www.samajalive.in
Sunday, December 14, 2025
26.1 C
Bhubaneswar

ଜଗମୋହନ ଖୋଲିବା ତାରିଖ ଜଣାଅ: ହାଇକୋର୍ଟ

କଟକ  : ଶ୍ରୀ ଜଗନ୍ନାଥ ମନ୍ଦିରର ଜଗମୋହନ କେବେ ଖୋଲିବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ଜଣାଇବା ପାଇଁ କୋର୍ଟ ଗୁରୁବାର ଶୁଣାଣି କରି ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନାଟ ମଣ୍ଡପର କାମ ଜରୁରି ଥିବାରୁ ଭକ୍ତଙ୍କ ନିମନ୍ତେ ଜଗମୋହନ ମାର୍ଗ ଖୋଲିବା ନିହାତି ଆବଶ୍ୟକ ରହିଛି। ତେଣୁ ଆସନ୍ତା ୪ତାରିଖ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜଣାଇବା ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ
ଖଣ୍ଡପୀଠ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପାର୍ଶ୍ବରେ ଏଏସଆଇ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ରତ୍ନ ଭଣ୍ଡାରର ବାହାର ପାର୍ଶ୍ବକୁ ଅନୁଧ୍ୟାନ କରାଯାଇଥିଲା; ତାହା ସଂପୂର୍ଣ୍ଣ ଭାବେ ଠିକ ରହିଥିବାବେଳେ ଭିତର ଅଂଶ ଅନୁଧ୍ୟାନ ପାଇଁ ଶ୍ରୀ ମନ୍ଦିର ପ୍ରଶାସନକୁ ଅନୁମତି ମଗାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ତେବେ ଶ୍ରୀ ମନ୍ଦିର ପ୍ରଶାସନ ଯେତେ ଶୀଘ୍ର ଅନୁମତି ପ୍ରଦାନ କରିବ, ତହିଁପରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ଦର୍ଶାଇଛି। ଏଥିସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନ ଭଣ୍ଡାର ଖୋଲିବା ନେଇ ଏକ ମିସ କେସ ଦାୟର କରାଯାଇ ୬ସପ୍ତାହ ସମୟ ଲୋଡାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ବିଚାରକୁ ନେଇ ସେ ସଂପର୍କରେ ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ଉପରେ ଛାଡିଥିଲେ। ବିଶେଷକରି ଜଗମୋହନ କେବେ ଖୋଲାଯିବ ତାହା ଉପରେ କୋର୍ଟ ଗୁରୁତ୍ୱାରୋପ କରି ୪ତାରିଖ ସୁଦ୍ଧା ଜଣାଇବା ପାଇଁ କହିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୫ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତ ୨୨ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ମନ୍ଦିର ପରିଚାଳନା କମିଟି ବୈଠକ ଗତ ୨୦ତାରିଖରେ ଅନୁଷ୍ଠିତ ହୋଇଥିବାବେଳେ ଜଗମୋହନ ଖୋଲିବା ଉପରେ ଆଲୋଚନା ହୋଇଥିଲା। ଏଥିସହ ଜଗମୋହନ ପରିସରରେ ରହିଥିବା ରତ୍ନ ଭଣ୍ଡାର ଗୃହ(ଯେଉଁଥିରେ ଠାକୁରଙ୍କ ଅଳଙ୍କାର ରଖାଯାଉଛି) ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଶେଷ ଥର ପାଇଁ ୧୯୮୪ ମସିହାରେ ଏହି ଗୃହକୁ ଅନୁଧ୍ୟାନ କରାଯାଇଥିବାବେଳେ ଏହାର ମରାମତି, ସଂରକ୍ଷଣ ପାଇଁ ଏଏସଆଇକୁ ଅନୁଧ୍ୟାନ ପାଇଁ ଅନୁରୋଧ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଛତିଶା ନିଯୋଗ ସହ ଆଲୋଚନା ହେବା ପରେ ରଥ ଯାତ୍ରା ପରେ ଭକ୍ତଙ୍କ ନିମନ୍ତେ ଜଗମୋହନ ଖୋଲାଯିବ। କିନ୍ତୁ ଜଗମୋହନ ଦେଇ ଭକ୍ତଙ୍କୁ ଛାଡିବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ଏଏସଆଇ ପକ୍ଷରୁ ଜଗମୋହନ ଉପରେ ସୁରକ୍ଷା ପ୍ରମାଣପତ୍ର(ସେପ୍ଟୀ ସାର୍ଟିଫିକେଟ) ପ୍ରଦାନ କରିବା ପାଇଁ କୁହାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପାର୍ଶ୍ବରେ ଦାଖଲ ହୋଇଥିବା ଏହି ସତ୍ୟପାଠ ଉପରେ କୋର୍ଟ କହିଥିଲେ ଯେ ପୂର୍ବରୁ ଏଏସଆଇ ଦାଖଲ କରିଥିବା ସତ୍ୟପାଠରେ ଜଗମୋହନ ମରାମତି କାର୍ଯ୍ୟ ସମାପ୍ତ ହୋଇସାରିଛି ବୋଲି ଦର୍ଶାଇସାରିଛି। ତେବେ ଏହାକୁ ଖୋଲିବାରେ କୌଣସି ଆଉ ଆପତ୍ତି ନାହି। ତେବେ ସୁରକ୍ଷା ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହି ବୋଲି କୋର୍ଟ ଦର୍ଶାଇଥିଲେ। ଅନ୍ୟପକ୍ଷରେ ରତ୍ନ ଭଣ୍ଡାର ଗୃହ ଅନୁଧ୍ୟାନ ସମୟରେ କୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରି ଇଂ ଏନ କେ ମହାନ୍ତିଙ୍କୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନାଟ ମଣ୍ଡପ କାମ ଜରୁରୀ ଥିବାବେଳେ ଜଗମୋହନ ଖୋଲିବା ନିହାତି ଆବଶ୍ୟକ ବୋଲି କୋର୍ଟ ଦର୍ଶାଇଥିଲେ। ତେବେ ଆବଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories