ସାଧନାକୁ ସମ୍ମାନ

0

ଭୁବନେଶ୍ୱର: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକର ଏକ ଚାଷୀ ପରିବାର ଶେଷା କିଶାନ ଏବେ ଅନ୍ତର୍ଜାତୀୟସ୍ତରରେ ନିଜର ସାଧନାର ପରିଚୟ ଦେଇଛନ୍ତି। ଅସାଧାରଣା ପ୍ରତିଭା, ଦୃଢ଼ ମନୋବଳ ଯୋଗୁଁ ଶ୍ରୀ କିଶାନ ଜର୍ମାନୀର ଗଟିନ୍‍ଜେନ୍‍ ବିଶ୍ୱବିଦ୍ୟାଳୟରେ ମାସକୁ ୨ଲକ୍ଷ ଟଙ୍କାର ବୃତ୍ତିରେ ରିସର୍ଚ୍ଚ ଆସୋସିଏଟ୍‍ ଭାବେ ଯୋଗଦାନ କରିଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହ ବୁଧବାର ସଚିବାଳୟରେ ଶ୍ରୀ କିଶାନଙ୍କୁ ଓଡ଼ିଶା ଖଣି ନିଗମ ପକ୍ଷରୁ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀ କିଶାନ ରାଜ୍ୟବାସୀଙ୍କ ପାଇଁ ପ୍ରେରଣାର ଉତ୍ସ। ସେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ପ୍ରକାଶଥାଉକି, ବାଲ୍ୟକାଳରୁ ଶ୍ରୀ କିଶାନ ମା’ଙ୍କୁ ହରାଇଥିଲେ ହେଁ କଠିନ ଅଧ୍ୟବସାୟରୁ ଓହରି ନଥିଲେ। ଛୋଟିଆ ଗାଁ ବଳସିଂହାରେ ଚାଟଶାଳୀରୁ ପାଠ ଆରମ୍ଭ କରିଥିଲେ। ଗରିବ ଥିବାରୁ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ହିଁ ତାଙ୍କ ପାଠପଢ଼ାରେ ଆଗ୍ରହ ସୃଷ୍ଟି କରିଥିଲା। ପାଠପଢ଼ା ସହିତ ବାପାଙ୍କ ସାଥୀରେ ବିଲବାଡି କାର୍ଯ୍ୟରେ ମଧ୍ୟ ସେ ସହଯୋଗ କରୁଥିଲେ। କ୍ରମାଗତ ଭାବେ ୫ବର୍ଷ ବଳସିଂହା ସେବାଶ୍ରମ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ଛାତ୍ର ପୁରସ୍କାର ପାଇଥିଲେ। ଦ୍ୱାଦଶ ଶ୍ରେଣୀରେ ନେଷ୍ଟ (ନେସ୍‍ନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ)ରେ ସଫଳ ହୋଇଥିଲେ ମଧ୍ୟ ପିତାଙ୍କ ଦେହାନ୍ତ ଯୋଗୁଁ ଉଚ୍ଚଶିକ୍ଷା ଲାଗି ନାଇଜରରେ ନାମ ଲେଖାଇପାରିଲେନାହିଁ। ପରେ ଭୁବନେଶ୍ୱରରେ ରିଜିଓନାଲ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏଡୁକେସନରେ ନାମ ଲେଖାଇଥିଲେ। ଏହାପରେ ନାଇଜରରୁ ପୁନଶ୍ଚ କୃତକାର୍ଯ୍ୟ ହୋଇ ନାମ ଲେଖାଇଥିଲେ। ତାଙ୍କ ଦ୍ୱାରା ଗବେଷଣାତ୍ମକ ପ୍ରବନ୍ଧ ଆମେରିକାର ବିଭିନ୍ନ ଜର୍ଣ୍ଣାଲରେ ପ୍ରକାଶିତ ପରେ ସେ ଜର୍ମାନୀର ଗଟିନଜେନ୍‍ସ୍ଥିତ ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟରେ ଜଣେ ରିସର୍ଚ୍ଚ ଆସୋସିଏଟ୍‍ ଭାବେ ଯୋଗଦାନ ପାଇଁ ମନୋନୀତ ହୋଇଛନ୍ତି। ସେଠାରେ ଶ୍ରୀ କିଶାନ ମାସିକ ୨୧୫୮ ୟୁରୋ ବୃତ୍ତି ଆକାରରେ ପାଇବେ ଯାହାକି ଭାରତୀୟ ମୁଦ୍ରାରେ ୨ଲକ୍ଷ ଟଙ୍କା ବୋଲି ଜଣାଯାଇଛି।

Leave A Reply