ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନକୁ ଦାୟୀ କରି ତାହାର ବିଦେଶୀ ପାଣ୍ଠି ଉତ୍ସକୁ ରୋକିବା ପାଇଁ ଭାରତ ଜୋରଦାର ଉଦ୍ୟମ କରୁଥିବାବେଳେ ନାଟକୀୟ ଭାବେ ଆଇଏମ୍ଏଫ୍ ବୋର୍ଡରୁ ଡ. କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ବାତିଲ କରିଛନ୍ତି। ପାକିସ୍ତାନକୁ ଋଣ ଦେବା ନେଇ ଆଇଏମ୍ଏଫ୍ର ହେବାକୁ ଥିବା ବୈଠକର କିଛିଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି। ଡ. କୃଷ୍ଣମୂର୍ତ୍ତି ଆଇଏମ୍ଏଫ୍ ବୋର୍ଡରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।
ପହଲଗାଓଁରେ ଏପ୍ରିଲ ୨୨ରେ ଆତଙ୍କବାଦୀ ୨୬ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ଭାରତ ପାକିସ୍ତାନକୁ ଦାୟୀ କରିଛି। ଏନେଇ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉତ୍ତେଜନାମୂଳକ ରହିଛି। ଭାରତ ପାକିସ୍ତାନ ଉପରେ କୂଟନୈତିକ, ବାଣିଜ୍ୟିକ, ଡିଜିଟାଲ ଓ ଜଳ ପ୍ରହାର କରିଛି। ଏହାପରେ ପାକିସ୍ତାନକୁ ଆର୍ଥିକ କ୍ଷେତ୍ରରେ ମଧ୍ୟ ପ୍ରହାର କରିବା ଯୋଜନା କରିଛି ଭାରତ। ଜଳବାୟୁ ସ୍ଥିରତା ନିମନ୍ତେ ପାକିସ୍ତାନ ଆଇଏମ୍ଏଫ୍ରୁ ୧.୩ ବିଲିୟନ ଡଲାର ଋଣ ପାଇଁ ନିବେଦନ କରିଛି। ଏହାକୁ ରୋକିବା ପାଇଁ ଭାରତ ଜୋରଦାର ଉଦ୍ୟମ କରୁଛି। ପାକିସ୍ତାନ ଏହି ଅର୍ଥ ନେଇ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗାଉଥିବା ଭାରତ ଅଭିଯୋଗ କରିଛି। ଆସନ୍ତା ୯ ତାରିଖରେ ଆଇଏମ୍ଏଫ୍ର ବୋର୍ଡ ବୈଠକ ଅନୁଷ୍ଠିତ ହେବ। ବୈଠକରେ ପାକିସ୍ତାନକୁ ପାଣ୍ଠି ଦେବା ନେଇ ନିଷ୍ପତ୍ତି ହୋଇପାରେ। ତେବେ ଭାରତ ସରକାର ଏହାକୁ ରୋକିବା ପାଇଁ ଉଦ୍ୟମ କରିବେ। ପାକିସ୍ତାନକୁ ଆର୍ଥିକ ସହାୟତା ପ୍ରବାହକୁ ଅବରୋଧ କରିବା ପାଇଁ ଭାରତ ସରକାର ଆଇଏମ୍ଏଫ୍, ବିଶ୍ୱ ବ୍ୟାଙ୍କ ଏବଂ ଏସିୟାନ ଡେଭଲପ୍ମେଣ୍ଟ ବ୍ୟାଙ୍କ (ଏଡିବି) ସମେତ ବହୁପାକ୍ଷିକ ଏଜେନ୍ସି ଗୁଡ଼ିକ ଉପରେ ଚାପ ପକାଉଛନ୍ତି। ତେବେ ଏହି ବୈଠକ ପୂର୍ବରୁ ହଠାତ୍ ସୁବ୍ରମଣ୍ୟମଙ୍କୁ କାର୍ଯ୍ୟକାଳ ଶେଷ ହେବାରୁ ୬ ମାସ ଆଗରୁ ପଦରୁ ହଟାଇବା ଦିଗରେ ଭାରତ ସରକାରଙ୍କ କି ରଣନୀତି ଅଛି ତାହା ବୁଝାପଡ଼ୁନି।
ପାକିସ୍ତାନ ସରକାରଙ୍କ ନିକଟରେ ଅର୍ଥର ଅଭାବ ରହିଛି। ସାଧାରଣ ନାଗରିକ ବର୍ଦ୍ଧିତ ଦରଦାମକୁ ନେଇ ପେଶି ହେଉଛନ୍ତି। ତେଣୁ ସରକାରଙ୍କୁ ବାହ୍ୟ ଋଣ ଉପରେ ନିର୍ଭର କରିବାକୁ ପଡ଼ୁଛି। ପାକିସ୍ତାନ ସରକାର ଏକପ୍ରକାର ଋଣ ଜାଲରେ ଛନ୍ଦି ହୋଇଯାଇଛନ୍ତି। କୋଭିଡ୍-୧୯ ପରେ ବିଶ୍ୱ ମୁଦ୍ରାସ୍ଫୀତି ଚାପ ଏବଂ ଯୋଗାଣ ଶୃଙ୍ଖଳ ବାଧା ଦ୍ୱାରା ବୃଦ୍ଧି ପାଇଥିବା ଦେୟ ସନ୍ତୁଳନ ସଙ୍କଟ ପାକିସ୍ତାନକୁ ଋଣ ଖିଲାପୀ ହେବାର ଦ୍ୱାରଦେଶରେ ପହଞ୍ଚାଇଛି। ପାକିସ୍ତାନର ଅର୍ଥନୈତିକ ଦୁର୍ବଳତା ସାଂରଚନିକ ଦୁର୍ବଳତାରୁ ସୃଷ୍ଟି ହୋଇଛି, ଯାହାକୁ ପରବର୍ତ୍ତୀ ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଯେଉଁଥିରେ ଏକ ଦୀର୍ଘକାଳୀନ ସଂକୀର୍ଣ୍ଣ ଟିକସ ଆଧାର, ଦୀର୍ଘକାଳୀନ ଆର୍ଥିକ କୁପରିଚାଳନା, କୃଷି ଏବଂ ଶିଳ୍ପରେ କମ୍ ଉତ୍ପାଦକତା, ଆମଦାନୀ ଉପରେ ଅତ୍ୟଧିକ ନିର୍ଭରଶୀଳତା, ଦୁର୍ବଳ ନିୟାମକ ତଦାରଖ ଓ ସଂସ୍ଥାଗତ ସ୍ୱଚ୍ଛତାର ଅଭାବ ଦାୟୀ। ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇବା ଓ ଆମଦାନୀ କଟକଣା ଫଳରେ ପାକିସ୍ତାନ ୨୦୨୪ ସେପ୍ଟେମ୍ବରରେ ଆଇଏମ୍ଏଫ୍ ନିକଟରୁ ୭ ବିଲିୟନ ଡଲାରର ଋଣ ନେଇଥିଲା। ୧୯୫୮ ପରଠାରୁ ଏହା ଆଇଏମ୍ଏଫ୍ରୁ ପାକିସ୍ତାନର ୨୪ତମ ଋଣ ଥିଲା। ଆଇଏମ୍ଏଫ୍ ସହିତ ପାକିସ୍ତାନର ସମ୍ପର୍କ ସାତ ଦଶନ୍ଧି ଧରି ରହିଆସିଛି। ପାକିସ୍ତାନର ବାହ୍ୟ ଋଣ ୧୯୮୦ରେ ୧୦ ବିଲିୟନ ଆମେରିକୀୟ ଡଲାରରୁ ୨୦୦୭ ସୁଦ୍ଧା ୪୩ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା। ୨୦୨୪ ସୁଦ୍ଧା ବାହ୍ୟ ଋଣ ୧୩୦ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା, ଯାହାର ପ୍ରାୟ ୨୨ ପ୍ରତିଶତ ଋଣ ଚୀନ୍ ଦେଇଥିଲା।



