www.samajalive.in
Monday, December 15, 2025
15.1 C
Bhubaneswar

ଯୁଦ୍ଧ ସମୟରେ ରୁଷରେ ବିଜୟ ଦିବସ ପରେଡ

ମସ୍କୋ/କିଭ୍‍ : ୟୁକ୍ରେନ ସହିତ ଯୁଦ୍ଧ ଚାଲିଥିବାବେଳେ ରୁଷ୍‍ରେ ସୋମବାର ବିଜୟ ଦିବସ ପରେଡ ଅନୁଷ୍ଠିତ ହେବ। ଯୁଦ୍ଧକୁ ତୃତୀୟ ମାସରେ ପହଞ୍ଚିଥିବାବେଳେ ରୁଷ ଆକ୍ରମଣରେ ସମୁଦାୟ ୟୁକ୍ରେନ ଧ୍ୱସ୍ତ ବିଧ୍ୱସ୍ତ ହୋଇସାରିଲାଣି। ତଥାପି ରୁଷ ପକ୍ଷରୁ ଦିନ ରାତି ୟୁକ୍ରେନର ବିଭିନ୍ନ ସ୍ଥଳକୁ ଲକ୍ଷ୍ୟକରି କ୍ଷେପଣାସ୍ତ୍ର ଓ ରକେଟ ମାଡ କରାଯାଉଛି। ସୋମବାର ବିଜୟ ଦିବସ ପରେଡରେ ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ତାଙ୍କ ଭାଷଣରେ କଣ କହିବେ, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ ୧୯୪୫ ମେ ୮ ତାରିଖରେ ନାଜି ଜର୍ମାନୀର ପରାଜୟ ଓ ଆତ୍ମସମର୍ପଣ ସହିତ ୟୁରୋପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ଘଟିଥିଲା। ଏହି ଦିବସକୁ ରୁଷ୍‍ରେ ଖୁବ ଧୁମ୍‍ଧାମରେ ପାଳନ କରାଯାଇଆସୁଛି। ରୁଷର ଅଧିକାଂଶ ଅଞ୍ଚଳ ସହିତ ରୁଷ ଅଧିକୃତ ଅଞ୍ଚଳ ଏବଂ ମାରିଉପୋଲରେ ମଧ୍ୟ ଏହି ଦିବସ ପାଳିତ ହେବାକୁ ଯାଉଛି। ଏହି ଅଞ୍ଚଳଗୁଡିକରେ ଥିବା ରାସ୍ତାଗୁଡିକୁ ରୁଷ ଏବଂ ସୋଭିଏତ୍‍ ବିଜୟ ପତାକାରେ ସୁସଜ୍ଜିତ କରାଯାଇଛି। ପୂର୍ବତନ ସୋଭିଏତ ସଂଘର ଶକ୍ତି ସମ୍ପର୍କରେ ସମସ୍ତଙ୍କୁ ସ୍ମରଣ କରାଇବା ଏବଂ ନାଜିବାଦ ବିରୋଧରେ ପ୍ରତ୍ୟେକ ନାଗରିକ କିଭଳି ଏକ ହୋଇ ଲଢେଇ କରିଥିଲେ, ତାହା ପ୍ରଦର୍ଶିତ କରିବା ଏହାର ଉଦ୍ଦେଶ୍ୟ। ମସ୍କୋର ରେଡ ସ୍କୋୟାରରେ ବିଜୟ ଦିବସ ପରେଡ ସୋମବାର ପୂର୍ବାହ୍ନ ୯ଟାରେ ଅନୁଷ୍ଠିତ ହେବ। ସେଥିପାଇଁ ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଯାନବାହନ ଚଳାଚଳକୁ ଦିନକ ପାଇଁ ବନ୍ଦ କରିଦିଆଯିବ। ଏହି ଅବସରରେ ରୁଷ ନିଜର ସାମରିକ ଶକ୍ତି ମଧ୍ୟ ପ୍ରଦର୍ଶନ କରିବ ବୋଲି ଜଣାଯାଇଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ଏହି ଦିବସ ପରେଡରେ ଚଳିତବର୍ଷ ମାତ୍ର ୧୨୯ଟି ସାମରିକ ଯାନ ଏବଂ ୧୦ ହଜାର ସୈନ୍ୟ ଅଂଶଗ୍ରହଣ କରିବେ। ୨୦୨୧ରେ ଆୟୋଜିତ ପରେଡରେ ୧୯୧ଟି ସାମରିକ ଯାନ ଏବଂ ପ୍ରାୟ ୧୨ ହଜାର ସୈନ୍ୟ ଭାଗ ନେଇଥିଲେ। ଏହାସହିତ ରୁଷର ୭୭ଟି ସାମରିକ ବିମାନ ଓ ହେଲିକପ୍ଟର ଉଡାଣ ଓ ସାମରିକ କୌଶଳ ପ୍ରଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ରୁଷର ବିଭିନ୍ନ ପ୍ରାନ୍ତରେ ସାଧାରଣ ନାଗରିକଙ୍କର ଶୋଭାଯାତ୍ରା ଅନୁଷ୍ଠିତ ହେବ।
