ପ୍ରଧାନ ବିଚାରପତି ସର୍ବେସର୍ବା
ନୂଆଦିଲ୍ଲୀ : ସାମ୍ବିଧାନିକ ପୀଠ ଗଠନ ତଥା ମାମଲା ଆବଣ୍ଟନ କରିବା ପ୍ରଧାନ ବିଚାରପତିଙ୍କର ବିଶେଷ ସାମ୍ବିଧାନିକ ଅଧିକାର। ସଂଗଠନର ପ୍ରମୁଖ ହୋଇଥିବାରୁ ପ୍ରଧାନ ବିଚାରପତିଙ୍କ ଉପରେ ଅବିଶ୍ୱାସ ପ୍ରକଟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବୁଧବାର ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଆବଣ୍ଟନ ନିମନ୍ତେ ପ୍ରଧାନ ବିଚାରପତି ଦୀପକ ମିଶ୍ର ଦୁଇ ଜଣ ବରିଷ୍ଠ ବିଚାରପତିଙ୍କ ସହିତ ବିଚାରବିମର୍ଶ କରିବା ଉପରେ ପ୍ରଶ୍ନ ଉଠାଇ ଆଇନଜୀବୀ ଅଶୋକ ପାଣ୍ଡେ ଏକ ଆବେଦନ କରିଥିଲେ। ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି। ଏଥିସହ ପୀଠ ଗଠନ ଓ ମାମଲା ଆବଣ୍ଟନ ସମ୍ବନ୍ଧୀୟ ନିର୍ଦେଶାବଳୀ ଜାରି କରିବା ନେଇ ପାଣ୍ଡେଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
ପ୍ରଧାନ ବିଚାରପତି ମିଶ୍ର, ବିଚାରପତି ଏ.ଏମ୍ ଖାନ୍ୱିଲକର ଏବଂ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ପୀଠ ତାଙ୍କ ରାୟରେ କହିଛନ୍ତି, ସମ୍ବିଧାନ ପ୍ରଧାନ ବିଚାରପତିଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ଶୀର୍ଷ ସ୍ଥାନ ପ୍ରଦାନ କରିଛି। ସର୍ବୋଚ୍ଚ ଅଦାଲତର ପ୍ରଶାସନିକ ତଥା ନ୍ୟାୟିକ ପରିଚାଳନା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି। କୌଣସି ପୀଠ ଗଠନ କରି ସେମାନଙ୍କୁ କାର୍ଯ୍ୟ ଆବଣ୍ଟନ କରିବା ପ୍ରଧାନ ବିଚାରପତିଙ୍କର ସମ୍ବିଧାନ ପ୍ରଦତ୍ତ କ୍ଷମତା। ବିଚାରପତି ଚନ୍ଦ୍ରଚୂଡ ତାଙ୍କ ରାୟରେ
ପ୍ରଧାନ ବିଚାରପତି ‘ସମାସ୍କନ୍ଦମାନଙ୍କ ମଧ୍ୟରେ ପ୍ରଥମ’ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଧାନ ବିଚାରପତି ଉଚ୍ଚ ସାମ୍ବିଧାନିକ ପଦାଧିକାରୀ ହୋଇଥିବାରୁ ତାଙ୍କ ଦାୟିତ୍ୱ ନିର୍ବାହ ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ ବୋଲି ରାୟରେ ଉଲ୍ଲେଖ କରାଯାଇଛି।
ସୁପ୍ରିମକୋର୍ଟର ୪ ଜଣ ବିଚାରପତି ଜେ. ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ଲୋକୁର ଏବଂ କୁରିଏନ୍ ଯୋସେଫ୍ ଜାନୁଆରୀରେ ପ୍ରଧାନ ବିଚାରପତି ମିଶ୍ରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇ ତାଙ୍କ ବିରୋଧରେ ୫ଟି ଅଭିଯୋଗ ଆଣିଥିଲେ। ସର୍ବୋଚ୍ଚ ନ୍ୟାୟାଳୟରେ ଅନିୟମିତତା ଦେଖାଦେଇଥିବାବେଳେ ପ୍ରଧାନ ବିଚାରପତି ମାମଲା ଆବଣ୍ଟନରେ ପକ୍ଷପାତିତା କରୁଥିବା ସେମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଲକ୍ଷ୍ନୌ ନିବାସୀ ଆଇନଜୀବୀ ଅଶୋକ ପାଣ୍ଡେ ଗତ ସପ୍ତାହରେ ଉପରୋକ୍ତ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ପାଞ୍ଚ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ପୀଠ ଗଠନ କରିବା ଉଚିତ ବୋଲି ମଧ୍ୟ ପାଣ୍ଡେ ତାଙ୍କ ଆବେଦନରେ ଦର୍ଶାଇଥିଲେ। ସେହିଭଳି ଜନସ୍ୱାର୍ଥ ମାମଲା, ଶୁଳ୍କ, ଅପରାଧ, ଜମିଜମା ଏବଂ ସେବା ସମ୍ବନ୍ଧୀୟ ମାମଲାଗୁଡିକର ବିଚାର ଲାଗି ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସେ ଦାବି କରିଥିଲେ; କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି।