ସୁରାକ ଖୋଜୁଛି କ୍ରାଇମବ୍ରାଞ୍ଚ

0

ସାହୁ ମେନ୍‌ସନ୍‍ରେ ୬ଜଣିଆ ଏସ୍‍ଆଇଟି

ବଲାଙ୍ଗିର/ପାଟଣାଗଡ଼  : ପାଟଣାଗଡ଼ରେ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଦିନକୁ ଦିନ ଅଧିକ ରହସ୍ୟଜନକ ମନେ ହେଉଛି। ଘଟଣାର ତଦନ୍ତ କ୍ରା  ଇମବ୍ରାଞ୍ଚ ହାତକୁ ଯିବା ପରେ ବଲାଙ୍ଗିର ପୁଲିସର ବିଫଳତା ପଦାରେ ପଡିଛି। ମାସେ କାଳ ତଦନ୍ତ ନାଁରେ ଦିନ ଗଡାଇ ଚାଲିଥିଲା ବଲାଙ୍ଗିର ପୁଲିସ। ଏହି ମାସେ କାଳ ସମୟ ଷଡଯନ୍ତ୍ରକାରୀକୁ ଖସିବାର ବାଟ ତିଆରି ପାଇଁ ସହାୟକ ହୋଇନାହିଁ ତ ! ତାହା ଏବେ ବଡ ପ୍ରସଙ୍ଗ ପାଲଟିଛି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ପୁଣି ମୂଳରୁ ହିଁ ମାମଲାର ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଷଡଯନ୍ତ୍ରକାରୀ କ୍ରାଇମବ୍ରାଞ୍ଚ ହାତରେ
ଧରାପଡ଼ିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ତଦନ୍ତକାରୀ ଟିମ୍‍ ଅଧିକାରୀ। ଅନ୍ୟପକ୍ଷରେ ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ୱ ସିବିଆଇ କିମ୍ବା ଏନ୍‍ଆଇଏକୁ ଦେବା ପାଇଁ ପୁଣି ଥରେ ଦାବି ଦୋହରାଇଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ।
ପାଟଣାଗଡରେ ଗତ ଫେବୃଆରୀ ୨୩ ତାରିଖରେ ହୋଇଥିବା ଏହି ବୋମା ବିସ୍ଫୋରଣ ଘଟଣାର ଏକମାସ ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚର ଏକ ଚାରି ଜଣିଆ ସ୍ୱତନ୍ତ୍ର ଟିମ ଜଣେ ଅତିରିକ୍ତ ଏସ୍‍ପି ର୍ୟାଙ୍କ ଅଫିସରଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରିଥିଲା। ୨୩ ତାରିଖରେ ଉକ୍ତ ଟିମ ଏସ୍‍ସିବିରେ ଚିକିତ୍ସିତ ହେଉଥିବା ନବବଧୂ ରୀମାରାଣିଙ୍କୁ ଭେଟି ପଚରାଉଚୁରା ଆରମ୍ଭ କରିଥିଲା। ତାଙ୍କ ଠାରୁ ଠୋସ କିଛି ଜାଣିବାକୁ ପାଇନଥିଲା କ୍ରାଇମବ୍ରାଞ୍ଚଞ୍ଚଟିମ। ୨୪ ତାରିଖରେ ୪ଜଣିଆ ଏସ୍‍ଆଇଟି ବଲାଙ୍ଗିରରେ ପହଞ୍ଚିଥିଲା। ବଲାଙ୍ଗିର ଏସ୍‍ପିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ପାଟଣାଗଡ ଅଭିମୁଖେ ବାହାରିଥିଲେ ଉକ୍ତ ଟିମ। ପାଟଣାଗଡ ପହଞ୍ଚି ଘଟଣାର ତଦନ୍ତକାରୀ ଅଧିକାରୀଙ୍କ ଠାରୁ ସମସ୍ତ କ୍ୟାସରେକର୍ଡ ଗ୍ରହଣ କରି ସ୍ଥାନୀୟ ପୁଲିସ ସହିତ ଆଲୋଚନା କରିଥିଲା। ରବିବାର ଉକ୍ତ ଟିମ ପାଟଣାଗଡ଼ରେ ପ୍ରଥମ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିଛି। ଘଟଣାର ତଦନ୍ତ ପାଇଁ ୪ ଜଣିଆ ଟିମ୍‍ର ସାମିଲ ହୋଇଛନ୍ତି ଆଉ ଦୁଇଜଣ କ୍ରାଇମବ୍ରାଞ୍ଚ ଅଫିସର। ଏହି ଟିମ୍‍ ଅବସ୍ଥାନ କରୁଥିବା ଡାକବଙ୍ଗଳାରେ ଆଜି ମଧ୍ୟାହ୍ନ ପର୍ଯ୍ୟାନ୍ତ ତଦନ୍ତକାରୀ ଅଧିକାରୀ ଓ ଥାନାଧିକାରୀଙ୍କ ସହ ଦୀର୍ଘ ସମୟ ପର୍ଯ୍ରନ୍ତ ଆଲୋଚନା କରିଥିଲେ। ପରେ ବ୍ରହ୍ମପୁରା ବିସ୍ଫୋରଣ ସ୍ଥଳୀକୁ ଯାଇ ତଦନ୍ତ କରି ଫେରିଛନ୍ତି। ସନ୍ଧ୍ୟାରେ ସାହୁ ମେନ୍‌ସନ୍‌ରେ ପହଞ୍ଚିଥିବା ୬ଜଣିଆ ଏସ୍‌ଆଇଟି ମୃତ ସୌମ୍ୟଶେଖରଙ୍କ ପରିବାର ଲୋକଙ୍କୁ ସନ୍ଧ୍ୟାରେ ପଚରାଉଚୁରା କରିଥିବା ଜଣାପଡିଛି। ଏହା ସହିତ ଘଟଣାକୁ ନେଇ ସାମ୍ନାକୁ ଆସିଥିବା ବିଭିନ୍ନ ଦିଗ ଉପରେ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‍ପି ଅନୀଲ କୁମାର ଦାସ ସୂଚନା ଦେଇଛନ୍ତି।

ବର୍ତ୍ତମାନ କ୍ରାଇମବ୍ରାଞ୍ଚ ମଧ୍ୟ ମୃତ ସୌମ୍ୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ହିଁ ଦୃଷ୍ଟି ରଖିଛି। ତାଙ୍କ ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ, ଇମେଲ ଆକାଉଣ୍ଟକୁ ଉକ୍ତ ଟିମ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ଏହା ସହିତ ଜଘନ୍ୟ ହତ୍ୟାକାଣ୍ଡର ଅନ୍ୟ ଦିଗ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ଆଲୋଚନା ହେଉଛି। ଅପରପକ୍ଷରେ ବଲାଙ୍ଗିର ପୁଲିସର ତଦନ୍ତ ସମୟରେ ପରିବାର ଲୋକଙ୍କ ନୀରବତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ପରିବାର ଲୋକଙ୍କ ଠାରୁ ଘଟଣାର ଖିଅ ମିଳିବା ନେଇ ଲୋକେ ଦୃଢୋକ୍ତି ପ୍ରକାଶ କରି ଆଲୋଚନା କରୁଥିବା ବେଳେ ପୁଲିସ ସୁରାକ ପାଇନଥିଲା। କିନ୍ତୁ ପରିବାର ଲୋକଙ୍କ ଠାରୁ କିଛି ଠୋସ ସୁରାକ ମିଳିବା ଆଶା ରଖିଛି କ୍ରାଇମବ୍ରାଞ୍ଚ। ପ୍ରେମ ସମ୍ପର୍କ, ପାରିବାରିକ ଜମି ବିବାଦ, ପୂର୍ବ ଶତୃତାକୁ ମଧ୍ୟ କ୍ରାଇମବ୍ରାଞ୍ଚ ଗୁରୁତର ସହ ନେଉଥିବା ଜଣାପଡିଛି। ବଲାଙ୍ଗିର ପୁଲିସର ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ନଥିବା ମୃତ ସୌମ୍ୟଙ୍କ ବାପା ରବୀନ୍ଦ୍ର ସାହୁ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଦାୟିତ୍ୱ ନେବା ପରେ ଆଶ୍ୱସ୍ତି ପ୍ରକାଶ କରିବା ସହିତ ତାଙ୍କ ପଉରେ ଭରସା ପ୍ରକଟ କରିଛନ୍ତି। ଏପରି ସ୍ଥିତିରେ କ୍ରାଇମବ୍ରାଞ୍ଚ ଆଗକୁ କଣ ତଦନ୍ତ କରୁଛି ସେ ଉପରେ ସମସ୍ତଙ୍କ ନଜର।

 

Leave A Reply