www.samajalive.in
Friday, December 5, 2025
27.1 C
Bhubaneswar

ଅନ୍ତିମ ଜୀବନର ଅନୁଶୋଚନା

ପ୍ରତ୍ୟେକ ମଣିଷର ଜୀବନରେ କିଛି ନା କିଛି ଅନୁଶୋଚନା ରହିଥାଏ ଏବଂ ଏହି କଥାକୁ ସେ କାହିଁକି କରିପାରିଲା ନାହିଁ ସେ ବିଷୟରେ ଚିନ୍ତାକରି ମନଦୁଃଖ ମଧ୍ୟ କରିଥାଏ। ନିଜର ଜୀବନକାଳ ମଧ୍ୟରେ ଆମେ ଯଦି ଏହି ଅନୁଶୋଚନାଗୁଡିକ ଜାଣିପାରିବା ତେବେ ଶେଷ ଜୀବନରେ ଏହା ଆମକୁ କଷ୍ଟ ଦେବ ନାହିଁ। ଅଷ୍ଟ୍ରେଲିଆର ପ୍ରସିଦ୍ଧ ଲେଖିକା ବ୍ରୋନ୍ନି ୱେର୍‌ ତାଙ୍କ ପୁସ୍ତକ ‘ଦ ଟପ୍‌‌ ଫାଇଭ୍‌ ରିଗ୍ରେଟସ ଅଫ୍‌‌ ଦ ଡାଇଙ୍ଗ’ ପୁସ୍ତକରେ ଏ ବିଷୟରେ ବିଶଦ ବର୍ଣ୍ଣନା କରିଛନ୍ତି। ବ୍ରୋନି ଜୀବନରେ ଅନ୍ୟ କାମ କରିବାପରେ ଏକ ପାଲିଆଟିଭ୍‌‌ କେୟାର କେନ୍ଦ୍ରରେ ବହୁ ବର୍ଷ ସେବିକା କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ଏହି ଯତ୍ନକେନ୍ଦ୍ରରେ ସାଧାରଣତଃ ସେହି ରୋଗୀମାନଙ୍କୁ ରଖାଯାଏ, ଯେଉଁମାନଙ୍କର ମୃତ୍ୟୁ ଆସନ୍ନ ଥାଏ। ଏହି ଲୋକଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ସେ ଯେଉଁ ପାଞ୍ଚଟି ମୁଖ୍ୟ ଅନୁଶୋଚନା ସଂଗ୍ରହ କରିଥିଲେ ତାହା ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଧନୀ ଗରିବ ଯେ କୌଣସି ଲୋକ ସମାଜରେ ତାହାର ଯାହା ପ୍ରତିପତ୍ତି ଥାଉ, ହେଲେ ଅନୁଶୋଚନା ପ୍ରାୟ ସମାନ ଥିଲା। ଏହା ଆମ ସମସ୍ତଙ୍କର ମନେ ରଖିବା ଉଚିତ। ଯଦିଚ ଏହି ବିଷୟରେ ବର୍ତ୍ତମାନ ଚିନ୍ତା କରିବା କଷ୍ଟକର ହୋଇପାରେ, ମାତ୍ର ଏହା ହିଁ ଆମକୁ ଶେଷ ଜୀବନରେ ଅନୁଶୋଚନାରୁ ରକ୍ଷା କରିପାରିବ।

