ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତି ମାଡାମ୍ ତୁସାଡ୍ସ ମ୍ୟୁଜିୟମ୍ରେ ଏବେ ଆଉ ଜଣେ ପ୍ରଖ୍ୟାତ କ୍ରୀଡ଼ାବିତ୍ଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହି କ୍ରୀଡ଼ାବିତ୍ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ଫଳରେ କିମ୍ବଦନ୍ତୀ ଅଲ୍ରାଉଣ୍ଡର କପିଳ ଦେବ, ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକର ଓ ଆର୍ଜେଣ୍ଟିନାର ଫୁଟ୍ବଲ ତାରକା ଲିଓନେଲ ମେସିଙ୍କ ସହ ବିରାଟ କୋହଲିଙ୍କ ମହମ ମୂର୍ତ୍ତି ଶୋଭାପାଇବ।
ଦିଲ୍ଲୀର ବିଶ୍ୱବିଖ୍ୟାତ ବ୍ୟାଟ୍ସମ୍ୟାନ କୋହଲି ୨୦୦୬ରେ ପ୍ରଥମଶ୍ରେଣୀ କ୍ରିକେଟ୍ ଜୀବନର ଆରମ୍ଭ କରିବା ସହ ୨୦୦୮ରେ ଭାରତୀୟ ୧୯ ବର୍ଷ ଦଳର ନେତୃତ୍ୱ ନେଇ ଦଳକୁ ବିଶ୍ୱ ଚମ୍ପିଆନ୍ କରିବା ସହ ୩ଟିଯାକ ଫର୍ମାଟରେ ଭାରତୀୟ ଦଳର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ପାଲଟିବା ଏବଂ ତାଙ୍କ ନେତୃତ୍ୱରେ ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ୧ନଂ ସ୍ଥାନ ହାସଲ କରିବା କୋହଲିଙ୍କ କୃତିତ୍ୱର ଗାଥାରୁ କାଣିଚାଏ। କ୍ରିକେଟ ପଡ଼ିଆରେ ତାଙ୍କର କୃତିତ୍ୱ ପାଇଁ ବିରାଟ କୋହଲିଙ୍କୁ ଅର୍ଜୁନ ପୁରସ୍କାର, ଆଇସିସି ପକ୍ଷରୁ ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟର ପୁରସ୍କାର, ବିସିସିଆଇ ପକ୍ଷରୁ ୩ ଥର ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର ପୁରସ୍କାର ପାଇଛନ୍ତି। ନିକଟରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ବୁଧବାର ବିରାଟ କୋହଲି ତାଙ୍କ ମହମ ମୂର୍ତ୍ତି ନିର୍ମାଣ ଲାଗି ମାପ ଦେବା ପାଇଁ ତାଙ୍କ ସହର ମାଡାମ୍ ତୁସାଡ୍ସ ମ୍ୟୁଜିୟମ୍ରେ ପହଞ୍ଚିଥିଲେ। ସେଠାରେ ଲଣ୍ଡନ୍ରୁ ଆସିଥିବା ମୂର୍ତ୍ତିକାର ୨୦୦ ପ୍ରକାର ମାପ ନେଇଥିଲେ; ଯଦ୍ୱାରା କୋହଲିଙ୍କ ଭଳି ଅବିକଳ ମୂର୍ତ୍ତି ନିର୍ମାଣ ହୋଇପାରିବ। ସୂଚନାଯୋଗ୍ୟ; ଦିଲ୍ଲୀର ମାଡାମ୍ ତୁସାଡ୍ସରେ କୋହଲିଙ୍କ ମହମ ମୂର୍ତ୍ତି ଏଠାରେ ୨୩ତମ ହେବ ଏବଂ କ୍ରିକେଟର ଭାବେ ୩ୟ। ମାପଦେବା ପରେ ତାଙ୍କ ପ୍ରତିକ୍ରିୟାରେ କୋହଲି କହିଛନ୍ତି, ଏହା ମୋ ପାଇଁ ଏକ ବଡ଼ ସମ୍ମାନ। ମୋର ମୂର୍ତ୍ତି ରହିବାକୁ ଯୋଗ୍ୟ ବୋଲି ଭାବିଥିବାରୁ ମାଡାମ୍ ତୁସାଡ୍ସକୁ ଧନ୍ୟବାଦ ଦେଉଛି। ୨୯ ବର୍ଷ ବୟସ୍କ ବିରାଟ କୋହଲି ୬୬ଟି ଟେଷ୍ଟରୁ ୨୧ଟି ଶତକ ସହ ୫୫୫୪ ରନ୍, ୨୦୮ ଦିନିକିଆରୁ ୩୫ଟି ଶତକ ସହ ୯୫୮୮ ରନ୍ ଓ ୫୭ଟି ଟ୍ୱେଣ୍ଟି୨୦ ମ୍ୟାଚ୍ରୁ ୧୯୮୩ ରନ୍ କରିଛନ୍ତି।
ମାଡାମ୍ ତୁସାଡ୍ସରେ ରହିବ କୋହଲିଙ୍କ ପ୍ରତିମୂର୍ତ୍ତି
Popular Categories


