www.samajalive.in
Monday, December 8, 2025
17.1 C
Bhubaneswar

କେବେ ବୁଝିବା?

କଥାରେ ଅଛି, ସମୁଦ୍ର ନିଜ ପାଖରେ କିଛି ରଖେ ନାହିଁ। ଏହା ହିଁ ବାସ୍ତବତା। ସମୁଦ୍ର ଭିତରକୁ ଯାହା ଯାଇଥାଏ, ଦିନେ ନା ଦିନେ ସେ ସେଗୁଡ଼ିକୁ ତଟଦେଶକୁ ଫେରାଇ ଦେଇଥାଏ। କରୋନା ମହାମାରୀ ସମୟରେ ମହାସାଗର ମଧ୍ୟକୁ ୨୫ ହଜାର ଟନରୁ ଅଧିକ ଆବର୍ଜନା ଯାଇଥିବାର ବିବରଣୀ ଏବେ ସାମ୍ନାକୁ ଆସିବା ପରେ ଚିନ୍ତାର କାରଣ ହୋଇଛି। ପୃଥିବୀର ୧୯୩ଟି ଦେଶରେ କରାଯାଇଥିବା ଅନୁଧ୍ୟାନ ପରେ ଏହି ବିବରଣୀ ପ୍ରକାଶ ପାଇଛି। କରୋନା କାଳରେ ବ୍ୟବହାର କରାଯାଇଥିବା ପିପିଇ କିଟ୍‌, ହାତଗ୍ଲୋଭ୍‌ସ, ତୁଣ୍ଡି ଭଳି ଦ୍ରବ୍ୟର ଆବର୍ଜନା ଏବେ ସମୁଦ୍ର ବକ୍ଷକୁ ପ୍ରଦୂଷିତ କରୁଛି। ଏଗୁଡ଼ିକ ପ୍ରାୟ ୩୬୯ଟି ନଦୀ ମାଧ୍ୟମରେ ସମୁଦ୍ର ମଧ୍ୟକୁ ଯାଇଥିବା ଜଣାପଡ଼ିଛି। ଏଥିରୁ ସ୍ପଷ୍ଟ ଯେ ନଦୀଗୁଡ଼ିକୁ ମଧ୍ୟ ପ୍ରଦୂଷିତ କରିବାକୁ ଆମେ ପଛାଇ ନାହୁଁ। ଏ ସମ୍ପର୍କରେ ମଧ୍ୟ ବିଶେଷ ଅନୁଧ୍ୟାନ କରାଯାଉଛି।
ସମୁଦ୍ର ବା ନଦୀ, ଏଗୁଡ଼ିକର ତଟଦେଶ ହିଁ ମନୁଷ୍ୟର କ୍ରମବିକାଶ​‌ରେ ପ୍ରଧାନ ସହାୟକ ପାଲଟିଥିଲା। ପୃଥିବୀର ସଭ୍ୟତାଗୁଡ଼ିକ ଏଗୁଡ଼ିକର ଆଖପାଖରେ ହିଁ ବିକଶିତ ହୋଇଥିଲା; କିନ୍ତୁ ସେହି ମନୁଷ୍ୟ ହିଁ କ୍ରମେ ତା’ ପାଇଁ କାଳ ସାଜୁଛି। କରୋନା ଭଳି ମହାମାରୀ ବିଶ୍ବବ୍ୟାପୀ ମଣିଷ ସମାଜ ପାଇଁ ଭୟାନକ ବିପତ୍ତି ନେଇ ଆସିଥିବା ସତ୍ତ୍ବେ ସେ ଚେତୁନାହିଁ ଏବଂ ପ୍ରକୃତି ଓ ପରିବେଶକୁ ନଷ୍ଟଭ୍ରଷ୍ଟ କରିଚାଲିଛି। ମଣିଷ ସମାଜର ଏ ଅସାବଧାନତା ଓ ବେପରୁଆ ମନୋଭାବ ଯୋଗୁଁ ସମୁଦ୍ର ଭିତରକୁ ଯାଇଥିବା ହଜାରହଜାର ଟନ ଆବର୍ଜନା କେବଳ ସାମୁଦ୍ରିକ ପରିସଂସ୍ଥା ଓ ଜଳଜୀବଙ୍କର ଅଶେଷ କ୍ଷତି କରୁନାହିଁ; ବରଂ ମଣିଷ ପାଇଁ ମଧ୍ୟ ବିପଦ ପାଲଟୁଛି। ବିବରଣୀରେ କୁହାଯାଇଛି ଯେ ମହାସମୁଦ୍ରକୁ ଯାଇଥିବା ଆବର୍ଜନାରୁ ପ୍ରାୟ ୭୫ ଶତାଂଶ କୂଳକୁ ହିଁ ଫେରିଆସିବ। ନିକଟରେ ଏପରି ଘଟନା ଅନେକ ଦେଶରେ ଦେଖାଯାଇଥିଲା। ସେଠାକାର ସମୁଦ୍ର କୂଳରେ କିଲୋମିଟର କିଲୋମିଟର ବ୍ୟାପୀ ଆବର୍ଜନା ଓ ଜଳଜୀବଙ୍କ ମୃତଦେହମାନ ଭାସିଆସି ଲାଗିଥିବାର ଭୟାନକ ଦୃଶ୍ୟ ପରିବେଶବିତ୍‌ଙ୍କୁ ଚିନ୍ତିତ କରିଛି। ଗତ ମାସରେ ଜାତିସଙ୍ଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ପକ୍ଷରୁ ଏକ ଆକଳନ ବିବରଣୀ ପ୍ରକାଶ ପାଇଥିଲା, ଯେଉଁଥିରେ ଦର୍ଶାଯାଇଛି ଯେ ସମୁଦ୍ରରେ ପ୍ଲାଷ୍ଟିକ୍ ଆବର୍ଜନା ପ୍ରବଳ ମାତ୍ରାରେ ବଢ଼ିଚାଲିଛି ଏବଂ ୨୦୩୦ ମସିହା ସୁଦ୍ଧା ଏହା ଦୁଇଗୁଣ ହୋଇଯିବ। ଯାବତୀୟ ସଚେତନତା, ଆଲୋଚନା, ପର୍ଯ୍ୟାଲୋଚନା ସତ୍ତ୍ବେ କ୍ଷତିକାରକ ପ୍ଲାଷ୍ଟିକ୍‌ର ଉତ୍ପାଦନ ଓ ଉପଯୋଗ ବନ୍ଦ ହୋଇପାରୁ ନାହିଁ। ପ୍ଲାଷ୍ଟିକ୍‌ ବଦଳରେ ସ୍ବୟଂନଷ୍ଟପ୍ରାପ୍ତ ପ୍ଲାଷ୍ଟିକ୍‌ ବ୍ୟବହାର କରିବାପାଇଁ କୁହାଯାଉଥିଲା; କିନ୍ତୁ ତାହା ମଧ୍ୟ ଏ କ୍ଷେତ୍ରରେ ବିଶେଷ ଫଳପ୍ରଦ ହେଉ ନଥିବା ବୈଜ୍ଞାନିକଙ୍କ ମତ, କାରଣ ଏହା ମଧ୍ୟ ସାଧାରଣ ପ୍ଲାଷ୍ଟିକ୍‌ ପରି ହିଁ କ୍ଷତିକାରକ। ପୁଣି ପ୍ରଦୂଷଣ ହ୍ରାସ କରିବାପାଇଁ ପ୍ଲାଷ୍ଟିକ୍‌ର ପୁନଃନବୀକରଣ ପାଇଁ ଚିନ୍ତା କରାଗଲା; କିନ୍ତୁ ଏହା ଯେ ଉକ୍ତ ସମସ୍ୟାର ବାସ୍ତବ ସମାଧାନ ନୁହେଁ, ଏହା ସ୍ପଷ୍ଟ ହେଲାଣି। ଏହି ହେତୁରୁ ପରିବେଶବିତ୍‌ କହୁଛନ୍ତି ଯେ ପ୍ଲାଷ୍ଟିକ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ଏବଂ ତା’ର ବିକଳ୍ପ ବ୍ୟବସ୍ଥାକୁ ଆପଣାଯାଉ।
