ସ୍ମିଥ୍‍, ୱାର୍ଣ୍ଣର ୧୨, ବାନ୍‍କ୍ରଫ୍ଟ ୯ ମାସ ବାସନ୍ଦ

0

ସିଡ୍‍ନୀ: ଘରୋଇ ଦକ୍ଷିଣ ଆଫ୍ରିକା ବିରୁଦ୍ଧ ସିରିଜ୍‍ରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଓ ଉପଅଧିନାୟକ ଥିବା ଷ୍ଟିଭେନ୍‍ ସ୍ମିଥ୍‍ ଓ ଡେଭିଡ୍‍ ୱାର୍ଣ୍ଣରଙ୍କୁ କଠୋର ଦଣ୍ଡଦେଇଛି କ୍ରିକେଟ ଅଷ୍ଟ୍ରେଲିଆ। ଯୋଜନାବଦ୍ଧ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟମ୍ୟାଚ୍‍ରେ ବଲ୍‍ ଟାମ୍ପରିଂରେ ଉଭୟଙ୍କ ସମ୍ପୃକ୍ତି ଯୋଗୁଁ କ୍ରିକେଟ ଅଷ୍ଟ୍ରେଲିଆ ଷ୍ଟିଭେନ୍‍ ସ୍ମିଥ୍‍ ଓ ଡେଭିଡ୍‍ ୱାର୍ଣ୍ଣରଙ୍କୁ ଆନ୍ତର୍ଜାତିକ ଓ ଘରୋଇ
କ୍ରିକେଟ୍‍ରୁ ୧୨ ମାସ ବାସନ୍ଦ କରିଛି। କେବଳ ଏତିକି ନୁହେଁ; ୱାର୍ଣ୍ଣର ସାରା ଜୀବନ ଲାଗି ଅଷ୍ଟ୍ରେଲିଆ ଏବଂ କୌଣସି ଘରୋଇ କ୍ରିକେଟ ଦଳର ଅଧିନାୟକ ହୋଇପାରିବେ ନାହିଁ। ପୁଣି ତାଙ୍କ ବାସନ୍ଦ ଅବଧି ଶେଷହେବା ପରେ ଷ୍ଟିଭେନ୍‍ ସ୍ମିଥ୍‍ ୧୨ ମାସ ପର୍ଯ୍ୟନ୍ତ କୌଣସି ଦଳର ନେତୃତ୍ୱ ନେଇପାରିବେ ନାହିଁ। ବଲ୍‍ ଟାମ୍ପରିଂ ମାମଲାରେ ସମ୍ପୃକ୍ତ ଅଷ୍ଟ୍ରେଲିଆର ଓପ୍‍ନର କାମେରନ୍‍ ବାନ୍‍କ୍ରଫ୍ଟଙ୍କୁ ୯ ମାସ ଲାଗି ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ୍‍ରୁ ବାସନ୍ଦ କରାଯାଇଛି। ପୁଣି ତାଙ୍କ ବାସନ୍ଦ ଅବଧି ସରିବା ପରେ ୧୨ ମାସ ପର୍ଯ୍ୟନ୍ତ ବାନ୍‍କ୍ରଫ୍ଟ କୌଣସି ଦଳର ନେତୃତ୍ୱ ନେଇପାରିବେ ନାହିଁ। ଉପରୋକ୍ତ ୩ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଦକ୍ଷିଣ ଆଫ୍ରିକା ଛାଡ଼ି ଅଷ୍ଟ୍ରେଲିଆ ଫେରିଯିବାକୁ ନିର୍ଦେଶ ଦିଆ ଯାଇଥିଲା।
ଦକ୍ଷିଣ ଆଫ୍ରିକା ବିରୋଧରେ ୪ର୍ଥ ଟେଷ୍ଟରୁ ସ୍ମିଥ୍‍, ୱାର୍ଣ୍ଣର ଓ ବାନ୍‍କ୍ରଫ୍ଟଙ୍କୁ ବାଦ୍‍ଦେବା ସହ ସେମାନଙ୍କ ସ୍ଥାନରେ ମ୍ୟାଟ୍‍ ରେନ୍‍ସ, ଜୋ ବର୍ନସ୍‍ ଓ ଗ୍ଲେନ୍‍ ମ୍ୟାକ୍ସୱେଲ୍‍ଙ୍କୁ ଦଳରେ ସାମିଲ କରା ଯାଇଥିଲା। ଏହା ଘୋଷଣା କରିବା ବେଳେ କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଜେମ୍‍ସ ସଦରଲାଣ୍ଡ ଘୋଷଣା କରିଥିଲେ ଯେ ୨୪ ଘଣ୍ଟା ମଧ୍ୟରେ ବଲ୍‍ ଟାମ୍ପରିଂରେ ସମ୍ପୃକ୍ତ ୩ କ୍ରିକେଟର ସ୍ମିଥ୍‍, ୱାର୍ଣ୍ଣର ଓ ବାନ୍‍କ୍ରଫ୍ଟଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ। ଏହା ଅନୁସାରେ ବୁଧବାର ସକାଳୁ କ୍ରିକେଟ ଅଷ୍ଟ୍ରେଲିଆର ଅଧ୍ୟକ୍ଷ ଡେଭିଡ୍‍ ପିଭର ଉପରୋକ୍ତ ୩ କ୍ରିକେଟ ଖେଳାଳିଙ୍କୁ ବାସନ୍ଦ କରିଛନ୍ତି। ଏହି ଦଣ୍ଡ ଘୋଷଣା ବେଳେ ପିଭର ସୂଚନା ଦେଇଥିଲେ ଯେ ବଲ୍‍ ଟାମ୍ପରିଂ କରିବାର ଯୋଜନା କରିଥିଲେ ଡେଭିଡ୍‍ ୱାର୍ଣ୍ଣର। ସାମ୍ବାଦିକ ସମ୍ମିଳନୀରେ ଷ୍ଟିଭେନ୍‍ ସ୍ମିଥ୍‍ ଓ କାମେରନ୍‍ ବାନ୍‍କ୍ରଫ୍ଟ ଏହାକୁ ଅଠାଯୁକ୍ତ ଫିତା କହିଥିଲେ ହେଁ ପ୍ରକୃତରେ ବାଲିକାଗଜ ଥିଲା। ୱାର୍ଣ୍ଣର ବଲ୍‍ ଟାମ୍ପରିଂର ଯୋଜନା କରି କିପରି ଏହା କରାଯିବ; ତାହା ବାନ୍‍କ୍ରଫ୍ଟଙ୍କୁ କହିଥିଲେ। ଏପରିକି ଭୋଜନ ବିରତି ପରେ ୱାର୍ଣ୍ଣର ନିଜେ ବଲ୍‍ରେ ବାଲିକାଗଜ ଘସି ବାନ୍‍କ୍ରଫ୍ଟଙ୍କୁ ଦେଖାଇଥିଲେ। ପୁଣି ଅଧିନାୟକ ଭାବେ ଏପରି ଠକେଇ ବିଷୟରେ ଷ୍ଟିଭେନ୍‍ ସ୍ମିଥ୍‍ ପୂର୍ବରୁ ଜାଣିଥିଲେ ଏବଂ ଏହାକୁ ରୋକିବା ପାଇଁ କୌଣସି ପ୍ରୟାସ କରିନଥିଲେ। କାମେରନ୍‍ଙ୍କ ଅପରାଧ ହେଲା ଯେ ୱାର୍ଣ୍ଣରଙ୍କ କଥାରେ ପଡ଼ି ସେ ବଲ୍‍ରେ ବାଲିକାଗଜ ଘସିଥିଲେ ଏବଂ ପ୍ରମାଣକୁ ଲୁୁଚାଇବାର ପ୍ରୟାସ କରିଥିଲେ। ଷ୍ଟାଡିୟମ୍‍ରେ ବଡ଼ ପରଦାରେ ଏହା ଦେଖାଯିବା ପରେ ବାନ୍‍କ୍ରଫ୍ଟ ପ୍ରମାଣକୁ ଲୁଚାଇଥିଲେ ଏବଂ ଅମ୍ପାୟାର ତାଙ୍କୁ ଏହା ପଚାରିବାରୁ ସେ ମିଛ କହିଥିଲେ। ପୁଣି ୩ୟ ଟେଷ୍ଟର ୩ୟ ଦିନର ଖେଳ ସମାପ୍ତହେବା ପରେ ସାମ୍ବାଦିକ ସମ୍ମିଳନୀରେ ଉଭୟେ ଷ୍ଟିଭେନ୍‍ ସ୍ମିଥ୍‍ ଓ କାମେରନ୍‍ ବାନ୍‍କ୍ରଫ୍ଟ ସତ ପ୍ରକାଶ ନକରି ତଥ୍ୟ ଲୁଚାଇଥିଲେ। ଏପରିକରି ୩ ଅଷ୍ଟ୍ରେଲୀୟ କ୍ରିକେଟ୍‍ର ଖେଳର ଭାବନାକୁ କ୍ଷତି ପହଞ୍ଚାଇବା ସହ କ୍ରିକେଟକୁ ବଦ୍‍ନାମ କରିଛନ୍ତି। ଜଣେ ଜୁନିୟର ଖେଳାଳି (ବାନ୍‍କ୍ରଫ୍ଟ)ଙ୍କୁ ଠକିବା ଶିଖାଇ ୱାର୍ଣ୍ଣର ତ୍ରୁଟି କରିଥିବା ବେଳେ ଏହାକୁ ରୋକିନଥିବାରୁ ସ୍ମିଥ୍‍ ମଧ୍ୟ ଅପରାଧରେ ସମାନ ଭାବେ ଭାଗିଦାର ହୋଇଛନ୍ତି।
ଷ୍ଟିଭେନ୍‍ ସ୍ମିଥ୍‍, ଡେଭିଡ୍‍ ୱାର୍ଣ୍ଣର ଓ କାମେରନ୍‍ ବାନ୍‍କ୍ରଫ୍ଟ ବାସନ୍ଦହେବା ଯୋଗୁଁ ନିଶ୍ଚିତ ହୋଇଯାଇଛି ଯେ ଆସନ୍ତା ନଭେମ୍ବର-ଡିସେମ୍ବରରେ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତରେ ଏହି ୩ ଖେଳାଳି ଖେଳିପାରିବେ ନାହିଁ। ତେବେ ବାସନ୍ଦର ଅବଧି ଶେଷ ହୋଇ ଯାଇଥିବାରୁ ସ୍ମିଥ୍‍ ଓ ୱାର୍ଣ୍ଣର ୨୦୧୯ ବିଶ୍ୱକପ୍‍ ଖେଳିପାରିବେ। ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ୍‍ରୁ ସ୍ମିଥ୍‍, ୱାର୍ଣ୍ଣର ଓ ବାନ୍‍କ୍ରଫ୍ଟଙ୍କୁ ବାସନ୍ଦ କରିବା ସହ କ୍ରିକେଟ ଅଷ୍ଟ୍ରେଲିଆ କହିଛି ଯେ ଏହି ଅବଧିରେ ସେମାନେ କେବଳ କ୍ଲବ୍‍ କ୍ରିକେଟ ଖେଳିପାରିବେ। ଫଳରେ ସେମାନଙ୍କ କ୍ରିକେଟ ଅଭ୍ୟାସ ଜାରିରହିବ। ୩ୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ବଲ୍‍ ଟାମ୍ପରିଂ କରିଥିବା କଥା ସ୍ୱୀକାର କରିବା ପରେ ଏହାକୁ ନେଇ କ୍ରିକେଟ ଦୁନିଆରେ ବେଶ୍‍ ହଇଚଇ ସୃଷ୍ଟିହେବା ସହ ଅଷ୍ଟ୍ରେଲିଆର କ୍ରିକେଟ ବେଶ୍‍ ବଦ୍‍ନାମ ହୋଇଥିଲା। କ୍ରିକେଟ ଅଷ୍ଟ୍ରେଲିଆର ଦୁଇ ଅଧିକାରୀ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ମାମଲାର ତଦନ୍ତ କରିଥିଲେ। ପରେ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ଜେମ୍‍ସ ସଦରଲାଣ୍ଡ ଅଷ୍ଟ୍ରେଲିଆରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଥିଲେ। କେପ୍‍ଟାଉନ୍‍ ଟେଷ୍ଟରେ ବାନ୍‍କ୍ରଫ୍ଟ ବାଲିକାଗଜକୁ ବଲ୍‍ରେ ଘସିବା ଦେଖିବାକୁ ମିଳିଥିଲା। ପରେ ୩ୟ ଦିନ ଖେଳ ପରେ ସାମ୍ବାଦିକ ସମ୍ମିନଳୀରେ ଉଭୟ ବାନ୍‍କ୍ରଫ୍ଟ ଓ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ସ୍ୱୀକାର କରିଥିଲେ ଯେ ସେମାନେ ଜାଣିଶୁଣି ବଲ୍‍ ଟାମ୍ପରିଂ କରିବାର ପ୍ରୟାସ କରିଥିଲେ। ଦଳର ନେତୃତ୍ୱଗୋଷ୍ଠୀ ଏହା ଜାଣିଥିଲେ।
ସେହିପରି ଏପ୍ରିଲ ୭ରୁ ଭାରତରେ ଆୟୋଜନ ହେଉଥିବା ବିଶ୍ୱର ସବୁଠାରୁ ଧନଶାଳୀ ଟ୍ୱେଣ୍ଟି୨୦ କ୍ରିକେଟ ଲିଗ୍‍ ଆଇପିଏଲ୍‍ରୁ ଦୁଇ ଅଷ୍ଟ୍ରେଲୀୟ ଷ୍ଟିଭେନ୍‍ ସ୍ମିଥ୍‍ ଓ ଡେଭିଡ୍‍ ୱାର୍ଣ୍ଣର ବାସନ୍ଦ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟମ୍ୟାଚ୍‍ରେ ଉଭୟ ସ୍ମିଥ୍‍ ଓ ୱାର୍ଣ୍ଣର ବଲ୍‍ ଟାମ୍ପରିଂ ଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତହୋଇ ବାସନ୍ଦ ହୋଇଥିବାରୁ ଆଇପିଏଲରେ ଉଭୟଙ୍କୁ ଖେଳିବାକୁ ଦିଆଯିବ ନାହିଁ ବୋଲି ଆଇପିଏଲ୍‍ ଅଧ୍ୟକ୍ଷ ରାଜୀବ ଶୁକ୍ଳା ବୁଧବାର ଘୋଷଣା କରିଛନ୍ତି।

Leave A Reply