଏଯାଏ କରିନାହାନ୍ତି। ରଥଯାତ୍ରା ଆସନ୍ନ। ପରିଚାଳନା କମିଟି ନଥିଲେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଚାର ଆଲୋଚନା ହେବ କେମିତି? ପ୍ରତି ଦୁଇମାସରେ ଥରେ ପରିଚାଳନା କମିଟି ବୈଠକ ବସିବାର ବିଧି ଥିବା ବେଳେ, ଗତ ଦଶମାସ ହେଲା, ସରକାର ଶୋଇଛନ୍ତି କାହିଁକି? ଏ କ୍ଷେତ୍ରରେ ଯଦି କୌଣସି ଆଇନଗତ ପ୍ରତିବନ୍ଧକ ଥାଏ, ତାକୁ ଦୂର କରିବା ଦରକାର।
ମୁଁ ଶୁଣିଲି, ଚଳିତବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ନିମନ୍ତ୍ରଣ ପତ୍ର ଛପାଯାଇ କାହାକୁ କାହାକୁ ଦିଆଯାଉଛି। ପତିତପାବନ ଜଗନ୍ନାଥ ବର୍ଷକୁ ଥରେ ପତିତମାନଙ୍କ ସମେତ ସବୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ନିଜେ ବଡ଼ଦାଣ୍ଡକୁ ଆସନ୍ତି। ଯାହାର ଡୋରି ଲାଗେ ସେ ରଥ ଟାଣିବାକୁ ଯାଏ। ଏଥର ଏ ନିମନ୍ତ୍ରଣ କିଏ କରୁଛି? ପ୍ରଭୁ ଜଗନ୍ନାଥ କରୁଛନ୍ତି? ମୋ ମତରେ ସରକାର କିଛି ଗୋଟାଏ ନୂଆ କଥା କରିବେ ବୋଲି ଜଗନ୍ନାଥ ସଂସ୍କୃତିର ଅବମାନନା କରନ୍ତୁ ନାହିଁ। ଆମ ଓଡ଼ିଆ ଘରେ ନଡ଼ିଆ, ଗୁଆ, ଅରୁଆ ଚାଉଳ ଦେଇ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଏ। ଜଗନ୍ନାଥ କାହାକୁ ନିମନ୍ତ୍ରଣ ପତ୍ର ପଠାଇ ରଥଯାତ୍ରା ଦେଖିବାକୁ ଡାକନ୍ତି ନାହିଁ। ଏହାଦ୍ୱାରା ଜଗନ୍ନାଥ ଆଉ ସମସ୍ତଙ୍କ ଠାକୁର ହୋଇ ରହିପାରିବେ ନାହିଁ। ଯାହାପାଖରେ ବାଛ ବିଚାର କିଛି ନାହିଁ, ତାଙ୍କ ରଥଯାତ୍ରା ପାଇଁ ନିର୍ଦିଷ୍ଟ ବ୍ୟକ୍ତି ବିଶେଷକୁ ନିମନ୍ତ୍ରଣ କଲେ ସମଗ୍ର ଭକ୍ତସମାଜକୁ ଅପମାନ ହେବ ନାହିଁ କି? ଏବେ ଓଡ଼ିଶାରେ ହଇଜା ମହାମାରୀ ବ୍ୟାପିଛି। ରଥଯାତ୍ରାକୁ ଲକ୍ଷାଧିକ ଭକ୍ତ ଆସିବେ ଓ ରାସ୍ତାକଡ଼ରେ ଖୋଲିଥିବା ଉଠାଦୋକାନରୁ ଖାଇବେ ଏବଂ ପାଣି ପିଇବେ। ଏପରି ପରିସ୍ଥିତିରେ ସରକାର ନିର୍ଦିଷ୍ଟ ଭାବେ କି କି ପଦକ୍ଷେପ ନେଉଛନ୍ତି, ତାହା ଜନସାଧାରଣ ଜାଣିବା ଦରକାର। ସେ ରଥଯାତ୍ରା ହେଉ କି ସାଧାରଣ ପର୍ବପର୍ବାଣି ହେଉ, ଭକ୍ତମାନଙ୍କ ସୁବିଧାକୁ ସବୁବେଳେ ପ୍ରାଥମିକତା ଦିଆଯିବା ଆବଶ୍ୟକ। କିନ୍ତୁ ସରକାର ବିଭିନ୍ନ ଅଭିଜ୍ଞ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଏପରିକି ମନ୍ଦିର ପରିଚାଳନା କମିଟି ସହ ଆଲୋଚନା ନକଲେ ଆଗକୁ ଆସୁଥିବା ଆହ୍ବାନକୁ କେମିତି ମୁକାବିଲା କରିବେ?
ସରକାରଙ୍କୁ ମୋର ପରାମର୍ଶ ବିଦ୍ୱାନମାନଙ୍କ ସହ ପରାମର୍ଶ କରି ଓ ଅଭିଜ୍ଞମାନଙ୍କ ସହାୟତା ନେଇ ପ୍ରଥମେ ଧାଡ଼ି ଦର୍ଶନକୁ ଶୃଙ୍ଖଳିତ କରନ୍ତୁ। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ତୁରନ୍ତ ଗଠନ କରନ୍ତୁ। ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ କୌଣସି ପ୍ରକାର ଲୋକ ଦେଖାଣିଆ କାର୍ଯ୍ୟକ୍ରମରୁ ବିରତ ରହନ୍ତୁ। ମୁଁ ଏବେ ପରିଣତ ବୟସରେ। ମୋ ପରି ଅନେକ ସାଧାରଣ ଲୋକ ଜଗନ୍ନାଥଙ୍କ ନୀତିକାନ୍ତିରେ ଶୃଙ୍ଖଳା ଚାହାନ୍ତି। କିନ୍ତୁ ସରକାର ଏହାକୁ ଉପେକ୍ଷା କରିବା ଆଦୌ ଉଚିତ ହେଉନାହିଁ। ମୋହନବାବୁ ମୋ ଜିଲାର ମଣିଷ। ଏବେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୋର ତାଙ୍କୁ ପରାମର୍ଶ ଜଗନ୍ନାଥଙ୍କ କୌଣସି କାର୍ଯ୍ୟକ୍ରମକୁ ରାଜନୈତିକ ଦୃଷ୍ଟିରୁ ବିଚାର ନକରି ସମର୍ପିତ ବ୍ୟକ୍ତି ଭାବେ ବିଚାର କରନ୍ତୁ।
ରଥଯାତ୍ରା ପାଇଁ ସରକାର ସଜାଗ ତ?
Popular Categories