ଅନ୍ୟପକ୍ଷରେ କେବଳ ମହାସାଗର ନୁହେଁ, ନଦୀଗୁଡ଼ିକ ମଧ୍ୟ ପ୍ରଦୂଷିତ ହୋଇଚାଲିଛି। ଭାରତର ଏପରି କୌଣସି ନଦୀ ନାହିଁ, ଯାହା ପ୍ରଦୂଷଣମୁକ୍ତ। ନିକଟରେ ଯମୁନା ନଦୀରେ ବରଫ ଭଳି ଦୃଶ୍ୟମାନ ବଡ଼ବଡ଼ ଫେଣସବୁ ଭାସୁଥିବା ଦେଖାଯାଇଥିଲା। ଛଠ୍‌ ପୂଜା ଅବସରରେ ମହିଳାମାନେ ସେହି ବିଷାକ୍ତ ନଦୀଜଳ ମଧ୍ୟକୁ ଯାଇ ବୁଡ଼ ପକାଇବାକୁ ବାଧ୍ୟ ହୋଇଥିଲେ। ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଯମୁନା ନଦୀର ପାଣି ଏତେ ଦୂଷିତ ହୋଇସାରିଛି ଯେ ତାହା ପାନୀୟ ଜଳ ପାଇଁ ଉପଯୋଗୀ ହୋଇ ରହିନାହିଁ। କେବଳ ଗଙ୍ଗା କି ଯମୁନା ନୁହେଁ, ଦେଶର ପ୍ରମୁଖ ନଦୀଗୁଡ଼ିକରେ ଶିଳ୍ପ ଓ ବଡ଼ବଡ଼ ଉଦ୍ୟୋଗର ବର୍ଜ୍ୟଜଳ ଛଡ଼ାଯିବା ସହ ବିଭିନ୍ନ ପ୍ରକାରର ଆବର୍ଜନାକୁ ଫିଙ୍ଗାଯାଉଛି। ଏହାର ନିରାକରଣ ପାଇଁ ପଦକ୍ଷେପମାନ ନିଆଯାଉଥିବା ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଉଥିଲେ ହେଁ ତାହା କେବଳ ନାମକୁ ମାତ୍ର। ଏପରିକି ଗଙ୍ଗାକୁ ଅତି ପବିତ୍ର ନଦୀ ବୋଲି କୁହାଯାଉଥିଲେ ହେଁ ତା’ର ସ୍ବଚ୍ଛତା ନେଇ ଯେପରି ଆନ୍ତରିକତା ରହିବା କଥା, ତାହା ଦେଖାଯାଉ ନାହିଁ। ‘ନମାମି ଗଙ୍ଗେ’ ଭଳି ଗଙ୍ଗା ସଫେଇ ଓ ସୁରକ୍ଷା ଯୋଜନା ପାଇଁ କୋଟିକୋଟି ଟଙ୍କା ବ୍ୟୟବରାଦ ହେଉଛି। ଏପରିକି ମୋଦୀ ସରକାର ଏଥିପାଇଁ ସ୍ବତନ୍ତ୍ର ଭାବେ ଜଳସଂପଦ, ନଦୀ ବିକାଶ ମନ୍ତ୍ରଣାଳୟରେ ଗଙ୍ଗା ପୁନରୁଦ୍ଧାରକୁ ବି ଯୋଡ଼ିଥିଲେ। ଗଙ୍ଗା ସଫେଇ ନିମନ୍ତେ କେତେକ ସାଧୁସନ୍ନ୍ୟାସୀ ନିଜର ଜୀବନକୁ ଉତ୍ସର୍ଗ କରିସାରିଛନ୍ତି। ଏହା ସତ୍ତ୍ବେ ଏ ଦିଗରେ ବାଞ୍ଛିତ ସଫଳତା ମିଳୁନାହିଁ। ମୋଟାମୋଟି କହିବାକୁ ଗଲେ ଜୀବଜଗତର ପ୍ରାଣରକ୍ଷକ ଜଳକୁ ଧାରଣ କରିଥିବା ଉତ୍ସ ଓ ସ୍ରୋତଗୁଡ଼ିକୁ ପ୍ରଦୂଷିତ କରି ନିଜ ଗୋଡ଼ରେ ନିଜେ ହିଁ ତ କୁରାଢ଼ି ଚୋଟ ମାରୁଛୁ। ଆମେ ଏହା କେବେ ବୁଝିବା?

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories