ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ କ୍ଷତିଗ୍ରସ୍ତ ଜମାକାରୀ ଓ ସାହାରା ପ୍ରବନ୍ଧକଙ୍କ ଆଲୋଚନା

ସାହାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ୨ ସପ୍ତାହ ଭିତରେ ବ୍ୟବସ୍ଥା ଗ୍ରହଣ କରିବ

ଗୁରୁଡିଝାଟିଆ :  ଅଭାବୀ ଗରିବ ଜନସାଧାରଣ ମୂଲ ଲାଗି, ଦୋକାନ କରି ନିଜ ପୁଅ ପାଠପଢା ଓ ଝିଅ ବାହାଘର ପାଇଁ ଖୁଣ୍ଟୁଣୀ ସାହାରା ଶାଖାରେ ଟଙ୍କା ଜମା କରିଥିଲେ । ଟଙ୍କା ଜମା କରିବାର ଅବଧି ସୀମା ପୁରିଯାଇଥିଲେ ମଧ୍ୟ ବ୍ୟାଙ୍କର ପ୍ରବନ୍ଧକ ଜମାଟଙ୍କାର ସୁଧମୂଳ ଫେରାଉ ନାହାନ୍ତି। ଆଜି ଦେବି କାଲିଦେବି କହି ସମୟ ଗଡାଉଛନ୍ତି । ଏଥିରେ ଅସନ୍ତୋଷ ପ୍ରକାଶ କରି କ୍ଷତିଗ୍ରସ୍ତ ଜମାକାରୀମାନେ ଖୁଣ୍ଟୁଣୀ ସାହାରା ଶାଖା କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ଆଗଠଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ଓ ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଏହାପରେ ଶାଖାର ପରିଚାଳକ,ଏଜେଣ୍ଟ, କ୍ଷତିଗ୍ରସ୍ତ ଜମାକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦାସ, ଥାନା ଅଧିକାରୀ ଶ୍ରୀ ଖୁଣ୍ଟୁିଆ ସମ୍ମିଳିତ ଭାବରେ ଆଲୋଚନା କରିଥିଲେ। ଖୁଣ୍ଟୁଣୀ ଶାଖା ଅଧିନରେ କେଉଁ ଜମାକାରୀମାନେ କେତେଟଙ୍କା ଜମା ଦେଇଛନ୍ତି ତାହାର ବିସ୍ତୃତ ତାଲିକା ପ୍ରକାଶ କରିବା, ଜମାକାରୀଙ୍କ ଠାରୁ ପଇସା ଆଦାୟ ନକରିବା ସହିତ କିଭଳି ଜମାକାରୀମାନେ ସେମାନଙ୍କ ସଞ୍ଚିତ ଅର୍ଥ ପାଇପାରିବେ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ପ୍ରକାଶଯୋଗ୍ୟ ପ୍ରାୟ ୭୦ କୋଟିରୁ ଅଧିକ ଟଙ୍କା ସ୍ଥାନୀୟ ପଞ୍ଚାୟତର ଜନସାଧାରଣ ନିଜର ଭବିଷ୍ୟତକୁ ଦୃଷ୍ଟିରେ ରଖି ଖୁଣ୍ଟୁଣୀ ଶାଖାରେ ଜମା ଦିଆଯାଇଥିବା ଜଣାଯାଏ। ସ୍ଥାନୀୟ ଶାଖା ପରିଚାଳକ ଓ ଏଜେଣ୍ଟମାନେ ବହୁ ବେନିୟମ କାର୍ଯ୍ୟକରିଥିବାର କ୍ଷତିଗ୍ରସ୍ତ ଜମାକାରୀମାନେ କହିବାକୁ ପଛାଇନଥିଲେ ।

Comments are closed.