‘ମଣିଷର ବ୍ୟଥା ଓ ବେଦନାରୁ ସାହିତ୍ୟର ସୃଷ୍ଟି’

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌‌ଗାତା ପାଇଲେ ‘ସାହିତ୍ୟ ଭାରତୀ ସମ୍ମାନ’

କଟକ : ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ କଳାବିକାଶ କେନ୍ଦ୍ରଠାରେ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋହ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମଣିଷର ବ୍ୟଥା ଓ ବେଦନାରୁ ସାହିତ୍ୟ ସୃଷ୍ଟି ହୋଇଥାଏ। ଭାଷା ସାହିତ୍ୟ ଓ ସଂସ୍କୃତି ଗୋଟିଏ ଜାତିର ସ୍ୱାଭିମାନର ପ୍ରତୀକ ବୋଲି ବହୁ ବିଶିଷ୍ଟବ୍ୟକ୍ତି ମତପ୍ରକାଶ କରିଛନ୍ତି। ଗଙ୍ଗାଧର ରଥ ଫାଉଣ୍ଡେସନର ଟ୍ରଷ୍ଟି ଡ. ଜୟନ୍ତ ରଥ ସମାରୋହରେ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଚାରପତି ଡ. ବିଦ୍ୟୁତରଞ୍ଜନ ଷଡଙ୍ଗୀ ଯୋଗଦେଇ ସାହିତ୍ୟର ବିକାଶ ଓ ସାହିତ୍ୟିକଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରମୁଖ ଭୂମିକା ଗ୍ରହଣ କରି ଅାସିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ଜୀବିତ ଥିବା ସମୟରେ ସାହିତ୍ୟ ତଥା ସାହିତ୍ୟିକମାନଙ୍କ ପାଇଁ ଏଭଳି ଏକ ଅନନ୍ୟ ଉଦ୍ୟମ କରିଯାଇଛନ୍ତି ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବି ଡ. ଅପର୍ଣ୍ଣା ମହାନ୍ତି ଯୋଗଦେଇ ସାହିତ୍ୟ ଏକ ଅ।ଧ୍ୟାତ୍ମିକ ଶକ୍ତି। ସାହିତ୍ୟିକଙ୍କୁ ଦ୍ବିତୀୟ ଇଶ୍ବର ବୋଲି କୁହାଯାଏ। ସାହିତ୍ୟର ଚରିତ୍ର ଥାଏ। ଏହା ମାନବତାକୁ ଉତ୍ତରଣକୁ ନେଇଯାଏ। ସାହିତ୍ୟ ସବୁବେଳେ ବେଦନାର ଭାଷାକୁ ରୂପାୟିତ କରିଥାଏ। ମଣିଷ ଯେତେବେଳେ ସଭ୍ୟ ହେଲା ସେତେବେଳେ ସାହିତ୍ୟକୁ ଚିହ୍ନିଲା ବୋଲି କହିଥିଲେ। ଏହି ଅବସରରେ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ ସମ୍ମାନ’ ବିଶିଷ୍ଟ ସାହିତ୍ୟ ସାଧକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌‌ଗାତାଙ୍କୁ ପ୍ରଦାନ କରାଯାଇଥିଲା। ତାଙ୍କୁ ସମ୍ମାନ ସ୍ୱରୂପ ମାନପତ୍ର, କୋଣାର୍କ ମନ୍ଦିରର ଏକ ଫଳକ ଏବଂ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ପଦ୍ମଶ୍ରୀ ଉଦ୍‌‌ଗାତା ଏପର୍ଯ୍ୟନ୍ତ ୩୨୩ ପୁସ୍ତକ ରଚନା କରିବା ସହିତ ଅନେକ ଅନୁବାଦ ପୁସ୍ତକ ରଚନା କରିଛନ୍ତି। ଏତଦ୍‌ ବ୍ୟତୀତ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’, କବି ଭଗବାନ ଜୟସିଂହଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ସମ୍ମାନ’, ବିଶିଷ୍ଟ କଥାକାର ମାନସୀ ଦାସଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ଓ ରୌପ୍ୟ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଡ. ମୌସୁମୀ ପରିଡ଼ା ଏବଂ ସାମ୍ବାଦିକ ରବିନାରାୟଣ ଦାଶଙ୍କୁ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଡ. ବିଜୟାନନ୍ଦ ସିଂହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଫାଉଣ୍ଡେସନର ସମ୍ପାଦକ ସୁସ୍ମିତା ରଥ ଧନ୍ୟବାଦ ଅର୍ପଣ କରିଥିଲେ। ବନ୍ଦିତା ଦାଶ, ବିଦ୍ୟୁତମଞ୍ଜରୀ ପ୍ରଧାନ, ଲିପ୍‌‌ସିତା ରଥ ମାନପତ୍ର ପାଠ କରିଥିଲେ। ଅଳକା ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଇନଜୀବୀ ସଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.