ପ୍ରଥମ ଅନୁଶୋଚନାରେ ସେ କହିଥିଲେ, “ମୁଁ ଇଚ୍ଛାକରେ ଯେ ଅନ୍ୟମାନେ ମୋଠାରୁ ଆଶା କରୁଥିବା ଜୀବନ ନୁହେଁ, ମୁଁ ଯେପରି ଚାହୁଁଥିଲି ସେପରି ଜୀବନ ଜିଇବାର ଥିଲା”। ଏହା ଥିଲା ସବୁଠାରୁ ସାଧାରଣ ଅନୁତାପ। ଯେତେବେଳେ ଲୋକମାନେ ଅନୁଭବ କରନ୍ତି ଯେ ସେମାନଙ୍କ ଜୀବନ ପ୍ରାୟ ଶେଷ ହୋଇଗଲାଣି ଏବଂ ସେମାନେ ଯେତେବେଳେ ପଛକୁ ଦେଖନ୍ତି, ସେତେବେଳେ ଏହା ସହଜରେ ଦେଖାଯାଏ ଯେ କେତେ ସ୍ୱପ୍ନ ଅପୂର୍ଣ୍ଣ ରହିଗଲା। ବହୁ ଲୋକଙ୍କ କହିବା ଥିଲା ଯେ ସେମାନେ ନିଜ ଜୀବନର ଅଧିକାଂଶ ନିଷ୍ପତ୍ତି ଅନ୍ୟମାନେ କ’ଣ ଭାବିବେ ତାକୁ ଦେଖି ନେଇଛନ୍ତି ଏବଂ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜର ଇଚ୍ଛାର ବଳିଦାନ କରିଛନ୍ତି। ତେବେ ଦୁଃଖର କଥା ହେଲା ଶେଷ ଜୀବନରେ ଅଧିକାଂଶ ତାଙ୍କ ସହିତ ନାହାନ୍ତି।

- Advertisement -

ଦ୍ୱିତୀୟ ଅନୁଶୋଚନା ହେଲା, ‘ମୁଁ ଇଚ୍ଛାକରେ ଯେ ମୁଁ ଏତେ କଠିନ ପରିଶ୍ରମ କରି ନଥାନ୍ତି’। ଏହାର ଅର୍ଥ ଆଦୌ ନୁହେଁ ଯେ ମଣିଷ ନିଜ ଜୀବନରେ ପରିଶ୍ରମ କରିବା କଥା ନୁହେଁ; କିନ୍ତୁ ପରିଶ୍ରମକୁ ଜୀବନର ଅନ୍ୟ ଦାୟିତ୍ୱ ସହିତ ଭାରସାମ୍ୟ ରଖି କାର୍ଯ୍ୟ କରିଥିଲେ ବୋଧେ ସେମାନେ ଜୀବନକୁ ଆହୁରି ଭଲ ଭାବେ ଉପଭୋଗ କରି ପାରିଥାନ୍ତେ। ଅଧିକାଂଶ ଲୋକଙ୍କ ତୃତୀୟ ଅନୁଶୋଚନା ଥିଲା, ‘ମୁଁ ଇଚ୍ଛାକରେ ଯେ ମୋର ଭାବନା ପ୍ରକାଶ କରିବାର ସାହସ ଥାଆନ୍ତା’। ନିଜର ଜୀବନ କାଳ ମଧ୍ୟରେ ଅନେକ ଏପରି ସମୟ ଆସିଛି ଯେତେବେଳେ ଅନ୍ୟମାନଙ୍କୁ ଖୁସି କରିବା ପାଇଁ ସେମାନେ ନିଜର ଭାବନାକୁ ଦମନ କରିଛନ୍ତି। ଫଳ ସ୍ୱରୂପ ତିକ୍ତତା ଓ ବିରକ୍ତି ସହିତ ଜଡ଼ିତ ଅନେକ ରୋଗରେ ସେମାନେ ପୀଡ଼ିତ ହୋଇଥିଲେ।

