୧୫୦ରୁ ଊର୍ଦ୍ଧ୍ବ ବିଦେଶୀ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ରୁଷ

0

ମସ୍କୋ : ଆମେରିକାର ୬୦ ଜଣ କୂଟନୀତିଜ୍ଞଙ୍କ ସମେତ ମୋଟ ୧୫୦ ଜଣ ବିଦେଶୀ କୂଟନୀତିଜ୍ଞଙ୍କୁ ରୁଷ୍‌ ବହିଷ୍କାର କରିଛି। ଏଥିସହିତ ସେଣ୍ଟ ପିଟର୍ସବର୍ଗଠାରେ ଥିବା ଆମେରିକା ଦୂତାବାସକୁ ମଧ୍ୟ ରୁଷ୍‌ ସରକାର ବନ୍ଦ କରିଦେଇଛନ୍ତି। ରୁଷୀୟ ଗୁପ୍ତଚର ସର୍ଗେଇ ସ୍କ୍ରିପାଲଙ୍କ ଶରୀରରେ ବିଷ ପ୍ରୟୋଗ ମାମଲାରେ ବ୍ରିଟେନ୍‌କୁ ସମର୍ଥନ ଜଣାଇ ଆମେରିକା ରୁଷ୍‌ କୂଟନୀତିଜ୍ଞକୁ ବହିଷ୍କାର କରିଥିଲେ। ଏଣୁ ରୁଷ ଯେସାକୁ ତେସା ନ୍ୟାୟରେ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଆମେରିକୀୟ ରାଷ୍ଟ୍ରଦୂତ ଜନ୍‌ ହଣ୍ଟସମ୍ୟାନଙ୍କୁ ସମନ କରାଯାଇ ଏ ସମ୍ବନ୍ଧୀୟ ନୋଟିସ୍‌ ପ୍ରଦାନ କରାଯାଇଛି ବୋଲି ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଗୁରୁବାର ସୂଚନା ଦେଇଛନ୍ତି। ମସ୍କୋସ୍ଥିତ ଆମେରିକୀୟ ଦୂତାବାସର ୫୮ ଏବଂ ୟେକାଟେରିନ୍‌ବର୍ଗସ୍ଥିତ ଦୂତାବାସର ୨ ଜଣ କୂଟନୀତିଜ୍ଞଙ୍କୁ ଏପ୍ରିଲ ୫ ସୁଦ୍ଧା ରୁଷ ଛାଡିବାକୁ କୁହାଯାଇଛି। ଏଥିସହ ଆମେରିକା ଯଦି ଭବିଷ୍ୟତରେ ରୁଷ ବିରୋଧରେ ଅଧିକ କଠୋର ପଦକ୍ଷେପ ଗ୍ରହଣ କରେ ତେବେ ରୁଷ ମଧ୍ୟ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରିବ ବୋଲି ଏହାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଚେତାବନି ଦିଆଯାଇଛି।
ସ୍କ୍ରିପାଲ ହେଉଛନ୍ତି ରୁଷର ପୂର୍ବତନ ସାମରିକ ଗୁଇନ୍ଦା ଅଧିକାରୀ। ବ୍ରିଟେନ୍‌କୁ ରୁଷର ଗୁପ୍ତତଥ୍ୟ ବିକ୍ରି ଅଭିଯୋଗରେ ତାଙ୍କୁ ନିଜ ଦେଶରେ କାରାଦଣ୍ଡାଦେଶ ହୋଇଥିଲା। ୨୦୧୦ରେ ଜେଲ୍‌ରୁ ମୁକ୍ତ ହେବା ପରେ ସେ ବ୍ରିଟେନ୍‌ ଚାଲିଆସିଥିଲେ। ମାର୍ଚ୍ଚ ୪ରେ ସାଲିସ୍‌ବୁରୀଠାରେ ସ୍କ୍ରିପାଲ ଏବଂ ତାଙ୍କ ଝିଅ ୟୁଲିଆଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେନାରେ ବ୍ୟବହାର କରାଯାଉଥିବା ଏକ ବିଷାକ୍ତ ରସାୟନ ଇଞ୍ଜେକସନ୍‌ ସେମାନଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ଜଣାପଡିଥିଲା। ଏହା ପଛରେ ରୁଷର ହାତ ଥିବା ଅଭିଯୋଗ ଆଣି ବ୍ରିଟେନ୍‌ ନିଜର ମିତ୍ର ରାଷ୍ଟ୍ରଗୁଡିକର ସମର୍ଥନ ଲୋଡିଥିଲା। ରୁଷ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ମଧ୍ୟ ଏଥିପ୍ରତି କୌଣସି ରାଷ୍ଟ୍ର କର୍ଣ୍ଣପାତ କରି ନ ଥିଲେ। ବ୍ରିଟେନ୍‌କୁ ସମର୍ଥନ ପୂର୍ବକ ଆମେରିକା, ୟୁରୋପୀୟ ସଂଘ ଏବଂ ନାଟୋ ରାଷ୍ଟ୍ର ସମୁହର ୨୦ଟି ଦେଶ ନିଜ ନିଜ ଦେଶରେ ଥିବା ମୋଟ ୧୫୦ର ଊର୍ଦ୍ଧ୍ବ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ। ଏମାନଙ୍କ ମଧ୍ୟରେ ଆମେରିକା ଦ୍ୱାରା ବହିଷ୍କୃତ ୬୦ ଜଣ ରୁଷୀୟ କୂଟନୀତିଜ୍ଞ ଅଛନ୍ତି। ଏଥିସହ ସିଟଲ୍‌ସ୍ଥିତ ନିଜର ଦୂତାବାସକୁ ମଧ୍ୟ ଆମେରିକା ବନ୍ଦ କରିଦେଇଥିଲା। କୌଣସି ରାଷ୍ଟ୍ର ବିରୋଧରେ ଏମିତି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଶୀତଳ ଯୁଦ୍ଧ ସମୟରେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ରୁଷ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛି। ଆମେରିକୀୟ ରାଷ୍ଟ୍ରଦୂତ ହଣ୍ଟସମ୍ୟାନ କହିଛନ୍ତି, ରୁଷ ଏଭଳି ପଦକ୍ଷେପ ଗ୍ରହଣ କରିବାର କୌଣସି ଯଥାର୍ଥତା ନାହିଁ। ଆମେରିକା ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ନେଇ ରୁଷର ଆଗ୍ରହ ନ ଥିବା ଏହି ପଦକ୍ଷେପରୁ ସ୍ପଷ୍ଟ ହେଉଛି। ଅନ୍ୟପଟେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ହିଥର୍‌ ନୁଏର୍ଟ କହିଛନ୍ତି, ରୁଷ ପୀଡ଼ିତ ରାଷ୍ଟ୍ର ଭଳି ବ୍ୟବହାର କରିବା ଉଚିତ ନୁହେଁ। ସେହିଭଳି ହ୍ୱାଇଟ୍‌ ହାଉସ୍‌ ମୁଖପାତ୍ର ସାରା ହୁକାବି କହିଛନ୍ତି, ରୁଷର ଏଭଳି ପଦକ୍ଷେପ ଆମେରିକା ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ପ୍ରଭୃତ କ୍ଷତି ଘଟାଇଛି।

Leave A Reply