ହୋମିଓପାଥି କଲେଜ ଦ୍ୱାରା ରୋଗ ପ୍ରତିଷେଧକ ବୃଦ୍ଧି ଔଷଧ ପ୍ରଦାନ

ସମ୍ବଲପୁର: କରୋନା ରୋଗର ସଂକ୍ରମଣ ଓ ଭୟାବହତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ପାଇଁ ଯୁଦ୍ଧକାଳିନ ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ରୋଗକୁ ପ୍ରତିହିତ କରିବା ପାଇଁ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଶେଷଜ୍ଞ ମାନେ ଆହ୍ୱାନ କରିଆସୁଛନ୍ତି। ରୋଗ ପ୍ରତିଷେଧକ ଶକ୍ତି କମ ଥିବା ବ୍ୟକ୍ତିଙ୍କୁ ଏହି ରୋଗ ସଂକ୍ରମଣର ଆଶଙ୍କା ସର୍ବାଧିକ ବୋଲି ଚିକିତ୍ସକ ଓ ଗବେଷକ ମାନେ ମତବ୍ୟକ୍ତ କରୁଛନ୍ତି। ହୋମିଓପାଥିକ ଚିକିତ୍ସକ ମାନେ ହୋମିଓପାଥିରେ ଏଭଳି ଏକ ଔଷଧ ରହିଛି ଯାହା ମଣିଷର ଶରୀରରେ ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ଏହା ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଦ୍ୱାରା ସ୍ୱିକୃତିପ୍ରାପ୍ତ ମଧ୍ୟ ଅଟେ। ଚଳିତ ବର୍ଷ ରଥଯାତ୍ରା ସମୟରେ ମଧ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ପୁରୀରେ ୨୭ ଶହରୁ ଉର୍ଦ୍ଧ ସେବାୟତ ମାନଙ୍କୁ ମଧ୍ୟ ଏହି ଔଷଧ ବିତରଣ କରାଯାଇଥିଲା।

ଏଣୁ ଓଡିଶା ମେଡିକାଲ କଲେଜ ଅଫ ହୋମିଓପାଥିକ ଆଣ୍ଡ ରିସର୍ଚ୍ଚ, ସମ୍ବଲପୁର ତରଫରୁ କରୋନା ଯୋଦ୍ଧା ଭାବରେ ଘୋଷିତ ସ୍ୱାସ୍ଥ୍ୟକର୍ମୀ, ପୁଲିସ, ଗଣମାଧ୍ୟମ ଓ ଅନ୍ୟାନ୍ୟ ଅନୁଷ୍ଠାନର କାର୍ଯ୍ୟରତ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଠିକ ରଖିବା ଓ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଲକ୍ଷ୍ୟ ନେଇ ‘ଆର୍ସେନିକ ଆଲବମ ୩୦’ ଔଷଧ ବିତରଣ କରାଯାଉଛି। କଲେଜର ଅଧ୍ୟକ୍ଷ ପ୍ର. ଡା. ରାଜେନ୍ଦ୍ର କୁମାର ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡା. ଶଙ୍କର୍ଷଣ ସାହୁ, ଡା. ନିବେଦିତା ଶତପଥୀ, ଡା. ଦୀପ୍ତିକାନ୍ତ ସିଂହ ପ୍ରମୁଖ ଔଷଧ ନିର୍ମାଣ ପରିଚାଳନା କରୁଛନ୍ତି। ବିତରଣ କାର୍ଯ୍ୟ କଲେଜର ଛାତ୍ର ସଂସଦର ସଭାପତି ସନ୍ଦୀପ କୁମାର ଚକ୍ରଙ୍କ ନେତୃତ୍ୱରେ ଚାଲିଛି। ଏହି କ୍ରମରେ ଛାତ୍ର ସଂସଦ ସଭାପତି ସନ୍ଦୀପ ଗୁରୁବାର ‘ସମାଜ’ର ମୋଦିପଡା ସ୍ଥିତ ରାଧାନାଥ ରଥ କମ୍ୟୁନିଟୀ ସେନ୍ଟର ସ୍ଥିତ କାର୍ଯ୍ୟାଳୟକୁ ଆସି ଅନୁଷ୍ଠାନର କର୍ମଚାରୀ ଓ ତାଙ୍କର ପରିବାରବର୍ଗଙ୍କ ପାଇଁ ୩୫୦ ବୋତଲ ସମ୍ବଳିତ ଔଷଧ ପ୍ୟାକେଟ ସମ୍ବଲପୁର ସଂସ୍କରଣ ପ୍ରମୁଖ କିଶୋର ସାହୁଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ କଲେଜର ଶେଷ ବର୍ଷର ଛାତ୍ର ରଞ୍ଜିତ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ମହତ କାର୍ଯ୍ୟ ପାଇଁ କଲେଜର କତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନଙ୍କୁ ସମାଜ ପକ୍ଷରୁ ସାଧୁବାଦ ଦିଆଯାଇ ଉତ୍ସାହିତ କରାଯାଇଛି। ଇତି ମଧ୍ୟରେ କଲେଜ ତରଫରୁ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟ, ସମ୍ବଲପୁର ଓକିଲ ସଂଘ, ବିଭିନ୍ନ ଗଣମାଧ୍ୟମ କାର୍ଯ୍ୟାଳୟ, ବିଶାଲଖିଣ୍ଡା ଗ୍ରାମ ସମେତ ବହୁ ଅଞ୍ଚଳରେ ଏହି ଔଷଧ ବିତରଣ କରାଯାଇ ସାରିଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ବୋଲି ବିତରଣ କାର୍ଯ୍ୟର ତ୍ତୃତ୍ୱ ନେଉଥିବା ଛାତ୍ର ସଂସଦର ସଭାପତି ସନ୍ଦୀପ କହିଛନ୍ତି।

Comments are closed.