କ୍ରାଇମବ୍ରାଞ୍ଚର ୪ଜଣିଆ ତଦନ୍ତକାରୀ ଟିମ୍‍ ଗଠନ

0
ଏସ୍‍ସିବିରେ ରୀମାଙ୍କୁ ପଚରାଉଚରା

ଭୁବନେଶ୍ୱର /କଟକ : ବଲାଙ୍ଗୀର ଜିଲା ପାଟଣାଗଡରେ ଘଟିଥିବା ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଭାର ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦେଶପରେ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ୪ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଗଠନ କରାଯାଇଛି। ଏହି ଦଳ ତଦନ୍ତ ଆରମ୍ଭ କରିଛି। ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଅନୀଲ ଦାସ ଟିମ୍‍ର ନେତୃତ୍ୱ ନେଇଛନ୍ତି। ଶୁକ୍ରବାର ଏହି ଟିମ୍‍ ପାଟଣାଗଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ତଦନ୍ତାକାରୀ ଦଳର ୪ଜଣ ସଦସ୍ୟ ଶୁକ୍ରବାର ଅପରାହ୍ଣରେ ଏସ୍‍ସିବିରେ ପହଞ୍ଚି ନବବିବାହିତା ରୀମା ସାହୁଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି।
ଏଥି ମଧ୍ୟରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ମାସେ ପୂରିଛି। କିଏ ପାର୍ସଲ ବୋମା ପଠାଇ ଥିଲା ସେ ସମ୍ପର୍କରେ ପୁଲିସ ତଦନ୍ତ କରି ଏପର୍ଯ୍ୟନ୍ତ କୌଣସି ବିଶେଷ ତଥ୍ୟ ହାସଲ କରିପାରିନାହିଁ। ସାଇବର ଏକ୍ସପର୍ଟଙ୍କୁ ଡକାଯାଇ ଆଲୋଚନା କରାଯାଇଛି କିନ୍ତୁ କିଏ କାହିଁକି ପଠାଇଥିଲା ଏହି ମୃତ୍ୟୁର ଉପହାର ତା’ର କୌଣସି ନିଷ୍କର୍ଷ ବାହାରି ପାରୁନି। ପାଟଣାଗଡ଼ ପୁଲିସ ହାତରୁ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। ସେପଟେ ଘଟଣାର ମାସକ ପରେବି ଅଭିଯୁକ୍ତଙ୍କ ଟେର ପାଇ ନଥିବାରୁ ପରିବାର ଲୋକଙ୍କ ମନରେ ଭୟ ବଢିବାରେ ଲାଗିଛି।
ଫେବୃଆରୀ ୨୩ତାରିଖରେ ଘଟଣା ଘଟିଲା ପରେ ପ୍ରଥମେ କୋରିୟର ସଂସ୍ଥାକୁ ପୁଲିସ ଠାବ କରିଥିଲା। ରାୟପୁର ସ୍କାଏ କିଙ୍ଗ କୋରିୟରରୁ ଭାୟା ସମ୍ବଲପୁର ବଲାଙ୍ଗିର ଦେଇ ପାର୍ସଲ ପାଟଣାଗଡ଼ରେ ପହଞ୍ଚିଥିବା ଜଣାପଡିଥିଲା। ତେଣୁ ପ୍ରଥମେ ପୁଲିସ ଟିମ ରାୟପୁର ଯାଇଥିଲା। ସେଠାରେ ସଂସ୍ଥାର ସିସି ଟିଭି କାମ ଦେଉ ନଥିବାରୁ ପୁଲିସ ନିରାଶ ହୋଇ ଫେରିଥିଲା। ପରେ ପୁଲିସ ବେଙ୍ଗାଲୁରୁ ଯାଇ ସେଠାରେ ମୃତ ସୌମ୍ୟଶେଖରଙ୍କ ସାଙ୍ଗଙ୍କୁ ପଚରାଉଚରା କରି ଏକ ମୋବାଇଲ ଓ ଲାପଟପ୍‍ ଜବତ କରି ଫେରିଥିଲା। ସେହିପରି ପାଟଣାଗଡ଼ରେ ସୌମ୍ୟଶେଖରଙ୍କ ଆଉ ଏକ ମୋବାଇଲ ଓ ଲାପ୍‍ଟପ ଜବତ କରାଯାଇଥିଲା। ସବୁଠାରୁ ବଡ଼ କଥା ବାହାଘର ପୂର୍ବରୁ ସୌମ୍ୟଶେଖରଙ୍କ ମୋବାଇକୁ ଏକ ଧମକପୂର୍ଣ୍ଣ ମେସେଜ୍‍ ଆସିଥିବା ଜଣାପଡିଥିଲା। ଏହିସବୁ ଆଧାରରେ କ୍ରାଇମବ୍ରାଞ୍ଚ ତା’ର ତଦନ୍ତ ଆରମ୍ଭ କରିବ ବୋଲି ସ୍ୱତନ୍ତ୍ର ତଦନ୍ତକାରୀ ଦଳର ମୁଖ୍ୟ କହିଛନ୍ତି।

Leave A Reply