www.samajalive.in
Saturday, December 13, 2025
18.1 C
Bhubaneswar

ସରକାରଙ୍କୁ ଆଳୁ ଚିନ୍ତା

ଭୁବନେଶ୍ୱର  :ଖୋଲା ବଜାରରେ ଆଳୁ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। କିଲୋ ୧୫ ଟଙ୍କାରେ ପହଞ୍ଚିଲାଣି। ଏବର୍ଷ ଦେଶରେ ଆଳୁ ଉତ୍ପାଦନ କମ୍‌ ଥିବାରୁ ଅଗଷ୍ଟ ମାସ ବେଳକୁ ମୂଲ୍ୟ ଚାରିଗୁଣ ବୃୃଦ୍ଧି ଘଟିବା ଆଶଙ୍କା କରାଯାଉଛି। ଏବେ ଆଳୁର ମୂଲ୍ୟ ଯାହା ଅଛି ତିନି ଚାରିମାସ ପରେ ୩୦/୪୦ଟଙ୍କାରେ ପହଞ୍ଚିଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଆଳୁ ଫସଲ ଭଲ ହୋଇନଥିବାରୁ ଅମଳ କମିବ ତେଣୁ ଲୋକଙ୍କ ଚାହିଦା ପୂରଣ ପାଇଁ ଆଳୁ ସଂଗ୍ରହ କରି ରଖିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପତ୍ର ଲେଖିଛନ୍ତି।
କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଏହି ଚେତାବନୀ ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ନାଫେଡ ଜରିଆରେ ଆଳୁ କିଣି ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଉତ୍ପାଦନ କମ୍‌ ଥିବାରୁ ମୂଲ୍ୟ ନିଶ୍ଚୟ ବଢ଼ି କେତେ ହେବ ତାହା ସେତେବେଳେ ଆଳୁର ପାଇକାରୀ ମୂଲ୍ୟକୁ ନେଇ ହିସାବ କଲେ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।
ଆଳୁ ଉତ୍ପାଦନ କମ ହେବା ଆଶଙ୍କା କରାଯାଉଥିବାରୁ ଚାହିଦା ବଢ଼ିବ। ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ। ତେବେ ଅଗଷ୍ଟ/ସେପ୍ଟେମ୍ବର ମାସ ବେଳକୁ ସମସ୍ୟା ଦେଖା ଦେଇପାରେ। ମୂଲ୍ୟବୃଦ୍ଧିର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବରୁ ଆଳୁ କିଣି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ଥିବା ଶୀତଳଭଣ୍ଡାରରେ ୨୦ ହଜାର ମେଟି୍ରକ ଟନ ଆଳୁ ମହଜୁଦ ରଖାଯାଇପାରିବ। ନାଫେଡ ଜରିଆରେ ପ୍ରାୟ ୩୦ କୋଟି ଟଙ୍କାର ଆଳୁ କିଣିବାକୁ ଯୋଜନା ହୋଇଛି। ରାଜ୍ୟରେ ଉତ୍ପାଦିତ ଆଳୁ ଯେପରି ବାହାରକୁ ନଯାଏ ସେଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ବେନିୟମ ଭାବେ ଆଳୁ ମହଜୁଦ ରଖି ମୂଲ୍ୟବୃଦ୍ଧି ଘଟାଉଥିବା ବ୍ୟବସାୟୀଙ୍କ ଉପରେ କଟକଣା ଜାରି କରାଯାଇଛି। କଟକରେ ପାଇକାରୀ ବ୍ୟବସାୟୀ ସର୍ବାଧିକ ୫୦୦ କ୍ୱିଣ୍ଟାଲ ଆଳୁ ରଖିପାରିବେ। ସେହିପରି ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ପାଇକାରୀ ବ୍ୟବସାୟୀ ସର୍ବାଧିକ ୩୦୦ କ୍ୱିଣ୍ଟାଲ ଏବଂ ଅନ୍ୟ ସହରରେ ୧୫୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଆଳୁ ରଖି ପାରିବେ ବୋଲି ନିର୍ଦେଶନାମା ଜାରି ହୋଇଥିବା ସେ କହିଛନ୍ତି।
ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଜାନୁଆରୀ ମାସରେ ଆଳୁର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ୬୦୦ଟଙ୍କା ଥିଲା। ଖୋଲା ବଜାରରେ ୬୨୦ଟଙ୍କା ବିକ୍ରି ହେଉଥିଲା। ଏବେ ପାଇକାରୀ ମୂଲ୍ୟ ୧୦୦୦/୧୧୦୦ରେ ପହଞ୍ଚିଛି। ଖୋଲା ବଜାରରେ କିଲୋ ୧୪ରୁ ୧୫ ଟଙ୍କାରେ ବିକ୍ରି ହେଉଛି। ଦେଶରେ ଏଥର ଆଳୁ ଉତ୍ପାଦନ ୧୫% କମ୍‌ ହେବ। ଉତ୍ତର ପ୍ରଦେଶ ସରକାର ଆଳୁ ଛାଡୁନାହାନ୍ତି। ପଶ୍ଚିମବଙ୍ଗ ଓ ପଞ୍ଜାବରୁ ଆସୁଛି।
ବିଶେଷ କରି ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ଅମଳ କମ ଥିବାରୁ ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ୨୦୦୦ ହୋଇପାରେ। ଏବର୍ଷ ଆଳୁର ମୂଲ୍ୟ ବୃଦ୍ଧି ଆଶଙ୍କା ଥିବାରୁ ଭବିଷ୍ୟତକୁ ଆଖି ଆଗରେ ରଖି ଏକ ଲକ୍ଷ ଟନ ଆଳୁ କିଣି ଗଚ୍ଛିତ ରଖିବାକୁ ମହାସଂଘ ପକ୍ଷରୁ ସରକାରଙ୍କୁ ଫେବୃଆରୀ ଶେଷ ସପ୍ତାହରେ ପ୍ରସ୍ତାବ ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। କେନ୍ଦ୍ର ସରକାର ଚିଠି ଦେବା ପରେ ଆଳୁ କିଣି ଗଚ୍ଛିତ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତବର୍ଷ ଏହି ସମୟ ବେଳକୁ ଆଳୁ ୬ଟଙ୍କା ଥିଲା। ଏବେ ଅମଳ ବେଳେ ୧୦ ଟଙ୍କା ଛୁଇଁଲାଣି। ଅଗଷ୍ଟ ବେଳକୁ ମୂଲ୍ୟ ଯଥେଷ୍ଟ ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି। ସରକାର ବ୍ୟବସାୟୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories