ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆଦିଲ୍ଲୀରେ ଦୁଇଟି ମେଗା ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିମଧ୍ୟରେ ଦ୍ବାରକା ଏକ୍ସପ୍ରେସୱେ (ଦିଲ୍ଲୀ ସେକ୍ସନ) ଏବଂ ଅର୍ବାନ ଏକ୍ସଟେନସନ ରୋଡ-୨ ସାମିଲ ରହିଛି। ୧୧,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାଫଳରେ ଦିଲ୍ଲୀ-ଏନସିଆରରେ ଉପୁଜିଥିବା ଟ୍ରାଫିକ ସମସ୍ୟା ୫୦ ପ୍ରତିଶତ ଦୂର ହୋଇପାରିବ ବୋଲି ମୋଦୀ ତାଙ୍କ ଭାଷଣରେ କହିଛନ୍ତି। ଏହି ଅବସରରେ ମୋଦୀ ଆହୁରି କହିଛନ୍ତି ଯେ ବିଗତ ୧୧ ବର୍ଷ ମଧ୍ୟରେ ଦିଲ୍ଲୀ-ଏନସିଆରରେ ଗମନା ଗମନ ବ୍ୟବସ୍ଥା ସୁସଂଗଠିତ ହୋଇପାରିଛି। ବର୍ତ୍ତମାନ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାରୁ ଏହି ବ୍ୟବସ୍ଥା ଅଧିକ ଲୋକାଭିମୁଖୀ ହୋଇପାରିଛି। ଅର୍ବାନ ଏକ୍ସଟେନସନ ରୋଡ୍ ଜରିଆରେ ଦିଲ୍ଲୀ/ଏନସିଆରର ବର୍ଜ୍ୟବସ୍ତୁ ସହଜରେ ଅନ୍ୟତ୍ର ସ୍ଥାନାନ୍ତର ହୋଇପାରିବ ବୋଲି କୁହାଯାଇଛି। ୫୩୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦ୍ବାରକା ଏକ୍ସପ୍ରେସୱେର ୧୦.୧ କିମି ରାସ୍ତାକୁ ମୋଦୀ ଉଦ୍ଘାଟନ କରିଛନ୍ତି। ଏହାଦ୍ବାରା ଯଶୋଭୂମି, ଦିଲ୍ଲୀ ମେଟ୍ରୋର ବ୍ଲୁ ଓ ଅରେଞ୍ଜ ଲାଇନ, ନିର୍ମାଣାଧୀନ ବିଜ୍ବସାନ ରେଳଷ୍ଟେସନ ଏବଂ ଦ୍ବାରକା କ୍ଲଷ୍ଟର ବସ୍ ଡିପୋ ମଧ୍ୟରେ ସଂଯୋଗୀକରଣ ସମ୍ଭବ ହୋଇପାରିବ। ଅପରପକ୍ଷରେ ୫୫୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୫ କିମି ଦୈର୍ଘ୍ୟ ବିଶିଷ୍ଟ ଅର୍ବାନ ଏକ୍ସଟେନସନ ରୋଡ୍-୨ ୪୪ ନମ୍ବର ଜାତୀୟ ରାଜପଥରୁ ଆରମ୍ଭ ହୋଇଛି। ଏହା ରୋହିଣୀ, ମୁଣ୍ଡ୍କା, ନଜଫଗଡ, ଦ୍ବାରକା ଦେଇ ମହିପାଲପୁର ନିକଟସ୍ଥ ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେ ସହ ସଂଯୋଗ ହୋଇଛି।
ଏହି ଅବସରରେ ମୋଦୀ ଦିଲ୍ଲୀରେ କ୍ଷମତାସୀନ ରେଖା ଗୁପ୍ତାଙ୍କ ସରକାରକୁ ପ୍ରଶଂସା କରିଛନ୍ତି। ଦିଲ୍ଲୀରେ ବିଜେପି ସରକାର କ୍ଷମତାକୁ ଆସିବାର ଅଳ୍ପ ଦିନ ମଧ୍ୟରେ ଯମୁନା ନଦୀରୁ ୧୬ ଲକ୍ଷ ମେଟ୍ରିକ ଟନ୍ ବର୍ଜ୍ୟବସ୍ତୁ ହଟାଇ ଦିଆଯାଇଥିବା ବାସ୍ତବିକ ପ୍ରଶଂସନୀୟ ବୋଲି ମୋଦୀ କହିଛନ୍ତି। ଇତିମଧ୍ୟରେ ଦିଲ୍ଲୀରେ ୬୫୦ ଦେବୀ ଇଲେକ୍ଟ୍ରିକ ବସ୍ ଚଳାଚଳର ଶୁଭାରମ୍ଭ କରାଯାଇଛି। ଏହାକୁ ମିଶାଇ ସହରରେ ବିଦ୍ୟୁତ୍ଚାଳିତ ବସ୍ ସଂଖ୍ୟା ୨୦୦୦ ଅତିକ୍ରମ କରିଛି। ଅଧିକ ସଂଖ୍ୟକ ଇଲେକ୍ଟ୍ରିକ୍ ବସ ଚଳାଚଳ ଯୋଗୁଁ ସହରରେ ପ୍ରଦୂଷଣ ମାତ୍ରା ହ୍ରାସ ପାଉଥିବା ମୋଦୀ କହିଛନ୍ତି। ମୋଦୀ ତାଙ୍କ ଭାଷଣରେ ପୂର୍ବର ଆପ୍ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ଦିଲ୍ଲୀବାସୀଙ୍କ ସମସ୍ୟାର ସମାଧାନ ଦିଗରେ ଆପ୍ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ ବିଜେପି ସରକାର ସହରର ନକ୍ସା ପରିବର୍ତ୍ତନ କରିପାରିଛନ୍ତି। ସେ ଆହୁରି କହିଛନ୍ତି ଯେ କିଛି ମାସ ପୂର୍ବେ ତତ୍କାଳୀନ ଆପ୍ ସରକାର କହୁଥିଲେ ଯେ ହରିୟାଣାର ଲୋକମାନେ ହେଉଛନ୍ତି ଦିଲ୍ଲୀର ପରମ ଶତ୍ରୁ। ସେମାନେ ଯମୁନା ନଦୀଜଳରେ ବିଷ ମିଶାଉଥିବାରୁ ଏହା ବିଷାକ୍ତ ହେଉଛି ବୋଲି ଆପ୍ ଅପପ୍ରଚାର ଚଳାଇଥିଲା। ବର୍ତ୍ତମାନ ଦିଲ୍ଲୀ ଓ ଏନସିଆର ଏଭଳି କୁତ୍ସିତ ରାଜନୀତିରୁ ବର୍ତ୍ତି ଯାଇଥିବା ମୋଦୀ କହିଛନ୍ତି। ରେଳ ଚଳାଚଳ ପ୍ରସଙ୍ଗରେ ମଧ୍ୟ ଦିଲ୍ଲୀ ଆଗୁଆ ରହିଥିବା ସେ କହିଛନ୍ତି। ବନ୍ଦେ ଭାରତ ଓ ନମୋ ଭାରତ ଭଳି ଅତ୍ୟାଧୁନିକ ଟ୍ରେନ ଚଳାଚଳ ସାଙ୍ଗକୁ ଅଧିକ ସଂଖ୍ୟକେରଳଷ୍ଟେସନ ନିର୍ମାଣ କରାଯାଉଥିବାରୁ ସାଧାରଣ ଲୋକେ ଏଥିରୁ ଅଧିକ ଉପକୃତ ହେବେ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ମଧ୍ୟ ଉପସ୍ଥିତ ଥିଲେ।
ଦ୍ବାରକା ଏକ୍ସପ୍ରେସୱେ ଉଦ୍ଘାଟନ କଲେ ମୋଦୀ
Popular Categories



