ଅର୍ଥ ଓ ବ୍ୟୟ ମଞ୍ଜୁରି ବିଲ୍‌ ଲୋକସଭାରେ ଗୃହୀତ

0

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ଲୋକସଭାରେ ଆଜି ଅର୍ଥ ବିଲ୍‌ ୨୦୧୮ ଏବଂ ବ୍ୟୟ ମଞ୍ଜୁରି ବିଲ୍‌ ଗୃହୀତ ହୋଇଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି ବିଲ୍‌ରେ ୨୧ ସଂଶୋଧନ ଆଣିବା ପରେ ତାହାକୁ ମଞ୍ଜୁରି ଦିଆଯାଇଥିଲା। ବିନା କୌଣସି ଆଲୋଚନାରେ ଏହି ଦୁଇଟି ଯାକ ବିଲ୍‌ ଲୋକସଭାରେ ଗୃହୀତ ହୋଇଯାଇଛି। ବ୍ୟୟ ମଞ୍ଜୁରି ବିଲ୍‌ରେ ଏପ୍ରିଲରୁ ଆରମ୍ଭ ହେଉଥିବା ଆସନ୍ତା ଆର୍ଥିକବର୍ଷ ଲାଗି ୮୯.୨୫ ଲକ୍ଷ କୋଟି ଟଙ୍କାର ବ୍ୟୟ ଯୋଜନା ରଖାଯାଇଛି। ଏହି ସମୟରେ ବିରୋଧୀମାନେ ୨୫ ମିନିଟ୍‌ ଯାଏ ଗୃହରେ ହୋ ହଲ୍ଲା କରି ସ୍ଲୋଗାନ୍‌ ମାନ ଦେଇଥିଲେ।

ଅର୍ଥ ବିଲ୍‌କୁ ଅନୁମୋଦନ ମିଳିବା ଦ୍ୱାରା କେନ୍ଦ୍ର ବଜେଟ୍‌ ୨୦୧୮-୧୯କୁ ସବୁଜ ସଙ୍କେତ ମିଳିଛି। ଅର୍ଥ ବିଲ୍‌ ଗୃହରେ ବାଚନିକ ଭୋଟ୍‌ରେ ଗୃହୀତ ହୋଇଥିଲା। ଶେଷଥର ପାଇଁ ୨୦୧୩-୧୪ ଏବଂ ୨୦୦୩-୦୪ ବଜେଟ୍‌କୁ ବିନା କୌଣସି ଆଲୋଚନାରେ ମଞ୍ଜୁରି ମିଳିଥିଲା। ୨୦୧୮-୧୯ ସାଧାରଣ ବଜେଟ୍‌ରେ ଅର୍ଥମନ୍ତ୍ରୀ ସମସ୍ତ ଲିଷ୍ଟିଂ ହୋଇଥିବା ଇକ୍ୱିଟି ଉପରେ ଦୀର୍ଘକାଳୀନ ପୁଞ୍ଜି ଲାଭ ଉପରେ ଟିକସ ଲାଗୁ କରିବା ପ୍ରସ୍ତାବ ରଖିଥିଲେ। ତେବେ ଏହି ପ୍ରସ୍ତାବ ଉପରେ ଆଜି ଗୃହରେ ବିରୋଧୀ କେତେକ କାଟ ପ୍ରସ୍ତାବ ଆଣିଥିଲେ। ପରେ ଏହାକୁ ଗୃହୀତ କରାଯାଇଥିଲା। ତେବେ ପ୍ରଥମ କରି ନିକଟ ଅତୀତ ବର୍ଷଗୁଡିକ ମଧ୍ୟରେ ପ୍ରଥମ କରି ଚଳିତବର୍ଷ କୌଣସି ଗୋଟିଏ ବି ମନ୍ତ୍ରାଳୟର ଦାବି ଉପରେ ଆଲୋଚନା କିମ୍ବା ଭୋଟିଂ କରାଯାଇ ନ ଥିଲା। ଅର୍ଥ ବିଲ୍‌ ୨୦୧୮ ଏବଂ ବ୍ୟୟ ମଞ୍ଜୁରି ବିଲ୍‌ର ଅନୁମୋଦନ ସହ ସଂସଦର ବଜେଟ୍‌ ଅଧିବେଶନ ଶେଷ ହୋଇଛି।

Leave A Reply