ସଚିନ୍‍ଙ୍କୁ ଆଉଟ୍‍ କରିବା ସବୁଠାରୁ କଷ୍ଟକର : କ୍ଲାର୍କ

ମେଲ୍‍ବୋର୍ଣ୍ଣ : ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ପୁଣିଥରେ ଭାରତୀୟ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସା କରିଛନ୍ତି। ସଚିନ୍‍ଙ୍କୁ ଆଉଟ୍‍ କରିବା ସବୁଠାରୁ କଷ୍ଟକର ବୋଲି କ୍ଲାର୍କ କହିଛନ୍ତି। କ୍ଲାର୍କଙ୍କ ଅନୁସାରେ ସଚିନଙ୍କର ବ୍ୟାଟିଂ ଟେକ୍‍ନିକ୍‍ ଏତେ ଚମତ୍କାର ଥିଲା ଯେ ଏଥିରେ କୌଣସି ଦୁର୍ବଳତା ନଜର ଆସୁନଥିଲା। କ୍ଲାର୍କ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଖେଳିବା ସମୟରେ କ୍ରିକେଟ୍‍ ଦୁନିଆରେ ସଚିନ୍‍ ତେନ୍ଦୁଲକରଙ୍କ ପରି ସ୍ୱୟଂସମ୍ପୂର୍ଣ୍ଣ ବ୍ୟାଟ୍‍ସମ୍ୟାନ୍‍ ଦେଖିନାହାନ୍ତି। ପୁଣି ସଚିନ୍‍ ଶତକ ହାସଲ କରିବା ପରେ ରହି ଯାଉନଥିଲେ। ସେ ଇନିଂସ ଜାରିରଖି ବଡ଼ ସ୍କୋର୍‍ କରି ପାରୁଥିଲେ। ଏବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିବା ବିରାଟ କୋହଲି ଅନୁରୂପ ବ୍ୟାଟିଂ କରୁଛନ୍ତି।
ଏକ ରେଡିଓ କାର୍ଯ୍ୟକ୍ରମରେ ସପ୍ତାହକ ମଧ୍ୟରେ ୨ୟ ଥର ପାଇଁ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ମାଇକେଲ୍‍ କ୍ଲାର୍କ ପ୍ରଶଂସା କରିଛନ୍ତି। କ୍ଲାର୍କଙ୍କ ଭାଷାରେ, ମୋ ଜୀବନରେ ଦେଖିଥିବା ବ୍ୟାଟ୍‍ସମ୍ୟାନଙ୍କ ମଧ୍ୟରୁ ସଚିନ ତେନ୍ଦୁଲକର ଟେକ୍‍ନିକ୍‍ ଦୃଷ୍ଟିରୁ ସର୍ବଶ୍ରେଷ୍ଠ ଓ ଅନନ୍ୟ ଥିଲେ। ତାଙ୍କୁ ଆଉଟ କରିବା ବହୁତ କଷ୍ଟକର ଥିଲା। ସଚିନ୍‍ଙ୍କ ବ୍ୟାଟିଂ ଟେକ୍‍ନିକରେ ସେପରି ଦୁର୍ବଳତା ନଥିଲା। ପ୍ରତିପକ୍ଷ ଏହି ଆଶାରେ ରହିଥାଆନ୍ତି ଯେ ସଚିନ ଭୁଲ୍‍ କରନ୍ତୁ ଏବଂ ତାଙ୍କୁ ଆଉଟ କରିବାରେ ସେମାନେ ସଫଳ ହୁଅନ୍ତୁ। ଏହାସହ ବିରାଟ କୋହଲିଙ୍କୁ ବହୁତ ପ୍ରଶଂସା କରିଛନ୍ତି ମାଇକେଲ କ୍ଲାର୍କ। ୩୯ ବର୍ଷ ବୟସ୍କ କ୍ଲାର୍କଙ୍କ ଭାଷାରେ, ବର୍ତ୍ତମାନ ୩ଟିଯାକ ଫର୍ମାଟରେ ବିରାଟ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ୍‍। ଦିନିକିଆ ଓ ଟ୍ୱେଣ୍ଟି୨୦ କ୍ରିକେଟ୍‍ରେ କୋହଲିଙ୍କ ସମକକ୍ଷ କେହି ବ୍ୟାଟ୍‍ସମ୍ୟାନ୍‍ ନାହାନ୍ତି ଏବଂ ତାଙ୍କର ରେକର୍ଡ ମଧ୍ୟ ଚମତ୍କାର। ତେବେ ସଚିନ୍‍ଙ୍କ ପରି ଟେଷ୍ଟ ମ୍ୟାଚ୍‍ରେ ପ୍ରାଧାନ୍ୟ ବିସ୍ତାରକରି ବ୍ୟାଟିଂକରିବା ଏବଂ ମ୍ୟାଚ୍‍ ବିଜୟୀ ଇନିଂସ ଖେଳି ଦେଶକୁ ଜିତାଇବା ଗୁଣରେ ସଚିନ୍‍ଙ୍କ ସହ କୋହଲି ସମକକ୍ଷ ହୋଇ ପାରିଛନ୍ତି। କୋହଲିଙ୍କ ଟେଷ୍ଟ ରେକର୍ଡରେ ମଧ୍ୟ ଉନ୍ନତି ହେବାରେ ଲାଗିଛି। କ୍ରିକେଟ ଦୁନିଆରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ୍‍ର ମାନ୍ୟତା ପାଇଥିବା ମାଇକେଲ କ୍ଲାର୍କ ଅଷ୍ଟ୍ରେଲିଆ ପାଇଁ ୧୧୫ଟି ଟେଷ୍ଟମ୍ୟାଚ୍‍ ଖେଳି ୨୮ଟି ଶତକ ସହ ୯୬୪୩ ରନ୍‍, ୨୪୫ଟି ଦିନିକିଆ ଖେଳି ୮ଟି ଶତକ ସହ ୭୯୯୧ ରନ୍‍ ସ୍କୋର୍‍ କରିଛନ୍ତି। ସେ ମଧ୍ୟ ୩୪ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିଛନ୍ତି। ମାଇକେଲ କ୍ଲାର୍କଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୧୫ ବିଶ୍ୱକପ୍‍ ଜିତିଥିଲା। ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ୍‍ ଭାବେ ପରିଚିତ ସଚିନ ତେନ୍ଦୁଲକର ୨୪ ବର୍ଷର ଦୀର୍ଘ କ୍ରିକେଟ ଜୀବନରେ ୨୦୦ ଟେଷ୍ଟ ଓ ୪୬୩ଟି ଦିନିକିଆ ମ୍ୟାଚ୍‍ ଖେଳିଛନ୍ତି। ବିଶ୍ୱର ପ୍ରଥମ ତଥା ଏକମାତ୍ର ବ୍ୟାଟ୍‍ସମ୍ୟାନ୍‍ ଭାବେ ସଚିନ୍‍ ୧୦୦ଟି ଆନ୍ତର୍ଜାତିକ ଶତକ ହାସଲ କରିଛନ୍ତି।

Comments are closed.