ଅନ୍ୟପକ୍ଷରେ ଆମେରିକାର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍‍ ବାଇଡେନ ଅପ୍ରତ୍ୟାଶିତ ଭାବରେ ୟୁକ୍ରେନ ଗସ୍ତ କରିଛନ୍ତି। ରବିବାର ସେ ୟୁକ୍ରେନରେ ପହଞ୍ଚିବା ପରେ ମାତୃ ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପତ୍ନୀ ଓଲେନା ଜେଲେନସ୍କିଙ୍କ ସହିତ ଯୋଗଦେଇଛନ୍ତି। ରୁଷ୍‍ ପକ୍ଷରୁ ୟୁକ୍ରେନର ଏକ ସ୍କୁଲ ଉପରେ ଆକ୍ରମଣ କରାଯିବା ଫଳରେ ଅନ୍ୟୂନ ୬୦ ଜଣଙ୍କର ପ୍ରାଣହାନି ଘଟିଛି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ବିଜୟ ଦିବସ ବର୍ଷ ପାଳନ ଅବସରରେ ୟୁରୋପକୁ ପୁଣି ଖରାପ ଶକ୍ତି ଓ ଅନ୍ଧକାର ପ୍ରତ୍ୟାବର୍ତ୍ତନ କରିଛି। ସେ ରୁଷ ଆକ୍ରମଣକୁ ନାଜି ଜର୍ମାନୀ ସହିତ ତୁଳନା କରିଛନ୍ତି। ଏଭଳି ପରିସ୍ଥିତିରେ ମାରିଉପୋଲରର ଆଜୋଭସ୍ତାଲ ଇସ୍ପାତ କାରଖାନା ପରିସରରେ ରହିଥିବା ୟୁକ୍ରେନ ସୈନ୍ୟମାନେ ଜୀବନର ଶେଷ ପର୍ଯ୍ୟନ୍ତ ରୁଷ ଆକ୍ରମଣର ମୁକାବିଲା କରିବେ ବୋଲି କହିଛନ୍ତି। ତେବେ ପୋପାସନା ଅଞ୍ଚଳରୁ ୟୁକ୍ରେନ ସୈନ୍ୟମାନେ ପଛକୁ ହଟିଯାଇଥିବା ଲୁହାନସ୍କ ଗଭର୍ଣ୍ଣର କହିଛନ୍ତି। ରବିବାର ସେ କହିଛନ୍ତି ଯେ ୟୁକ୍ରେନ ସୈନ୍ୟମାନେ ସେଠାରୁ ହଟିବା ପରେ ଚେଚନ୍ୟା ସୈନ୍ୟମାନେ ପୋପାସନାର ଅଧିକାଂଶ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଛନ୍ତି। ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିରେ ନାଟୋର ମହାସଚିବ ଆଣ୍ଡର୍ସ ଫୋଗ୍‍ ରାସମୁସେନ କହିଛନ୍ତି, ସ୍ୱିଡେନ ଏବଂ ଫିନଲାଣ୍ଡ ନାଟୋରେ ସାମିଲ ହେବା ସମୟ ଆସିଯାଇଛି। ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଯୁଦ୍ଧକୁ ନେଇ ବ୍ୟସ୍ତ ଥିବାରୁ ଏହି ଦୁଇ ରାଷ୍ଟ୍ର ନାଟୋରେ ସାମିଲ ହେବାକୁ ଏବେ ଉପଯୁକ୍ତ ସମୟ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଆଜୋଭସ୍ତାଲ ଇସ୍ପାତ କାରଖାନା ପରିସରରେ ଅଟକି ରହିଥିବା ସାଧାରଣ ନାଗରିକଙ୍କ ମଧ୍ୟରୁ ଶେଷ ଦଫା ମହିଳା ଓ ଶିଶୁମାନଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇବା ସମ୍ପ୍ରତି ୟୁକ୍ରେନ ପାଇଁ ଅଗ୍ରାଧିକାର ବିଷୟ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories