ସ୍ମିଥ୍‍, ୱାର୍ଣ୍ଣର, ବାନ୍‍କ୍ରଫ୍ଟ ଦଳରୁ ବିଦା

0

ଜୋହାନସବର୍ଗ : ଯୋଜନାବଦ୍ଧ ଭାବେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟମ୍ୟାଚ୍‍ରେ ବଲ୍‍ ଟାମ୍ପରିଂ କରିବା ଯୋଗୁଁ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍, ଉପଅଧିନାୟକ ଡେଭିଡ୍‍ ୱାର୍ଣ୍ଣର ଓ ଓପ୍‍ନର କାମେରନ୍‍ ବାନ୍‍କ୍ରଫ୍ଟଙ୍କୁ ଦୋଷୀ ଘୋଷଣା କରିଛି କ୍ରିକେଟ ଅଷ୍ଟ୍ରେଲିଆ। ଏହି ୩ ଖେଳାଳିଙ୍କୁ ବୁଧବାର ଦକ୍ଷିଣ ଆଫ୍ରିକା ଛାଡ଼ି ଅଷ୍ଟ୍ରେଲିଆ ଫେରିଯିବାକୁ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ଜେମ୍‍ସ ସଦରଲାଣ୍ଡ ମଙ୍ଗଳବାର ନିର୍ଦେଶ ଦେଇଛନ୍ତି। ଏହି ୩ ଖେଳାଳିଙ୍କ ସ୍ଥାନରେ ୪ର୍ଥ ଟେଷ୍ଟ ପାଇଁ ମ୍ୟାଟ୍‍ ରେନ୍‍ସ, ଜୋ ବର୍ନସ୍‍ ଓ ଗ୍ଲେନ୍‍ ମ୍ୟାକ୍ସୱେଲ୍‍ଙ୍କୁ ଦଳରେ ସାମିଲ କରାଯାଇଛି।
କେପ୍‍ଟାଉନ୍‍ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ବଲ୍‍ ଟାମ୍ପରିଂ କରିଥିବା କଥା ସ୍ୱୀକାର କରିବା ପରେ ଏହାକୁ ନେଇ କ୍ରିକେଟ ଦୁନିଆରେ ବେଶ୍‍ ହଇଚଇ ସୃଷ୍ଟିହେବା ସହ ଅଷ୍ଟ୍ରେଲିଆର କ୍ରିକେଟ ବେଶ୍‍ ବଦ୍‍ନାମ ହୋଇଥିଲା। କ୍ରିକେଟ ଅଷ୍ଟ୍ରେଲିଆର ଦୁଇ ଅଧିକାରୀ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ମାମଲାର ତଦନ୍ତ କରିଥିଲେ। ପରେ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ଜେମ୍‍ସ ସଦରଲାଣ୍ଡ ଅଷ୍ଟ୍ରେଲିଆରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଥିଲେ। ମଙ୍ଗଳବାର ସଦରଲାଣ୍ଡ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦଳର ୩ ଜଣ ଖେଳାଳି ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍, ଉପଅଧିନାୟକ ଡେଭିଡ୍‍ ୱାର୍ଣ୍ଣର ଓ ଓପ୍‍ନର କାମେରନ୍‍ ବାନ୍‍କ୍ରଫ୍ଟଙ୍କୁ ଦୋଷୀ ଘୋଷଣାକରି ଦଳରୁ ବହିଷ୍କାର କରିଛନ୍ତି। ସେ କହିଛନ୍ତି, ସ୍ମିଥ୍‍, ୱାର୍ଣ୍ଣର ଓ ବାନ୍‍କ୍ରଫ୍ଟ ପୂର୍ବ ଯୋଜନା ଅନୁସାରେ ବଲ୍‍ ଟାମ୍ପରିଂ କରିଥିଲେ। ତେଣୁ ସ୍ମିଥ୍‍, ୱାର୍ଣ୍ଣର ଓ ବାନ୍‍କ୍ରଫ୍ଟଙ୍କୁ ତୁରନ୍ତ ଦକ୍ଷିଣ ଆଫ୍ରିକା ଛାଡ଼ି ଅଷ୍ଟ୍ରେଲିଆ ଫେରିଯିବାକୁ କୁହାଯାଇଛି। ଏଥିରେ ଦଳର ଅନ୍ୟ କୌଣସି ଖେଳାଳି ସମ୍ପୃକ୍ତ ନଥିଲେ। ଅନ୍ୟ ସମସ୍ତ ଖେଳାଳିଙ୍କ ପାଖରେ ବଲ୍‍ ଟାମ୍ପରିଂ ଯୋଜନାର ଖବର ନଥିଲା କିମ୍ବା ସେମାନେ ଏପରି ଘୃଣ୍ୟ କାର୍ଯ୍ୟରେ ସମ୍ପୃକ୍ତ ନଥିଲେ ବୋଲି ସଦରଲାଣ୍ଡ ସ୍ପଷ୍ଟ କରିଛନ୍ତି। ୩୦ରୁ ଆରମ୍ଭ ହେଉଥିବା ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‍ ପାଇଁ ୱିକେଟ ରକ୍ଷକ ଟିମ୍‍ ପେନ୍‍ଙ୍କୁ ବିଧିବଦ୍ଧ ଭାବେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଘୋଷଣା କରାଯାଇଛି। ପୁଣି ଜେମ୍‍ସ ସଦରଲାଣ୍ଡ ଅଷ୍ଟ୍ରେଲିଆ ଦଳର ପ୍ରଶିକ୍ଷକ ଡ୍ୟାରେନ୍‍ ଲିମ୍ୟାନ୍‍ଙ୍କୁ ବଲ୍‍ ଟାମ୍ପରିଂ ମାମଲାରେ କ୍ଲିନ୍‍ ଚିଟ୍‍ ପ୍ରଦାନ କରିଛନ୍ତି। ଲିମ୍ୟାନ୍‍ ବଲ୍‍ ଟାମ୍ପରିଂରେ ସମ୍ପୃକ୍ତ ନଥିଲେ କିମ୍ବା ତାଙ୍କ ପାଖରେ ଏହା ବିଷୟରେ କୌଣସି ପୂର୍ବସୂଚନା ନଥିଲା। ତେଣୁ ଲିମ୍ୟାନ୍‍ ଦଳର ପ୍ରଶିକ୍ଷକ ପଦ ବଜାୟ ରଖିବେ। ଉଲ୍ଲେଖଯୋଗ୍ୟ କଥା ହେଉଛି; ଜେମ୍‍ସ ସଦରଲାଣ୍ଡ ଘୋଷଣା କରିଛନ୍ତି ଯେ ଷ୍ଟିଭେନ୍‍ ସ୍ମିଥ୍‍, ଡେଭିଡ୍‍ ୱାର୍ଣ୍ଣର ଓ କାମେରନ୍‍ ବାନ୍‍କ୍ରଫ୍ଟ ଦୋଷୀ ଘୋଷିତ ହୋଇଥିବାରୁ ତଦନ୍ତ ସରିବାର ୨୪ ଘଣ୍ଟା ଭିତରେ କ୍ରିକେଟ ଅଷ୍ଟ୍ରେଲିଆ ଏମାନଙ୍କ ବିରୋଧରେ ଦଣ୍ଡବିଧାନ କରିବ।
ସୂଚନାଯୋଗ୍ୟ; କେପ୍‍ଟାଉନ୍‍ ଟେଷ୍ଟରେ ବାନ୍‍କ୍ରଫ୍ଟ ବାଲିକାଗଜକୁ ବଲ୍‍ରେ ଘସିବା ଦେଖିବାକୁ ମିଳିଥିଲା। ପରେ ୩ୟ ଦିନ ଖେଳ ପରେ ସାମ୍ବାଦିକ ସମ୍ମିନଳୀରେ ଉଭୟ ବାନ୍‍କ୍ରଫ୍ଟ ଓ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ସ୍ୱୀକାର କରିଥିଲେ ଯେ ସେମାନେ ଜାଣିଶୁଣି ବଲ୍‍ ଟାମ୍ପରିଂ କରିବାର ପ୍ରୟାସ କରିଥିଲେ। ଦଳର ନେତୃତ୍ୱଗୋଷ୍ଠୀ ଏହା ଜାଣିଥିଲେ। ବାନ୍‍କ୍ରଫ୍ଟ କହିଥିଲେ, ଭୋଜନ ବିରତି ବେଳ ଏହା ବିଷୟରେ ଆଲୋଚନା କରିଥିଲୁ। ବଲ୍‍ର ସ୍ଥିତି ପରିବର୍ତ୍ତନ କରିବାର ପ୍ରୟାସ କରିଥିଲି। ଷ୍ଟାଡିୟମ୍‍ର ପରଦାରେ ଦେଖାଯିବା ପରେ ଏହା ଜଣା ପଡ଼ିଥିଲା। ସ୍ମିଥ୍‍ କହିଥିଲେ, ଯାହା ଘଟିଲା; ତାହା କ୍ରିକେଟର ନିୟମର ବିପରୀତ। ପରେ ଅଧିନାୟକ ପଦରୁ ସ୍ମିଥ୍‍ ଓ ଉପଅଧିନାୟକ ପଦରୁ ୱାର୍ଣ୍ଣର ଓହରି ଯାଇଥିଲେ।

Leave A Reply