ନୂଆ ଦଳ ଗଠନରୁ ଦୂରେଇ ରହିଲେ ପାଇଲଟ
ଜୟପୁର : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ନୂଆ ରାଜନୈତିକ ଦଳ ଗଠନ କରିବା ନେଇ ହେଉଥିବା ଚର୍ଚ୍ଚା ଏକ ପ୍ରକାର ଅନ୍ତ ହୋଇଛି। ରବିବାର ସଚିନ ପିତା ରାଜେଶ ପାଇଲଟଙ୍କ ଶ୍ରାଦ୍ଧ ଦିବସରେ କଂଗ୍ରେସରୁ ଦୂରେଇ ଯାଇ ନୂଆ ଦଳ ଗଠନ ସମ୍ପର୍କରେ ଘୋଷଣା କରିବା ନେଇ ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା। ମାତ୍ର ରବିବାର ସଚିନ ପିତାଙ୍କ ଶ୍ରାଦ୍ଧ ଦିବସରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କୁ ସମାଲୋଚନା କରିଥିବାବେଳେ ନୂଆ ଦଳ ଗଠନ ସମ୍ପର୍କରେ କିଛି ଘୋଷଣା କରି ନାହାନ୍ତି। ଦୌସାରେ ପିତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସଚିନ ଦଳୀୟ କର୍ମୀ ଓ ସମର୍ଥକଙ୍କ ଶୋଭାଯାତ୍ରାକୁ ସମ୍ବୋଧନ କରିଥିଲେ। ସମ୍ବୋଧନରେ ସଚିନ ରାଜ୍ୟ ସରକାରରେ ହେଉଥିବା ଦୁର୍ନୀତିର ତଦନ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉଠାଇଥିଲେ। ସେ କୌଣସି ବ୍ୟକ୍ତିକୁ ନିନ୍ଦିତ କରିବା ଲାଗି ଏହି ଦାବି ଉଠାଉ ନାହାନ୍ତି ବୋଲି କହିଥିଲେ। ସେ କହିଥିଲେ ଯେ ତାଙ୍କ ପିତା ରାଜେଶ ସର୍ବଦା ନିଜ ନିଷ୍ପତ୍ତିରେ ଅଟଳ ରହୁଥିଲେ। ତେଣୁ ତାଙ୍କ ପଛରେ ଲୋକଙ୍କ ସମର୍ଥନ ରହିଥିଲା। ବର୍ତ୍ତମାନ ସମୟରେ ରାଜନେତାମାନେ ନିଜ ପ୍ରତିଶ୍ରୁତିରୁ ଦୂରେଇ ଯାଉଛନ୍ତି। ସରକାରରେ କାର୍ଯ୍ୟ କରିବା ଲାଗି ତାଙ୍କୁ ଯେତେବେଳେ ସୁଯୋଗ ମିଳିଛି ସେତେବେଳେ ସେ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ କରିଛନ୍ତି ବୋଲି ସଚିନ କହିଛନ୍ତି। ସଚିନଙ୍କ ଶୋଭାଯାତ୍ରାରେ ରାଜ୍ୟ ସରକାରର କ୍ୟାବିନେଟ୍ ମନ୍ତ୍ରୀ ପ୍ରତାପ ସିଂହ, ମମତା ଭୁପେଶ, ମୁରାରି ଲାଲ ମୀନ, ହେମରାମ ଚୌଧୁରୀ ଓ ଶୀଶ ରାମ ଓଲା ପ୍ରମୁଖ ଯୋଗ ଦେଇଥିଲେ। ନୂଆ ଦଳ ଗଠନରୁ ସଚିନ ଦୂରେଇ ରହିବା କଂଗ୍ରେସ ପାଇଁ ବଡ ଆଶ୍ବସ୍ତିର ବିଷୟ ହୋଇଛି। କାରଣ ସଚିନ ଓ ଗେହଲୋତଙ୍କ ମଧ୍ୟରେ ବିବାଦ କଂଗ୍ରେସ ପାଇଁ ଚିନ୍ତାର ବିଷୟ ହୋଇଛି। ଚଳିତବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଦୁଇ ନେତାଙ୍କ କନ୍ଦଳକୁ ପ୍ରଶମିତ କରିବାକୁ କଂଗ୍ରେସ ଉଦ୍ୟମ ଚଳାଇଛି।
Comments are closed.