ଚତୁର୍ଥ ଅନୁଶୋଚନା ଥିଲା, ‘ମୁଁ ଇଚ୍ଛାକରେ ଯେ ମୁଁ ମୋ ବନ୍ଧୁଙ୍କ ସହିତ ସମ୍ପର୍କରେ ରହିଥାନ୍ତି’। ଅଧିକାଂଶ ଲୋକ ନିଜର କାର୍ଯ୍ୟବ୍ୟସ୍ତତା ଓ ପରିବାର ତଥା ସମାଜର ଦାୟିତ୍ୱ ମଧ୍ୟରେ ବୁଡ଼ି ରହି ନିଜର ବନ୍ଧୁମାନଙ୍କୁ ଭୁଲି ଯାଇଥାନ୍ତି। ଶେଷ ଜୀବନରେ ବୋଧେ ଅଧିକାଂଶଙ୍କୁ ଖୋଜିବା ମଧ୍ୟ ସମ୍ଭବ ନ ଥିଲା। ତେଣୁ ଜୀବନକାଳ ମଧ୍ୟରେ କିଛି ସମୟ ବାହାର କରି ବନ୍ଧୁମାନଙ୍କ ସହିତ ସମ୍ପର୍କ ରଖିଥିଲେ ଭଲ ହୋଇଥାନ୍ତା ବୋଲି ଅନେକ ନିଜର ମତବ୍ୟକ୍ତ କରିଥିଲେ।

ବ୍ରୋନି ନିଜର ଲେଖନୀରେ ଯେଉଁ ଅନୁଶୋଚନାକୁ ପଞ୍ଚମ ସ୍ଥାନ ଦେଇଛନ୍ତି ତାହା ହେଲା “ମୁଁ ଇଚ୍ଛାକରେ ଯେ ମୁଁ ନିଜକୁ ଅଧିକ ଖୁସିହେବାକୁ ଦେଇଥାନ୍ତି”। ଏହି ଅନୁଶୋଚନା ଲେଖିକାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। କାରଣ ଅନେକ ଶେଷ ପର୍ଯ୍ୟନ୍ତ ଅନୁଭବ କରିନଥିଲେ ଯେ ଖୁସି ଏକ ପସନ୍ଦ। ସେମାନେ ପୁରୁଣା ଢାଞ୍ଚା ଏବଂ ଅଭ୍ୟାସରେ ଫସି ରହିଥିଲେ। ପରିତାପର ବିଷୟ ଯେ ସେମାନେ ଯାହାକୁ ଖୁସି ବୋଲି ଭାବୁଥିଲେ, ପରିବର୍ତ୍ତିତ ସମୟରେ ତାହା ତାଙ୍କ ପାଇଁ ଦୁଃଖ ହୋଇଯାଉଥିଲା। ପରିବର୍ତ୍ତନର ଭୟ ସେମାନଙ୍କୁ ବାଧ୍ୟ କରିଥିଲା ଯେ ସେମାନେ ଜୀବନରେ ସନ୍ତୁଷ୍ଟ ଥିଲେ ଏବଂ ଅନ୍ୟମାନଙ୍କୁ ଦେଖାଇବା ପାଇଁ ନିଜ ଚେହେରାରେ ଖୁସି ଜାହିର କରୁଥିଲେ। ଏହା ଏକ ମୂର୍ଖତା ଥିଲା ବୋଲି ସେମାନେ ନିଜର ଶେଷ ଜୀବନରେ ଅନୁଭବ କରି ପାରିଥିଲେ। ବ୍ରୋନ୍ନିଙ୍କ ଏହି ପୁସ୍ତକ ସାରା ପୃଥିବୀରେ ବହୁସଂଖ୍ୟାରେ ବିକ୍ରି ହୋଇଛି। ଏହି ପୁସ୍ତକରୁ ଆମେ ଏତିକି ଶିକ୍ଷାଲାଭ କରିପାରିବା ଯେ ମଣିଷ ଜୀବନର ଶେଷ ସମୟରେ ଯେଉଁ ଅନୁଶୋଚନା ଆସୁଛି ବର୍ତ୍ତମାନ ନିଜ ଜୀବନରେ କିଛି ପରିବର୍ତ୍ତନ ଦ୍ୱାରା ତାକୁ ରୋକାଯାଇ ପାରିବ।
ମହାନ୍ତିପଡ଼ା, ବରଗଡ଼

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories