www.samajalive.in
Saturday, December 6, 2025
15.1 C
Bhubaneswar

ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପ୍ରସଙ୍ଗ; ସେବାୟତ ରାମକୃଷ୍ଣଙ୍କୁ ୨ଘଣ୍ଟା ଜେରା

ପୁରୀ: ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ ତଥା ଜନମାନସରେ ବିଭ୍ରାନ୍ତି ସୃଷ୍ଟି ଏବଂ ଶ୍ରୀମନ୍ଦିର ଗରିମା କ୍ଷୁଣ୍ଣ ଅଭିଯୋଗରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ନୋଟିସ ପାଇବାର ୭ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସମୟ ଦିଆଯାଇଛି। ଏହି ସମୟ ଭିତରେ ସନ୍ତୋଷଜନକ ଉତ୍ତର ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି। ରବିବାର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ବିବାଦୀୟ ଦଇତାପତି ନିଯୋଗ ସମ୍ପାଦକ ଶ୍ରୀ ଦାସମହାପାତ୍ର ଓ ନିଯୋଗର ସଭାପତି ଗଣେଶ୍ବର ଦାସ ମହାପାତ୍ରଙ୍କ ସହ ଦୁଇ ଘଣ୍ଟା ବୈଠକ କରି ଜେରା କରିଛନ୍ତି।

ପ୍ରକାଶ ଥାଉକି, ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ଏବଂ ଶ୍ରୀମନ୍ଦିର ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବକଳେବର ବଳକା ଦାରୁରେ ନିର୍ମିତ ମୂର୍ତ୍ତି ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ଶ୍ରୀଦାସ ମହାପାତ୍ର ବଙ୍ଗୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ଅଭିଯୋଗ ହୋଇଥିଲା। ପରେ ଗଣମାଧ୍ୟମରେ ସେ ଏହାକୁ ଖଣ୍ଡନ କରିବା ସହ ଅନ୍ୟ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ନେଇ ନିଜେ ତାକୁ ପ୍ରତିଷ୍ଠା କରିଥିବା ସଫେଇ ଦେଇଥିଲେ।

- Advertisement -

ନବକଳେବରରେ ସଂଗୃହୀତ ଦାରୁ ମଧ୍ୟରୁ ବଳକା ଦାରୁ ଶ୍ରୀମନ୍ଦିର ‘ଦାରୁଘର’ରେ ସଂରକ୍ଷିତ ରହିବା ବିଧି ଥିବା ବେଳେ ଆବଶ୍ୟକ ସମୟରେ କେବଳ ଶ୍ରୀଜୀଉଙ୍କ ବ୍ୟବହାରରେ ବିନିଯୋଗର ବିଧି ତଥା ପରମ୍ପରା ରହିଛି। ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ସେନେଇ ଅବଗତ ଥାଇ ମଧ୍ୟ ଶ୍ରୀ ଦାସମହାପାତ୍ର ଏଭଳି ବୟାନ ଦେବା ଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ହୋଇଥିବା ନୋଟିସରେ କୁହାଯାଇଛି। ଦଇତାପତି ଶ୍ରୀ ଦାସମହାପାତ୍ରଙ୍କ ଦ୍ବନ୍ଦ୍ବାତ୍ମକ ବୟାନ ଅଗଣିତ ଶ୍ରୀଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅାଲୋଡ଼ନ ସୃଷ୍ଟି ସହ ତାଙ୍କ ଧାର୍ମିକ ଭାବନାରେ ଗଭୀର ଆଘାତ ଦେବା ସହ ଶ୍ରୀମନ୍ଦିରର ଗରିମା ଓ ଐତିହ୍ୟକୁ କ୍ଷୁଣ୍ଣ କରିଥିବା ନୋଟିସରେ ଦର୍ଶାଯାଇଛି।

ବିଭିନ୍ନ ପ୍ରସଙ୍ଗରେ ରବିବାର ବୈଠକରେ ଆଲୋଚନା ହୋଇଥିବାବେଳେ ଜେରା ବେଳେ ଶ୍ରୀମନ୍ଦିରରୁ ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ହୋଇ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଘଟଣା କେତେଦୂର ସତ, ଦୀଘାରେ ଜଗନ୍ନାଥ ଧାମ ଲେଖାଯାଇଥିବାବେଳେ ଏହାକୁ କାହିଁକି ବିରୋଧ କରାଗଲା ନାହିଁ ଏବଂ ଶେଷରେ ଶ୍ରୀ ଦାସମହାପାତ୍ର କାହିଁକି ଓ କେଉଁ ପରିସ୍ଥିତିରେ ଦୀଘା ଯାଇ ସେଠାରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି। ରବିବାର ବୈଠକ ଶେଷ ହୋଇଛି। ସବିଶେଷ ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଇନମନ୍ତ୍ରୀଙ୍କୁ ପ୍ରଦାନ କରିବେ। ଏହା ଉପରେ ଆଇନମନ୍ତ୍ରୀ କ’ଣ ପଦକ୍ଷେପ ନେଉଛନ୍ତି ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଶନିବାର ଅପରାହ୍ଣରେ ଡ. ପାଢ଼ୀଙ୍କ ଅଧ୍ୟକ୍ଷତାରେ ତିନୋଟି ପର୍ଯ୍ୟାୟରେ ବୈଠକ ହୋଇଥିଲା।

ପ୍ରକାଶ ଥାଉକି, ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ଯେତିକି ବଢୁଛି ସନ୍ଦେହ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଶ୍ରୀମନ୍ଦିରରୁ ବଳକା ଦାରୁ ନେଇ ମୂର୍ତ୍ତି ପ୍ରତିଷ୍ଠା ପ୍ରସଙ୍ଗରେ ଏକ କମିଟି ଗଠନ କରି ସତ୍ୟତା ଉନ୍ମୋଚନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଦୀଘା ମନ୍ଦିରରେ ଜଗନ୍ନାଥ ଧାମ ଲେଖିବାରୁ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ପହଞ୍ଚିଛି। ଦାରୁ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଉପସ୍ଥାପନ କରି ଦୋଷୀକୁ ଦଣ୍ଡବିଧାନ କରିବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ବୈଠକ ଏବଂ ଜେରା ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ ପରେ ଆଇନମନ୍ତ୍ରୀଙ୍କ ପଦକ୍ଷେପକୁ ଅପେକ୍ଷା ରହିଛି। ରବିବାର ଶ୍ରୀ ଦାସମହାପାତ୍ର ବିଭିନ୍ନ ପ୍ରଶ୍ନର ସାମ୍ନା କରିଥିବାବେଳେ ବୈଠକ ମଧ୍ୟରେ କାହାକୁ ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା କରୁଥିବା ଦୃଶ୍ୟକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପଟେ ବିଭିନ୍ନ ନିଯୋଗର ସଭାପତି ସମ୍ପାଦକଙ୍କୁ ଏହି ପ୍ରସଙ୍ଗରେ ମତାମତ ଦେବାକୁ ମୁଖ୍ୟ ପ୍ରଶାସକ କହିଥିବାବେଳେ ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ମତାମତ ପ୍ରଦାନ କରାଯାଇଛି। ଶନିବାର ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଥାନାରେ ଏତଲା ଦେଇଥିବା ବେଳେ ରବିବାର ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିରରୁ କିପରି ମହାପ୍ରଭୁଙ୍କ ଦାରୁ କାଠ ବାହାରକୁ ଗଲା ଏବଂ ଦଇତାପତି ସେବାୟତ କାହିଁକି ମହାପ୍ରଭୁଙ୍କ ଦାରୁକୁ ପଶ୍ଚିମବଙ୍ଗର ଦୀଘାରେ ସ୍ଥାପନ କଲେ, ତାହାକୁ ବିରୋଧ କରି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗର ସମ୍ପାଦକ ଶ୍ରୀ ଦାସମହାପାତ୍ରଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଏତଲା ପ୍ରଦାନ କରାଯାଇଛି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜଗନ୍ନାଥ ସେନା। ନବକଳେବର ସମୟରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ସମୟରେ ବଳିଯାଇଥିବା ଦାରୁକୁ ପଶ୍ଚିମବଙ୍ଗ ପଠାଇବା ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ଦୀଘାକୁ ଜଗନ୍ନାଥ ଧାମ ବୋଲି କୁହାଯାଉଥିବା ନେଇ ଆପତ୍ତି ଉଠାଇବା ସହ ଏହାକୁ ତୁରନ୍ତ ପରିବର୍ତ୍ତନ କରିବା ଲାଗି ଜଗନ୍ନାଥ ସେନା ଦାବି କରିଛି।

ରବିବାର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ହେମନ୍ତ କୁମାର ପାଢ଼ୀ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ,ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର,ସଭାପତି ଗଣେଶ୍ବର ଦାସ ମହାପାତ୍ରଙ୍କ ସହ ଅନ୍ୟ ବରିଷ୍ଠ ସେବାୟତ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories