www.samajalive.in
Friday, December 5, 2025
20.1 C
Bhubaneswar

୨୫ବର୍ଷ ପରେ ପୁନଃ ସାଳନ୍ଦୀ ସଂସ୍କାର !

ଭଦ୍ରକ: ୨୫ ବର୍ଷ ପରେ ସାଳନ୍ଦୀ ନଦୀର ହେବ ପୁନଃ ସଂସ୍କାର। କେନ୍ଦ୍ର ସରକାରଙ୍କ ଏଫଏମବିଏପି (ଫ୍ଲଡ ମ୍ୟାନେଜମେଣ୍ଟ ଆଣ୍ଡ ବୋର୍ଡର ଏରିଆ ପ୍ରୋଗ୍ରାମ)ରେ ସାମିଲ ହୋଇଥିବା ଏହି ସଂସ୍କାର ପ୍ରସ୍ତାବକୁ ମିଳିଛି ସବୁଜ ସଂକେତ। ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ସଂସ୍କାର ପ୍ରକଳ୍ପରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତି ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି।
ସୂଚନା ଥାଉକି, ୧୯୯୯ ମହାବାତ୍ୟା ପରେ ସାଳନ୍ଦୀ ସଂସ୍କାର କଥା ଜଳ ସମ୍ପଦ ବିଭାଗ ଖିଆଲକୁ ଆସିଥିଲା। ମହାବାତ୍ୟା ସମୟରେ ସାମୁଦ୍ରିକ ଜୁଆର ନୁହେଁ, ବରଂ ହଦଗଡ଼ ଜଳଭଣ୍ଡାରରୁ ନିଷ୍କାସିତ ଜଳ ସାରା ଜିଲାରେ ପ୍ରଳୟ କରିଥିଲା।

ଶତାଧିକ ଲୋକଙ୍କ ଜୀବନହାନି ସହିତ ଅକଳନୀୟ କ୍ଷୟକ୍ଷତି ହୋଇଥିଲା। ଏହାପରେ ଜଳସମ୍ପଦ ବିଭାଗ ପକ୍ଷରୁ ସାଳନ୍ଦୀ ନଦୀର ଖନନ(ସଂସ୍କାର) କଥା ଚିନ୍ତା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ତ୍ୱରିତ ଜଳସେଚନ ଯୋଜନା (ଏଆଇବିପି)ରେ ୧୦୦ କୋଟି ଟଙ୍କା ଅନୁଦାନ ମିଳିଥିଲା। ସେତେବେଳେ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇ ନଦୀପଠାରୁ ଜବରଦଖଲ ଉଚ୍ଛେଦ, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଆଦି ପ୍ରସଙ୍ଗକୁ ନେଇ ବିବାଦୀୟ ସ୍ଥିତି ଉପୁଜିଥିଲା। ଏହି କାରଣରୁ ନଦୀ ଶଯ୍ୟା ଯେତିକି ଓସାରର ଖନନ ହେବା କଥା, ତାହା ହୋଇପାରି ନଥିଲା। ମିଳିଥିବା ଅନୁଦାନ ଫେରି ନଯିବା ନ୍ୟାୟରେ ସାଳନ୍ଦୀ ନଦୀରେ ଅନେକଗୁଡ଼ିଏ ସେତୁ ନିର୍ମାଣ କରି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିଲା। କହିବାକୁ ଗଲେ ପ୍ରଥମ ସାଳନ୍ଦୀ ସଂସ୍କାର ସମ୍ପୂର୍ଣ୍ଣ ହୋଇ ନଥିଲା। ଏବେ ୨୫ ବର୍ଷ ପରେ ପୁନଃ ସଂସ୍କାରର ଆବଶ୍ୟକତା ଅନୁଭୂତ ହେଲାଣି। ସଂପ୍ରତି ହଦଗଡ଼ ଜଳଭଣ୍ଡାରରୁ ଗୋଟିଏ ଫାଟକ ଖୋଲିଲେ ବି ଭଦ୍ରକର ତଳିଆ ଅଞ୍ଚଳରେ ବନ୍ୟା ଆସୁଛି। ନଦୀଶଯ୍ୟା କ୍ରମଶଃ ସଂକୁଚିତ ଓ ପୋତି ହୋଇପଡ଼ିଥିବା କାରଣରୁ ଏଭଳି ପରିସ୍ଥିତି ଆସୁଛି।

- Advertisement -

ଉଲ୍ଲେଖନୀୟ ଯେ, ସାଳନ୍ଦୀ ନଦୀର ହଦଗଡ଼ଠାରେ ଜଳଭଣ୍ଡାର ସହିତ ବିଦ୍ୟାଧରପୁରରେ ଏକ ବ୍ୟାରେଜ ରହିଛି, ଯାହା ଜଳସେଚନ ଲାଗି କେନାଲ ଜଳକୁ ନିୟନ୍ତ୍ରଣ କରୁଛି। ବିଦ୍ୟାଧରପୁର ବ୍ୟାରେଜରୁ ନଦୀ ଜଳ ସାଳନ୍ଦୀ ବାମ ଓ ଡାହାଣ ପାର୍ଶ୍ବର ଯଥାକ୍ରମେ ୪୫,୭୨୦ ଏବଂ ୩୯,୫୪୫ ହେକ୍ଟର ଜମିକୁ ଜଳସେଚିତ କରୁଛି। ଭଦ୍ରକ ଓ ବାଲେଶ୍ୱର ଜିଲାର ବିସ୍ତୃତ ଅଞ୍ଚଳର ଚାଷୀ ଏଥିରୁ ଉପକୃତ ହେଉଛନ୍ତି। ମାତ୍ର ଏବେ ଜୁନରୁ ଅଗଷ୍ଟ ମାସ ଭିତରେ ‘ରୁଲକର୍ଭ’ ଅନୁଯାୟୀ ଜଳଭଣ୍ଡାରର ଫାଟକ ଖୋଲାଗଲେ ନଦୀର ତଳିଆ ଅଞ୍ଚଳରେ ବନ୍ୟା ଆସୁଛି ଓ ଚାଷଜମିର ଫସଲ ବି କ୍ଷତିଗ୍ରସ୍ତ ହେଉଛି। ଜଳଭଣ୍ଡାର ନିର୍ମାଣ ବେଳେ ସାଳନ୍ଦୀରେ ସେକେଣ୍ଡ ପ୍ରତି ୧ ଲକ୍ଷ ୩ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେବାର କ୍ଷମତା ଥିବା ବେଳେ ଏବେ ୩ ହଜାର କ୍ୟୁସେକ୍‌ ଜଳ ବି ବନ୍ୟାର କାରଣ ସାଜୁଛି। ଏହି ପରିପ୍ରେକ୍ଷୀରେ ନଦୀ ସଂସ୍କାର ହିଁ ଏକମାତ୍ର ବିକଳ୍ପ ହୋଇଛି। ନିକଟରେ କେନ୍ଦ୍ରୀୟ ଜଳ ବୋର୍ଡ ପକ୍ଷରୁ ରାଜ୍ୟର ବିଭିନ୍ନ ଡିଭିଜନରେ ୨୧ଟି ବନ୍ୟା ନିୟନ୍ତ୍ରଣ ପ୍ରସ୍ତାବକୁ ସବୁଜ ସଂକେତ ମିଳିଛି। ଏଥିପାଇଁ ୨୫୭୨ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରହିଛି। ତହିଁରେ ସାଳନ୍ଦୀ ସଂସ୍କାର ପାଇଁ ୩ ଶହ କୋଟି ଟଙ୍କା ରହିଥିବା ସୂଚନା ମିଳିଛି। ଏଥିପାଇଁ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତି ଲାଗି ମଧ୍ୟ ନିର୍ଦ୍ଦେଶ ଆସିଛି। ଗତ ସପ୍ତାହରେ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରାରମ୍ଭିକ କ୍ଷେତ୍ରୀୟ ଅନୁଦାନ ସାରିଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ଯୋଜନା କାର୍ଯ୍ୟକାରୀ ହେଲେ ସାଳନ୍ଦୀ ରେ ଆଉ ବନ୍ୟା ଭୟ ରହିବ ନାହିଁ ଓ ଜଳସେଚନ କ୍ଷମତା ମଧ୍ୟ ବଢ଼ିବ ବୋଲି କୁହାଯାଉଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories